Unknown

 

 

 

 

 

 

 

 

 

 

 

ପ୍ରବନ୍ଧାବଳୀ

ଶ୍ୟାମସୁନ୍ଦର ରାଜଗୁରୁ

 

ଅଗ୍ରଲେଖ

 

ଓଡ଼ିଆ ପ୍ରବନ୍ଧ ସାହିତ୍ୟର ସମୃଦ୍ଧ ପରମ୍ପରା ରହିଛି । ପ୍ରସାର ଅଭାବରୁ ସେ ପରମ୍ପରାର ଅବକ୍ଷୟ ଘଟୁଛି । ସେ ପରମ୍ପରାକୁ ପୁନର୍ଜୀବିତ କରାଇବା ସହ ସାମ୍ପ୍ରତିକ ସମୟ ସହ ଯୋଡ଼ିପାରିଲେ ବର୍ତ୍ତମାନର ପିଢ଼ି ଉପକୃତ ହୋଇପାରିବେ । ଅନେକ ସମ୍ପଦ ପାଣ୍ଡୁଲିପି ଆକାରରେ ରହିଯାଇଛି । କେତେକ ପୁସ୍ତକ ରୂପ ପାଇଥିଲେ ମଧ୍ୟ ଏବେ ବଜାରରେ ଉପଲବ୍ଧ ହେଉନାହିଁ । ସେହିପରି ଏକ ଦୁର୍ମୂଲ୍ୟ ପୁସ୍ତକ ହେଉଛି ‘ଶ୍ୟାମ ସୁନ୍ଦର ରାଜଗୁରୁଙ୍କ ‘ପ୍ରବନ୍ଧାବଳୀ’ । ଓଡ଼ିଶା ସାହିତ୍ୟ ଏକାଡ଼େମୀ ଏହି ବହିର ପ୍ରକାଶକ; ଯାହାର ପ୍ରଥମ ଓ ଦ୍ୱିତୀୟ ପ୍ରକାଶ ଯଥାକ୍ରମେ ୧୯୬୪ ଓ ୧୯୯୪ରେ ହୋଇଥିଲା. ଏବଂ ୨୦୧୯ରେ ଏହି ବହିର ତୃତୀୟ ପ୍ରକାଶ ହେବା ଖୁସିର କଥା ।

 

ଶ୍ୟାମସୁନ୍ଦର ରାଜଗୁରୁ (୧୮୬୬-୧୯୦୯) ଓଡ଼ିଆ ସାହିତ୍ୟ ଜଗତର ଜଣେ ଯଶସ୍ୱୀ ସ୍ରଷ୍ଟା । ସେ ଯେଉଁ କାଳ ଖଣ୍ଡରେ କ୍ରିୟାଶୀଳ ଥିଲେ: ତାହା ଭାଷା, ସାହିତ୍ୟ ଓ ସଂସ୍କୃତି ଦୃଷ୍ଟିରୁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ସେ ସମୟର ଚିନ୍ତା ଓ ଚେତନା ତାଙ୍କ ପ୍ରବନ୍ଧାବଳୀରେ ବେଶ୍ ପରିପୁଷ୍ଟ । ଓଡ଼ିଆ ଛନ୍ଦଠାରୁ ଓଡ଼ିଆ ଭାଷାର ଆଦର୍ଶ ପର୍ଯ୍ୟନ୍ତ ୨୨ଟି ପ୍ରବନ୍ଧରେ ସେ ବିଭିନ୍ନ ବିଷୟ ଉପରେ ଆଲୋଚନା କରିଛନ୍ତି । ସେ ବିଷୟଗୁଡ଼ିକର ପ୍ରାସଙ୍ଗିକତା ଏବେ ମଧ୍ୟ ରହିଛି ।

 

ଶ୍ୟାମସୁନ୍ଦର ରାଜଗୁରୁଙ୍କ ‘ପ୍ରବନ୍ଧାବଳୀ’ ଓଡ଼ିଆ ସାହିତ୍ୟର ଏକ ଉଲ୍ଲେଖନୀୟ ସଂକଳନ ଏବଂ ଏହାର ତୃତୀୟ ସଂସ୍କରଣ ଉଭୟ ସାଧାରଣ ପାଠକ ଓ ଗବେଷକଙ୍କ ପାଇଁ ଉପାଦେୟ ହେବ ବୋଲି ମୋ’ର ଆଶା ଓ ବିଶ୍ୱାସ ।

 

ଜୟନ୍ତୀ ରଥ

ସଚିବ

ଓଡ଼ିଶା ସାହିତ୍ୟ ଏକାଡେମୀ

 

ଅଗ୍ରଲେଖ

 

ଓଡ଼ିଆ ଭାଷା ଓ ସାହିତ୍ୟର ଅଭିବୃଦ୍ଧି ସାଧନ ଏବଂ ସାହିତ୍ୟରେ ଉଚ୍ଚମାନ ଓ ମୂଲ୍ୟବୋଧ ପ୍ରତିଷ୍ଠାର ଆଭିମୁଖ୍ୟ ନେଇ ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରକାଶନ ପରିଯୋଜନା ମାଧ୍ୟମରେ ବହୁ ମୂଲ୍ୟବାନ ଓ ଦୁଷ୍ପ୍ରାପ୍ୟ ପାଣ୍ଡୁଲିପିର ପୁନରୁଦ୍ଧାର କରି ସେଗୁଡ଼ିକର ସଙ୍କଳନ, ସମ୍ପାଦନା ଓ ପ୍ରକାଶନ ପାଇଁ ସକ୍ରିୟ ଭାବରେ କାର୍ଯ୍ୟ କରି ଆସୁଅଛି । ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାବଲମ୍ବୀ ଗ୍ରନ୍ଥ ବ୍ୟତୀତ ଅନେକ ଅନବଦ୍ୟ ସଂସ୍କୃତ ଗ୍ରନ୍ଥ, ଇଂରାଜୀ ଭାଷାରେ ରଚିତ ଉଚ୍ଚକୋଟୀର ଉଚ୍ଚାଙ୍ଗ ସାହିତ୍ୟର ଅନୁବାଦ ତଥା ଓଡ଼ିଆ ସାହିତ୍ୟ-ସଂସ୍କୃତି ଉପରେ ଆଧାରିତ କେତେକ ଗବେଷଣାଧର୍ମୀ ଇଂରାଜୀ ପୁସ୍ତକ ମଧ୍ୟ ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ପ୍ରକାଶିତ ହୋଇ ଓଡ଼ିଆ ସାହିତ୍ୟ ଓ ସଂସ୍କୃତିକୁ ଋଦ୍ଧିମନ୍ତ କରିବା ସଙ୍ଗେ ସଙ୍ଗେ ସଂସ୍କୃତ ଓ ଇଂରାଜୀ ସାହିତ୍ୟର ମଧ୍ୟ ଶ୍ରୀବୃଦ୍ଧି ସାଧନ କରୁଅଛି । ରାଜ୍ୟରେ ଏକ ଶାଶ୍ୱତ, ସାରସ୍ୱତ ବାତାବରଣ ସୃଷ୍ଟି କରିବାର ଆଭିମୁଖ୍ୟ ନେଇ ପ୍ରକାଶନ କାର୍ଯ୍ୟକ୍ରମକୁ ଅଧିକ ପ୍ରସାରିତ ଓ ଲୋକପ୍ରିୟ କରିବା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ସର୍ବଦା ସାଧନାରତ ।

 

ସାରସ୍ୱତ ସାଧକ ସ୍ୱର୍ଗତ ଶ୍ୟାମସୁନ୍ଦର ରାଜଗୁରୁଙ୍କ ‘ପ୍ରବନ୍ଧାବଳୀ’ ଓଡ଼ିଆ ଭାଷା ସାହିତ୍ୟ ଓ ସାହିତ୍ୟିକଙ୍କ ସମ୍ପର୍କରେ ସ୍ୱରଚିତ କେତେକ ପାଣ୍ଡିତ୍ୟପୂର୍ଣ୍ଣ ପ୍ରବନ୍ଧର ଏକ ମନୋଜ୍ଞ ସଂକଳନର ଦ୍ୱିତୀୟ ସଂସ୍କରଣ ପ୍ରକାଶନ ଅବସରରେ ମୁଁ ଆଶା କରୁଛି, ଏହା ସାହିତ୍ୟାନୁରାଗୀ ପାଠକ ତଥା ଭାଷା ଗବେଷକମାନଙ୍କ ମଧ୍ୟରେ ସମୁଚିତ ଆଦର ଲାଭ କରିବ ।

 

ଭୁବନେଶ୍ୱର-୧୪

ରାଜକିଶୋର ମିଶ୍ର

 

ସମ୍ପାଦକ

 

ଓଡ଼ିଆ ସାହିତ୍ୟ ଏକାଡେମୀ

 

ମୁଖବନ୍ଧ

 

ସ୍ୱର୍ଗତ ଶ୍ୟାମସୁନ୍ଦର ରାଜଗୁରୁଙ୍କ କର୍ତ୍ତୃକ ସଂକଳିତ ‘ସାହିତ୍ୟ’ ପତ୍ରିକାରେ ପ୍ରକାଶିତ ପ୍ରବନ୍ଧଗୁଡ଼ିକ ସଂଗୃହୀତ ହୋଇ ପୁସ୍ତକାକାରରେ ବର୍ତ୍ତମାନ ‘ପ୍ରବନ୍ଧାବଳୀ’ ନାମରେ ମୁଦ୍ରିତ ଓ ପ୍ରକାଶିତ ହେଲା । ଉତ୍କଳ ସାହିତ୍ୟ ଓ ଉତ୍କଳ ଭାଷାର ସୌଧ ସଙ୍ଗଠନାର୍ଥେ ଲେଖକ ଯେ ଏହି ଭିତ୍ତିପତନ କରିଯାଉଥିଲେ, ଏହା ପୂର୍ଣ୍ଣମାତ୍ରାରେ ପ୍ରବନ୍ଧାବଳୀର ପାଠକେ ଅନୁଭବ କରିପାରିବେ । ସ୍ୱର୍ଗତ ଶ୍ୟାମସୁନ୍ଦର ରାଜଗୁରୁଙ୍କ ସମସାମୟିକ ସାହିତ୍ୟସେବୀମାନଙ୍କୁ ତାଙ୍କର ଏହି ସାଧୁ ସଂକଳ୍ପ ଓ ସତଚେଷ୍ଟା ଅଗୋଚର ନ ଥିଲା । ଉତ୍କଳର କବିଗୁରୁ କବିବର ରାଧାନାଥ ରାୟ ବାହାଦୁର ଉତ୍କଳ ସାହିତ୍ୟ ସମାଜର ପ୍ରଥମ ବାର୍ଷିକ ଅଧିବେଶନର ଅଭିଭାଷଣରେ କହିଥିଲେ, “ଓଡ଼ିଶାରେ ଅନ୍ୟାନ୍ୟ ବ୍ୟକ୍ତିଙ୍କ ମଧ୍ୟରେ ସୁପଣ୍ଡିତ ବାବୁ ଶ୍ୟାମସୁନ୍ଦର ରାଜଗୁରୁ ବି.ଏ. ମହାଶୟ ଏ ବିଷୟରେ (ଉତ୍କଳ ସାହିତ୍ୟର ଇତିହାସ ପ୍ରଣୟନ ବିଷୟରେ) ପ୍ରଶଂସନୀୟ ଅଧ୍ୟବସାୟ ପ୍ରଦର୍ଶନ କରି ଆମ୍ଭମାନଙ୍କର ଧନ୍ୟବାଦାର୍ହ ହୋଇଅଛନ୍ତି । ମାତ୍ର ଏପରି ଦୁର୍ବହ ଭାର ତାହାଙ୍କ ଉପରେ ଅଥବା ଅପର କୌଣସି ଯୋଗ୍ୟ ବ୍ୟକ୍ତିଙ୍କ ଉପରେ ନ୍ୟସ୍ତ କରି କେବଳ ଧନ୍ୟବାଦ ଦେଇ ନିଶ୍ଚିନ୍ତ ରହିଲେ ଚଳିବ ନାହିଁ । X X X ଏପରି ବିଷୟରେ କଥା ଅପେକ୍ଷା ଅଧିକତର ସାରବାନ ଉତ୍ସାହ ନିତାନ୍ତ ଲୋଡ଼ା । ସାଧାରଣଙ୍କର ଉଚିତ ଯେ, ସମବେତ ହୋଇ ତାହାଙ୍କୁ ଅଥବା ଅନ୍ୟ କୌଣସି ଯୋଗ୍ୟ ଲୋକଙ୍କୁ ଏପରି ମହୋପକାରୀ ବିଷୟରେ ପର୍ଯ୍ୟାପ୍ତ ଅର୍ଥ ସାହାଯ୍ୟ କରିବେ । ଯେଉଁ ବ୍ୟକ୍ତି ଏହି ମହାବ୍ରତଧାରୀ ହେବେ, ତାହାଙ୍କୁ କେତେ ପୁସ୍ତକ ସଂଗ୍ରହ, କେତେ ଅଧ୍ୟୟନ, କେତେ ପର୍ଯ୍ୟଟନ, କେତେ ଗବେଷଣା, କେତେ ଚିନ୍ତା, କେତେ ପରିଶ୍ରମ କରିବାକୁ ହେବ, ତାହା ଆପଣମାନଙ୍କ ପରି ଜ୍ଞାତସାର ବ୍ୟକ୍ତିମାନଙ୍କୁ କହିବା ବାହୁଲ୍ୟ ।” କବିବରଙ୍କର ଏହି ଧାରଣାର ସତ୍ୟମୂଳକତା ପରବର୍ତ୍ତୀ ଘଟନାବଳୀ ଦ୍ୱାରା ପ୍ରମାଣିତ ହୋଇଥିଲା । ସ୍ୱର୍ଗତ ରାଜଗୁରୁ ମହାଶୟଙ୍କ ପରମ ମିତ୍ର ଓ ଅଶେଷ ଉତ୍ସାହଦାତା ଶ୍ରୀ ଶ୍ରୀ ପଦ୍ମନାଭ ନାରାୟଣ ଦେବ ଇହଧାମ ତ୍ୟାଗ କଲାରୁ ସେ ହତୋତ୍ସାହ, ରୁଗ୍‍ଣ ଓ ଭଗ୍ନୋଦ୍ୟମ ହୋଇପଡ଼ିଲେ ଏବଂ ଚନ୍ଦ୍ର ମହାରାଜାଙ୍କର ଅସ୍ତମିତ ପ୍ରଭା ସଙ୍ଗେ ସଙ୍ଗେ ରାଜଗୁରୁଙ୍କର ଦେଶସେବା ଓ ସାହିତ୍ୟସେବା ତିମିରାଚ୍ଛନ୍ନ ହେଲା । ଏବଂବିଧ ଦୈବଦୁର୍ବିପାକ ଘଟଣା ସମ୍ଭବି ନଥିଲେ ଉତ୍କଳ ସାହିତ୍ୟାନୁରାଗୀ ପାଠକେ ଆଜି ‘ପ୍ରବନ୍ଧାବଳୀ’ ମାତ୍ର ପାଠ ନ କରି କେ ଜାଣେ ରାଜଗୁରୁଙ୍କ ଉତ୍କଳ ସାହିତ୍ୟ ଓ ଉତ୍କଳ ଭାଷାର ଇତିହାସ ପାଠ କରିପାରନ୍ତେ ପରା !

 

‘ପ୍ରବନ୍ଧାବଳୀ’ରେ ଉତ୍କଳ ଭାଷାତତ୍ତ୍ୱ, ଉତ୍କଳୀୟ କେତେକ ଅତି ପ୍ରାଚୀନ କବିମାନଙ୍କର ସଂକ୍ଷିପ୍ତ ଜୀବନୀ ଓ ଉତ୍କଳ ଭାଷାର ସମାଲୋଚନା ଓ ଆଦର୍ଶ ସମ୍ବନ୍ଧରେ କେତେଗୋଟି ପ୍ରବନ୍ଧ ସଂଯୋଜିତ ଅଛି । କିନ୍ତୁ ଏହାକୁ ଉତ୍କଳସାହିତ୍ୟ କିମ୍ବା ଭାଷାର ସମ୍ପୂର୍ଣ୍ଣ ଇତିହାସ କୁହାଯାଇନପାରେ-। ଲେଖକ ଯେଉଁ କ୍ରମରେ ସମୟ ସମୟରେ ସଂକଳିତ ପ୍ରବନ୍ଧଗୁଡ଼ିକ “ଉତ୍କଳ ସାହିତ୍ୟ” ପତ୍ରିକାରେ ପ୍ରକାଶ କରିଥିଲେ, ପୁସ୍ତକରେ ସେହି କ୍ରମ ରକ୍ଷା କରାଯାଇ ନାହିଁ । ପ୍ରବନ୍ଧାବଳୀର ବିବିଧ ପ୍ରବନ୍ଧଗୁଡ଼ିକୁ ସୁବିଧାକ୍ରମେ ଯଥୋଚିତ ସ୍ଥାନ ଦିଆଯାଇଅଛି ଏବଂ କବିଜୀବନୀ ସମ୍ପର୍କୀୟ ପ୍ରବନ୍ଧଗୁଡ଼ିକ କବିଙ୍କ ସମୟ ବିବେଚନାରେ ସ୍ଥାନ ପାଇଅଛି ।

 

ଉତ୍କଳ ଭାଷାର ଇତିହାସ ସଂକଳନର ପ୍ରଥମ ସୂଚନାସ୍ୱରୂପ ଭକ୍ତକବି ଦୀନକୃଷ୍ଣ ଦାସ ଓ ରସକଲ୍ଲୋଳ ସମ୍ବନ୍ଧରେ ବୈୟାକରଣପ୍ରବର ଜନ୍‍ ବୀମ୍‍ସ ସାହେବ (John Beams) ଇଣ୍ଡିଆନ୍‍ ଏଣ୍ଟିକ୍ୱାରିରେ (Indian Antiquary) ନିଜ ମନ୍ତବ୍ୟ ପ୍ରକାଶ କରିଅଛନ୍ତି । ଓଡ଼ିଶାର ଇତିହାସ ଲେଖକ ହଣ୍ଟର ସାହେବଙ୍କ (Hunter) ଅନୁରୋଧକ୍ରମେ ପ୍ରାତଃସ୍ମରଣୀୟ ଉତ୍କଳୀୟ ଶିକ୍ଷାଗୁରୁ ରେବେନ୍‍ସା ସାହେବ କଥିତ ଇତିହାସର ପରିଶିଷ୍ଟ ପୃଷ୍ଠାରେ ଯତ୍‍ସାମାନ୍ୟ ଧାରାବାହିକ ଉତ୍କଳ ସାହିତ୍ୟର ସଂକ୍ଷିପ୍ତ ଇତିବୃତ୍ତ ଉତ୍କଳ ସାହିତ୍ୟ ଭଣ୍ଡାରକୁ ଯୋଗାଇଅଛନ୍ତି । ଉତ୍କଳ ସାହିତ୍ୟାନୁଶୀଳନାନୁରାଗୀ ସେହି ବୈଦେଶିକ ବ୍ୟକ୍ତିମାନଙ୍କଠାରେ ସେଥିଲାଗି ଉତ୍କଳ ଚିରଋଣୀ ଏବଂ ସେମାନଙ୍କ ସାଧୁ ଚେଷ୍ଟା ସକାଶେ ସେମାନଙ୍କୁ ଧନ୍ୟବାଦ ଅର୍ପଣ କରୁଥିବ । କିନ୍ତୁ ବୈଦେଶିକ ସଂକଳନକାରୀଙ୍କ ଉଦ୍ୟମର ଫଳ ଯାହା ଅବଶ୍ୟମ୍ଭାବୀ, ଆଲୋଚିତ କ୍ଷେତ୍ରରେ ତାହାହିଁ ଘଟିଅଛି । କତିପୟ କାବ୍ୟ ଓ ସେଥିର ନିଶ୍ଚିତ କବି ଓ କବିତାର ସମୟ ନିର୍ଦ୍ଧାରଣ ପ୍ରଭୃତି ପରସ୍ପର ସହିତ ସମ୍ପୂର୍ଣ୍ଣ ସମ୍ବନ୍ଧ ପାଉନାହିଁ । ପ୍ରଥମ ଉଦ୍ୟମରେ ଏତାଦୃଶ ଗବେଷଣାଗତ ଦୋଷ ରହିବା ସମ୍ଭବପର; ଏବଂ ପରବର୍ତ୍ତୀ ସଙ୍କଳନକାରୀମାନେ ସେହି ତ୍ରୁଟିଗୁଡ଼ିକ ମାର୍ଜନା କରିନେବା କର୍ତ୍ତବ୍ୟ । ଏତଦ୍‍ବ୍ୟତୀତ କଥିତ କ୍ଷେତ୍ରରେ ଶ୍ରୀ ମୃତ୍ୟୁଞ୍ଜୟ ରଥ କାବ୍ୟତୀର୍ଥ ଓ ଶ୍ରୀ ମଧୁସୂଦନ ଦାଶ ବି.ଏ. ପ୍ରଭୃତି ଖ୍ୟାତନାମା ଆଧୁନିକ ଉତ୍କଳ ସାରସ୍ୱତ ଭକ୍ତବୃନ୍ଦ କେତେଦୂର ଅଗ୍ରସର ହୋଇଅଛନ୍ତି । କିନ୍ତୁ ସେମାନଙ୍କର ଉଦ୍ୟମ ବିଶେଷତା ପ୍ରାଚୀନ କାବ୍ୟ ନାଟକାଦି ସମାଲୋଚନାର ସୀମା ମଧ୍ୟରେ ଆବଦ୍ଧ; ଅତଏବ ଫଳତଃ ଉତ୍କଳ ସାହିତ୍ୟ ଓ ଭାଷାର କୌଣସି ରୀତିମତ ଇତିହାସ ଆଜିଯାଏ ସଂକଳିତ ହୋଇପାରିନାହିଁ ।

 

ଆଧୁନିକ ଉତ୍କଳ ଭାଷାର ଶୈଳୀ ଓ ଶବ୍ଦ ପ୍ରୟୋଗ ସମ୍ବନ୍ଧରେ ସ୍ୱର୍ଗୀୟ ସାହିତ୍ୟିକଙ୍କର କି ଧାରଣା ଥିଲା, ତାହା ପାଠକଙ୍କ ଗୋଚରାର୍ଥେ “ଧ୍ରୁବ ନାଟକର ସମାଲୋଚନା” ଓ ଉତ୍ତର ପ୍ରତ୍ୟୁତ୍ତରାଦି “ପ୍ରବନ୍ଧାବଳୀ”ର ଶେଷ ପୃଷ୍ଠାମାନଙ୍କରେ ସଂଯୋଜିତ ରହିଲା । ଓଡ଼ିଆ ସାହିତ୍ୟ ପ୍ରତି ତାହାଙ୍କର ଯେ ପ୍ରକାର ଅସୀମ ଆଗ୍ରହ ଥିଲା, ଆପଣାର ଜନ୍ମଭୂମି ଗଞ୍ଜାମର ଅନାବିଳ ଓଡ଼ିଆ ଭାଷା ପ୍ରତି ମଧ୍ୟ ସେହିପରି ମମତା ଥିଲା, ଏହା ତାହାଙ୍କ ମନ୍ତବ୍ୟରୁ ସ୍ପଷ୍ଟ ପ୍ରତୀୟମାନ ହେଉଅଛି । ଉନ୍ନତିଶୀଳ ଭାଷା କଦାଚ classic ବା ରକ୍ଷଣଶୀଳ ହୋଇନପାରେ; ତାହା romantic ବା ପରିବର୍ତ୍ତନଶୀଳ ହେବା ସ୍ୱାଭାବିକ । ଏହି ଉକ୍ତିର ସତ୍ୟତା ସମସ୍ତେ ଉପଲବ୍ଧି କରିପାରନ୍ତି । ଓଡ଼ିଆ ଉନ୍ନତିଶୀଳ ଭାଷା, କିନ୍ତୁ ରକ୍ଷଣଶୀଳ ନୁହେଁ । ଅତଏବ ସଂସୃଷ୍ଟ ଉତ୍କଳେତର ଭାଷାମାନଙ୍କରୁ ଓ ସମାଜଗତ ପ୍ରାଦେଶିକ ଭାଷାରୁ ଶବ୍ଦ ଓ ଶୈଳୀ ଉଦ୍ଧୃତ ହୋଇ ଓଡ଼ିଆ ଭାଷାର କଳେବର ବୃଦ୍ଧି ସଙ୍ଗେ ସଙ୍ଗେ ଶ୍ରୀବର୍ଦ୍ଧନ କରିବା ସ୍ୱାଭାବିକ ମାତ୍ର । ପ୍ରତିକୂଳ ସମାଲୋଚନା କୌଣସି ଯୁଗରେ ଓ କୌଣସି ସଭ୍ୟ ଦେଶରେ ଏତାଦୃଶ ଉଦ୍ଧାରଣ (borrowing) ସ୍ରୋତର ଗତିରୋଧ କରିପାରିନାହିଁ । ଗବେଷଣାଦ୍ୱାରା ଭାଷାଗତ ଏହି ପରିବର୍ତ୍ତନମାନଙ୍କର ଆଦି, ଅନ୍ତ ଓ ଗତି ନିର୍ଦ୍ଦେଶ କରିବା ଭାଷାର ଇତିହାସ ଲେଖକଙ୍କର ଅନ୍ୟତର କର୍ତ୍ତବ୍ୟ କର୍ମ ମାତ୍ର । ସ୍ଥୂଳତଃ ଏହି ଧାରଣାର ସତ୍ୟତା ଉପରେ ତାହାଙ୍କର ଲେଖା ନିର୍ଭର କରିଥିଲା ।

 

“ପ୍ରବନ୍ଧାବଳୀ” ଅସଂଲଗ୍ନ ପ୍ରବନ୍ଧନିବହ ସଂଗ୍ରହ ହୋଇଥିଲେ ସୁଦ୍ଧା ଆଲୋଚିତ ବିଷୟାବଳୀ ଦୃଷ୍ଟିରେ ଏହା ଉତ୍କଳ ସାହିତ୍ୟକୋଷରେ ଗୋଟିଏ ଉପାଦେୟ ଆଭରଣରୂପେ ଗୃହୀତ ହେବା ଯୋଗ୍ୟବୋଲି ବିବେଚନା କରି ବର୍ତ୍ତମାନ ପୁସ୍ତକାକାରରେ ପ୍ରକାଶ କରାଯାଇଛି । ଉତ୍କଳ ସାହିତ୍ୟ ଓ ଭାଷାର ଭାବୀ ଇତିହାସ ସଂକଳନକାରୀମାନଙ୍କ ସୁବିଧାର୍ଥେ ଜନୈକ ସ୍ୱର୍ଗୀୟ ପ୍ରବୀଣ ଗବେଷଣାକାରୀଙ୍କ କୃତିତ୍ୱର ଆଦର୍ଶ ସଂସ୍ଥାପନ ଏବଂ ପ୍ରକାଶକଙ୍କର ବାଲ୍ୟକାଳୀନ ଶିକ୍ଷାଗୁରୁଙ୍କ ପ୍ରତି ଗୁରୁଭକ୍ତି ପ୍ରଦର୍ଶନ କଳ୍ପେ ରାଜଗୁରୁଙ୍କର ଆଜୀବନବ୍ୟାପୀ କାୟିକ ଓ ମାନସିକ ଶ୍ରମୋପଜାତ ଉପାଦେୟ ଲେଖାଗୁଡ଼ିକର ସଂଗ୍ରହ ଓ ପ୍ରକାଶରେ ତାହାଙ୍କର ସ୍ମୃତିରକ୍ଷା ଏବଂ “ପ୍ରବନ୍ଧାବଳୀ” ପ୍ରକାଶର ଅନ୍ୟତର ଉଦ୍ଦେଶ୍ୟ । ପ୍ରକାଶିତ ପ୍ରବନ୍ଧାବଳୀର ଉପାଦେୟତା ହୃଦୟବାନ ଓ ଚିନ୍ତାଶୀଳ ପାଠକମାନଙ୍କର କେବଳ ବିଚାରାଧୀନ, ଅତଏବ ଏହା ଉତ୍କଳୀୟ ଶିକ୍ଷିତ ସାଧାରଣରେ ଆଦୃତ ହେଲେ କୃତକୃତ୍ୟ ହେବୁଁ ।

 

“ପ୍ରବନ୍ଧାବଳୀ”ର ପ୍ରକାଶକ ଅଳ୍ପ ସମୟ ମଧ୍ୟରେ ଆପଣା କାର୍ଯ୍ୟାବଳୀଦ୍ୱାରା ଓଡ଼ିଆ ସାହିତ୍ୟ ତଥା ଓଡ଼ିଆ ଜାତିର ପୃଷ୍ଠପୋଷକତାର ଯେଉଁ ପ୍ରଗାଢ଼ ପରିଚୟ ଦେଇଅଛନ୍ତି, ତାହା ଉତ୍କଳ ସାହିତ୍ୟସେବୀମାନଙ୍କ ଅବିଦିତ ନୁହେଁ । ତାହାଙ୍କ ଅନୁମତିରେ “ପ୍ରବନ୍ଧାବଳୀ”ର ମୁଖବନ୍ଧ ଉଲ୍ଲେଖ କରି ଆମ୍ଭେମାନେ ଆପଣାକୁ ସାତିଶୟ ସମ୍ମାନିତ ଜ୍ଞାନ କରୁଅଛୁଁ ଏବଂ ସେଥିଲାଗି ପ୍ରକାଶକଙ୍କ ନିକଟରେ ଅଶେଷ କୃତଜ୍ଞତା ସ୍ୱୀକାର କରୁଅଛୁଁ ।

 

ପାରଳା

ଶ୍ରୀ ସିଂହାଦ୍ରି ଗନ୍ତାଇତ

୩୦ ।୦୮ ।୧୯୧୭

ଶ୍ରୀ ନିତ୍ୟାନନ୍ଦ ପଟ୍ଟନାୟକ ବି.ଏ.

 

ସଂକ୍ଷିପ୍ତ ଜୀବନୀ

 

ପାରଳାର ସୁପରିଚିତ ରାଜଗୁରୁ ବଂଶରେ ୧୮୬୬ ଖ୍ରୀଷ୍ଟାବ୍ଦରେ ଶ୍ୟାମସୁନ୍ଦର ରାଜଗୁରୁ ଜନ୍ମଗ୍ରହଣ କରିଥିଲେ । ବାଲ୍ୟ ସମୟରେ ପ୍ରାଥମିକ ଶିକ୍ଷା ସମାପନ କରି କିଶୋର ବୟସରେ ସେ ସଂସ୍କୃତ ଓ ପୁରୋହିତୋଚିତ କର୍ମକାଣ୍ଡ ଅଧ୍ୟୟନ କରିଥିଲେ । ତତ୍‍ପରେ ଷୋଡ଼ଶ ବର୍ଷ ବୟଃକ୍ରମରେ (୧୮୮୨ଖ୍ରୀ.) ସେ ଇଂରାଜୀ ଶିକ୍ଷା ପ୍ରାରମ୍ଭ କରି ୧୮୮୭ ଖ୍ରୀଷ୍ଟାବ୍ଦରେ ପାରଳା ହାଇସ୍କୁଲରୁ (ବର୍ତ୍ତମାନ କଲେଜ) ପ୍ରବେଶିକା ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ । ବ୍ରହ୍ମପୁର କଲେଜରୁ ୧୮୯୦ରେ ଏଫ୍‍.ଏ. ଓ ରାଜମହେନ୍ଦ୍ର ଗଭର୍ଣ୍ଣମେଣ୍ଟ କଲେଜରୁ ୧୮୯୨ ଖ୍ରୀଷ୍ଟାବ୍ଦରେ ବି.ଏ. ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ତତ୍ପରେ ସେ ମହାଶୟ ତତ୍କାଳୀନ ପାରଳାର ଦ୍ୱିତୀୟ ରାଜକୁମାର ଶ୍ରୀ ଶ୍ରୀ ପଦ୍ମନାଭ ନାରାୟଣ ଦେବଙ୍କର ଅଧ୍ୟାପକ କାର୍ଯ୍ୟରେ ୧୮୯୨ଖ୍ରୀ. ମାର୍ଚ୍ଚ ୫ ତାରିଖରେ ନିଯୁକ୍ତ ରହି ଆପଣାକୁ ସମ୍ମାନିତ ଜ୍ଞାନ କରିଥିଲେ ।

 

ଛାତ୍ର ଜୀବନରୁ ମଧ୍ୟ ଗଞ୍ଜାମବାସୀ ଓଡ଼ିଆମାନଙ୍କର ଉନ୍ନତି ସାଧନ ସଂକଳ୍ପ ତାହାଙ୍କର ହୃଦୟକେଦାରରେ ଅଙ୍କୁରିତ ହୋଇଥିଲା । ଓଡ଼ିଆ ଭାଷାକୁ ଗଞ୍ଜାମର ଅନ୍ୟତମ କଚେରି ଭାଷାସ୍ୱରୂପ ଗୃହୀତ କରାଇବା ଲାଗି ତତ୍କାଳୀନ କତିପୟ ନେତୃସ୍ଥାନୀୟ ଓଡ଼ିଆମାନେ ଉଦ୍ୟମ କରୁଥିଲେ । କଲେଜରେ ଅଧ୍ୟୟନ କରି ସୁଦ୍ଧା ଏହି ଆନ୍ଦୋଳନରେ ଯୋଗଦାନ କରିବାକୁ ସେ ଆପଣା ଅବସର ସମୟର ସହବ୍ୟୟ ମନେକରୁଥିଲେ । ଏତାଦୃଶ ଦେଶହିତକର କାର୍ଯ୍ୟ ସାଧନାର୍ଥେ ସେ ସ୍ୱୀୟ ଛାତ୍ରାବସ୍ଥାରେ ପାରଳାର “ଉତ୍କଳ ହିତୈଷିଣୀ ସଭା” ସଂସ୍ଥାପନ କରି ଆଜୀବନବ୍ୟାପୀ ତହିଁର ସଭାପତିସ୍ୱରୂପ କାର୍ଯ୍ୟ ପରିଚାଳନା କରି ଯାଇଅଛନ୍ତି । ରାଜଗୁରୁ ମହାଶୟ ସ୍ୱୀୟ ପ୍ରତିଭା ବଳରେ ଅକ୍ଷୁଣ୍ଣ ପନ୍ଦର ବର୍ଷ କାଳ ପାରଳା ମ୍ୟୁନିସିପାଲିଟିର ଚେୟାର୍‍ମ୍ୟାନ ମନୋନୀତ ହୋଇ ଆସିଥିଲେ । କିଛିକାଳ ଶ୍ରୀକାକୋଲ ତାଲୁକା ବୋର୍ଡ଼ ଓ ଗଞ୍ଜାମ ଜିଲ୍ଲା ବୋର୍ଡ଼ର ସଭ୍ୟ ହୋଇ ସେ ଅତ୍ୟନ୍ତ ଦକ୍ଷତା ସହ ନିଜ କର୍ତ୍ତବ୍ୟ ପାଳନ କରିଥିଲେ । ତାହାଙ୍କର ପରଲୋକ ଗମନରେ ଦୁଃଖ ପ୍ରକାଶ କରି ଜିଲ୍ଲା କଲେକ୍ଟର ସାହେବ ମ୍ୟୁନିସିପାଲିଟିର ବାର୍ଷିକ ରିପୋର୍ଟରେ ଉଲ୍ଲେଖ କରିଥିଲେ କି, “ଶ୍ୟାମସୁନ୍ଦର ରାଜଗୁରୁଙ୍କ ଅକାଳ ବିୟୋଗରେ କେବଳ ପାରଳାଖେମଣ୍ଡି ମ୍ୟୁନିସିପାଲିଟି ନୁହେଁ, ମାତ୍ର ସମଗ୍ର ଗଞ୍ଜାମ କ୍ଷତିଗ୍ରସ୍ତ ହୋଇଅଛି ।”

 

ସ୍ଥାନୀୟ ଶ୍ରୀ ପଦ୍ମନାଭ ରଙ୍ଗାଳୟର ସକଳ ବନ୍ଦୋବସ୍ତ ଓ ପରିଚାଳନା ଭାର ତାହାଙ୍କ ହସ୍ତରେ ନ୍ୟସ୍ତ ଥିଲା ଏବଂ ପାରଳାର ଗଜପତି ପ୍ରେସ୍‍ ତାହାଙ୍କର ତତ୍ତ୍ୱାବଧାନରେ ପରିଚାଳିତ ହେଉଥିଲା । “ଗଞ୍ଜାମ ନିଉସ୍‍” ନାମକ ଇଂରାଜୀ ସାପ୍ତାହିକ ପତ୍ରିକାର ସେ ସୁଯୋଗ୍ୟ ସମ୍ପାଦକ ଥିଲେ ।

 

ନାନାବିଧ କାର୍ଯ୍ୟରେ ବ୍ୟାପୃତ ଥାଇ ସୁଦ୍ଧା ସେ ଜାତୀୟ ସାହିତ୍ୟ ସେବାରୂପେ ପବିତ୍ର କର୍ମସାଧନାରୁ ବିରତ ନ ଥିଲେ । ଅବସର ନ ଛାଡ଼ି ସେ ପୁରାତନ ତାଳପତ୍ର ପୁସ୍ତକାଦି ସଂଗ୍ରହ ଓ ଅଧ୍ୟୟନ କରିବାକୁ ସୁଖ ପାଉଥିଲେ । କର୍ଣ୍ଣାଟ ରାଗ ରାଗିଣୀରେ କେତେକ ସଙ୍ଗୀତ ରଚନା କରି ସେ ଓଡ଼ିଆ ଭାଷାରେ ଦାକ୍ଷିଣାତ୍ୟ ସଙ୍ଗୀତର ସୂତ୍ରପାତ କରିଥିଲେ । “Feasts and Fasts of the Oriyas” (ଓଡ଼ିଆମାନଙ୍କର ବ୍ରତୋପବାସ) ନାମକ ଖଣ୍ଡିଏ ଇଂରାଜୀ ପୁସ୍ତିକା ସଂକଳନଦ୍ୱାରା ସେ ଆପଣାର ତୀକ୍ଷ୍‍ଣ ବୁଦ୍ଧିମତ୍ତାର ଯଥେଷ୍ଟ ପରିଚୟ ଦେଇଅଛନ୍ତି । କିନ୍ତୁ କିଛିକାଳ ସମୟାଭାବରୁ ଏବଂ ଅବଶେଷରେ ସ୍ୱୀୟ ପୃଷ୍ଠପୋଷକଙ୍କ ଅକାଳ ବିୟୋଗରେ ହତୋତ୍ସାହ ହେବାରୁ ସେ କୌଣସି ଉଲ୍ଲେଖଯୋଗ୍ୟ ପୁସ୍ତକ ପ୍ରଣୟନ କରି ଉତ୍କଳ ସାହିତ୍ୟ ଭଣ୍ଡାରକୁ ଯୋଗାଇ ପାରିନାହାନ୍ତି ।

 

ପାରଳାର ବର୍ତ୍ତମାନ ରାଜା ସାହେବ ଶ୍ରୀ ଶ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ବାଲ୍ୟ ସମୟରେ ଶ୍ୟାମସୁନ୍ଦର ରାଜଗୁରୁ ତାହାଙ୍କର ଅଧ୍ୟାପନା ଭାର ଗ୍ରହଣ କରିଥିଲେ । କିନ୍ତୁ ପାରଳାର କୀର୍ତ୍ତିଚନ୍ଦ୍ର ଶ୍ରୀ ଶ୍ରୀ ଶ୍ରୀ ଗୌରଚନ୍ଦ୍ର ଗଜପତି ନାରାୟଣ ଦେବ ମହାରାଜ ସି.ଆଇ.ଇ.ଙ୍କ ଅକାଳ ବିୟୋଗ ହେତୁ ନାବାଳକ ଯୁବରାଜ ମହୋଦୟ ମାନ୍ଦ୍ରାଜ ନଗରସ୍ଥ ନ୍ୟୁଇଂଟନ ରାଜକୁମାର ସ୍କୁଲରେ ସର୍କାରଙ୍କ ଆଦେଶ ମତେ ଶିକ୍ଷାପ୍ରାପ୍ତ ହେବାରୁ ସେହିଦିନୁ କାର୍ଯ୍ୟକ୍ଷେତ୍ରରେ ରାଜଗୁରୁଙ୍କ ରାଜକୀୟ ସମ୍ପର୍କ ଏକପ୍ରକାର ବନ୍ଦ ରହିଲା । ସେହିଦିନୁ ରାଜଗୁରୁ ମନୋବ୍ୟାଧିସଙ୍କୁଳ ଓ ରୁଗ୍‍ଣ ହୋଇପଡ଼ିଲେ ଏବଂ ୧୯୦୯ ଖ୍ରୀଷ୍ଟାବ୍ଦରେ ସେ ଇହଧାମ ତ୍ୟାଗ କଲେ ।

 

ଓଡ଼ିଆ ଛନ୍ଦ

 

ଓଡ଼ିଆ ଭାଷାର ଛନ୍ଦସବୁ ଦୁଇ ଭାଗରେ ବିଭକ୍ତ- ସମ ଓ ବିଷମ । ସମ ଛନ୍ଦ ଦୁଇ ପ୍ରକାର- ସଂଜ୍ଞାବିଶିଷ୍ଟ ଓ ସଂଜ୍ଞାବିହୀନ । ଯଥା:-

 

“ଦେଖରେ ନଳିନି ନଳିନୀ ନଳିନୀରେ ପୂରିତ !

ଭ୍ରମନ୍ତି ଭ୍ରମରେ ଭ୍ରମରେ ଭ୍ରମରେ ଏ ଶୋଭିତ ।”

 

ଏହି ଛନ୍ଦ ‘ରାମକିରୀ’ ନାମରେ ଖ୍ୟାତ । “କ, କ, କାଳିନ୍ଦୀତୀରେ । ଖ, ଖ, ଖେଳନ୍ତି ଧୀରେ ।” ଏହାର କୌଣସି ନାମ ନାହିଁ । ବିଷମ ଛନ୍ଦ ମଧ୍ୟ ଦୁଇ ପ୍ରକାର- “ଲଲାଟପଟ ଅର୍ଦ୍ଧଫରି ପରି । ମୃଗମଦ ତହିଁ ତିଳକ କରି । ରାହୁ ବାଦ ଇଚ୍ଛି ନିଶାନାୟକ । ଭିଆଇ ଆଣି ଆଡ଼େଣୀ ସାୟକ ସେ । ରହିଛି ସଂଯତ ହୋଇ ଯେ । ଅଳକା-ନିୟମ-ସୀମାକୁ ଲଙ୍ଘିଲେ ହାଣିବ ସଂଶୟ ନାହିଁ ଯେ ।” ଏହି ଛନ୍ଦକୁ କବିମାନେ ‘ରସକୋଇଲା’ ନାମରେ ଅଭିହିତ କରିଅଛନ୍ତି । କିନ୍ତୁ “ବନ୍ଧତଳିଆ ଚାଷ । ବନ୍ଧୁ ତଳିଆ ବାସ । କହେ ଦନାଇ ଏ କାହିଁରେ ଆଶ ।” ଏହି ଛନ୍ଦର ନାମକରଣ ଆଜିପର୍ଯ୍ୟନ୍ତ ହୋଇନାହିଁ ।

 

ଓଡ଼ିଆ ଛନ୍ଦ ସବୁ ସଂସ୍କୃତ ବା ପ୍ରାକୃତରୁ ଆସିଅଛି ଏହା କହିବା ଅନାବଶ୍ୟକ । ମାତ୍ର ସଂସ୍କୃତ ବା ପ୍ରାକୃତ ଛନ୍ଦମାନଙ୍କରେ ଥିଲାପରି ଓଡ଼ିଆ ଛନ୍ଦମାନଙ୍କରେ ଗଣ-ନିୟମ ଦେଖାଯାଏ ନାହିଁ । ଏଥିର କାରଣ ପରେ ଦିଆଯିବ; ବର୍ତ୍ତମାନ କେଉଁ ଓଡ଼ିଆ ଛନ୍ଦ କେଉଁ ସଂସ୍କୃତ ବା ପ୍ରାକୃତ ଛନ୍ଦର ଅନୁକରଣ, ତାହା ଆଲୋଚନା କରାଯାଉ । ଓଡ଼ିଆ ଭାଷାରେ ଏକାକ୍ଷର ବା ଦ୍ୱ୍ୟକ୍ଷର ଛନ୍ଦ ଆଦୌ ନାହିଁ । ଓଡ଼ିଆ ସମ ଛନ୍ଦର ଆରମ୍ଭ କେବଳ ତ୍ର‌୍ୟକ୍ଷରୀଠାରୁ ।

 

(୧)

 

ଓଡ଼ିଆ ତ୍ର‌୍ୟକ୍ଷର ଛନ୍ଦ ପ୍ରାକୃତ ‘ତାଳୀ’ ଛନ୍ଦର ଅବିକଳ ଅନୁକରଣ । ଯଥା:-

 

ଢୋକେ ପି । ଦଣ୍ଡେ ଜୀଁ । - ଢଗ

ତାଳୀ ଏ ଜାଣୀ ଏ ।

ଗୋ କଣ୍ଣୋ ତିବ୍ଦଣ୍ଣୋ । - ପ୍ରାକୃତପିଙ୍ଗଳ

 

ପ୍ରାକୃତ ଛନ୍ଦରେ ବର୍ଣ୍ଣସବୁ ଗୁରୁ ଓ ଯତିର ସ୍ଥାନ ଶେଷାକ୍ଷର; ଓଡ଼ିଆ ଛନ୍ଦରେ ମଧ୍ୟ ସବୁ ଗୁରୁବର୍ଣ୍ଣ ଓ ଶେଷାକ୍ଷର ଉପରେ ଯତିପାତ ।

 

(୨)

 

ଓଡ଼ିଆ ଚତୁରକ୍ଷର ଛନ୍ଦ ମଧ୍ୟ ପ୍ରାକୃତରୁ ଆସିଥିଲା ପରି ବୋଧହୁଏ । ଉଦାହରଣ ଦେଖନ୍ତୁ-

 

ପେଟ ପୋଷ ।

ନାହିଁ ଦୋଷ । - ଢଗ

ଦେଉ ଦେଉ ସମ୍ଭୁ ଦେଉ ଚ୍ଚାସ୍‍ ସୀସ ଚନ୍ଦ ଦୀସ । - ପିଙ୍ଗଳ

 

ଉପରୋକ୍ତ ଦୁଇ ଛନ୍ଦଯାକରେ ଲଘୁ, ଗୁରୁ ଓ ଯତିପାତ ସମାନ ।

 

(୩)

 

ଓଡ଼ିଆ ପଞ୍ଚାକ୍ଷର ଛନ୍ଦ ପ୍ରାକୃତ ‘ହଂସ’ ଛନ୍ଦର ସଦୃଶ । ଯଥା:-

 

ବ୍ରାହ୍ମଣ ଭାତ

କପାଳେ ହାତ । - ଢଗ

ସୋ ମିହ କନ୍ତା ଦୂର ଦିଗନ୍ତା

ଉପାସ ଆବେ ଚେଉ ଡୁଳାବେ । - ପିଙ୍ଗଳ

 

ସଂସ୍କୃତ ପଞ୍ଚାକ୍ଷର ଛନ୍ଦ ସହିତ ମଧ୍ୟ ଓଡ଼ିଆ ପଞ୍ଚାକ୍ଷର ଛନ୍ଦର ସାମଞ୍ଜସ୍ୟ ଦେଖାଯାଏ ଯଥା:-

 

ଛାଇକି ଛତା

ପାଣିକି ଯଥା । - ଢଗ

ରୁଚିର ନଖେ ରୁଚୟ ସଖେ

ବଳିତ ରତି ର୍ଭଜନତତିଂ । - ମୁକୁନ୍ଦମୁକ୍ତାବଳୀ

 

ଓଡ଼ିଆ ଭାଷାରେ ଗୁରୁବର୍ଣ୍ଣର ଲଘୁ ଉଚ୍ଚାରଣ ଓ ଲଘୁବର୍ଣ୍ଣର ଗୁରୁ ଉଚ୍ଚାରଣ ହେବାର ପ୍ରାୟ ସର୍ବତ୍ର ଦୃଷ୍ଟ ହୁଏ । ଉପରୋକ୍ତ ଢଗ ଏଥିର ଗୋଟିଏ ଦୃଷ୍ଟାନ୍ତ । ‘ଛା’ ଓ ‘ପା’ ଦୀର୍ଘାକ୍ଷର ହେଲେ ମଧ୍ୟ ଢଗ ମେଲିଲାବେଳେ ଏମାନଙ୍କର ଦୀର୍ଘ ଉଚ୍ଚାରଣ ରହେନାହିଁ ।

 

(୪)

 

ଓଡ଼ିଆ ଷଡ଼କ୍ଷର ଛନ୍ଦ ପ୍ରାକୃତ ମାଳତୀ ଛନ୍ଦାନୁଯାୟୀ-

 

ଚିତ୍ତ ଜାଣେ ପାପ

ମାତା ଜାଣେ ବାପ । - ଢଗ

ଧଆଁ ସରବୀଅ

ମଣୀଗୁଣନୀୟ ।

ଦଈ ଲହୁ ଅନ୍ତ

ସମାଳଇ କନ୍ତ । - ପିଙ୍ଗଳ

 

ପ୍ରାକୃତରେ ଯେଉଁଠାରେ ଯତିପାତ, ଓଡ଼ିଆରେ ସେହିଠାରେ ଯତିପାତ; ଅନ୍ତ୍ୟ ବର୍ଣ୍ଣର ସମତା ପ୍ରାକୃତରେ ଯେପରି, ଓଡ଼ିଆରେ ସେହିପରି ।

 

(୫)

 

ଓଡ଼ିଆ ସପ୍ତାକ୍ଷର ଛନ୍ଦ ସଂସ୍କୃତ ‘କୁମାରଲଳିତା’ ଛନ୍ଦର ଅନୁରୂପ-

 

ଦୁର୍ଜନ ସଙ୍ଗ ମେଳେ ।

ମୃତ୍ୟୁ ହୁଏ ଅକାଳେ । -ଢଗ

 

ମୁରାରିତନୁବଲ୍ଲୀ କୁମାରଲଳିତା ସା ।

ବ୍ରଜେଣନୟନାନାଂ ତତାନ ମୁଦମୁଚ୍ଚୈଃ ।

- ଛନ୍ଦୋମଞ୍ଜରୀ

 

ଉପରୋକ୍ତ ଛନ୍ଦମାନଙ୍କର ଶେଷାକ୍ଷର ମେଳ ଦେଖିଲେ ଏ ସବୁ କେବଳ ପ୍ରାକୃତରୁ ଆସିଥିବାର ଅନୁମାନ ହୁଏ । ତ୍ର‌୍ୟକ୍ଷର ଛନ୍ଦଠାରୁ ଷଡ଼କ୍ଷର ଛନ୍ଦ ପର୍ଯ୍ୟନ୍ତ କୌଣସି କବି କୌଣସି ଗ୍ରନ୍ଥରେ ବ୍ୟବହାର କରିନାହାନ୍ତି । ସପ୍ତାକ୍ଷର ବୃତ୍ତରେ ମାତ୍ର ହରିଦାସନାମା କୌଣସି କବି ଗୋଟିଏ ଚଉତିଶା ରଚନା କରିଅଛନ୍ତି । ଏହି ଚଉତିଶା ବାଳକମାନେ ବର୍ଣ୍ଣଶିକ୍ଷା ସମୟରେ ଚାଟଶାଳୀରେ ପଢ଼ନ୍ତି । ଉକ୍ତ ଚଉତିଶାରୁ କିୟଦଂଶ ନିମ୍ନରେ ଉଦ୍ଧୃତ ହେଲା-

 

କ, କି, କାଳିନ୍ଦୀତୀରେ

ଖ, ଖ, ଖେଳନ୍ତି ଧୀରେ

ଛ, ଛ, ଛଳଇ କାନୁ

ଜ, ଜ, ଜଗଜୀବନୁ

ଡ, ଡ, ଡମିଆ ମେରୁ

ଢ, ଢ, ଢାଙ୍କଇ ଭୁରୁ

ବ, ବ, ବାଙ୍କ ଚାହାଣୀ

ଭ, ଭ, ଭାଙ୍ଗଇ ଟାଣି

ର, ର, ରସିକବନ୍ଧୁ

ଲ, ଲ, ଲାବଣ୍ୟସିନ୍ଧୁ

ବ, ବ, ବଂଶିଧାରିଆ

ଶ, ଶ, ଶ୍ୟାମଘନିଆ

ଷ, ଷ, ସାରଙ୍ଗପାଣି

ସ, ସ, ସୁନ୍ଦରମଣି

ହ, ହ, ହରିଦାସିଆ

କ୍ଷ, କ୍ଷ, କ୍ଷମାକାରିଆ

 

(୬)

 

ଅଷ୍ଟାକ୍ଷର ପଦ୍ୟଠାରୁ ଓଡ଼ିଆ ସମ ଛନ୍ଦ ସବୁ ସଂଜ୍ଞା ବିଶିଷ୍ଟ । ଓଡ଼ିଆ ଅଷ୍ଟାକ୍ଷର ଛନ୍ଦ ସଂସ୍କୃତ ବା ପ୍ରାକୃତରୁ ଆସିଅଛି । ପ୍ରମାଣ ଦେଖନ୍ତୁ-

 

ଧନ ଜନ ପରିବାର

କେହି ନୁହେଁ ଆପଣାର । - ଢଗ

କମଳଭମରଜୀବୋ

ସଅଳଭୁଅଣଦୀବୋ । - ପିଙ୍ଗଳ

 

ଉପରୋକ୍ତ ଦୁଇ ଛନ୍ଦଯାକରେ ଯତିର ବିଶ୍ରାମ ଶେଷାକ୍ଷର ଉପରେ । କୌଣସି କୌଣସିଠାରେ, ପ୍ରତ୍ୟେକ ଚତୁର୍ଥ ଓ ଶେଷାକ୍ଷର ଉପରେ ଯତି ପଡ଼ିବାର ଦେଖାଯାଏ-

 

ଶତ ଶତ ସସ୍ରକୋଟି

ଘେନି ସୈନ୍ୟ ସଙ୍ଗେ ଭେଟି

- ବିଶିରାମାୟଣ

କୋକବଧୂଶୋକହରଂ

ପଦ୍ମବନୀବୋଧକରଂ

- ଛନ୍ଦୋମଞ୍ଜରୀ

 

ଏହି ଛନ୍ଦକୁ କେହି କେହି ଦୁଇ ଚରଣ, କେହି କେହି ଚାରି ଚରଣରେ ଲେଖିବାର ଲକ୍ଷିତ ହୁଏ-

 

ମାୟାଧର ମାୟା କଲେ

ଯମୁନାକୁ ବଢ଼ାଇଲେ

।- ଶ୍ରୀକୃଷ୍ଣଲୀଳା

ସିଂହଳେଶ ତୋଷଭର

ଚାଳିଦେଲା ଅନ୍ତଃପୁର

ନାରୀ ବହିତ୍ରେ ବସାଇ

ସୁନ୍ଦରୀ ଚିତ୍ତେ ଭାଳଇ

।- ଲାବଣ୍ୟବତୀ

 

କେହି କେହି ଏହି ଛନ୍ଦକୁ ଭାଟିଆରୀ (ବନ୍ଧୋଦୟ), କେହି କେହି ମଙ୍ଗଳଧନାଶ୍ରୀ (ରଘୁନାଥ ବିଳାସ), କେହି କେହି ନଳିନୀଗୌଡ଼ା (ଲାବଣ୍ୟବତୀ), କେହି କେହି ଭୈରବ (ବିଶିରାମାୟଣ), କେହି କେବଳ ଅଷ୍ଟାକ୍ଷରୀ (ଶ୍ରୀକୃଷ୍ଣଲୀଳା) କହନ୍ତି । ରସକଲ୍ଲୋଳର ଦ୍ୱାବିଂଶ ଛାନ୍ଦ ମୁଖାରୀ ଓ ବିଦଗ୍ଧ ଚିନ୍ତାମଣିର ଶେଷ ଛାନ୍ଦ ଏହି ଅଷ୍ଟାକ୍ଷର ଛନ୍ଦର ଅନ୍ତର୍ଗତ । ଯତିପାତ, ପଦଚ୍ଛେଦ ଓ ଗାନରେ ପାର୍ଥକ୍ୟ ମାତ୍ର ଦେଖାଯାଏ । ମୁନିବରବାଣୀ ମଧ୍ୟ ଅଷ୍ଟାକ୍ଷର ଛନ୍ଦର ରୂପାନ୍ତର । ଶେଷ ଚରଣରେ ଛ’ ଅକ୍ଷର ମାତ୍ର ଥିଲେ ସୁଦ୍ଧା ଗାନ ସମୟରେ ଅଷ୍ଟାକ୍ଷର ବିଶିଷ୍ଟ ପଦର ଯେତେ ଉଚ୍ଚାରଣ, ଏଥିର ମଧ୍ୟ ତେତେ ଉଚ୍ଚାରଣ ହୁଏ । କେବଳ ଜିହ୍ୱାର ବିରାମ ସକାଶେ ପଦାନ୍ତରେ ଗୁରୁବର୍ଣ୍ଣ ବ୍ୟବହାର ହୋଇଅଛି । ପଦାନ୍ତରେ ଗୁରୁ ଉଚ୍ଚାରଣ ବିଶିଷ୍ଟ ଛନ୍ଦ ହିଁ ଯଥାର୍ଥ ଛନ୍ଦ ବୋଲି କେହି କେହି କହନ୍ତି ।

 

(୭)

 

ଓଡ଼ିଆ ନବାକ୍ଷର ଛନ୍ଦର ନାମ ଗୁଜ୍ଜରୀ । ଜଗନ୍ନାଥ ଦାଶ ଭାଗବତ ଏହି ଛନ୍ଦରେ ଲେଖା ହୋଇଥିବାରୁ ଏହାକୁ କେହି କେହି ଭାଗବତବୃତ୍ତ ବା ଭାଗବତବାଣୀ କହନ୍ତି । ଏହି ଛନ୍ଦରେ ଯଦି ସମୟ ସମୟରେ ପ୍ରତ୍ୟେକ ପଞ୍ଚମ ଓ ଶେଷାକ୍ଷର ଉପରେ, ସମୟ ସମୟରେ ପଞ୍ଚମ, ସପ୍ତମ ଓ ଶେଷାକ୍ଷର ଉପରେ, ପୁଣି କେବେ କେବେ ଶେଷାକ୍ଷର ଉପରେ ପଡ଼ିଥାଏ, ଯଥା:-

 

ଆରମ୍ଭମାନ ବିବର୍ଜଇ

ସର୍ବବିକାର ମାୟାମୟୀ

- ଭାଗବତ

ବାଅନ୍ତା ମନ୍ଦା ସିଆ ବାଆ

କମ୍ପନ୍ତା ଗାଆ କନ୍ତା ଣାଆ

- ପିଙ୍ଗଳ

 

ଏଥିରେ ଯତିର ସ୍ଥାନ ପଞ୍ଚମ ଓ ଶେଷାକ୍ଷର ବା ପଞ୍ଚମ, ସପ୍ତମ ଓ ଶେଷାକ୍ଷର ।

 

ପ୍ରଥମେ ରଜଗୁଣ ଧରି

ବିଧାତାରୂପେ ଅବତରି

- ଭାଗବତ

ଚଳ କମଳଅଣଣିଆ

ଖଳଇ ଥଣବସଣିଆ

- ପିଙ୍ଗଳ

 

ଏଥିରେ କେବଳ ଶେଷାକ୍ଷର ଉପରେ ଯତିର ବିଶ୍ରାମ ।

 

ଏହି ନବାକ୍ଷର ଛନ୍ଦ ପ୍ରଥମେ ଜଗନ୍ନାଥ ଦାଶ ପ୍ରାକୃତରୁ ଆଣିଥିବାର ଅନୁମିତ ହୁଏ । ସେ ଭାଗବତରେ କହିଅଛନ୍ତି-

 

“ପ୍ରାକୃତ ବନ୍ଧେ ଭାଗବତ

କହଇ ଦାଶ ଜଗନ୍ନାଥ ।” (ଏକାଦଶସ୍କନ୍ଧ)

“ବତିଶ ଶତ ଷଟପଦ

ଦେଶଭାଷା ପ୍ରାକୃତବନ୍ଧ ।” (ଦ୍ୱାଦଶସ୍କନ୍ଧ)

 

(୮)

 

ଓଡ଼ିଆ ଦଶାକ୍ଷର ଛନ୍ଦ ମୁଖାରୀ ନାମରେ ଖ୍ୟାତ । ଏହା ଦୁଇ ଚରଣରେ ଲେଖାହୁଏ ଓ ପ୍ରତ୍ୟେକ ପଞ୍ଚମ ଓ ଶେଷାକ୍ଷର ଉପରେ ଯତି ପତିତ ହୁଏ । ଏହି ଛନ୍ଦ ସଂସ୍କୃତ ଚମ୍ପକମାଳା ବା ପ୍ରାକୃତ ଅମୃତଗତିର ଅନୁରୂପ । ଯଥା:-

 

ଦେଖିଲେ ଡରି ଖାଇଲେ ମରି ।

ତାହା ସଙ୍ଗେ କି ପୀରତି କରି ।- ଢଗ

 

ତନ୍ୱି ଗୁରୁସ୍ୟାଦାଦ୍ୟଚତୁର୍ଥଂ ପଞ୍ଚମଷଷ୍ଠ ଚାନ୍ତ୍ୟମୂପାନ୍ତ୍ୟଂ ।

ଇନ୍ଦ୍ରିୟବାଣୈର୍ଯତ୍ରିବିରାମଃ ସା କଥନୀୟା ଚମ୍ପକମାଳା ।

- ଶ୍ରୁତିବୋଧ

ସରଦସୁଧାଅରବଅଣା ବିଅଅସରୋରୁହଣଅଣା ।

ମଅଗଳକୁଞ୍ଜରଗମଣୀ ପିଅସହି ଦିଟ୍‍ଠିଅ ତରୁଣୀ ।

- ପିଙ୍ଗଳ

 

କେହି କେହି ଷଷ୍ଠ ଓ ଶେଷାକ୍ଷର ଉପରେ ଯତି ରଖି ଏହି ଛନ୍ଦ ଗାନ କରନ୍ତି । ତାହାହେଲେ ଏହା ପ୍ରାକୃତ ସାରବତୀ ଛନ୍ଦର ଅନୁକରଣ ବୋଲିବାକୁ ହେବ । ଯଥା:-

 

କୋପ କଲେ ଏଣୁ ଚକ୍ରଧର

ବଜ୍ର ପ୍ରହାରିଲେ ଏହା ଉର

- ବିଶିରାମାୟଣ

ଦୀହ ଲହୂଜୁଅ ଦୀହଲହୂ

ସାରବଈ ଧୁଅ ଛନ୍ଦ କହୂ

- ପିଙ୍ଗଳ

 

ଷଷ୍ଠଶେଷାକ୍ଷର ଯତି ବିଶିଷ୍ଟ ଦଶାକ୍ଷର ଛନ୍ଦକୁ “ଶ୍ରୀକୃଷ୍ଣଲୀଳା” ରଚୟିତା ଡୁହା ନାମ ଦେଇଅଛନ୍ତି । ଏ ପ୍ରଦେଶରେ ରେଲ୍ଲି ବା ଲେଲିଆଣୀମାନେ ଆଶ୍ୱିନ ମାସରେ ଯେଉଁ “ରାଇଲ” ଗୀତ ଗାଇ ଦ୍ୱାର ଦ୍ୱାର ବୁଲି ଭିକ ମାଗନ୍ତି, ତାହା ମଧ୍ୟ ଦଶାକ୍ଷରଛନ୍ଦଭୁକ୍ତ-

 

ବାଘ ବଳଦ ବାନ୍ଧିଲି ହଳେ

ଚାଷ କଲି ମହୀନ୍ଦର ମାଳେ ଯେ

। - ରାଇଲ

 

(୯)

ଓଡ଼ିଆ ଏକାଦଶାକ୍ଷର ଛନ୍ଦ ଚକ୍ରକେଳି ନାମରେ ବିଦିତ । ଅନେକ ଓଡ଼ିଆ ଢଗ ଏହି ଛନ୍ଦରେ ରଚିତ ହୋଇଥିବାର ଦେଖାଯାଏ । ଏହି ଛନ୍ଦକୁ ବଳରାମ ଦାସ ତାହାଙ୍କ ଗୁପ୍ତଗୀତାରେ ଜଳକ୍ରୀଡ଼ାବାଣୀ ଆଖ୍ୟା ପ୍ରଦାନ କରିଅଛନ୍ତି । କେହି କେହି ଏହାକୁ କେବଳ ‘ବୋଲୀ’ କହନ୍ତି । ବୋଧହୁଏ ଢଗରେ ଏହି ଛନ୍ଦ ବହୁଳ ପରିଣାମରେ ବ୍ୟବହୃତ ହୋଇଥିବାରୁ ‘ବୋଲୀ’ ନାମ ଆସିଅଛି; ନତୁବା ପ୍ରାକୃତ ‘ଚଉବୋଲା’ର ଅନୁକରଣରେ ଏହି ନାମ ଦିଆଯାଇଅଛି । ଏହି ଛନ୍ଦ ସଂସ୍କୃତ ‘ଇନ୍ଦ୍ରବଜ୍ରା’ ବା ‘ଉପେନ୍ଦ୍ରବଜ୍ରା’ ଛନ୍ଦର ଅନୁକରଣ ମାତ୍ର । ଯଥା:-

 

କୃଷ୍ଣକଥା ପାଡ଼ି ଗୋପୀସକଳ

ଗୁଣ ସୁମରି ହୁଅନ୍ତି ବିକଳ

 

-ଗୋପୀଭାଷା ବା ଗୋପବୋଲୀ

 

ଯଦିନ୍ଦ୍ରବଜ୍ରା ଚରଣେଷୁ ପୂର୍ବେ ଭବନ୍ତି ବର୍ଣ୍ଣା ଲଘବଃ ସୁବର୍ଣ୍ଣେ ।

ଅମନ୍ଦମାଦ୍ୟନ୍ମଦନେତଦୀନା ମୁପେନ୍ଦ୍ରବଜ୍ରା କଥିତା କବୀନ୍ଦ୍ରୈଃ ।

-ଶ୍ରୁତିବୋଧ

 

ସଂସ୍କୃତରେ ଯତିପାତ ଯେଉଁଠାରେ, ଓଡ଼ିଆରେ ମଧ୍ୟ ସେହିଠାରେ, ଅର୍ଥାତ୍‍ ପ୍ରତ୍ୟେକ ପଞ୍ଚମ ଓ ଶେଷାକ୍ଷର ଉପରେ । କୌଣସି କୌଣସିଠାରେ ଷଷ୍ଠ ଓ ଶେଷାକ୍ଷର ଉପରେ ମଧ୍ୟ ଯତି ପଡ଼ିଥାଏ । ଯଥା:-

 

ଦେହଟି ସରୁଆ ମୁହଁଟି ଚେପା

ଏହାକୁ ପରତେ ନ ଯିବ ବାପା

-ଢଗ

ଦେଖିଥିବୁ ସିନା ଖାଇବୁ ନାହିଁ

ମରୁଥିବୁ କୋଡ଼ିକଚାଡ଼ି ହୋଇ

-ଢଗ

କହନ୍ତି ମାଏ ଗୋ ଶ୍ରୀକୃଷ୍ଣ ଆଗେ

କଥା ଶୁଣ ବାବୁ ଅତି ସରାଗେ

 

 

ଏ ସବୁର ଗାନ ଗୋପବୋଲୀ ବା ଗୋପୀଭାଷାର ଗାନଠାରୁ ଯତ୍‍କିଞ୍ଚତ୍‍ ଭିନ୍ନ । ଏହି ଛନ୍ଦ ସଂସ୍କୃତ ହରିଣୀପ୍ଳୁତାର ଅନୁକରଣ ପରି ବୋଧହୁଏ । ଯଥା:-

 

ପ୍ରଥମାକ୍ଷରମାଦ୍ୟତୃତୀୟୟୋଃ

ଦ୍ରୁତବିଲମ୍ବିତକସ୍ୟହି ପାଦୟୋଃ ।

ଯଦି ନାସ୍ତି ତଦା କମଳେକ୍ଷଣେ

ଭବତି ସୁନ୍ଦରି ସା ହରିଣୀପ୍ଳୁତା ।

 

-ଶ୍ରୁତିବୋଧ

 

ପ୍ରକୃତ ଚକ୍ରକେଳିରେ ଯତି ପ୍ରତ୍ୟେକ ଦ୍ୱିତୀୟ, ଅଷ୍ଟମ ଓ ଶେଷାକ୍ଷର ଉପରେ ପଡ଼େ; ତାହାହେଲେ ଏହା ଇନ୍ଦ୍ରବଜ୍ରା ଛନ୍ଦର ଅନୁରୂପ ବୋଲିବାକୁ ହେବ ।

 

କର୍ଣ୍ଣେ ନନ୍ଦସୁତ ହେବା ଶୁଣିଲେ ।

କଳାକରମୁଖୀ ଗୋପୀ ଧାଇଁଲେ

-ରସକଲ୍ଲୋଳ ।

 

ଦିଜ୍ଜେ ତିଆରାଜୁଅଳା ପଏସୁ ଅନ୍ତେଣରେନ୍ଦୋ ଗୁରୁ ଜଗ୍‍ଗ ସେସଂ ।

 

ଜେମ୍ପ ଫଣିନ୍ଦା ଧଅ ଇନ୍ଦବଜ୍ଜା ।

ମତ୍ତା ବହା ଅଟ୍‍ଠ ସମା ସୁସଜ୍ଜା ।

-ପିଙ୍ଗଳ

 

ଲାବଣ୍ୟବତୀର ଦଶମ ଛାନ୍ଦ ଦେଶାକ୍ଷ ଓ ଅଷ୍ଟାଦଶ ଛାନ୍ଦ ମାଳବ, ରସପଞ୍ଚକର ଶେଷ ଛାନ୍ଦ ଦଶଢ଼ଗ ବୃତ୍ତ, ବିଶିରାମାୟଣର ଚଳଘଣ୍ଟା ରାଗ ଏକାଦଶାକ୍ଷର ଛନ୍ଦର ଅନ୍ତର୍ଗତ । କିନ୍ତୁ କୌଣସି କୌଣସିଠାରେ ପଦଚ୍ଛେଦ ଓ ଗାନରେ ପ୍ରଭେଦ ଦେଖାଯାଏ । ରସକଲ୍ଲୋଳର ପଞ୍ଚମ ଛାନ୍ଦ ଗୁଜ୍ଜରୀ, ରଘୁନାଥବିଳାସର ଦ୍ୱାଦଶ ଛାନ୍ଦ ଆଶାବରୀ ବା ସଜନୀଚଉତିଶା ବାଣୀ, ବିଦଗ୍ଧ ଚିନ୍ତାମଣିର ୮୪ ଛାନ୍ଦ କଲ୍ୟାଣ, ୬୮ ଛାନ୍ଦ ରସକେଦାର ଓ ଦ୍ୱାବିଂଶ ଛାନ୍ଦ ଆନନ୍ଦ ବା ଚାରୁଲବଙ୍ଗଲତାବାଣୀ, ଆଶାଢ଼ଶୁକ୍ଳ ଏହି ଏକାଦଶାକ୍ଷର ଛନ୍ଦର ରୂପାନ୍ତର ପରି ପ୍ରତୀତି ହୁଏ ।

 

(୧୦)

 

ଓଡ଼ିଆ ଦ୍ୱାଦଶାକ୍ଷର ଛନ୍ଦକୁ କବିମାନେ ଭିନ୍ନ ଭିନ୍ନ ନାମ ଦେଇଅଛନ୍ତି । ଯଥା:- କଳହଂସକେଦାର, କେଦାରକାମୋଦୀ, ଆହାବାରୀ, ବାଳଚଉତିଶାବାଣୀ, ବିଭାଷଗୁଜ୍ଜରୀ, ଦକ୍ଷିଣକାମୋଦୀ, ଭୂପାଳ ବା ପୋଈବାଣୀ । କଳହଂସକେଦାର ଓ ବିଭାଷଗୁଜ୍ଜରୀ ଚାରିପାଦ ଓ ଅନ୍ୟ ସବୁ ଦୁଇ ଦୁଇ ପାଦରେ ରଚିତ ହୋଇଥାଏ । କଳହଂସକେଦାର ଓ କାମୋଦୀର ଯତି ପ୍ରତ୍ୟେକ ସପ୍ତମ ଓ ଶେଷାକ୍ଷର ଉପରେ ବା ସପ୍ତମ, ଦଶମ ଓ ଶେଷାକ୍ଷର ଉପରେ ପତିତ ହୁଏ; ଆହାରୀ, ବିଭାଷଗୁଜ୍ଜରୀ, ଦକ୍ଷିଣକାମୋଦୀ ଓ ନୀଳସାଗରବାଣୀରେ ପ୍ରତ୍ୟେକ ଷଷ୍ଠ ଓ ଶେଷାକ୍ଷର ଉପରେ ଯତିର ବିଶ୍ରାମ; ଭୂପାଳ ବା ପୋଈବାଣୀର ଯତି ପ୍ରତ୍ୟେକ ଅଷ୍ଟମ ଓ ଶେଷାକ୍ଷର ଉପରେ ପଡ଼େ ।

 

କଳହଂସକେଦାର ଓ କେଦାରକାମୋଦୀ ସଂସ୍କୃତ ‘ଦ୍ରୁତବିଲମ୍ବିତ’ ବା ପ୍ରାକୃତ ‘ସୁନ୍ଦରୀ’ ଛନ୍ଦର ଅନୁକରଣ-

 

ଉଚ୍ଚାରଣ କରିବା ବେଳେ ମୁଖରେ ।

ଶେଷାନନ ହେବାକୁ ବାଞ୍ଛେ ମୁଁ ଖରେ ।

 

ପଡ଼ଇ ଯେତେବେଳେ ସେ ମାନସରେ ।

ଜ୍ଞାନେନ୍ଦ୍ରିୟମାନଙ୍କ ଗୁମାନ ସରେ ଯେ ।

-ବିଦଗ୍ଧ ଚିନ୍ତାମଣି

 

ତରଣିଜାପୁଲିନେ ନବବଲ୍ଲରୀ ପରିଷଦାସହ କେଳିକୁତୂହଳାତ୍‍

ଦ୍ରୁତବିଲମ୍ବିତଚାରୁବିହାରିଣଂ ହରିମହଂ ହୃଦୟେନ ସଦା ବହେ ।

-ଛନ୍ଦୋମଞ୍ଜରୀ

 

ଭୂପାଳ ବା ପୋଈବାଣୀ ପ୍ରାକୃତ ଭୁଜଙ୍ଗପ୍ରୟାତର ସଦୃଶ-

 

କିବା ମାଣିକ୍ୟକୁହରୁ ମୋତି ଜ୍ୟୋତି ।

ଦିଶେ ତଥା ଝଟକଇ ଦନ୍ତପନ୍ତି-ଲାବଣ୍ୟବତୀ

 

ଧଓ ଚାମରୋ ରୁଅଓ ସେସ ସାରୋ

ଠାଏ କଣ୍ଠଏ ମୁଦ୍ଧଏ ଜଥ୍‍ଥ ହାରୋ ।

ଚଉଚ୍ଛନ୍ଦ କିଜ୍ଜେ ତଥା ସୁଦ୍ଧଦେହଂ

ଭୁଅଙ୍ଗାପଆଅଂ ପଏ ବୀସରେହଂ ।

 

-ପିଙ୍ଗଳ

 

ଆହାରୀ ଓ ବିଭାଷଗୁଜ୍ଜରୀ ସଂସ୍କୃତ କୁସୁମଚିତ୍ରାର ଅନୁରୂପ-

 

ଉନ୍ନିଦ୍ରରେ ହେଲା ପ୍ରତିଦିନ ଦୀନ

ଉଲ୍ଲସଇ ଗାତ୍ର ନେତ୍ର ଥନଥନ ।

 

-ବିଦଗ୍ଧ ଚିନ୍ତାମଣି

 

ଧୀରେ ଧୀରେ ଘେନ ନବଘନଶ୍ୟାମ ।

କାମକାମନାକୁ ବଢ଼ାଇଲେ ପ୍ରେମ ।

 

ବରବରନା ସଙ୍କେତ ମନୋରମ ।

ଭାବଭାବନାରେ ତ୍ରୁଟି ଯୁଗସମ ।

-ବିଦଗ୍ଧ ଚିନ୍ତାମଣି

 

ବିପିନବିହାରେ କୁସୁମବିଚିତ୍ରା କୁତୁକିତଗୋପୀ ପିହିତଚରିତ୍ରା ।

ମୁରରିପୁମୂର୍ତ୍ତିର୍ମୁଖରିତବଂଶା ଚିରମବତାବ୍ଦସ୍ତରଳବିତଂସା ।

-ଛନ୍ଦୋମଞ୍ଜରୀ

 

(୧୧)

 

ଯତି ଭେଦରେ ଛନ୍ଦର ଭିନ୍ନ ଭିନ୍ନ ନାମ ହେବାର କେହି କେହି କହନ୍ତି; କିନ୍ତୁ ଓଡ଼ିଆ ତ୍ରୟୋଦଶାକ୍ଷର ଛନ୍ଦ ଯତି ସମାନ ଥାଇ ସୁଦ୍ଧା ଭିନ୍ନ ଭିନ୍ନ ନାମ ଧାରଣ କରିଥିବାର ଦେଖାଯାଏ । ଯଥା- ଦେଶାକ୍ଷ (ଶ୍ରୀକୃଷ୍ଣଲୀଳା), ସଙ୍ଗମତିଆରି ବାଣୀ, ମଙ୍ଗଣଗୁଜ୍ଜରୀ, ବିଚିତ୍ରଦେଶାକ୍ଷ (ବିଶିରାମାୟଣ), ମଙ୍ଗଳ (ବିଦଗ୍ଧ ଚିନ୍ତାମଣି), ଚିନ୍ତାଦେଶାକ୍ଷ (କୋଟିବ୍ରହ୍ମାଣ୍ଡ ସୁନ୍ଦରୀ) ଇତ୍ୟାଦି । ଏସବୁ ପ୍ରାକୃତ ତାରକ ଛନ୍ଦ ବା ସଂସ୍କୃତ ଚଣ୍ଡୀ ଛନ୍ଦର ତୁଲ୍ୟ । ଯଥା:-

 

ଣବମଞ୍ଜରି ଲିଜ୍ଜିଅ ଚୁଅହଗାଚ୍ଛେ ।

ପରିଫୁଲ୍ଲିଅ କେସୁଣଆବଣ ଆଚ୍ଛେ ।

ଜଇ ଏଥ୍‍ଥି ଦିଗନ୍ତର ଜାଇହି କନ୍ତା ।

କିଅ ସମ୍ମହ ଣଚ୍ଛି କିଣଚ୍ଛି ବସନ୍ତା ।

-ପିଙ୍ଗଳ

ଜୟତି ଦିତିଜରିପୁତାଣ୍ଡବଲୀଳା ।

କୁପିତକବଳକରକାଳିୟମୌଳୌ ।

ଚରଣକମଳଯୁଗଚାପଳଚଣ୍ଡୀ ।

ପଦନଖରୁଚିଜନିଭୋଗମଣିଶ୍ରୀଃ ।

-ଛନ୍ଦୋମଞ୍ଜରୀ

କର ସାଧୁଜନମାନେ ମନକୁ ଏକ ।

କର ଧୀରେ ଧ୍ୟାନ ନୀଳାଚଳନାୟକ ।

-ରସକଲ୍ଲୋଳ

 

ଏହି ଛନ୍ଦ କୌଣସି କୌଣସିଠାରେ ଦୁଇ ଚରଣ, କୌଣସି କୌଣସିଠାରେ ଚାରି ଚରଣରେ ରଚିତ ହେବାର ଲକ୍ଷିତ ହୁଏ । ଦୁଇ ଚରଣ ହେଉ ବା ଚାରି ଚରଣ ହେଉ, କେବଳ ଅଷ୍ଟମ ଓ ତ୍ରୟୋଦଶାକ୍ଷର ଉପରେ ଯତି ପତିତ ହୁଏ । କୃଷ୍ଣସିଂହଙ୍କ ଭାରତରେ ଯେଉଁ ତ୍ରୟୋଦଶାକ୍ଷର ଛନ୍ଦ ବ୍ୟବହୃତ ହୋଇଅଛି, ତହିଁର ଯତି ସ୍ଥାନ ସପ୍ତମ ଓ ଶେଷାକ୍ଷର । ଏହା ସଂସ୍କୃତ ଚନ୍ଦ୍ରିକା ଛନ୍ଦର ଅନୁକରଣ ପରି ଜଣାଯାଏ-

 

ତଦଅନ୍ତେ ମହେନ୍ଦ୍ର ପର୍ବତକୁ ଗଲେ ।

ମହାଘୋର ତପସ୍ୟା ବସି ଆରମ୍ଭିଲେ ।

-ଆଦିପର୍ବ

 

ଶରଦମୃତରୁଚଶ୍ଚନ୍ଦ୍ରିକାକ୍ଷାଳିତେ ।

ଦିନକରତନୟାତୀରଦେଶୋ ହରିଃ ।

ବିହରତି ରଭସାଦ୍‍ବଲ୍ଲବୀଭିଃ ସମଂ ।

ତ୍ରିଦିବଯୁବତିଭିଃ କୋଽଟିଦେବୋ ଯଥା ।

 

(୧୨)

 

ଓଡ଼ିଆ ଚତୁର୍ଦ୍ଦଶାକ୍ଷର ଛନ୍ଦକୁ ଭିନ୍ନ ଭିନ୍ନ କବିମାନେ ଭିନ୍ନ ଭିନ୍ନ ଆଖ୍ୟା ଦେଇଅଛନ୍ତି । ଯଥା- ମଙ୍ଗଳ, କଳସା, ଭୈରବ, ମଧୁଶଯ୍ୟାବାଣୀ, ମୁଖାରୀ, କୃଷ୍ଣକଳାବୃତ୍ତ, ବିଚିତ୍ର-ଦେଶାକ୍ଷ, ଧନାଶ୍ରୀ, ଦକ୍ଷିଣକାମୋଦୀ, ଯୋଗୀ-ସନ୍ନ୍ୟାସୀବାଣୀ ବା ଗୋବିନ୍ଦଚନ୍ଦ୍ର ବାଣୀ ଇତ୍ୟାଦି । ଏଥିରୁ ମଙ୍ଗଳ ଓ କଳସା ମାତ୍ର ସଚରାଚର ପ୍ରଚଳିତ । ମଙ୍ଗଳ ଦୁଇ ଚରଣ ଓ କଳସା ଚାରି ଚରଣରେ ବିଚରିତ । ଉଭୟ ରାଗରେ ଯତି ପ୍ରତ୍ୟେକ ଅଷ୍ଟମ ଓ ଶେଷାକ୍ଷର ଉପରେ ପଡ଼େ । ଏ ଦୁଇ ଛନ୍ଦ ସଂସ୍କୃତ ବସନ୍ତତିଳକର ଅନୁରୂପ ।

 

ଅପ୍ରାକୃତ ପ୍ରେମମୂର୍ତ୍ତି ଜୟ ରାଧାହରି ।

ଅବ୍ୟକ୍ତ ଲୀଳାକୁ ବ୍ୟକ୍ତ କର ଅବତରି । -ବିଦଗ୍ଧ ଚିନ୍ତାମଣି

 

ଆଦ୍ୟଂ ଦ୍ୱିତୀୟମପିଚେଦ୍‍ ଗୁରୁ ତଚ୍ଚତୁର୍ଥଂ

ଯତ୍ରାଷ୍ଟମଞ୍ଚ ଦଶମାନ୍ତ୍ୟମୁପାନ୍ତ୍ୟମନ୍ତ୍ୟଂ ।

ଅଷ୍ଟାଭିରିନ୍ଦୁବଦନେ ବିରତିଶ୍ଚ ଷଡ଼୍‍ଭିଃ

କାନ୍ତେ ବସନ୍ତତିଳକଂ କିଳ ତଂ ବଦନ୍ତି । -ଶ୍ରୁତବୋଧ

 

ସମୟ ସମୟରେ କଳସା ରାଗର ଯତି ଚତୁର୍ଥ, ଅଷ୍ଟମ, ଦ୍ୱାଦଶ ଓ ଶେଷାକ୍ଷର ଉପରେ ପଡ଼ିବାର ଦେଖାଯାଏ; କିନ୍ତୁ ଏପରି ଯତି ରଖି ଗାଇବା ସ୍ୱରବଳସାପେକ୍ଷ ।

 

ଏ ପ୍ରଦେଶର ବାଳିକାମାନେ ଚୈତ୍ର ମାସରେ ‘ଖର୍‍ଖରୀ’ ନାମ୍ନୀ କୌଣସି ଦେବୀଙ୍କୁ ପୂଜା କରନ୍ତି । ପୂଜା ସମୟରେ ଯେଉଁ ଗୀତସବୁ ଗାଆନ୍ତି, ତହିଁରୁ କେତେକ ଅଷ୍ଟାକ୍ଷର ଓ କେତେକ ଚତୁର୍ଦ୍ଦଶାକ୍ଷର । ଯଥା:-

 

ଖର୍‍ ଖରୀ ସାତ ପତର ।

ମୋ ଭାଇ ଦୁଧ ଭାତର ।

 

ଖର୍‍ ଖରୀ ମା ଲାଗିଲା ଲୋ ଛଡ଼ାଇ ଦେବ କେ ।

ସରୁ ଶଙ୍ଖା ବନ ହଳଦି ଖର୍‍ ଖରୀକି ଦେ ।

 

ବଂଶୀଦାସଙ୍କ ଚଉତିଶା (ଗଡ଼ମାଳିୟା ବୃତ୍ତ) ଓ ବିଦଗ୍ଧ ଚିନ୍ତାମଣିର ୬୨ ଛନ୍ଦ (ମଙ୍ଗଳକେଦାର) ଚତୁର୍ଦ୍ଦଶାକ୍ଷର ଛନ୍ଦର ରୂପାନ୍ତର ।

 

(୧୩)

 

ଓଡ଼ିଆ ପଞ୍ଚଦଶାକ୍ଷର ଛନ୍ଦର ନାମ ଭାଟିଆରୀ (ଶ୍ରୀକୃଷ୍ଣଲୀଳା) ବା ଭୈରବ (ବିଶିରାମାୟଣ) । ପ୍ରାକୃତ ସାରଙ୍ଗିକା ଛନ୍ଦ ପରି ଏହି ଛନ୍ଦର ଯତି ଅଷ୍ଟମ ଓ ଶେଷାକ୍ଷର ଉପରେ ପଡ଼େ । ଯଥା:-

 

କଣ୍ଣା ଦିଣ୍ଣା ସତ୍ତା ଅନ୍ତେ ଏକ୍‍କା ହାରା ମାଣୀଆ ।

ପଣ୍ଣାରାହା ହାରା ସାରଙ୍ଗିକ୍‍କା ଛନ୍ଦା ଜାଣୀଆ ।

ତୀସା ମତ୍ତା ପାଏ ପତ୍ତା ଭୋଈରାଆ ଜମ୍ପନ୍ତା ।

ଛନ୍ଦା କିଜ୍ଜେ କିତ୍ତୀ ଲିଜ୍ଜେ ସୂଣୀ ମଥା କମ୍ପନ୍ତା ।-ପିଙ୍ଗଳ

 

କେ ବଜାଏ ଶିଙ୍ଘାବେଣୁ କେହୁ ଧରେ ତାଳିକି ।

କେ ଖେମଟାରଙ୍ଗେ ନାଚେ ଚାହିଁ ବନମାଳିକି ।-ଶ୍ରୀକୃଷ୍ଣଲୀଳା

 

ଶ୍ରୀକୃଷ୍ଣଲୀଳାରେ ବ୍ୟବହୃତ ‘ବଢ଼ାକ୍ଷର’ ଛନ୍ଦ ପଞ୍ଚଦଶାକ୍ଷର ବିଶିଷ୍ଟ ହେଲେ ସୁଦ୍ଧା ଚତୁର୍ଦ୍ଦଶାକ୍ଷର ଛନ୍ଦର ଅନ୍ତର୍ଭୁକ୍ତ ଅଟେ । ଯଥା:-

 

ପାଞ୍ଚ ସାତ ନାହିଁ ମୋର ଯେ ଏକାଇର ବଳା ।

ବିଷଜଳେ ଡେଇଁ ମୋର ଯେ ବୁଡ଼ାଇଲା ଭେଳା ।

 

କିନ୍ତୁ ବିଦଗ୍ଧ ଚିନ୍ତାମଣିର ପଞ୍ଚସ୍ତରି ଛନ୍ଦ ଲଳିତକାମୋଦୀ ପଞ୍ଚଦଶାକ୍ଷର ଛନ୍ଦର ରୂପାନ୍ତର ।

 

(୧୪)

 

ଓଡ଼ିଆ ଷୋଡ଼ଶାକ୍ଷର ଛନ୍ଦ ରାମକେରୀ ଓ ପ୍ରାକୃତ ଷୋଡ଼ଶାକ୍ଷର ଛନ୍ଦ ବ୍ରହ୍ମରୂପକ ପ୍ରାୟ ସମାନ । ଉଭୟ ଛନ୍ଦରେ ଯତିପାତ ନବମ ଓ ଶେଷାକ୍ଷର ଉପରେ । ଯଥା:-

 

ଉମ୍ମତ୍ତା ଜୋହା ଉଟ୍‍ଠେକୋହା ଉପ୍‍ପାଉପ୍‍ପୀ ଜଜ୍‍ଝନ୍ତା ।

ମେଣ୍‍କ୍‍କା ରମ୍ଭା ଣାହେ ଦମ୍ଭା ଅପ୍‍ପାଅପ୍‍ପୀ ବୁଜ୍‍ଝନ୍ତା ।

ଧାବନ୍ତା ସଲ୍ଲାଚ୍ଛିଣ୍ଣାକଣ୍ଠା ମଥାପିଟ୍‍ଠୀ ସେକ୍‍ଖତ୍ତା ।

ସମଗ୍‍ଗା ଉଗ୍‍ଗା ଜାଏ ଅଗ୍‍ଗା ଲୁଦ୍ଧା ଉଦ୍ଧା ହେରନ୍ତା ।-ପିଙ୍ଗଳ

 

ଦେଖରେ ନଳିନୀ ନଳିନୀ ନଳିନୀରେ ପୂରିତ ।

ଭ୍ରମନ୍ତି ଭ୍ରମରେ ଭ୍ରମରେ ଭ୍ରମରେ ଏ ଶୋଭିତ ।-ଲାବଣ୍ୟବତୀ

 

(୧୫)

 

ଓଡ଼ିଆ ସପ୍ତଦଶାକ୍ଷର ଛନ୍ଦ କାଳୀ ପ୍ରାକୃତ ଅଷ୍ଟାଦଶାକ୍ଷର ଚର୍ଚ୍ଚରୀ ଛନ୍ଦର ରୂପାନ୍ତର ପରି ପ୍ରତୀତି ହୁଏ । ଉଭୟ ଛନ୍ଦରେ ପ୍ରତ୍ୟେକ ତୃତୀୟ, ଅଷ୍ଟମ, ତ୍ରୟୋଦଶ ଓ ଅନ୍ତ୍ୟ ବର୍ଣ୍ଣ ଗୁରୁ ଓ ପ୍ରତ୍ୟେକ ପଞ୍ଚମ, ଦଶମ ଓ ଶେଷାକ୍ଷର ଉପରେ ଯତିପାତ ହୁଏ । ଓଡ଼ିଆ କାଳୀ ରାଗର ଶେଷରେ ଦୁଇଗୋଟି ଅକ୍ଷର ମାତ୍ର ଥିଲେ ହେଁ ପ୍ରାକୃତ ଛନ୍ଦର ଶେଷ ତିନି ଅକ୍ଷରର ଯେତେ ଉଚ୍ଚାରଣ, ଏ ଦୁଇ ଅକ୍ଷରର ତେତେ ଉଚ୍ଚାରଣ । ଯଥା:-

 

ଆଇ ରଗ୍‍ଗଣ ହାଥ୍‍ଥ କାହାଳ ତାଳ ଦିଜ୍ଜହୁ ମଜ୍ଜଆ ।

ସବ୍ଦ ହାର ପଳନ୍ତ ବର୍ଣ୍ଣ ବି ସବ୍ଦଳୋଅଚିବୁଜ୍‍ଝିଆ ।

ବେ ବି କାହାଳ ହାର ପୂରହୁ ସଙ୍ଖ କଙ୍କଣ ସୋହଣା ।

ରାଅରାଅ ଭଣନ୍ତ ସୁନ୍ଦରୀ ଚଚ୍ଚରୀ ମଣମୋହଣା । -ପିଙ୍ଗଳ

 

ଅତି କାତରେ ନିଜ କାନ୍ତରେ ଶଙ୍କା ଚିତ୍ତରେ ଲଭି ।

କୋପଅଙ୍କୁର ମହୀ ମୁକୁର କଲା ଚିକୁରଶୋଭୀ ।

ରତ ଆବେଶୀ ରତନବେଶୀ ଗଣ୍ଡେ ନିବେଶି କର ।

ନୟନନୀରରୁହରୁ ନୀର ତେଜିଲା ନିରନ୍ତର । -ଲାବଣ୍ୟବତୀ

 

ଶ୍ରୀକୃଷ୍ଣଲୀଳାର ୨୩୨ ଛାନ୍ଦ ଦେଖିଲେ ଉପରୋକ୍ତ ଅନୁମାନ କେତେଦୂର ସତ୍ୟ ସହଜରେ ଜଣାଯିବ । ଏହି ଛନ୍ଦ ଅଷ୍ଟାଦଶାକ୍ଷର ବିଶିଷ୍ଟ ହେଲେ ସୁଦ୍ଧା କାଳୀ ରାଗର ବୋଲୀରେ ଗାନ କରାଯାଏ । ଯଦି ନିୟମ ମଧ୍ୟ ପ୍ରାୟ କାଳୀ ରାଗର ସଦୃଶ । ଯଥା:-

 

ବାହାର କାଳୀ ତାହାର ବାଳୀ ଆଗେ ଓଗାଳିଲେ ପଥ ।

କେଣେ ଗମନ କରିଛ ମନ କହ କହ ପ୍ରାଣନାଥ ।

 

(୧୬)

 

ଓଡ଼ିଆ ଅଷ୍ଟାଦଶାକ୍ଷର ଛନ୍ଦର ନାମ କୁମ୍ଭକାମୋଦୀ । ଏହା ପ୍ରାକୃତ କ୍ରୀଡ଼ାଚନ୍ଦ୍ରର ଅନୁରୂପ । ଯଥା:-

 

ଜ ଇନ୍ଦାସଣା ଏକ୍‍କ ଗର୍ଣ୍ଣା ସୁ ହୋବେଇ ପାଏ ହି ପାଏ ।

ଦହା ଅଟ୍‍ଠ ବର୍ଣ୍ଣା ସୁହାବେଇ ଦଣ୍ଡା ସୁଠାଏ ସୁଠାଏ ।

ଦହା ତିର୍ଣ୍ଣି ଗୁର୍ଣ୍ଣା ଜହା ସବ୍ଦଳା ହୋଇ ମତ୍ତା ସୁପାଏ ।

ଫଣିନ୍ଦା ଭଣନ୍ତା କିଳାଚନ୍ଦ ଛନ୍ଦାଣିବନ୍ଧାଇ ଜାଏ । - ପିଙ୍ଗଳ

 

ଯେଉଁରୂପେ ହସେ ମୁଖୁ ସୁଧା ଖସେ ଦିଶେ ସେ ଦିଶୁଛି ।

ଯେଉଁରୂପେ ଆସେ ପୁରତେ ମୋ ବସେ ମନେ ସେ ପଡ଼ୁଛି ।

ଯେଉଁରୂପେ ଭାଷେ ବଚନ କର୍ଣ୍ଣେ କି ଏକ୍ଷଣ କହୁଛି ।

ତେବେ ଅତ୍ୟନ୍ତ ଶୀତଳ କରୁଥିଲା ଏବେ ତ ଦହୁଚି । - ଲା.ବ.

 

ଏହି ଛନ୍ଦକୁ କେହି କେହି ଢଗମୁକ୍ତାବଳୀ କହନ୍ତି । (ବିଦଗ୍ଧ ଚିନ୍ତାମଣି)

 

ଓଡ଼ିଆ ଭାଷାରେ ଊନବିଂଶତ୍ୟକ୍ଷର ଛନ୍ଦ ନାହିଁ ।

 

(୧୭)

 

ଓଡ଼ିଆ ବିଂଶତ୍ୟକ୍ଷର ଛନ୍ଦ ପ୍ରାକୃତ ‘ଗୀତା’ ଛନ୍ଦର ଅନୁରୂପ । ଏହି ରାଗକୁ କେହି କେହି ବଙ୍ଗଳାଶ୍ରୀ, କେହି କେହି ଭାରତବୋଲୀ, କେହି କେହି ମତୁଆରୀ କହନ୍ତି । ଗୁଣସାଗରବାଣୀ ମଧ୍ୟ ବିଂଶତ୍ୟକ୍ଷର ଛନ୍ଦ । ଏଥିରେ ଯତିପାତ ପ୍ରତ୍ୟେକ ଷଷ୍ଠ, ଦ୍ୱାଦଶ ଓ ଶେଷାକ୍ଷର ଉପରେ ହୁଏ । ଯଥା:-

 

ପରବଚନ୍ଦ୍ରବଦନାକୁ ଗୋବିନ୍ଦ ବସାଇ ଜାନୁ ଉପର ।

ପରମରମ୍ୟ ଚିବୁକ ଧରି ପଟୁ ଚାଟୁ କଲେ ମୁଁ କିଙ୍କର - ବି.ଚି.

 

ଜହିଁ ଆଇ ହଥି ଣରେନ୍ଦବିଟ୍‍ଠବି ପାଅ ପଞ୍ଚମ ଜୋହଳୋ ।

ଜହିଁ ଠାଇଚ୍ଛଟ୍‍ଠହିଂ ହଥ୍‍ଥ ଦୀସଇ ସବ୍ଦ ଅନ୍ତହି ଣୋଉଳୋ ।

ସଇଛନ୍ଦ ଗୀଅଉ ମୁଦ୍ଧିଣୀଅଉ ସବ୍ଦଳୋଅହି ଜାଣିଓ ।

କଇସିଟ୍‍ଠିସିଟ୍‍ଠିଉ ଦିଟ୍‍ଠିଦିଟ୍‍ଠିଉ ପିଙ୍ଗଳେଣ ବଖାଣିଓ । - ପିଙ୍ଗଳ ।

 

ଏହା ଗୀତଗୋବିନ୍ଦ ପଞ୍ଚମ ସର୍ଗ ଗୁଜ୍ଜରୀ ରାଗର ଅନୁକରଣ ବୋଲି କେହି କେହି ଅନୁମାନ କହନ୍ତି-

 

ରତିସୁଖସାରେ ଗତମଭିସାରେ ମଦନମନୋହରବେଶଂ ।

ନ କୁରୁ ନିତମ୍ବନି ଗମନବିଳମ୍ବନ ମନୁସର ତଂ ହୃଦୟେଶଂ ।

ଧୀରସମୀରେ ଯମୁନାତୀରେ ବସତି ବନେ ବନମାଳୀ ।

ପୀନପୟୋଧର ପରିସରମର୍ଦ୍ଦନ ଚଞ୍ଚଳକରଯୁଗଶାଳୀ ।

 

‘ବଙ୍ଗଳାଶ୍ରୀ’ ଏହି ନାମ ଦେଖି ଏହି ଛନ୍ଦ ବଙ୍ଗଳା ତ୍ରିପଦୀରୁ ଆସିଥିବାର କେହି କେହି ଅନୁମାନ କରନ୍ତି । ଏପରି ଅନୁମାନ କରିବା କେବଳ ଭ୍ରମ । ପ୍ରାଚୀନ ବଙ୍ଗଭାଷା ଉପରେ ପ୍ରାଚୀନ ଓଡ଼ିଆ ଭାଷାର ପ୍ରାଧାନ୍ୟ ଥିବାର ପ୍ରମାଣ ମିଳେ; କିନ୍ତୁ ପ୍ରାଚୀନ ବଙ୍ଗଭାଷାର କୌଣସି ବିଷୟ ଓଡ଼ିଆମାନେ ଅନୁକରଣ କରିଥିଲା ପରି ଜଣାଯାଏ ନାହିଁ । ଯାହାହେଉ, ଏହି ଛନ୍ଦ ଯଦି ବଙ୍ଗଳାରୁ ଆସିଥାନ୍ତା, ତେବେ ଏହାକୁ ବଳରାମ ଦାସ ‘ଭାରତବୋଲୀ’ ଓ ଶ୍ରୀକୃଷ୍ଣଲୀଳା ପ୍ରଣେତା ‘ମତୁଆରୀ’ ଆଖ୍ୟା କାହିଁକି ଦେଇଥାନ୍ତେ ? ବିଦଗ୍ଧ ଚିନ୍ତାମଣିର ୫୩ ଛାନ୍ଦ- ଯାହା କି ଗୋଟିଏ ବିଷମ ବୃତ୍ତ- ‘ବଙ୍ଗଳାଶ୍ରୀ’ ନାମରେ କାହିଁକି ଅଭିହିତ ହୋଇଥାନ୍ତା ?

 

ଓଡ଼ିଆରେ ଏକବିଂଶତ୍ୟକ୍ଷର ଛନ୍ଦ ନାହିଁ ।

 

(୧୮)

 

ଓଡ଼ିଆ ଦ୍ୱାବିଂଶତ୍ୟକ୍ଷର ଛନ୍ଦର ନାମ ପୋଈ ବା ସାନ ଭୂପାଳ । ସଂସ୍କୃତ ‘ପଦୀ’ ଶବ୍ଦ ପ୍ରାକୃତରେ ‘ପଈ’ ହୋଇ ଓଡ଼ିଆ ଭାଷାରେ ‘ପୋଈ’ ଆକାର ଧାରଣ କରିଅଛି । ଓଡ଼ିଆରେ ‘ଛ ପୋଈ’, ‘ନ ପୋଈ’ ଥିଲାପରି ପ୍ରାକୃତରେ ମଧ୍ୟ ‘ଛପ୍‍ପଆ’, ‘ଣଉପଆ’ ଦେଖାଯାଏ । ଓଡ଼ିଆ ‘ପୋଈ’ ବୃତ୍ତ ଓଡ଼ିଆ ବିଂଶତ୍ୟକ୍ଷର ଛନ୍ଦ ବଙ୍ଗଳାଶ୍ରୀରୁ ଆସିଥିଲା ପରି ବୋଧହୁଏ । ଉଭୟ ଛନ୍ଦର ଯତିପାତ ସମାନ-ପ୍ରତ୍ୟେକ ଷଷ୍ଠ, ଦ୍ୱାଦଶ, ଶେଷାକ୍ଷର ଉପରେ । ପ୍ରଭେଦ ଏତିକି, ବଙ୍ଗଳାଶ୍ରୀର ଶେଷ ଆଠ ଅକ୍ଷର ବଦଳରେ ପୋଈରେ ଦଶ ଅକ୍ଷର ଦେଖାଯାଏ । ସୁତରାଂ ପୋଈ ବୃତ୍ତକୁ ବଙ୍ଗଳାଶ୍ରୀର ରୂପାନ୍ତର ବଢ଼ାକ୍ଷର ଛନ୍ଦ କହିଲେ ଅସଙ୍ଗତ ହେବ ନାହିଁ । ଦୁଇ ଛନ୍ଦଯାକ ତୁଳନା କରି ଦେଖନ୍ତୁ-

 

ସୁଧା ସ୍ୱାଦୁ ପାଇ ଶିରଚ୍ଛେଦ ରାହୁ ନ ଛାଡ଼ିଲା କଦାଚିତ ।

ପ୍ରୀତି ଏମନ୍ତ ଚନ୍ଦ୍ରମଣି ପାଷାଣ ଚନ୍ଦ୍ର ଚାହିଁ ଦ୍ରବୀଭୂତ ।

-ଲାବଣ୍ୟବତୀ

 

ହରି ମନୋରଥ ସର୍ବ ପୁରୁଷାର୍ଥକାରୀ ଅବିଚିନ୍ତ୍ୟ ମହାଶକ୍ତି ।

ହରି ବିଶ୍ୱନାଥ ପରମପଦାର୍ଥ ଅଶେଷଶ୍ରେୟଦ ଶ୍ରୀମୁକତି ।

-ବିଦଗ୍ଧ ଚିନ୍ତାମଣି

 

ଗାନ ସମୟରେ ବଙ୍ଗଳାଶ୍ରୀର ଅଷ୍ଟାଦଶ ଓ ଶେଷ ବର୍ଣ୍ଣର ପ୍ଳୁତ ଉଚ୍ଚାରଣ ହୁଏ; କିନ୍ତୁ ପୋଈ ରାଗରେ ଏହି ଅକ୍ଷରମାନଙ୍କର ସେତେ ଉଚ୍ଚାରଣ ହୁଏ ନାହିଁ । ଏଥିରୁ ବିଶ୍ୱାସ ହୁଏ, ବଙ୍ଗଳାଶ୍ରୀର ଦୁଇଗୋଟି ପ୍ଳୁତ ଉଚ୍ଚାରିତ ବର୍ଣ୍ଣ ପୋଈରେ ଚାରିଗୋଟି ବର୍ଣ୍ଣ ହୋଇଅଛି । ବ୍ୟାପ୍ୟ-ବ୍ୟାପକଭାବ ଅର୍ଥାତ୍‍ ଗୁରୁହ୍ରାସ ଓ ଲଘୁବୃଦ୍ଧି ପ୍ରଥା ପ୍ରାକୃତରେ ମଧ୍ୟ ଲକ୍ଷିତ ହୁଏ । ଯଥା:-

 

ଲୋହଂଗିଣି ସବ୍ଦଳହୂ ଜତ୍‍ଥ ଗୁରୁ ଏକ୍‍କ ହୋଇ ସା ହଂସୀ ।

ଜଂଜଂ ବଡ଼୍‍ଢ଼ଇ ହାରୋ ଣାମଂ ଜୋ ଜଥ୍‍ଥ ସୋ ତଥ୍‍ଥ । -ପିଙ୍ଗଳ

 

(୧୯)

 

ଓଡ଼ିଆ ତ୍ରୟୋବିଂଶତ୍ୟକ୍ଷର ଛନ୍ଦ ପ୍ରାକୃତ ଚତୁର୍ବିଂଶତ୍ୟକ୍ଷର ଛନ୍ଦରୁ ଆସିଥିଲା ପରି ଅନୁମାନ ହୁଏ-

 

ଉଠ ଉଠ ଆହେ ସମଯୋଧାଗଣ, କରେ କରବାଳ ପଶ ସମରେ ।

ଦେଖ ଦେଖ ଦୂରେ ଆସୁଛି ଯବନ, ଉଡ଼ୁଛି କେତନ ବାୟୁଲହରେ ।

-କବିତାବଳୀ

 

ପହୁଦିଜ୍ଜିଅ ବଜ୍ଜଅ ସଜ୍ଜିଅ ଟୋପ୍‍ପରୁ କଙ୍କଣ ବାହୁକିରୀଟ ସିରେ ।

ପଇ କଣ୍ଣହି କୁଣ୍ଡଳ ଜଂ ରଇମଣ୍ଡଳ ଠାବଅ ହାର ଲୁରତ୍ତ ଉରେ ।

ପଇ ଅଙ୍ଗୁଳି ମୁନ୍ଦରି ହୀରହି ସୁନ୍ଦରି କଞ୍ଚଣବିଜ୍ଜୁ ସୁସଜ୍ଜତଣୂ ।

ତହ ଦୂଣଉ ସୁନ୍ଦର ତାବଅ ଣାଅଅ ତଂ ଖଣ ସୁନ୍ଦର ସେସଧଣୂ । -ପିଙ୍ଗଳ

 

ପ୍ରାକୃତ ଛନ୍ଦର ଉପାନ୍ତ୍ୟ ବା ତତ୍‍ପୂର୍ବବର୍ତ୍ତୀ ଲଘୁ ଅକ୍ଷର କଟାଯାଇ ଓଡ଼ିଆରେ ତ୍ରୟୋବିଂଶତ୍ୟକ୍ଷର ଛନ୍ଦ ହୋଇଅଛି । ଏହି କ୍ଷତିପୂରଣ ଲାଗି ଗାନ ସମୟରେ ଓଡ଼ିଆ ଛନ୍ଦର ଶେଷାକ୍ଷରର ଉଚ୍ଚାରଣ ଯତ୍‍କିଞ୍ଚିତ୍‍ ଦୀର୍ଘ ହୋଇଥାଏ ।

 

(୨୦)

 

ଓଡ଼ିଆ ଚତୁର୍ବିଂଶତ୍ୟକ୍ଷର ପୋଈ ବା ଭୂପାଳ ଛନ୍ଦ ଓ ପ୍ରାକୃତ ଦୁର୍ମିଳା ଛନ୍ଦ ପ୍ରାୟ ସମାନ-। ଉଭୟ ଛନ୍ଦରେ ପ୍ରତ୍ୟେକ ଅଷ୍ଟମ, ଚତୁର୍ଦ୍ଦଶ ଓ ଶେଷାକ୍ଷର ଉପରେ ଯତି ପତିତ ହୁଏ । ଯଥା:-

 

ଧୀରଚକୋରଆନନ୍ଦବରଧନଚାନ୍ଦ ଏ ଛାନ୍ଦ ରସ ସଂସାରସାର ।

ସାରସବାସୀ ରାଧିକା ସୁପ୍ରେମାରାଧିକା ମଦନେ ହୋଇ କାତରତର ।

-ବିଦଗ୍ଧ ଚନ୍ତାମଣି

 

ଦୁମିଳାଇ ପଆସହୁ ବର୍ଣ୍ଣବିସେସହୁ ଦୀସ ଫଣୀନ୍ଦହ ଚାରୁଗଣା ।

ଭଣୁ ମତ୍ତ ବତୀସହ ଜାଣିଅ ସେ ସହ ଅଟ୍‍ଠହ ଠାମ ଠଈ ସଗଣା ।

ଗଣ ଅଣ୍ଣ ଣ କିଜ୍ଜଇ କିତ୍ତି ସୁଣିଜ୍ଜଇ ଲଗ୍‍ଗଇ ଦୋସ ଅଣେଅ ଜହୀ ।

କହି ତିଣ୍ଣି ବିରାମହି ପାଅହ ତାଦହ ଅଟ୍‍ଠ ଚଉଦ୍ଦହ ମତ୍ତ ସହୀ । -ପିଙ୍ଗଳ

 

ଓଡ଼ିଆରେ ପଞ୍ଚବିଂଶତ୍ୟକ୍ଷର ଛନ୍ଦ ନାହିଁ ।

 

(୨୧)

 

ଓଡ଼ିଆ ଷଡ଼୍‍ବିଂଶତ୍ୟକ୍ଷର ଛନ୍ଦର ନାମ ବିଭାଷଗୁଜ୍ଜରୀ ବା ବିଚିତ୍ରଦେଶାକ୍ଷ (ବିଦଗ୍ଧ ଚିନ୍ତାମଣି) । ଏହା କେଉଁ ସଂସ୍କୃତ ବା ପ୍ରାକୃତ ଛନ୍ଦର ଅନୁରୂପ, ଜଣାଯାଏ ନାହିଁ । ଯେଉଁଠାରେ ପ୍ରମାଣାଭାବ ସେଠାରେ କୌଣସି ଉପପତ୍ତି ସଂସ୍ଥାପନ କରିବା ନିରାପଦ ନୁହେଁ । ଯାହାହେଉ, ଉତ୍ତମରୂପେ ପରିଶୀଳନ କରି ଦେଖିଲେ, ଓଡ଼ିଆ ବିଭାଷଗୁଜ୍ଜରୀ ଚତୁର୍ବିଂଶତ୍ୟକ୍ଷର ପୋଈବୃତ୍ତରୁ ଆସିଥିଲା ପରି ଅନୁମାନ ହୁଏ । ପୋଈ ବୃତ୍ତରେ ପ୍ରତ୍ୟେକ ଅଷ୍ଟମ, ଚତୁର୍ଦ୍ଦଶ ଓ ଶେଷାକ୍ଷର ଉପରେ ଯତିପାତ ପଡ଼େ; ବିଭାଷଗୁଜ୍ଜରୀରେ ପ୍ରତ୍ୟେକ ଅଷ୍ଟମ, ଷୋଡ଼ଶ ଓ ଶେଷାକ୍ଷର ଉପରେ ଯତିପାତ ହୁଏ । ଅର୍ଥାତ୍‍ ପୋଈର ପ୍ରତ୍ୟେକ ଚରଣର ଦ୍ୱିତୀୟ ଦଳରେ ଦୁଇଗୋଟି ଅକ୍ଷର ମିଶାହୋଇ ବିଭାଷଗୁଜ୍ଜରୀ ରାଗ ସୃଷ୍ଟ ହୋଇଅଛି-

 

 

ଧୀର-ଚକୋର-ଆନନ୍ଦ

ବରଧନ-ଚାନ୍ଦ ।

ଏ ଛାନ୍ଦ ରସ ସଂସାରସାର ।

ସାରସବାସୀ ରାଧିକା

 

ସୁପ୍ରେମାରାଧିକା ।

ମଦନେ ହୋଇ କାତରତର ।

ବିଭାଷଗୁଜ୍ଜରୀ

 

ପାଦ ବିଧୁପାବଚ୍ଛରେ

 

ଦେଇ ଗମିବି ସ୍ୱଚ୍ଛରେ ।

ଊର୍ଦ୍ଧ୍ୱକୁ କୀର୍ତ୍ତିପଟଳ ତାର ।

ଭୂର୍ଭୂବସ୍ୱ ମହାଜ୍ଜନ

 

ତପ ସତ୍ୟାଦି ଭୁବନ

ଗ୍ରାସେ ହୋଇ ପୃଥୁକଳେବର ।

 

କେହି କେହି ପଚାରିପାରନ୍ତି, ସଂସ୍କୃତ ଛନ୍ଦୋମଞ୍ଜରୀ, ବୃତ୍ତରତ୍ନାକର, ଶ୍ରୂତବୋଧ ଇତ୍ୟାଦି ଥାଉ ଥାଉ ପ୍ରାକୃତପିଙ୍ଗଳସୂତ୍ରରୁ ଏତେ ଦୃଷ୍ଟାନ୍ତ କାହିଁକି ଦିଆଗଲା ? ଏଥିର କାରଣ ଏହି- ଅନ୍ତ୍ୟବର୍ଣ୍ଣର ମେଳ, ଗୁରୁବର୍ଣ୍ଣର ଲଘୁ ଉଚ୍ଚାରଣ ଓ ଲଘୁ ବର୍ଣ୍ଣର ଗୁରୁ ଉଚ୍ଚାରଣ ହେବା ଓଡ଼ିଆ ଛନ୍ଦଯାକର ଗୋଟିଏ ବିଶେଷତ୍ୱ । ଏ ଦୁଇ ବିଷୟ ପ୍ରାକୃତ ଛନ୍ଦମାନଙ୍କରେ ମଧ୍ୟ ଲକ୍ଷିତ ହୁଏ । ଯଥା:-

 

ଦୀହ ଲହୂଜୁଅ ଦୀହଲହୂ ।

ସାରବଈ ଧୂଅ ଛନ୍ଦ କହୂ ।

 

ତୀସା ମତ୍ତା ପାଏ ପତ୍ତା ଭୋଈରାଆ ଜମ୍ପନ୍ତା ।

ଛନ୍ଦା କିଚ୍ଛେ କିତ୍ତୀ ଲିଜ୍ଜେ ସୂଣୀ ମଥା କମ୍ପନ୍ତା ।

ପଇଅଙ୍ଗୁଳି ମୁନ୍ଦରି ହୀରହି ସୁନ୍ଦରି କଞ୍ଚଣବିଜ୍ଜୁସୁସଜ୍ଜତଣୁ ।

 

ଉପରୋଦ୍ଧୃତ ଛନ୍ଦଗୁଡ଼ିକରେ ଶେଷାକ୍ଷରର ସମତା ଓ ଲହୁ, କହୁ, ଭୋଇରାଆ, କୀର୍ତ୍ତି, ସୁଣି, ସୁନ୍ଦରୀ, ତଣୁ ବଦଳରେ ଲହୂ, କହୂ, ଭୋଈରାଆ, କୀତ୍ତୀ, ସୂଣୀ, ସୁନ୍ଦରି, ତଣୂ ବ୍ୟବହାର ହେବାର ଦେଖାଯାଏ । ସଂସ୍କୃତ ସହିତ ଓଡ଼ିଆର ଏପରି ବିଲକ୍ଷଣ ସାମଞ୍ଜସ୍ୟ ନାହିଁ । ଏହି ହେତୁରୁ ଏଥିରେ ସଂସ୍କୃତ ପ୍ରମାଣ ଅପେକ୍ଷା ପ୍ରାକୃତ ପ୍ରମାଣ ବହୁଳ ପରିମାଣରେ ଦିଆଗଲା ।



 

ଦ୍ୱିତୀୟ ପ୍ରବନ୍ଧ

 

ଓଡ଼ିଆ ଭାଷାରେ ଊନବିଂଶତ୍ୟକ୍ଷର ଓ ଏକବିଂଶତ୍ୟକ୍ଷର ଛନ୍ଦ ନାହିଁ ବୋଲି ଆମ୍ଭେ ଇତିପୂର୍ବେ ଲେଖିଥିଲୁ । କିନ୍ତୁ ଏ ଦୁଇ ଛନ୍ଦ ଓଡ଼ିଆରେ ବ୍ୟବହୃତ ଥିବାର ଅନୁସନ୍ଧାନ ଦ୍ୱାରା ଅବଧାରିତ ହୋଇଅଛି । ଯଥା:-

 

ଚାଉଳ ପଛକେ ଅଧୁଆ ହେଉ

 

ପେଜ ହେଉ ବହଳିଆ ।

ଘଇତା ପଛକେ ସନ୍ତିଆ ହେଉ

 

ଲୁଗା ହେଉ ତଉଁରିଆ । - ଢଗ

 

କ୍ଷୀରରେ ଧୋଇଲେ

ଖଣ୍ଡରେ ମୋହିଲେ

ନିମ୍ବ କି ମଧୁର ହୋଇବ

ଯେତେ ପରକାରେ

ବୁଝାଇ କହିଲେ

ପର କି ଆପଣା ହୋଇବ । - ଢଗ

 

ଏ ଦୁଇ ଛନ୍ଦ କେଉଁ ସଂସ୍କୃତ ବା ପ୍ରାକୃତ ଛନ୍ଦର ଅନୁକରଣ, ନିର୍ଦ୍ଧାରଣ କରିବା କଷ୍ଟସାଧ୍ୟ।

 

ପୂର୍ବୋକ୍ତ ୨୩ଟି ଛନ୍ଦ ଛଡ଼ା ଓଡ଼ିଶାରେ ଆଉ କେତୋଟି ଛନ୍ଦ ପ୍ରଚଳିତ ଥିବାର ଦେଖାଯାଏ । ଯଥା:-

 

କଉଡ଼ି ।

ଶତ୍ରୁକୁ ଦିଏ ଘରଡ଼ି ।

ଛି ଲୋ ଛତୁ ।

ପାଣି ବରଷିଲେ କେତେ ମାତୁ ।

ତେଲି ଗୁଡ଼ିଆ ।

ବାର ମାସରେ ବାର କୁଡ଼ିଆ ।

ପାଠକୁ ରସେ ।

ନ ପଢ଼ି ନ ଶୁଣି ଚାଳରେ ଖୋସେ ।

ଘରର ଉପରେ ଘର ।

ସୁନା ଖମ୍ବପରି ତିନି ଦିଅର ଯେ ଚନ୍ଦରଉଦିଆ ବର ।

 

ଏସବୁ ସମାନାକ୍ଷର ପଦ ବିଶିଷ୍ଟ ନ ହେଲେ ସୁଦ୍ଧା ସମଛନ୍ଦ ଶ୍ରେଣୀଭୁକ୍ତ । ଅଳ୍ପ ପରୀକ୍ଷା କରି ଦେଖନ୍ତୁ-

 

(୧)

 

କଉଡ଼ି ।

ଶତ୍ରୁକୁ ଦିଏ ଘଉଡ଼ି ।

- ଢଗ ।

 

ଏହା ପଞ୍ଚମାକ୍ଷର-ଯତି ବିଶିଷ୍ଟ ଅଷ୍ଟାକ୍ଷର ଛନ୍ଦରୁ ଜାତ । ଯଥା:-

 

ଖର୍‍ ଖରୀ ସାତ ପତର

ମୋ ଭାଇ ଦୁଧ ଭାତର ।

-ଖର୍‍ ଖରୀ ଗୀତ ।

 

ଏହି ଛନ୍ଦର ପ୍ରଥମ ଚରଣରୁ ପ୍ରଥମ ପାଞ୍ଚ ଅକ୍ଷର କଟାଯାଇ ଅବଶିଷ୍ଟ ତିନି ଅକ୍ଷର ସହିତ ଉପରୋକ୍ତ ଢଗବୃତ୍ତ ସୃଷ୍ଟ ହୋଇଅଛି । ଯଥା:-

 

...ପତର ।

ମୋ ଭାଇ ଦୁଧ ଭାତର ।

 

(୨)

 

ଛି ଲୋ ଛତୁ ।

ପାଣି ବରଷିଲେ କେତେ ମାତୁ ।

- ଢଗ ।

 

ଏହା ଷଷ୍ଠାକ୍ଷର-ଯତି ବିଶିଷ୍ଟ ଦଶାକ୍ଷର ଛନ୍ଦର ରୂପାନ୍ତର । ଯଥା:-

 

ରାମ ଆଜ୍ଞା ପାଇ ଯାନ ଗଲେ

ଏହା ଶୁଣି ଭ୍ରତ ଜଣାଇଲେ ।

- ବିଶିରାମାୟଣ

 

ଏହି ଛନ୍ଦର ପ୍ରଥମ ଚରଣରୁ ପ୍ରଥମ ଛ’ ଅକ୍ଷର କଟାଯାଇ ଶେଷ ଚାରି ଅକ୍ଷର ତୁଲେ ଉପରୋକ୍ତ ଢଗବୃତ୍ତ ହୋଇଅଛି । ଯଥା:-

 

...ଯାନ ଗଲେ ।

ଏହା ଶୁଣି ଭ୍ରତ ଜଣାଇଲେ ।

 

(୩)

 

ତେଲି ଗୁଡ଼ିଆ ।

ବାର ମାସରେ ବାର କୁଡ଼ିଆ ।

- ଢଗ

 

ଏହା ପଞ୍ଚମାକ୍ଷର-ଯତି ବିଶିଷ୍ଟ ଦଶାକ୍ଷର ଛନ୍ଦରୁ ଆସିଅଛି । ଯଥା:-

 

ରାମ ଚରିତ ଅମୃତ ରସ

ଶୁଣି ପଶୁ ହିଁ ହୋଇବେ ବଶ ।

- ବିଶିରାମାୟଣ

 

ପ୍ରଥମ ଚରଣର ଶେଷ ପାଞ୍ଚ ଅକ୍ଷର ସହିତ ଉପରୋକ୍ତ ଢଗବୃତ୍ତ ଚରିତ ହୋଇଅଛି । ଯଥା:-

 

...ଅମୃତ ରସ ।

ଶୁଣି ପଶୁ ହିଁ ହୋଇବେ ବଶ ।

 

(୪)

 

ପାଠକୁ ରସେ ।

ନ ପଢ଼ି ନ ଶୁଣି ଚାଳରେ ଖୋଷେ ।

- ଢଗ

 

ଏହି ଢଗବୃତ୍ତ ଷଷ୍ଠାକ୍ଷର-ଯତି ବିଶିଷ୍ଟ ଏକାଦଶାକ୍ଷର ଛନ୍ଦରୁ ଜାତ-

 

କହନ୍ତି ମାଏ ଗୋ ଶ୍ରୀକୃଷ୍ଣ ଆଗେ

କଥା ଶୁଣ ବାବୁ ଅତି ସରାଗେ ।

 

ଏଥିର ପ୍ରଥମ ଚରଣରୁ ପ୍ରଥମ ଛ’ ଅକ୍ଷର କାଟି ଦେଖିଲେ ଉପରୋକ୍ତ ଢଗବୃତ୍ତ କିପରି ଜାତ ହୋଇଅଛି, ସ୍ପଷ୍ଟ ଜଣାଯିବ । ଯଥା:-

 

...ଶ୍ରୀକୃଷ୍ଣ ଆଗେ ।

କଥା ଶୁଣ ବାବୁ ଅତି ସରାଗେ ।

 

(୫)

 

୬ + ୬ +

କୁହା ଯାଉଥାଏ ସିନା ।

ତୁହାଇ ତୁହାଇ

ପୁଟ ଦେଉଥିଲେ

ଲୁହା କି ହୋଇବ ସୁନା । - ଢଗ

 

ଏହା ବଙ୍ଗଳାଶ୍ରୀ ଛନ୍ଦର ରୂପାନ୍ତର ମାତ୍ର ।

 

(୬)

 

୬ + ୬ +

ନ ରସି ରସିଲୁ ରାଇକି ।

ମଧୁ ମାଳତୀକି

ବାହାରେ ପକାଇ

ପଶିଗଲୁ ତଳସାଇ କି । - ଢଗ

 

ଏହା ଏକବିଂଶତ୍ୟକ୍ଷର ଛନ୍ଦରୁ ଆସିଥିବାର ଅନୁମାନ ହୁଏ ।

 

(୭)

 

୬ + ୬ +

୬ + କିଆତି ।

ଚଇତ ମାସରେ ନୂଆ ଗୁଡ଼ ଖାଇ

କଣ୍ଡୁ କୁଣ୍ଡାଇଲେ ଯିଆତି । - ଢଗ

 

ଏହା ମଧ୍ୟ ଏକବିଂଶତ୍ୟକ୍ଷର ଛନ୍ଦରୁ ଉତ୍ପନ୍ନ ।

 

(୮)

 

୬ + ୬ +

ଦିନେ ଯାଇଥିଲି ଯମୁନାକୁ ।

ଘରେ ଛନ ଛନ

ବାହାରେ ମନ ଯେ

କେମନ୍ତେ ଦେଖିବି କାଳିଆକୁ । - ଢଗ

 

ଏହା ଦ୍ୱାବିଂଶତ୍ୟକ୍ଷର ପୋଈ ଛନ୍ଦରୁ ଆସିଥିବାର ବିଶ୍ୱାସ ହୁଏ ।

 

(୯)

 

୬ + ୬ +

୬ + ଆମ୍ବକସି

କାହା ଲହସରେ ବାହାରି ଗଲି ମୁଁ ମୋତେ ନ ବୋଲିବୁ ବଳପଶି ।

- ଢଗ

 

ଏହା ମଧ୍ୟ ଦ୍ୱାବିଂଶତ୍ୟକ୍ଷର ଛନ୍ଦରୁ ଜାତ ।

 

(୧୦)

 

୬ + ୬ +

୬ ଜାଣିଥିଲି କି ।

ଅଧେ ସୁନା ଅଧେ ପିତଳ ବୋଲି ମୁଁ ନିକିତି ପକାଇ ତୁଳିଥିଲି କି । - ଢଗ

 

ଏହା ଓଡ଼ିଆ ତ୍ରୟୋବିଂଶତ୍ୟକ୍ଷର ଛନ୍ଦର ରୂପାନ୍ତର । ଉପରୋକ୍ତ ଦଶ ଢଗ ବୃତ୍ତରୁ ଅନେକ ଓଡ଼ିଆ ବିଷମ ଛନ୍ଦ ଓ ଗୀତ ଆସିଥିବାର ପ୍ରତୀତି ହୁଏ ।

 

କେତେକ ପ୍ରାକୃତ ମାତ୍ରାଛନ୍ଦରେ ସମାନାକ୍ଷର ବିଶିଷ୍ଟ ପଦ ଦେଖାଯାଏ ନାହିଁ । ଯଥା:-

 

ଜସୁ ଚନ୍ଦ ସୀସ ଫିଧଣହ ଦୀସ

ସୋ ସମ୍ଭୂ ଏସ ତୁହ ସୁବ୍‍ଭ ଦେଉ ।

- ପିଙ୍ଗଳ

 

ବିଗ୍‍ଗାହା ପଢ଼ମଦଳେ ସତ୍ତାଇସାଇଁ ମତ୍ତାଇଁ ।

ପଶ୍ଚିମ ଦଳେଣ ତୀସା ଇଂ ଅଂ ଜଂ ପିଙ୍ଗଳେଣ ଣାଏଣ

-ପିଙ୍ଗଳ

 

ଓଡ଼ିଆରେ ମଧ୍ୟ ଏହିପରି କେତେଗୁଡ଼ିଏ ଛନ୍ଦ ପ୍ରଚଳିତ ଥିବାର ଲକ୍ଷିତ ହୁଏ । ଯଥା:-

 

ଶୁଣ ହେ ଚରିତ୍ର ଅବଶେଷରେ ।(୧୧)

କର୍ଣ୍ଣାଟ ନୃପତି ତୋଷଭରେ ।(୧୦)

-ଲାବଣ୍ୟବତୀ

 

ଶ୍ରୀରାମ ଘେନି ହୃଷ୍ଟ ସକଳ ମୁନି ।(୧୨)

ଶୁଣନ୍ତି ବିବିଧ ପକ୍ଷୀମାନଙ୍କ ଧ୍ୱନି ।(୧୩)

-ବିଶିରାମାୟଣ

 

ଦୋଳି ଦୋଳାଇଲି ନାଆଁ ଦେଲି ହୀରା ।(୧୨)

ବାରମାସୀ ଧାନ ପାଚଇ ସବୁ କଳାଜିରା ।(୧୫)

- ବାଳିକାମାନଙ୍କ ଦୋଳିଗୀତ

 

ଶୟନେ ଅଲଗା ନୋହୁ କ୍ଷଣେ ହୃଦରୁ ।(୧୩)

ପଳାଉ ବନକୁ ନିତି ମୁଁ ନାହିଁ କରୁ କରୁ ।(୧୫)

- ଗୋପାଳକୃଷ୍ଣଙ୍କ ଦୋଳିଗୀତ

 

କୋଇଲି କେଶବ ଯେ ମଥୁରାକୁ ଗଲେ ।(୧୩)

କାହା ବୋଲେ ଗଲେ କୃଷ୍ଣ ବାହୁଡ଼ି ନଇଲେ ଲୋ ।(୧୫)

- କେଶବକୋଇଲି

 

ବିଷମ ଛନ୍ଦ

 

ଓଡ଼ିଆରେ ଅନେକଗୁଡ଼ିଏ ବିଷମ ଛନ୍ଦ ଥିବାର ଜଣାଯାଏ; କିନ୍ତୁ ଏ ସବୁର ଇତିହାସ ଲେଖିବା ସହଜ ବ୍ୟାପାର ନୁହେଁ । ସୁତରାଂ ସେଥିରୁ କେତେଗୁଡ଼ିଏ ଛନ୍ଦର ବିବରଣ ମାତ୍ର ଏହିଠାରେ ଦିଆଗଲା-

 

(୧)

 

ଘର ଦେଖ, ବର ଦେଖ

କାନ୍ଥ ଭାଙ୍ଗି କୁଜ ଦେଖ । - ଢଗ

 

ଏହି ଛନ୍ଦର କୌଣସି ନାମ ନାହିଁ । ଏହି ଚତୁର୍ଥାକ୍ଷର-ଯତିବିଶିଷ୍ଟ ଅଷ୍ଟାକ୍ଷର ସମ ଛନ୍ଦରୁ ଜାତ ।

 

(୨)

 

ଦେଖିଲେ ଡରି

ଖାଇଲେ ମରି।

ତାହା ସଙ୍ଗେ କି ପୀରତି କରି - ଢଗ

 

ଏହା ତୃତୀୟ ଢଗବୃତ୍ତରୁ ଜାତ । ଏଥିରେ ଢଗର ପ୍ରଥମ ଚରଣ ଦ୍ୱିରାବୃତ୍ତି ହୋଇଅଛି ।

 

(୩)

 

ସ୍ୱରୂପ ଛାଡ଼ି । କୁରୂପ ଲୋଡ଼ି

ସାନ ବଡ଼ ନାହିଁ ମୂଳ କଉଡ଼ି ।

- ରସପଞ୍ଚକ

 

ଏହା ଚତୁର୍ଥ ଢଗବୃତ୍ତରୁ ଜାତ । ଢଗର ପ୍ରଥମ ଚରଣ ଦ୍ୱିରାବୃତ୍ତି ହୋଇ ଏହି ବିଷମ ଛନ୍ଦ ହୋଇଅଛି ।

 

(୪)

ଭାଟିଆରୀ

 

ତୁମ୍ଭର ଚରଣ ନୀର

ଅଭିଶେଷ ଶିବ ଶିର

ଜାହ୍ନବୀର ଜଳ ଏ ତୁମ୍ଭ ବଂଶର କୀରତିଟି ରଘୁବୀର ହେ ।

- ବିଶିରାମାୟଣ

 

ଘଣ୍ଟାରବ

 

ଦଶରଥ ବେନି କର

ଧରି ରାଜଋଷିବର

ମିଥିଳା ନଗର

ଆଜହୁଁ ତୁମ୍ଭର

ଅଯୋଧ୍ୟା ନଗର ମୋର ହେ ।

-ବିଶିରାମାୟଣ

 

ତୋଡ଼ି । ଏକତାଳୀ

 

ମିତ ଦେଲେ ଯାହା ନେଇ

ରାମ ଦେଲେ ବାହୁଡ଼ାଇ ।

ବଟକ୍ଷୀରେ ଜଟା ସଜ କଲେ ରାମ ସେଠାରେ ସେଦିନ ରହି ।

-ବିଶିରାମାୟଣ

 

ଏହି ତିନି ଛନ୍ଦ ସମାନ ଓ ପଞ୍ଚମ ଢଗବୃତ୍ତରୁ ଜାତ । ଢଗର ଗୋଟିଏ ଅଷ୍ଟାକ୍ଷର ଚରଣ ବଦଳରେ ଏଥିରେ ଦୁଇଗୋଟି ଅଷ୍ଟାକ୍ଷର ଚରଣ ଦେଖାଯାଏ । ଅର୍ଥାତ୍‍ ଢଗର ପ୍ରଥମ ଚରଣ ଏ ତିନି ଛନ୍ଦଯାକରେ ଦ୍ୱିରାବୃତ୍ତି ହୋଇଅଛି ।

 

(୫)

ଭାଟିଆରୀ

 

ଦେଖିବାକୁ ତାଙ୍କୁ ଗଲି, କି ଆହେ ଭାଇ, କିଛି ହିଁ ଦୋଷ ନ କଲି ।

ବିନା ଦୋଷେ ନାସା ଶ୍ରବଣ କାଟିଲା କାନ୍ଦି ଖରକୁ କହିଲି ।

-ବିଶିରାମାୟଣ

 

ଏହା ‘ଘଣ୍ଟାରବ’ରୁ ଜାତ । ‘ଘଣ୍ଟାରବ’ର ପ୍ରଥମ ଦୁଇ ଚରଣ ମଧ୍ୟରେ ପାଞ୍ଚୋଟି ଅକ୍ଷର (କି ଆହେ ଭାଇ) ମାତ୍ର ମିଶା ହୋଇଅଛି ।

 

(୬)

ତୋଡ଼ୀ । ଏକତାଳୀ

 

ଶିଶୁପାବୃକ୍ଷର ତଳେ

ହନୁ ମନେ ମନେ ଭାଳେ ।

ନିଶ୍ଚୟେ ଜାନକୀ ଜନକନନ୍ଦିନୀ ଦେଖିଲଇଁ ବେନି ଡୋଳେ ।

କି ଭାଗ୍ୟବଳେ ।

-ବିଶିରାମାୟଣ

 

ଏହା ମଧ୍ୟ ‘ଘଣ୍ଟାରବ’ରୁ ଜାତ । ଶେଷରେ ପାଞ୍ଚ ଅକ୍ଷରର ପଦ ଗୋଟିଏ (କି ଭାଗ୍ୟବଳେ) ମାତ୍ର ଏଥିରେ ଅଧିକ ଲକ୍ଷିତ ହୁଏ ।

 

(୭)

ଗଡ଼ମାଳିଆ ବୃତ୍ତ

 

ଉଭା ଯୂଥପତି ।

ନାମ ଧରି ଧରି ଚିହ୍ନାଇ ଦ୍ୟନ୍ତି ଯେ ।

ରାମଙ୍କୁ ତାରାରମଣ ।

ଦେଖ ଦେବ ହେ ।

-ବିଶିରାମାୟଣ

 

ଏହା ପଞ୍ଚମ ଢଗବୃତ୍ତର ରୂପାନ୍ତର । ଢଗର ଦ୍ୱିତୀୟ ଚରଣ ଯତିପାତଠାରେ ଭଙ୍ଗା ହୋଇ ଏଥିରେ ଦ୍ୱିତୀୟ ଓ ତୃତୀୟ ଚରଣ ହୋଇଅଛି । ଶେଷରେ ଧ୍ରୁବପଦ ଗୋଟିଏ ସଂଯୋଜିତ ହୋଇଅଛି ।

 

(୮)

ତୋଡ଼ୀ

 

ସର୍ବ ବୀରେ ବସି ସୁଖାସନେ

ଅଙ୍ଗଦ କହନ୍ତି ସାବଧାନେ ।

ଶ୍ରୀରାମଙ୍କ କିଛି କାର୍ଯ୍ୟ ନ କରିଣ ବିଅର୍ଥେ ମରିବା ଆମ୍ଭେମାନେ ।

-ବିଶିରାମାୟଣ

 

ଏହା ଅଷ୍ଟମ ଢଗବୃତ୍ତରୁ ଜାତ । ପ୍ରଭେଦ ଏତିକି-ଢଗରେ ଗୋଟିଏ ମାତ୍ର ଦଶାକ୍ଷର ଚରଣ ଦେଖାଯାଏ; ତୋଡ଼ୀ ରାଗରେ ଦୁଇଗୋଟି ଦଶାକ୍ଷର ଚରଣ ବ୍ୟବହୃତ ହୋଇଅଛି ।

 

(୯)

ଚିନ୍ତାଦେଶାକ୍ଷ ବା ଚିନ୍ତାଭୈରବ

(ଗୋପବିଳାପ ବୃତ୍ତ)

 

ଆହା ଧନୁର୍ଦ୍ଧର ବୀରବର

ଧନୁଶର ନ ଥିଲା କି କର ।

ଯାହାର ବାଣ ବ୍ରହ୍ମାଣ୍ଡ ଦହିପାରେ ତାକୁ ମାଇଲା ପ୍ରଶସ୍ତ ଛାର ହେ ଦଇବ ।

-ବିଶିରାମାୟଣ

 

ଉପରୋକ୍ତ ‘ତୋଡ଼ୀ’ ଛନ୍ଦର ଶେଷରେ ତିନିଟି ଅକ୍ଷର ମିଶି ଚିନ୍ତାଦେଶାକ୍ଷ ବା ଚିନ୍ତାଭୈରବ ରଚିତ ହୋଇଥିବାର ସ୍ପଷ୍ଟ ଜଣାଯାଏ ।

 

(୧୦)

ଶୋକବରାଡ଼ି

 

ଜନ ଅପବାଦରୁ ବଞ୍ଚିଲୁ

ଏହା ଆପଣା ମନେ ପାଞ୍ଚିଲୁ ।

ରାବଣ ସଂହାରି ତୁମ୍ଭଙ୍କୁ ଆଣିଲୁଁ ଯଶ ମହୀରେ ରଖିଲୁ ଗୋ ସୀତେ ।

-ବିଶିରାମାୟଣ

 

ଏହା ‘ଚିନ୍ତାଭୈରବ’ର ରୂପାନ୍ତର । ‘ଚିନ୍ତାଭୈରବ’ର ତୃତୀୟ ଚରଣର ୨୨ ଅକ୍ଷର ବଦଳରେ ୨୦ ଅକ୍ଷର ଓ ଚତୁର୍ଥ ଚରଣର ୩ ଅକ୍ଷର ବଦଳରେ ୨ ଅକ୍ଷର ମାତ୍ର ଏଥିରେ ଦେଖାଯାଏ ।

 

(୧୧)

ରାଜବିଜେ । ଧନାଶ୍ରୀ

 

ସରୋବର ତଟୁଁ ବିଜେ ରାମ

ବୋଲନ୍ତି କହ ଏ ଗିରି ଆଶ୍ରମ ।

ଲକ୍ଷ୍ମଣ ଜଣାନ୍ତି ଋଷ୍ୟମୂକ ଗିରି ସୁଗ୍ରୀବର ଏ ଆଶ୍ରମ । ହେ ଦେବ ।

-ବିଶିରାମାୟଣ

 

ଏହା ଅବିକଳ ‘ଶୋକବରାଡ଼ି’ ।

 

(୧୨)

ଗଡ଼ମାଳିଆ ବୃତ୍ତ

 

କୋବିଦବୃନ୍ଦ ଏ ଛାନ୍ଦ ଚାନ୍ଦ

ହୃଦକୁମୁଦ କରିବ ମୁଦ ।

ଶ୍ରୀରାଧାଗୋବିନ୍ଦ ନୂତନ ବିନୋଦ ସ୍ୱାଦୁ ନିନ୍ଦଇ ଅମୃତ କନ୍ଦ ଏ ।

ପ୍ରେମପଦ ।

ତାପନାଶନକୁ ଆହାଲାଦ ପଦ ସେ ।

-ବିଦଗ୍ଧ ଚିନ୍ତାମଣି

 

ଏହା ‘ଚିନ୍ତାଦେଶାକ୍ଷ’ ବା ‘ଚିନ୍ତାଭୈରବ’ରୁ ଜାତ । ପ୍ରଭେଦ ଏତିକି-ଚିନ୍ତାଭୈରବର ଚତୁର୍ଥ ଚରଣରେ ତିନିଟି ଅକ୍ଷର ଦେଖାଯାଏ, ଏଥିରେ ଚାରୋଟି ଅକ୍ଷର ବ୍ୟବହୃତ ହୋଇଅଛି । ଚିନ୍ତାଭୈରବରେ ପଞ୍ଚମ ଚରଣ ନାହିଁ; ଏଥିରେ ଦ୍ୱାଦଶାକ୍ଷରର ଗୋଟିଏ ଚରଣ ଅଧିକ ସଂଯୋଜିତ ହୋଇଅଛି । ତୃତୀୟ ଚରଣର ଶେଷ ଦଶ ଅକ୍ଷର କଟାଯାଏ ପ୍ରଥମ ଦ୍ୱାଦଶ ଅକ୍ଷରରେ ପଞ୍ଚମ ଚରଣ ରଚିତ ହୋଇଥିଲା ପରି ବୋଧହୁଏ ।

 

(୧୩)

ବିମ୍ବାଧରୀ ଚଉତିଶା ବାଣୀ

 

ଧୀରେ ଘେନ ଧୀରେ ବ୍ରଜେଶ୍ୱରୀ

ଦୂତୀ ପଠିଆଇ ରସାତୁରୀ ।

ହିତ କି ବଶାଖା ମିତ କର ଧରି ଭାଷନ୍ତି କି କଳେ ବେଣୁଧାରୀ ଗୋ ।

ପ୍ରାଣସଖି ।

ଲାଜପଙ୍କେ ଆଜ ଗଲି ଲାକ୍ଷି ଗୋ ।

-ବିଦଗ୍ଧ ଚିନ୍ତାମଣି

 

ଏହା ‘ଗଡ଼ମାଳିଆ ବୃତ୍ତ’ର ଅନୁରୂପ । ଗଡ଼ମାଳିଆ ବୃତ୍ତର ପଞ୍ଚମ ଚରଣରେ ତୃତୀୟ ଚରଣର ଶେଷ ଦଶାକ୍ଷର ବ୍ୟବହୃତ ହୋଇଅଛି ।

 

(୧୪)

ଶୋକକାମୋଦୀ

 

ବ୍ୟଥିତ କଥିତ ଧନୀ ଗିର

ମିତ ମୋତେ ପ୍ରତିକାର କର ।

ଲୋଭୀ କୃପଣକୁ ଆଶାୟୀପଣକୁ କୃଷ୍ଣ ପ୍ରୀତି କଲା ପରଚାର ଗୋ ।

ପ୍ରାଣ ସହି ।

ଶ୍ଳେଷୁରୋଗୀ-ତୃଷ୍ଣା ଅଛି ବିହି ଗୋ ।

ପିତ୍ତରୋଗୀବତ ଉନ୍ମାଦକୀ ମୁହିଁ ଗୋ ।

-ବିଦଗ୍ଧ ଚିନ୍ତାମଣି

 

ଏହା ଉପରୋକ୍ତ ଛନ୍ଦର ରୂପାନ୍ତର । ଏହାର ଶେଷରେ ଦ୍ୱାଦଶାକ୍ଷରର ଗୋଟିଏ ଚରଣ ମାତ୍ର ଅଧିକ ଦେଖାଯାଏ । ଏହାକୁ ଗଡ଼ମାଳିଆ ବୃତ୍ତିର ରୂପାନ୍ତର କହିଲେ ସୁଦ୍ଧା ଦୋଷ ହେବନାହିଁ । ଗଡ଼ମାଳିଆ ବୃତ୍ତର ଘୋଷା ଓ ଶେଷ ଚରଣର ମଧ୍ୟରେ ଦଶ ଅକ୍ଷରର ଆଉ ଗୋଟିଏ ଚରଣ ସନ୍ନିବିଷ୍ଟ ହୋଇଅଛି ।

 

(୧୫)

ଆଶାବରୀ

 

ବୋଲେ ଲବଣ ପୁରେ ପଶି ଆସଇ ରହିଥାଅ ତୁମ୍ଭେ ଦଣ୍ଡେ ମାତ୍ର ।

ମୃଗୟା ନିମନ୍ତେ ଯାଇଥିଲି ସିନା ଆଣଇ ମୋହର ନିଜ ଶସ୍ତ୍ର ହେ ।

କୁମର ତୁହି ସମରଥ ।

ଏଇକ୍ଷଣି ତତେ କିଞ୍ଚିତ ଅସ୍ତ୍ରରେ ଦେଖାଇବି ମୁହିଁ ଯମପଥ ହେ -ବି.ରା

 

ଏହା ଦ୍ୱାବିଂଶତ୍ୟକ୍ଷର ପୋଈ ବୃତ୍ତର ରୂପାନ୍ତର । ସମ୍ପୂର୍ଣ୍ଣ ଚରଣ ଯତିପାତଠାରେ ଭଙ୍ଗାଯାଇ ତହିଁର ଶେଷ ଦଶାକ୍ଷରରେ ତୃତୀୟ ଚରଣ ରଚିତ ହୋଇଅଛି ।

 

(୧୬)

ସିନ୍ଧୁ କାମୋଦୀ

 

କାନ୍ତର ବିମନ ଜାଣି, ପଚାରନ୍ତି ଠାକୁରାଣୀ, ଦିଶୁଛି ତ ଶ୍ରୀମୁଖ ବିରସ ।

ଆଜ ହେବ ଅଭିଷେକ, ନେତ୍ରେ ପୂରିଛି ଲୋତକ, ମୁଁ ଅବା କଲି

କେବଣ ଦୋଷ ।

ପ୍ରାଣନାଥ -ବି.ରା.

 

ଷଡ଼୍‍ବିଂଶତ୍ୟକ୍ଷର ‘ବିଭାଷ’ ରାଗର ଶେଷରେ ‘ପ୍ରାଣନାଥ’ ପଦ ମିଶାଯାଇ ‘ସିନ୍ଧୁ କାମୋଦୀ’ ସୃଷ୍ଟି ହୋଇଅଛି ।

 

(୧୭)

ଆନନ୍ଦ ଭୈରବ

 

ସୁନ୍ଦରୀ ସୁବେଶ କରି ସହଚରୀମାନେ

ଜଗତିରୁ ଓହ୍ଲାଇ ଆଣନ୍ତି ସୁଖାସନେ

ମନ ହେଉଛି ଆନନ୍ଦ ।

ରବି ଦେଖି ପ୍ରଫୁଲ୍ଲ କି ନବ ଅରବିନ୍ଦ ।-ବି.ରା.

 

ଏହା ଅଷ୍ଟମାକ୍ଷର-ଯତି ବିଶିଷ୍ଟ ଚତୁର୍ଦ୍ଦଶାକ୍ଷର ଛନ୍ଦରୁ ଜାତ । ସମ୍ପୂର୍ଣ୍ଣ ଚତୁର୍ଦ୍ଦଶାକ୍ଷର ସ୍ଥାନରେ ତୃତୀୟ ଚରଣରେ ଅଷ୍ଟାକ୍ଷରି ମାତ୍ର ଦେଖାଯାଏ । ଅର୍ଥାତ୍‍ ଗୋଟିଏ ସମ୍ପୂର୍ଣ୍ଣ ଚରଣ ଯତିପାତଠାରେ ଭଙ୍ଗାଯାଇ ତହିଁର ପୂର୍ବାର୍ଦ୍ଧରେ ଦ୍ୱିତୀୟ ଚରଣ ରଚିତ ହୋଇଅଛି ।

 

(୧୮)

ଶଙ୍କରାଭରଣ

 

ଦୂତିକା ହସି ଭାଷିଲା ଶୁଣ ହେ ନାଗର ।

ଗତୁଁ ଗତାଗତ ରୀତି ଥିଲା ତ ମୋହର ।

ତେଣୁ ଗଲି ନିଃଶଙ୍କରେ ।

ପ୍ରବେଶ ହୋଇଲି ଅଭିମନ୍ୟୁ-ସେନାପୁରେ । -ବି.ଚି.

 

ଏହା ଉପରୋକ୍ତ ‘ଆନନ୍ଦଭୈରବ’ର ଅନୁରୂପ ।

 

(୧୯)

ଶାରଙ୍ଗ

 

ଦୂତୀ କର ଧରି ହରି ବୋଇଲେ କିଶୋରୀ ।

ମିତ୍ର ପୂଜି ଆସିଥିଲା ଗଲା ତ ପାସୋରି ।

ଦୂତି ଗୋ, କହିବୁ ବନ୍ଧୁକୁ ।

କି ଦୋଷରେ ଫିଙ୍ଗିଦେଲା ମଦନସିନ୍ଧୁକୁ । -ବି.ଚି.

 

ଏହା ମଧ୍ୟ ଚତୁର୍ଦ୍ଦଶାକ୍ଷର ଛନ୍ଦରୁ ଜାତ । ‘ଶାରଙ୍ଗ’ ଓ ‘ଶଙ୍କରାଭରଣ’ ମଧ୍ୟରେ ଥିବା ପ୍ରଭେଦ ତୃତୀୟ ଚରଣର ‘ଗୋ’ ମାତ୍ର ।

 

(୨୦)

ଜୟନ୍ତ (କଳାକାଇଁଚ ବାଣୀ)

 

ଧୀରେ ଘେନ କାନନରେ କୃଷ୍ଣ ବିଳମ୍ବିତ ।

ବାତ୍ସଲ୍ୟ ମମତା ଘେନି ଭାଳୁଛନ୍ତି ମାତ ।

କଳାମାଣିକରେ ।

-ବି.ଚି.

 

ଏହା ମଧ୍ୟ ଅଷ୍ଟମାକ୍ଷର-ଯତି ବିଶିଷ୍ଟ ଚତୁର୍ଦ୍ଦଶାକ୍ଷର ଛନ୍ଦରୁ ଜାତ । ଗୋଟିଏ ସମ୍ପୂର୍ଣ୍ଣ ଚରଣର ଶେଷ ଛ’ ଅକ୍ଷର ମାତ୍ର ତୃତୀୟ ଚରଣରେ ଦେଖାଯାଏ ।

 

(୨୧)

କୁସୁମ ସଉରଭ ବାଣୀ

 

କୋଦଣ୍ଡଧର କାମିନୀବରକୁ ହରାଇ

କାରୁଣ୍ୟ କରୁଛନ୍ତି ବନଗିରିଙ୍କି ଚାହିଁ ଯେ

ହା ହା ମୋ ସୀତେ ଗୋ ।

-ବି.ରା.

 

ଏହା ଉପରୋକ୍ତ ଛନ୍ଦର ଅନୁରୂପ ।

 

(୨୨)

କାଫି

 

ଲକ୍ଷ୍ମଣ କହେ କପିରାଜନ ଶୁଣ ।

ଶ୍ରୀରାମ ଶ୍ରୀଚରଣେ ସକଳ ହେ ଲୋକଙ୍କର ଶରଣ ।-ବି.ରା.

 

ଏହା ସପ୍ତମାକ୍ଷର-ଯତି ବିଶିଷ୍ଟ ଦ୍ୱାଦଶାକ୍ଷର ସମ ଛନ୍ଦରୁ ଉତ୍ପନ୍ନ ।

 

ଆଗୋ ହରିଣୀମାନେ ମୋ ହରିଣ କ୍ଷୀ

କେ ନେଲା କାହିଁ ଗଲା ଅଛ କି ଦେଖି ।

 

 

ଗାନ ସମୟରେ ଏହି ଦ୍ୱାଦଶାକ୍ଷର ଛନ୍ଦ ‘କାଫି’ ରାଗର ଆକାର ଧାରଣ କରେ । ଯଥା:-

 

ଆଗୋ ହରିଣୀମାନେ ମୋ ହରିଣାକ୍ଷୀ । କେ ନେଲା କାହିଁ ଗଲା ଅଛ କି ଦେଖି ଗଲା ଅଛ କି ଦେଖି ।

 

ପ୍ରଭେଦ ଏତିକି- କାଫି ରାଗର ଦ୍ୱିତୀୟ ଚରଣରେ ୧୯ ଅକ୍ଷର ଓ ଦ୍ୱାଦଶାକ୍ଷର ଛନ୍ଦର ଦ୍ୱିତୀୟ ଚରଣରେ ୨୦ ଅକ୍ଷର ଦେଖାଯାଏ । କିନ୍ତୁ କାଫି ମଧ୍ୟରେ ଯେଉଁ ‘ହେ’ ବ୍ୟବହୃତ ହୋଇଅଛି ତାହା ଉଚ୍ଚାରଣରେ ଦୁଇଗୋଟି ଅକ୍ଷରର ଅନୁରୂପ ।

 

(୨୩)

ଘଣ୍ଟାରବ ଦୁଇତାଳୀ

 

ରାମ କର ଧରି କାମିନୀ । ବୁଲନ୍ତି ବେନି ଗୋ । ଚିତ୍ରକୂଟ ଗିରି ମୂର୍ଦ୍ଧନୀ । ବି.ରା.

 

ଏହା ପଞ୍ଚମାକ୍ଷର-ଯତି ବିଶିଷ୍ଟ ଭାଗବତ ବୃତ୍ତରୁ ଜାତ । ସମ୍ପୂର୍ଣ୍ଣ ଚରଣର ପୂର୍ବାର୍ଦ୍ଧରେ ଏଥିର ଦ୍ୱିତୀୟ ଚରଣ ହୋଇଅଛି ।

 

(୨୪)

ଆହାରୀ

 

ଧରି କାନ୍ତା କର । ରାମ ଚାଲେ ଧୀର ଧୀର ।

ବୋଲନ୍ତି ଦେଖରେ ସରୋଜବଦନି ଦିବ୍ୟ ତରୁବର । -ବି.ରା.

 

ଏହା ଅଷ୍ଟାକ୍ଷର ‘କୁମ୍ଭକାମୋଦୀ’ରୁ ଆସିଅଛି । କୁମ୍ଭକାମୋଦୀର ପ୍ରତ୍ୟେକ ଚରଣ ତିନି ଦଳରେ ବିଭକ୍ତ- ୬+୬+୬ । ତହିଁରୁ କୌଣସି ଦୁଇ ଦଳରେ ଆହାରୀର ପ୍ରଥମ ଓ ଦ୍ୱିତୀୟ ଚରଣ ହୋଇଅଛି । ଦ୍ୱିତୀୟ ଚରଣରେ ଆଠ ଅକ୍ଷର ଥିଲେ ସୁଦ୍ଧା, ତହିଁର ପ୍ରଥମ ଦୁଇ ଅକ୍ଷର (ରାମା) ଧ୍ରୁବପଦ ତଳେ ଗଣ୍ୟ । ତୃତୀୟ ଚରଣ ଅବିକଳ କୁମ୍ଭକାମୋଦୀ ।

 

(୨୫)

କାଫି

 

ଶ୍ରୀରାମ ଦୂତ କରିଣ କାର୍ଯ୍ୟ ସିଦ୍ଧ । ହରବୀର ।

ଅସୁର ମାରିବାକୁ ସେ କରେ ସଧ ।-ବି.ରା.

 

ଏହା ଦ୍ୱାଦଶାକ୍ଷର ସମ ଛନ୍ଦରୁ ଜାତ । ଦୁଇ ଚରଣ ମଝିରେ ‘ହରବୀର’ ଏହି ଘୋଷା ପଦ ବ୍ୟବହାର କରାଯାଇ ଏହି ଛନ୍ଦ ହୋଇଅଛି ।

 

(୨୬)

କାମୋଦୀ

 

ଦେଖି ନବକାଳିକା ବକାଳିକାମାଳିକା ଆଳି କାଳିକାକାନ୍ତ ସ୍ମରି ।

ରକ୍ଷା କେମନ୍ତେ କରି କରିବା ମତ୍ତକରୀଗତିକି ଏମନ୍ତ ବିଚାରି ସେ ।

ସହଚରୀ ।

ଭାବେ ବଞ୍ଚିଲେ ଏ କାଳକୁ ।

କଥା ଥିବ କାଳକାଳକୁ ।

ଏକେ ତ କ୍ଷୀଣ ଦିନ ହେଲା ଦୁର୍ଦ୍ଦିନ ଦିନ ନ ଲଭୁଁ ବଲ୍ଲଭମେଳକୁ ରେ ।

-ଲାବଣ୍ୟବତୀ

 

ଏହା ସଂସ୍କୃତ ଭୈରବୀ ରାଗର ଅନୁରୂପ । ଯଥା:-

 

ରଜନୀଜନିତଗୁରୁଜାଗରରାଗକଷାୟିତମଳସନିମେଷଂ ।

ବହତି ନୟନମନୁରାଗମିବ ସ୍ଫୁଟମୁଦିତରସାଭିନିବେଶଂ ।

ହରିହରି ଯାହି ମାଧବ ଯାହି କେଶବ ମା ବଦ କୈତବବାଦଂ ।

ତାମନୁସର ସରସୀରୁହଲୋଚନ ଯା ତବ ହରତି ବିଷାଦଂ ।

-ଗୀତଗୋବିନ୍ଦ, ୮ମ ସର୍ଗ ।



 

Unknown

ତୃତୀୟ ପ୍ରବନ୍ଧ

 

(୨୭)

ଖଣ୍ଡକାମୋଦୀ

 

ରାମା ବସାଇ ଆଗେ ରସାଇ ଅନୁରାଗେ ଚାଟୁ କରୁଛି ପତି ଯେ ।

ବିଚ୍ଛେଦ ହେଲାଦିନୁ କି ଦଣ୍ଡ ଫୁଲଧନୁ ଦେଲାଟି ଦିନରାତି ଯେ ।

ପ୍ରାଣବନ୍ଧୁ,

କେମନ୍ତେ ବଞ୍ଚୁଥିଲୁ ରେ ।

ସ୍ୱପନେ ଦୁଃଖ ଦେଖି ନାହୁଁ ଆଜନ୍ମସୁଖୀ ମୋ ଲାଗି ଦୁଃଖୀ ହେଲୁ ରେ ।

-ଲାବଣ୍ୟବତୀ

 

ପଦବିନ୍ୟାସ ଓ ଯତିପାତ ଦେଖିଲେ, ଏହା ‘କାମୋଦୀ’ର ରୂପାନ୍ତର ପରି ଅନୁମାନ ହୁଏ । କାମୋଦୀର ପ୍ରଥମ ଦୁଇ ଚରଣ ଓ ପଞ୍ଚମ ଚରଣର ଶେଷରେ ନଅ ନଅ ଅକ୍ଷର ଦେଖାଯାଏ; ଏଥିରେ ସାତ ସାତ ଅକ୍ଷର ବ୍ୟବହୃତ ହୋଇଅଛି । କାମୋଦୀର ଚତୁର୍ଥ ଓ ପଞ୍ଚମ ଚରଣ ସ୍ଥାନରେ ଏଥିରେ ସପ୍ତାକ୍ଷରର ଗୋଟିଏ ଚରଣ ମାତ୍ର ଦେଖାଯାଏ ।

 

(୨୮)

କଲ୍ୟାଣଆହାରୀ

 

ଦିନେକ ଦିନେଶ ଦଶଦଣ୍ଡ ଭୋଗ ମଣ୍ଡପେ ବସିଛି କୁମର ।

ସଚିବନନ୍ଦନ ପ୍ରବେଶ ହୋଇଲା ପତନୀ ଶାଢ଼ୀ ଅଛି ଶିର ।

କହିଲା, ପୁରୋଧାସୁତ ଜଣାଇଲା ।

ଶିବ ଉତ୍ସବ ଦେଖିବାକୁ ତୁମ୍ଭଙ୍କୁ ତାତ ସନମତ ହୋଇଲା ।

-ଲାବଣ୍ୟବତୀ

 

ଏହା ସଂସ୍କୃତ ଗୁଣ୍ଡକିରୀ ରାଗର ଅନୁକରଣ । ଯଥା:-

 

ନିଭୃତନିକୁଞ୍ଜଗୃହଂଗତୟା ନିଶି ରହସି ନିଲୀୟବସନ୍ତଂ ।

ଚକିତ ବିଲୋକିତସକଳଦିଶା ରତିରଭସରସେନ ହସନ୍ତଂ ।

ସଖି ହେ କେଶିମଥନମୁଦାରଂ ।

ରମୟ ମୟା ସହ ମଦନମନୋରଥ ଭାବତୟା ସବିକାରଂ ।

-ଗୀତଗୋବିନ୍ଦ, ଦ୍ୱିତୀୟ ସର୍ଗ

 

ଓଡ଼ିଆ ବସନ୍ତ, କୋଟାଇ ଗୁଣ୍ଡିଚାବୃତ୍ତ, ଆହାରୀ, ବସନ୍ତବରାଡ଼ି, ଆଦିମଗୁଶିରବାଳୀ ମଧ୍ୟ ଏଥିରୁ ଆସିଥିଲା ପରି ବୋଧହୁଏ ।

 

(୨୯)

କୌଶିକ

 

ଚେତି ଚତୁରୀ ଚାହିଁଲା ନିଶିନାଶେ ପାଶେ ନାହିଁ ଦିବ୍ୟ ତରୁଣ ।

ହୃତେ ହାତ ମାରି ନାଥ ନାଥ ବୋଲି ଅତି ଉଚ୍ଚେ କଲା କାରୁଣ ।

ଖୋଜେ ଅଧୀରେ ।

ଚେତନା ହତ ସେ ବିଧିରେ ।

ଶେଯ ଲେଉଟାଇ କବରୀ ଫିଟାଇ କର ଭରି କୁଚସନ୍ଧିରେ ।

-ଲାବଣ୍ୟବତୀ

 

ଏହା ସଂସ୍କୃତ ବସନ୍ତ ରାଗରୁ ଜାତ । ଯଥା:-

 

ଲଳିତଲବଙ୍ଗଲତା ପରିଶୀଳନ କୋମଳମଳୟ ସମୀରେ ।

ମଧୁକରନିକରକରମ୍ବିତ କୋକିଳ କୂଜିତକୁଞ୍ଜକୁଟୀରେ ।

ବିହରତି ହରିରିହ ସରସବସନ୍ତେ ।

ନୃତ୍ୟତି ଯୁବତିଜନେନ ସମଂ ସଖି ବିରହୀଜନସ୍ୟ ଦୂରନ୍ତେ ।

-ଗୀତଗୋବିନ୍ଦ, ପ୍ରଥମ ସର୍ଗ

 

(୩୦)

ବରାଡ଼ି

 

ସୁରତି ଶେଷେ ପୀରତିନିଧିକି ଆଗରେ ପତି ବସାଇ ବସି ପଲଙ୍କ ପରେ ।

ଆବେଶ ହୋଇ ସୁବେଶ କରିସାରି ସେ

ଜୀବେଶ କରକୁ ନିବେଶି ଚିବୁକରେ ସେ ।

ମନୋହର ।

ଏକେ ବସନ୍ତ ଚାନ୍ଦନୀ ନିଶି ।

ସନ୍ଦର୍ଭଦର୍ଭ ସୁହାସୀ ଶୋଭାଗୁଣକୁ ପ୍ରଶଂସି ରସଗର୍ଭ ବଚନକୁ ଭାଷି ସେ ।

-ଲାବଣ୍ୟବତୀ

 

ଏହା ସଂସ୍କୃତ ଦେଶୀ ବରାଡ଼ିର ଅନୁରୂପ । ଯଥା-

 

ବଦସି ଯଦି କିଞ୍ଚିଦପି ଦନ୍ତରୁଚିକୌମୁଦୀ ହରତି, ଦରତିମିରମତି ଘୋରଂ

ସ୍ପୁରଦଧରସୀଧବେ ତବ ବଦନଚନ୍ଦ୍ରମା ରୋଚୟତି ଲୋଚନଚକୋରଂ ।

ପ୍ରିୟେ ଚାରୁଶୀଳେ ମୁଞ୍ଚ ମୟି ମାନମନିଦାନଂ ।

ସପଦି ମଦନାନଳୋ ଦହତି ମମ ମାନସଂ ଦେହି ମୁଖକମଳମଧୁପାନଂ ।

-ଗୀତଗୋବିନ୍ଦ, ଦଶମ ସର୍ଗ

 

ସଂସ୍କୃତ ଛନ୍ଦରେ ଚାରି ଚରଣ ମାତ୍ର ଦେଖାଯାଏ; କିନ୍ତୁ ଯତିପାତଠାରେ ଅର୍ଥାତ୍‍ “ପ୍ରିୟେ ଚାରୁଶୀଳେ”ଠାରେ ଭାଙ୍ଗିଦେଲେ, ତୃତୀୟ ଚରଣ ସହଜରେ ଦୁଇଗୋଟି ଚରଣ ହୋଇପାରେ । “ପ୍ରିୟେ ଚାରୁଶୀଳେ” ଛ’ ଅକ୍ଷର ହେଲେ ସୁଦ୍ଧା, ପ୍ରଥମ ଦୁଇ ଅକ୍ଷର (ପ୍ରିୟେ) ଓଡ଼ିଆ ଛନ୍ଦର ଶେଷରେ ଥିବା “ସେ”ର ସମାନ । ଯାହାହେଉ, ସ୍ୱରବଳ ଥିଲେ, ଦୁଇ ଚାରି ଅକ୍ଷର ଅଧିକ ବା ଊଣା ହେଲେ ସୁଦ୍ଧା ଗାନରେ କୌଣସି ଅସୁବିଧା ରହେ ନାହିଁ ।

 

(୩୧)

ରସକୋଇଲା

 

ଏଥୁଅନ୍ତେ ଶୁଣ ରସିକଜନେ

ଦିନେ ବିଚାର କଲେ ସଖୀମାନେ ।

ଆମ୍ଭ ସଜନୀ ଯେ ସୁନ୍ଦରୀସାର

ନାହିଁ ନୋହିବ ନ ଥିବ ସଂସାର ଯେ ।

ପୁଣି ତ ଶୋଭା ବୟସେ ଯେ ।

ଆମ୍ଭ ଲୋଚନକୁ କବି ବଚନକୁ ପବିତ୍ର କରିବା ବେଶେ ଯେ ।

-ଲାବଣ୍ୟବତୀ

 

ଏହା ସଂସ୍କୃତ କର୍ଣ୍ଣାଟ ରାଗର ଅନୁକରଣ । ଯଥା:-

 

ନିନ୍ଦତି ଚନ୍ଦନମିନ୍ଦୁକିରଣମନୁବିନ୍ଦତି ଖେଦମଧରଂ ।

ବ୍ୟାଳନିଳୟମିଳନେନ ଗରଳମିବ କଳୟତି ମଳୟସମୀରଂ ।

ସା ବିରହେ ତବ ଦୀନା ।

ମାଧବ ମନସିଜଶିଖଭୟାଦିବ ଭାବନୟା ତୃୟି ଲୀନା ।

-ଗୀତଗୋବିନ୍ଦ, ଚତୁର୍ଥ ସର୍ଗ

 

ଓଡ଼ିଆର ପ୍ରଥମ ଚାରି ଚରଣ ଏଗାର ଏଗାର ଅକ୍ଷର, ସଂସ୍କୃତର ପ୍ରଥମ ଚରଣରେ ୨୧ ଓ ଦ୍ୱିତୀୟ ଚରଣରେ ୨୪ ଅକ୍ଷର ଦେଖାଯାଏ । ତଥାପି ଓଡ଼ିଆର ପ୍ରଥମ ଚାରି ଚରଣ ଗାଇଲା ପରି ସଂସ୍କୃତର ପ୍ରଥମ ଦୁଇ ଚରଣ ଗାଇଲେ ନିରାଟଙ୍କରେ ଚଳିଯିବ ।

 

(୩୨)

ପୁରବୀ ବା ଚଉତିଶା

 

କହନ୍ତି ଉଦ୍ଧବ କେବେହେଁ ମାଧବ କରନ୍ତି ନାହିଁ ନିରାଶ ।

କଲେ ଶତ୍ରୁପଣ କରନ୍ତି ନିର୍ବାଣ ଏରୂପେ ପୀତବାସ ସେ ।

କିପାଁ ତୁମ୍ଭଙ୍କୁ କରିବେ ଆନ ।

କାହିଁପାଇଁ କରୁଛ ମାନ ସେ ।

-ରସକଲ୍ଲୋଳ

 

ଏହା ସଂସ୍କୃତ ରାମକିରୀ ରାଗର ଅନୁକରଣ । ଯଥା:-

 

କୁରୁ ଯଦୁନନ୍ଦନ ଶିଶିରତରେଣ କରେଣ ପୟୋଧରେ ।

ମୃଗମଦପତ୍ରକମତ୍ର ମନୋଭବମଙ୍ଗଳକଲଶସହୋଦରେ ।

ନିଜଗାଦ ସା ଯଦୁନନ୍ଦନେ କ୍ରୀଡ଼ତି ହୃଦୟନନ୍ଦନେ ।

-ଗୀତଗୋବିନ୍ଦ, ଦ୍ୱାଦଶ ସର୍ଗ

 

(୩୩)

ଭାଟିଆରୀ ପଡ଼ିତାଳ

 

ମାରୀଚ ମୁଖରୁ ଶୁଣି ବିଂଶପାଣି କ୍ରୋଧେ କହଇ ବଚନ ।

କହ ମୁଁ କାହାକୁ ରଣେ ଜିଣି ନାହିଁ ଏ ତ୍ରୟୋଦଶ ଭୁବନ ।

ଏବେ କର ତୁ ମୋହର ବୁଦ୍ଧି,

ରତ୍ନମୃଗ ହୋଇବୁ ଅବଧି ।

ରାମ ଆଶ୍ରମ ନିକଟେ ଚରୁଥିବୁ ଦେଖି ଲୋଭାଇବେ ବଧି ।

-ବିଶିରାମାୟଣ

 

ଏହା ଉପରୋକ୍ତ ପୁରବୀରୁ ଜାତ । ଶେଷରେ ବିଂଶତ୍ୟକ୍ଷରର ଗୋଟିଏ ଚରଣ ମାତ୍ର ଅଧିକ ଦେଖାଯାଏ । ପ୍ରଥମ ଦୁଇ ଚରଣ କୋଡ଼ିଏ କୋଡ଼ିଏ, ତୃତୀୟ ଓ ଚତୁର୍ଥ ଚରଣ ଦଶ ଦଶ ଥିଲେ, ୨୦ ଅକ୍ଷରର ଚରଣ ମିଶାଇ ଗାଇବା ନିତାନ୍ତ ସହଜ ।

 

(୩୪)

ଚିନ୍ତାକାମୋଦୀ

 

ଘେନ ହେ ସୁଜନ ମାନସମଜ୍ଜନ ରସିକରଞ୍ଜନ ଛାନ୍ଦ ।

ସ୍ୱପନ ପ୍ରସଙ୍ଗ ମନେ ହୋଇ ସଙ୍ଗ ଭାଙ୍ଗେ ଯୋଗଭଙ୍ଗୀ ମୁଦ ।

ମାରମାରଣ ବଶେ ।

ଶିବ ଶିବ ଅହର୍ନିଶି ଘୋଷେ ।

-ବିଦଗ୍ଧ ଚିନ୍ତାମଣି

 

ଏହା ଉପରୋକ୍ତ (୩୩) ପୁରବୀ ଛନ୍ଦର ରୂପାନ୍ତର । ପ୍ରଭେଦ ଏତିକି- ପୁରବୀର ତୃତୀୟ ଚରଣ ଦଶ ଅକ୍ଷର, ଏଥିର ତୃତୀୟ ଚରଣ ସାତ ଅକ୍ଷର ।ୟ

 

(୩୫)

 

ମରାଳ ଆରୋହି ସକଳ ଦେବତାମାନଙ୍କୁ ବିରଞ୍ଚି ଘେନି ।

ରାବଣ ସମ୍ମୁଖେ ଉଭା ହୋଇ ବୋଲୋ କିପାଁ ମୋଡ଼ିଲେ ମୂର୍ଦ୍ଧନୀ ହେ ।

ଆସିଣ ମାଗ ବର ।

ମନବାଞ୍ଛା ଏବେ ପୂର୍ଣ୍ଣ କର ।

ଶିରମାନ ଲାଗନ୍ତୁ ତୋହର ହେ ।

-ବିଶିରାମାୟଣ

 

ଏହା ଉପରୋକ୍ତ (୩୪) ଚିନ୍ତାକାମୋଦୀରୁ ଜାତ । ଗୋଟିଏ ଦଶାକ୍ଷରର ଚରଣ ମାତ୍ର ଏଥିରେ ଅଧିକ ଦେଖାଯାଏ । କୌଣସି କୌଣସିଠାରେ ଦୁଇଗୋଟି ଦଶାକ୍ଷର ଚରଣ ଅଧିକ ଥିବାର ମଧ୍ୟ ଦେଖାଯାଏ । ଯଥା:-

 

ଫଳ କୁସୁମେ ମଣ୍ଡିଲା ପ୍ରାୟେ ଦିଶେ ମଧୁବନ ତରୁକୂଳ ।

ସୁବର୍ଣ୍ଣ ଚଉଁରା ଧାଡ଼ି ଧାଡ଼ି ଶୋଭା ଦିଶୁଅଛି ତଥିତଳ ଯେ ।

ପାରିଜାତକ ଆଦି ।

ସ୍ୱର୍ଗୁ ଆଣିଛି ଅମରବାଦୀ ଯେ ।

ରୋପିଅଛି ନାନା ମହୌଷଧି ଯେ ।

ଶୋଭା ଦିଶୁଛି ତଡ଼ାଗନଦୀ ।

-ବିଶିରାମାୟଣ

 

ଏଥିରେ ଆଉ ଦୁଇ ଚାରି ଚରଣ ଶେଷରେ ମିଶାଇଲେ ମଧ୍ୟ ଗାନରେ କୌଣସି ଅସୁବିଧା ହେବନାହିଁ ।

 

(୩୬)

ପୁରବୀ (ହରିଚଉତିଶା ବାଣୀ)

 

କନ୍ୟାତୁଳାରାଶି ପରାୟ ଉଡ଼ିଲା ଲୋକେ ତୁମ୍ଭ ଅପବାଦେ ।

ଆଳି ଭାବ ନାନା ସୁମନାରେ ସିନା ତୁମ୍ଭେ କର ଅନୁମୁଦେ ହେ ।

ସତ ।

ଚାପେ ବଳୀ ଭାଳି ବାମନ ତ ହେ ।

ମକରର ଘାତ ଅପ୍ରମିତ ହେ ।

-ବି.ଚି.

 

ଏହା ଓ ୩୨ ସଂଖ୍ୟା ପୁରବୀର ମଧ୍ୟରେ ଥିବା ପ୍ରଭେଦ କେବଳ ଦୁଇ ଅକ୍ଷରର ଘୋଷା ପଦ ମାତ୍ର । ଏହି ଛନ୍ଦର ଘୋଷା ଉତ୍ତାରୁ କୌଣସି କୌଣସିଠାରେ ଦଶାକ୍ଷର ବିଶିଷ୍ଟ ତିନିଗୋଟି ଚରଣ, କୌଣସି କୌଣସିଠାରେ ଚାରି ଚରଣ ଥିବାର ଦେଖାଯାଏ । ଯଥା:-

 

ପ୍ରଣୟରେ ଦୁଃଖୀ ହୋଇ ପଦ୍ମଳାକ୍ଷୀ ସଖୀପାଣି ଧୀରେ ଧରି ।

ଆନନ୍ଦ ଉତ୍କଣ୍ଠା ଗଦ୍‍ଗଦ ମିଶାଇ କହନ୍ତି ଲାଳସା କରି ଗୋ । ମିତ ।

ବନେ କି ଶୋଭା ଦେଖିଲାଇଁ ତ ଗୋ ।

ସେ ତ ମଦନ ସାମନ୍ତ ସତ ଗୋ ।

ମନ-ଧନ-ଚୋର ପରତୀତ ଗୋ ।

-ବି.ଚି.

 

କୁମ୍ଭକର୍ଣ୍ଣ ବଧ ଶୁଣିଣ ରାବଣ ମୂର୍ଚ୍ଛା ଯାଇଣ ପଡ଼ିଲା ।

କେତେହେଁକ ବେଳେ ଚେତନା ପାଇଣ ବହୁତ ବିଳାପ କଲା ହେ । ବୀର ।

ଯେଉଁ ଉରେ ବଜ୍ର ହେଲା ଚୂର ହେ ।

ଆଜ ହୃଷ୍ଟ ହେବ ସୁନାସୀର ହେ ।

ତୋର ମାନବ କାଟିବ ଶିର ହେ ।

ମୋତେ କି ବୋଲିବେ ତ୍ରୟପୁର ହେ ।

-ବି.ରା.

 

(୩୭)

ରାଜବିଜେ

 

ପ୍ରବେଶ ସୁରଭି ଘନରସମୟ ଜଡ଼ବର ସୁରଞ୍ଜନ ।

ସୁଖଦାତା ଘନସାର ପ୍ରକାଶରେ ହରି ତାପ ପ୍ରଭଞ୍ଜନ ହେ । ସାଧୁ ।

-ଲାବଣ୍ୟବତୀ

 

ଏହା ଉପରୋକ୍ତ ‘ପୁରବୀ’ର ରୂପାନ୍ତର । ପୁରବୀର ଶେଷ ଦୁଇ ଚରଣ ଏଥିରେ ଲୁପ୍ତ ହୋଇଅଛି ।

 

(୩୮)

କଲ୍ୟାଣଆହାରୀ

 

ଧାତା ସହିତେ ସକଳ ଅମରେ

ପ୍ରବେଶ ହେଲେ ରାବଣ ଛାମୁରେ ।

ଦେଖିଲେ ରାବଣ କୁପିତ ମନ

ସ୍ତୁତି କରିଣ କହନ୍ତି ବଚନ ।

ଆହେ ରାବଣ ଏବେ ନୁହ ବିମନ

ଗତୁଁ ଶତଗୁଣେ ହେବ ଭୁବନ ।

 

 

-ବି.ରା.

 

ଏହା ଆଷାଢ଼ଶୁକ୍ଳର ରୂପାନ୍ତର । ଆଷାଢ଼ଶୁକ୍ଳର ଷଡ଼କ୍ଷର ବିଶିଷ୍ଟ ପଞ୍ଚମ ଚରଣ ସ୍ଥଳରେ ଏଥିରେ ପାଞ୍ଚ ଅକ୍ଷରର ଗୋଟିଏ ଚରଣ ଓ ସାତ ଅକ୍ଷରର ଗୋଟିଏ ଚରଣ ଲକ୍ଷିତ ହୁଏ ।

 

(୩୯)

ସିନ୍ଧୁକାମୋଦୀ (ନନ୍ଦାବାଈ ଚଉତିଶା ବାଣୀ)

 

ରାବଣକୁ ଦର୍ଶନ କରିଣ ବେନି ଜନ ରାମଙ୍କ ବୃତ୍ତାନ୍ତ କହିଲେ ।

ବିଭୀଷଣ ଆମ୍ଭଙ୍କୁ ଚିହ୍ନି ବନ୍ଧନ କରି ରାମ ଛାମୁରେ ଉଭା କଲେ ସେ ।

ଆହେ ଦେବ ।

ସେ ଆମ୍ଭଙ୍କୁ ବନ୍ଧନୁ ଫେଇ ।

ଛାଡ଼ିଦେଲେ ସକଳ ସୈନ୍ୟନ୍ତ ଦେଖାଇ ।

ଭାଗ୍ୟବଳରେ ଆମ୍ଭେ ଜୀବନରେ ଅଇଲୁଁ ଚିହ୍ନିଲୁଁ ଯୂଥପତି ତହିଁ ।

-ବି.ରା.

 

ଏହା ‘କାମୋଦୀ’ର ରୂପାନ୍ତର । କାମୋଦୀର ଚାରି ଅକ୍ଷରର ଗୋଟିଏ ଘୋଷାପଦ ସ୍ଥଳରେ ଏଥିରେ ଦୁଇଗୋଟି ଘୋଷାପଦ ଦେଖାଯାଏ । ଅର୍ଥାତ୍‍ କାମୋଦୀର ଚତୁର୍ଥ ଓ ପଞ୍ଚମ ଚରଣ ମଧ୍ୟରେ ଗୋଟିଏ ଚାରି ଅକ୍ଷରର ଘୋଷା ସନ୍ନିବିଷ୍ଟ କରାଯାଇ ସିନ୍ଧୁ କାମୋଦୀ ହୋଇଅଛି ।

 

(୪୦)

ଦେଶାକ୍ଷ

 

ଏକଦିନେ ସଭା କରି, ଦଶରଥ ଦଣ୍ଡଧାରୀ, ବିଜେ କରିଅଛନ୍ତି ଆସ୍ଥାନେ ।

ବଶିଷ୍ଠ ଜାବାଳୀ ବାମଦେବ ସୁମନ୍ତ୍ର ସହିତେ ସଭାଶୋଭା ଦିଶନ୍ତି ସେମାନେ ହେ ।

ଗାଧିସୁତ ।

ଏହି ସମୟେ ପ୍ରବେଶ ହେଲେ ।

ଦେଖିଣ ରାଜନ ହୃଷ୍ଟ ମାନ୍ୟ କରି ମୁନିଶ୍ରେଷ୍ଠ ବସିବାକୁ ଦିବ୍ୟାସନ ଦେଲେ ।

-ବି.ରା.

 

ଏହା ମଧ୍ୟ କାମୋଦୀର ରୂପାନ୍ତର । କାମୋଦୀର ଛ’ ଗୋଟି ଚରଣ ସ୍ଥଳରେ ଏଥିରେ ପାଞ୍ଚଗୋଟି ଚରଣ ବ୍ୟବହୃତ ହୋଇଅଛି ଓ ଘୋଷା ଛାଡ଼ି ପ୍ରତ୍ୟେକ ଚରଣର ଯତିପାତଠାରେ ଗୋଟିଏ ଗୋଟିଏ ଅକ୍ଷର ଅଧିକ ଦେଖାଯାଏ ।

 

(୪୧)

କାମୋଦୀ ସରିମାନ (ବିପ୍ରସିଂହା ବାଣୀ)

 

ଦଣ୍ଡକ ଅରଣ୍ୟେ ରାମ ଦେଖନ୍ତି ଋଷିଆଶ୍ରମ ଲକ୍ଷ୍ମଣ ଜାନକୀ ଘେନି ସଙ୍ଗେ ।

କାହିଁ ରହନ୍ତି ବରଷେ କାହିଁ ରହି ଷଡ଼ମାସେ ସମସ୍ତ ସ୍ଥାନେ ରହିଲେ ରଙ୍ଗେ ।

ବନବାସ ।

ହେଲା ବେନି ପାଞ୍ଚ ବରଷ ।

ମାରନ୍ତି ହରିଣ ମୃଗ ଫଳ ମୂଳ କରି ଭୋଗ ସୁଖେ ବଞ୍ଚି ରଜନୀ ଦିବସ ।

-ବି.ରା.

 

ଏହା ଉପରୋକ୍ତ ଦେଶାକ୍ଷର ରୂପାନ୍ତର । ଦେଶାକ୍ଷର ଚତୁର୍ଥ ଚରଣ ୧୦ ଅକ୍ଷରରେ ରଚିତ; କାମୋଦୀ ସରିମାନର ଚତୁର୍ଥ ଚରଣ ୯ ଅକ୍ଷରରେ ରଚିତ ।

 

(୪୨)

ମୁନିବରବାଣୀ

 

କେ ବୋଲେ ମତ୍ତକେଶରୀ

ପୂର୍ବ ପର୍ବତୁ ପ୍ରସରି ।

କରି ତମ-କରୀ ନାଶ

ଭ୍ରମେ ଆକାଶ ଏ ।

 

 

-ବ୍ରଜବିହାର

 

ଏହା ଅଷ୍ଟାକ୍ଷର ସମାଛନ୍ଦରୁ ଆସିଅଛି । ଶେଷ ଚରଣରେ ଛ’ ଗୋଟି ଅକ୍ଷର ଥିଲେ ମଧ୍ୟ ଏହି ଛ’ ଅକ୍ଷରର ଯେତେ ଉଚ୍ଚାରଣ, ସମ୍ପୂର୍ଣ୍ଣ ଅଷ୍ଟାକ୍ଷର ଚରଣର ।

 

(୪୩)

ଭୀଷ୍ମବାଣୀ

 

ଉଦେ ହୁଅନ୍ତି ଅରୁଣ,

ଘେନି ବାନରଗଣ,

ଶ୍ରୀରାମଚନ୍ଦ୍ର ଲକ୍ଷ୍ମଣ, ଲଙ୍କା ବେଢ଼ିଣ ।

ଠାରି ବୋଇଲେ ଆପଣ,

ଚାରିଦ୍ୱାରେ କର ରଣ,

ପ୍ରାକାର ଡେଇଁଣ ହାଣ ଅସୁରଗଣ ।

-ବି.ରା.

 

ଏହା ମୁନିବରବାଣୀର ରୂପାନ୍ତର । ମୁନିବରବାଣୀର ଶେଷ ଚରଣରୁ ଗୋଟିଏ ଅକ୍ଷର କଟାଯାଇ ଏଥିର ଶେଷ ଚରଣ ରଚିତ ହୋଇଅଛି । ମୁନିବରବାଣୀରେ ଚାରି ଚରଣରେ ପଦେ, ଏଥିରେ ଆଠ ଚରଣରେ ପଦେ ହୋଇଅଛି ।

 

(୪୪)

ମୁଖାରୀ

 

କେ କାହାର କରଦେଶେ

କରତାଳି ମାରି ହସେ ।

କେ ଶୋକଆକୁଳେ ବସେ

ମନବିରସେ । ବିରହେ ।

 

 

-ରସକଲ୍ଲୋଳ

 

ଉପରୋକ୍ତ ଭୀଷ୍ମବାଣୀର ପ୍ରତ୍ୟେକ ଦଳର ଶେଷରେ ତିନି ଅକ୍ଷରର ଗୋଟିଏ ଚରଣ ସଂଯୋଜିତ ହୋଇ ଏହି ଛନ୍ଦ ସୃଷ୍ଟି ହୋଇଅଛି ।

 

(୪୫)

 

ଦୀନବନ୍ଧୁ କଥା ଧୀରେ

ଦୃଢ଼ମନେ ଘେନ ଧୀରେ ।

ଦୂରିତ ନ ଥାଉ ଧୀରେ

ଦଣ୍ଡ ଦେବାର । ଦଣ୍ଡଧର ।

-ବି.ଚି.

 

ଏହା ମଧ୍ୟ ଭୀଷ୍ମବାଣୀରୁ ଉତ୍ପନ୍ନ । ପ୍ରତ୍ୟେକ ଦଳର ଶେଷରେ ଚାରିଗୋଟି ଅକ୍ଷର ସଂଯୋଜିତ ହୋଇ ଏହି ରାଗ ହୋଇଅଛି ।

 

(୪୬)

ଚୋଖୀ

 

ସିଂହମୁଖୁ ଗଲା ଗଜ ପ୍ରାୟକ ଅସୁରରାଜ

 

ପଳାଇଣ ଲଙ୍କାରେ ପ୍ରବେଶ ହୋଇଲା ।

ସମସ୍ତ ଅସୁର ରାଇ ମନେ ମହାଭୟ ପାଇ,

 

ପୂର୍ବ କଥାମାନ ତାଙ୍କ ଆଗେ କହିଲା ।

ନରବାନରେ ମୋ ବଇରୀ ।

ତାଙ୍କ ସକାଶେ ଗଲା ଏ ମୋ ଲଙ୍କାଶିରୀ ।

-ବି.ରା.

 

ଏହା ଭୀଷ୍ମବାଣୀରୁ ଆସିଅଛି । ଏଥିର ପ୍ରଥମ ଦୁଇ ଚରଣ ଓ ଭୀଷ୍ମବାଣୀର ଦୁଇ ଚରଣ ସମାନ । ଚତୁର୍ଥ ଚରଣ, ପ୍ରଥମ ବା ଦ୍ୱିତୀୟ ଚରଣର ଶେଷ ତେର ଅକ୍ଷର; ମାତ୍ର ତୃତୀୟ ଚରଣ କିପରି ଆସିଅଛି ଜାଣିବା କଷ୍ଟସାଧ୍ୟ ।

 

ଏସବୁ ଛଡ଼ା କେତେକ ତେଲଙ୍ଗା, ପ୍ରାକୃତ ଓ ସଂସ୍କୃତ ଛନ୍ଦ ମଧ୍ୟ ଓଡ଼ିଆରେ ବ୍ୟବହୃତ ଥିବାର ଦେଖାଯାଏ-

 

ସଂସ୍କୃତ

(୧)

ଶିଖରିଣୀ

 

ହୃଦେ ବନ୍ଦେ ମୋଦେ ହରଷକୃତ ଯେ ଶ୍ରୀଗୁରୁପଦେ ।

ମୁଦେ ଶ୍ରୀରୂପ ଶ୍ରୀମହତ ରଘୁନାଥାଂଘ୍ରୀଯୁଗରେ ।

 

ହିତେ ନିତ୍ୟାନନ୍ଦେ ଅତି ଶୁଭଯୁତ ଶ୍ରୀଗୌରଚରଣେ ।

ନ ତେଜି ଶ୍ରୀରାଧା ନଟବରତୁଲେ ସର୍ବସହିରେ ।

-ଗୋପୀନାଥବଲ୍ଲଭ ନାଟକ

 

(୨)

ମନ୍ଦାକ୍ରାନ୍ତ

 

ପଣ୍ଡା ପିଣ୍ଡାତଳକୁ ବସିଲେ ମଣ୍ଡପେ ଶାସନୀଏ ।

ଚାଣ୍ଡେ ଚାଣ୍ଡେ ବସି ବସି ଗଲେ ଚତ୍ୱରେ ପାଢ଼ି ଧାଡ଼ି ।

 

ଗଣ୍ଡା ଗଣ୍ଡା ଲଡ଼ୁ ଗଡ଼ୁସମେ ଖଣ୍ଡପାକେ ସଜାଡ଼ି ।

ଭେଣ୍ଡା ଭେଣ୍ଡା ଦ୍ୱିଜ ପରଷିଲେ ପୂର୍ଣ୍ଣପର୍ଣ୍ଣେ ଅଜାଡ଼ି ।

-ଗୋ.ନା.

 

(୩)

ଶାର୍ଦ୍ଦୂଳବିକ୍ରୀଡ଼ିତ

 

ଆଶାଚାତକ ମୋଦରେ ବନନଭେ ମୋ ଭାଗ୍ୟକାଦମ୍ବିନୀ ।

ବିଦ୍ୟୁତ୍କାନ୍ତି ବକାଳି ଆଦି ମାଘବାକୋଦଣ୍ଡ ସଙ୍ଗେ ଥିଲା ।

 

ବର୍ଷାରମ୍ଭ କଲାକ୍ଷଣେ ପ୍ରବଳରେ କାହୁଁ ବଳେ ବେଗରେ ।

ଚାହୁଁ ଚାହୁଁ କଲାଟି ଦୂରକୁ ସଖି ଦୁର୍ଯ୍ୟୋଗ ଝଞ୍ଜାନିଳ ।

-ଗୋ.ନା.

 

(୪)

ପୃଥ୍ୱୀବୃତ୍ତ

 

କିଶୋରିମଣି ଜାଣରେ କିତବ ନୋହିବା ଭାରତୀ ।

କିଶୋର ତବ ଭାବନେ କଦନ ପାଉଛନ୍ତି ପ୍ରିୟେ ।

 

ଅଶୋକ-ସୁମବାଣରେ ଅତନୁ ମାରିବାରେ ଦୃଢ଼େ ।

ରସୋଦୟ ମନେ କରେ ରମଣି ଆସ କୁଞ୍ଜେ ଯିବା ।

-ଗୋ.ନା.

 

(୫)

ମାଳିନୀ

 

ଅଥ ନିଶିଥିନୀ ଯୋଗେ ଧ୍ୱାନ୍ତଗାଢ଼ପ୍ରଭାବେ ।

ଜନଗହଳ ନିବର୍ତ୍ତୁ କ୍ଷେମଭାବେ ସତୁଷ୍ଟେ ।

 

ସକଳ ସହି ସମୋଦେ କେଶବେଶାଦି ସାଜି ।

ହସି କଥିତ ବିଶାଖା ଶ୍ରୀକିଶୋରିଙ୍କି ବାଣୀ ।

-ଗୋ.ନା.

 

(୬)

ବସନ୍ତତିଳକ

 

କୁଞ୍ଜାଳୟେ ବସନ ଭୂଷଣ ନାଗବଲ୍ଲୀ ।

କର୍ପୂର ପୁଷ୍ପ ତଳପାଦି ବିତାନ ସାଜି ।

 

ଜାଳି (ଳୀ) ପ୍ରଦୀପ ବସି ବର୍ତ୍ମନି ଚାହିଁ ଚାହିଁ ।

କୃଷ୍ଣାସିବାଳସକୁ ଭାଷିତ ଭାଷି ରାଧା ।

-ଗୋ.ନା.

 

(୭)

ରଥୋଦ୍ଧୃତ

 

ଅମ୍ବରେ ଧରୁତ ଚନ୍ଦ୍ରଭାତିକି

ଶମ୍ବରାରିଶରପୀଡ଼ିତାଧିକେ ।

ଅମ୍ବଜାତନୟନା ମନେ ମହା

ଦମ୍ଭରେ କଥିତ ଆଳିସନ୍ମୁଖେ ।

 

 

-ଗୋ.ନା.

 

(୮)

ସ୍ରଗ୍ଧରା

 

କେବା ରେବାଦି ତୀର୍ଥେ ତପ କରି ଜପରେ ତୋଷିବାରେ ଶିବାରେ ।

ଯେବା ତା କାମପୂର୍ଣ୍ଣେ ରଖିଅଛି ସହି ଗୋ ଭାବହାବାଦି ରଙ୍ଗେ ।

 

ସଂକଳ୍ପେ କଳ୍ପନାକୁ ଦୃଢ଼ କରି ମଣି ସେ ଧୃଷ୍ଟସଞ୍ଜଳ୍ପନାକୁ ।

କଳ୍ପପ୍ରାୟ କ୍ଷଣାର୍ଦ୍ଧେ ବିରହରୁ ନ ସରେ ତଳ୍ପରେ ନାଳ୍ପଦୁଃଖେ ।

-ଗୋ.ନା

 

(୯)

ବଂଶସ୍ଥବିଳ

 

ନିଶାବସାନେତି ପ୍ରିୟାବଲୋକନେ

ମୁରାରି ପଞ୍ଚାଶୁଗବାଣ ଭେଦନେ ।

କୁଞ୍ଜାଳୟପ୍ରାଙ୍ଗଣ ହେଉ ସତ୍ତ୍ୱରେ

ସକୌତୁକେ ଭାଷିତ ଭାଷି ରାଧିକା ।

 

 

-ଗୋ.ନା.

 

(୧୦)

ଇନ୍ଦ୍ରବଜ୍ରା

 

ହେ ପ୍ରାଣତୁଲ୍ୟେ ଲଳିତେ ତୁ ଜାଣେ

ଏ ପ୍ରାୟ ପ୍ରୀତି କରିଛନ୍ତି କେବା ।

ଯେ ପ୍ରାୟ ସେ ଭାଷି ନ ଆସି ରାତ୍ରେ

ସେ ପ୍ରାତୁ ଆସି ପ୍ରିୟଭାଷା ଭାଷେ ।

 

 

-ଗୋ.ନା.

 

(୧୧)

ଦ୍ରୁତବିଳମ୍ବିତ

 

ମଦନମୋହନ ଗୋକୁଳଚନ୍ଦ୍ରମା

ବଦନ-ପଙ୍କଜ ଚୁମ୍ବି ସରାଗରେ ।

ମଦନଭାବ ବଶେତ ନ ଥୋଇଲି

କଦନ ପାଉଛି ଜାଣ ବିଶାଖିକେ ।

-ଗୋ.ନା.

 

(୧୨)

ଅନୁଷ୍ଟୁପ୍‍

 

ରହ ରେ ରହ ରେ ବନ୍ଧୁ

ନିରେଖ ରେ ନିରେଖ ରେ ।

ଆଦରି (ରୀ) ଆଦରି (ରୀ) ଯାନା

ଭାଷ ଭାଷ ହିତାନନେ ।

-ଗୋ.ନା

.

ପ୍ରାକୃତ ଆର୍ଯ୍ୟବୃତ୍ତ

(୧)

 

ଦୋଷ ନ ଚାହାଁ ବାଳା

ରୋଷରେ କରିଚି ମତେ ହେଳା ।

କହ ଗୋ ଯାଇ କୃପାରେ

ମାନବତୀ ମାନକୁ ବୋଧି ନ ପାରେ ।

-ଗୋ.ନା.

 

(୨)

 

ଯାରେ ତୁହି ସମଜାରେ

ଯାରେ ଧରିଛ ସହୀ ଦୁଃଖ ମଜ୍ଜାରେ ।

ବାରଣ-ଗତିକି ନିବାର

ବାରଣ କରୁ କରଭୋରୁ ମାନକୁ ।

-ଗୋ.ନା

.

(୩)

 

ଅଥ ରଜନୀନାଥବଦନା

ମତି ଅତି ଚଞ୍ଚଳେ ସୁଖସଦନା ।

ଭୃଙ୍ଗର ଗୁଞ୍ଜନ ସହି

ଚମ୍ପକମୂଳେ ବସିଲେ ମୁଖ ଶୁଖାଇ ।

-ଗୋ.ନା.

 

ତେଲଙ୍ଗାବୃତ୍ତ

ଶୀଶପଦ୍ୟ

ସଞ୍ଚାରି କହ ଯାଇ ପଞ୍ଚାସ୍ୟଉଦରୀକି ବଞ୍ଚାଇ ଦିଅ ନା ତୁ ସଞ୍ଚ ଯଶକୁ ।

ମନ୍ଦାରଅଧରାକୁ ଫନ୍ଦା ମୁଁ କରିଥିଲି କୁନ୍ଦାଉରଦଶନା ତ ଦ୍ୱନ୍ଦ୍ୱ ବହିଲା ।

 

କଂଜାତନୟତାକୁ ରଞ୍ଜାଇ କହ ପଦେ ସଂଜାତ କରୁ କେଳି କୁଞ୍ଜସଦନେ ।

କାନ୍ତାର ପରଶରେ ସନ୍ତାପ ତୁଟିବରେ ସନ୍ତାନ ସତ ସେ ତ କାନ୍ତରସରେ ।

 

ଜାଣୁମଣିକି ଭାଷ ଯାଇ ଭାଷ ବେଗେ ।

ଆଣ୍ଠୁ ମତିକି ତାର ।

ଆଜ ଅନଙ୍ଗ ରଙ୍ଗେ ।

ଟାଣ ରୀତି ନ ଥାଉ ଚିତ୍ତେ ।

ପ୍ରାଣ ମୋ ରଖୁ ସତେ ପଙ୍କଜାକ୍ଷୀ ।

-ଗୋପୀନାଥବଲ୍ଲଭ ନାଟକ

 

ଆଜିକାଲି ଇଂରାଜୀର କେତେଗୁଡ଼ିଏ ଛନ୍ଦ ମଧ୍ୟ ଓଡ଼ିଆରେ ଅନୁକୃତ ହେବାର ଲକ୍ଷିତ ହୁଏ; କିନ୍ତୁ ଏସବୁ କୌଣସି ନିୟମବଦ୍ଧ ନ ହେବାରୁ ଏଠାରେ ଦିଆଗଲା ନାହିଁ ।



 

ଶୂଦ୍ରମୁନି ଶାରଳା ଦାସ

(ମହାଭାରତ ରଚୟିତା)

 

ଓଡ଼ିଶାର ଭାଷାକବିମାନଙ୍କ ମଧ୍ୟରେ ଶୂଦ୍ରମୁନି ଶାରଳା ଦାସ ସର୍ବପ୍ରଥମ କବି । ଏହାଙ୍କ ପୂର୍ବେ କୌଣସି କୌଣସି କବି ଥାଇପାରନ୍ତି; ମାତ୍ର ସେମାନଙ୍କ ମଧ୍ୟରୁ କେହି ମହାଭାରତ ପରି ପ୍ରକାଣ୍ଡ ଗ୍ରନ୍ଥ ରଚନା କରିଥିଲା ପରି ବୋଧ ହୁଏନାହିଁ । ଶାରଳା ଦାସ ଝଙ୍କଡ଼ ପରଗଣାସ୍ଥ ଶାରଳା ଦେବୀଙ୍କ ପୀଠ ନିକଟ କୌଣସି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଶାରଳା ଦେବୀଙ୍କଠାରେ ଏହାଙ୍କର ପ୍ରଗାଢ଼ ଭକ୍ତି ଓ ବିଶ୍ୱାସ ଥିବାରୁ ‘ଶାରଳା ଦାସ’ ନାମ ଧାରଣା କରିଥିଲେ । “ଶାରଳାଚଣ୍ଡୀ ନାମ ଅଟଇ ସେହି ଦେବୀ । ତାହାର ଦାସ ମୁଁ ଯେ ଶାରଳା ଦାସ କବି ।”(ଆଦିପର୍ବ) କେହି କେହି ଅନୁମାନ କରନ୍ତି, କେବଳ ‘ମୁନି’ କହିଲେ ଆତ୍ମପ୍ରୌଢ଼ି ସୂଚିତ ହେବ, ଏହି ଭୟରେ ‘ଶୂଦ୍ର’ ଆଗରେ ଲଗାଇ କବି ସୌଜନ୍ୟର ପରାକାଷ୍ଠା ଦେଖାଇଅଛନ୍ତି । କବି ମଧ୍ୟ କହିଅଛନ୍ତି-

 

“ସ୍ୱରୂପ ବିକାଶଇ ବ୍ରହ୍ମମୁନି ଶୂଦ୍ରରେ,

ସିଦ୍ଧ ଯୋଗ୍ନୀଙ୍କ ଆଜ୍ଞା ହୋଇଲା ମୋହରେ ।”

X X X X

“ତୋ ଆଜ୍ଞାରେ ଗୋ ମୁଁ ବହିଲି ଶୂଦ୍ର ନାମ,

ଏ କଥା ଅନ୍ତର ଗୋ ନ କର ମତିଭ୍ରମ ।”(ଆଦିପର୍ବ)

 

କିନ୍ତୁ ପ୍ରକୃତ କଥା ଏହି, କବି ବର୍ଣ୍ଣରେ ଶୂଦ୍ର ଓ ଜାତିରେ ମୁନି । (ଏ ପ୍ରଦେଶରେ ମୁନି ବୋଲି ଏକ ଜାତି ଅଛନ୍ତି; ଓଡ଼ିଶାରେ ମଧ୍ୟ ଥିବାର ସମ୍ଭାବନା । ରାଉଳମାନଙ୍କ ପରି ଠାକୁରାଣୀ ସେବା ଏମାନଙ୍କର ପ୍ରଧାନ ବୃତ୍ତି ।) ସଂସ୍କୃତ ମହାଭାରତ ରଚୟିତା ବ୍ରହ୍ମମୁନି ଥିଲେ ବୋଲି ପ୍ରାକୃତ ମହାଭାରତ ରଚୟିତା ଆପଣାର ଟେକ ରଖିବା ନିମନ୍ତେ ବର୍ଣ୍ଣର ନାମ ଓ ଜାତିର ନାମ ଏକତ୍ର କରି “ଶୂଦ୍ରମୁନି” ଉପାଧି ଧାରଣା କରିଥିଲେ । କବିଙ୍କର ଆତ୍ମଗୌରବରକ୍ଷଣେଚ୍ଛା ବଳବତୀ ଥିବାର ତାହାଙ୍କ ଗ୍ରନ୍ଥରେ ସ୍ଥାନେ ସ୍ଥାନେ ଦେଖାଯିବ । କବି ସ୍ୱର୍ଗାରୋହଣ ପର୍ବରେ ଲେଖିଅଛନ୍ତି-

 

“ପ୍ରଥମ ଜନ୍ମରେ ମୁହିଁ ହେଲି କାଳିଦାସ,

ଦ୍ୱିତୀୟ ଜନ୍ମରେ ମୁହିଁ ମହାକାଳଧ୍ୱଂସ ।

 

ତୃତୀୟ ଜନ୍ମରେ ମୁଁ ଶାରଳାଦାସ କବି,

ଆଉ ଜନ୍ମେ ମୁହିଁ ମର୍ତ୍ତ୍ୟମଣ୍ଡଳେ ଜନ୍ମିବି ।

 

ପ୍ରତି ଜନ୍ମେ ମୁହିଁ ପନ୍ଦର ଲକ୍ଷ କଥା ଭାବି,

ଚାରି ଜନ୍ମେ ଷାଠିଲକ୍ଷ କଥା ମୁଁ କହିବି ।

 

ଉକ୍ତ କଥା କହିସାରି ଏ ମର୍ତ୍ତ୍ୟମଣ୍ଡଳ,

ତେବେ ଯାଇଁ ହୋଇବି ମୁଁ ଶିବଦ୍ୱାରପାଳ ।”

 

ଚାରିପତ୍ରିଆ ପୁସ୍ତକ ଖଣ୍ଡେ ଖଣ୍ଡେ ଲେଖି ଲୋକେ କବି, ମହାକବି ବୋଲାଉଥିବାଠାରେ, ଯେ ଅଠର ଖଣ୍ଡ ଭାରତର ପଦ୍ୟାନୁବାଦ କରିଅଛନ୍ତି, ସେ ଆପଣାକୁ ‘କାଳିଦାସ’, ‘ଶୂଦ୍ରମୁନି’ କାହିଁକି, ‘ବ୍ରହ୍ମମୁନି’ କହିଲେ ମଧ୍ୟ କି ଦୋଷ ?

 

ଓଡ଼ିଶାର ରାଜା କପିଳେନ୍ଦ୍ରଦେବଙ୍କର ରାଜତ୍ୱ ସମୟରେ ଶାରଳା ଦାସ ମହାଭାରତ ରଚନା କରିଥିଲେ । ସେ ଆଦିପର୍ବରେ ନୀଳାଚଳ ବର୍ଣ୍ଣନା କରି କହିଅଛନ୍ତି- “ପ୍ରଣପତ୍ୟେ ଖଟଇ କପିଳେଶ୍ୱର ମହାରାଜା । ତେତିଶ କୋଟି ଚରଣେ ଯାର ପୂଜା ।” କପିଳେନ୍ଦ୍ରଦେବ ଖ୍ରୀଷ୍ଟ ୧୪୫୨ଠାରୁ ୧୪୭୯ ପର୍ଯ୍ୟନ୍ତ ରାଜତ୍ୱ କରିଥିବାର ହଣ୍ଟର ସାହେବ ଲେଖିଅଛନ୍ତି । ଅର୍ଥାତ୍‍ ଶାରଳା ଦାସ ପଞ୍ଚଦଶ ଶତାବ୍ଦୀର କବି ଥିଲେ । ସେ କେଉଁ ସମ୍ବତ୍ସରରେ ଜନ୍ମଗ୍ରହଣ କରିଥିଲେ, ନିର୍ଦ୍ଧାରଣ କରିବା ଦୁଃସାଧ୍ୟ । ମାତ୍ର ଅତ୍ୟଳ୍ପ ବୟସରେ ମହାଭାରତ ରଚନା କରିଥିବାର ସେ ନିଜେ କହିଅଛନ୍ତି-

 

“କୁସ୍ଥାନେ ବସିଲି ନ ବସିଲି ବିପ୍ରଗୋଷ୍ଠୀ,

ଶିଶୁ ବୁଦ୍ଧି ମୋହର ବୟସ ଅଳପଟି ।”(ମଧ୍ୟପର୍ବ)

 

“ନୁହେଁ ପଣ୍ଡିତ ମୁଁ ଯେ ସ୍ୱଭାବେ ମୂର୍ଖଜନ” (ଆଦିପର୍ବ), “ନ ପଢ଼ିଲି ଅକ୍ଷର ମୁଁ ନୁହେଁ ଶାସ୍ତ୍ରବାଦୀ” (ମଧ୍ୟପର୍ବ) ବୋଲି କବି ଲେଖିଥିଲେ ମଧ୍ୟ ତାହାଙ୍କ ଭାରତ ପଢ଼ିଲେ ସ୍ପଷ୍ଟ ବୋଧହୁଏ, ଅବଶ୍ୟ ତାହାଙ୍କର ସଂସ୍କୃତ ପଢ଼ା ଥିଲା । ନୋହିଲେ କି ‘ଦାସକୃତ ଅପରାଧ’, ‘ଗତିଂ ଦେହି ଗତିଂ ଦେହି’, ‘ସଭାସ୍ଥିତ ଦ୍ୱିଜବର’, ‘ଚରଣବିଘାତେ ଯେ କମ୍ପମାନ ପୃଥିବୀ’, ‘ଭିକ୍ଷାଶୀ ବ୍ରାହ୍ମଣ’, ‘ଶତ୍ରୁମର୍ଦ୍ଦନ ବାନା’, ‘ବଦତି ଅଗସ୍ତି’, ‘ଦ୍ରୋଣଦେୟ’, ‘ବତ୍ସତରୀ ଶୋଧନ’, ‘ନ ଚ ସ୍ତିରୀ ନ ଚ ପୁଂସ’, ‘ବଚନେ ଦରିଦ୍ର’, ‘ମମ ହୃଦେ’, ‘ଧବଳରୁଚିର ବପୁ’, ‘ଅୟି’ ଇତ୍ୟାଦି ସଂସ୍କୃତାନଭିଜ୍ଞ ଲୋକର ମୁଖରୁ ବାହାରିପାରିବ ? ବେଶି ନୋହୁ, କିଛି ହେଲେ ସଂସ୍କୃତ ଜାଣିନଥିଲେ ଖଣ୍ଡେ ନାହିଁ, ଦୁଇଖଣ୍ଡ ନାହିଁ, ଅଠର ଖଣ୍ଡ ଭାରତର ପଦ୍ୟାନୁବାଦ କରିପାରନ୍ତେ ? ନିଜର ଅକିଞ୍ଚନତା ଦେଖାଇବା ସକାଶେ କବିମାନେ ‘ମୁଁ ମୂର୍ଖ, ଦୀନ, ନହୀ, ଅଜ୍ଞାନ, ଅପଣ୍ଡିତ’ ବୋଲି ଲେଖିଥାନ୍ତି ।

 

“ବିଷୟରେ ହୋଇ ଅତି ଆସକତି,

ଛାଡ଼ିଦେଲି ଦେବବ୍ରାହ୍ମଣ ଭକତି ।

 

ସାଧୁ ସଙ୍ଗେ ଶାସ୍ତ୍ର କିଛି ନ ପଢ଼ିଲି,

ମୂର୍ଖପଣେ ଭାରତ ଗୀତ ଆରମ୍ଭିଲି ।” (କୃଷ୍ଣସିଂହ)

 

“ମୁହିଁ ବଳରାମ ଦାସ ଅଟଇ ଅଜ୍ଞାନ,

ଏଥିର ଦୋଷ ମୋର ନ ଧର ସୁଜ୍ଞଜନ ।” (ବଳରାମ ଦାସ)

 

“ଜନମରୁ ମୋର ପୁରାଣ ଶୁଣାନାହିଁ,

ପଢ଼ିବା ଜ୍ଞାନ ମୋର ହେବ ଅବା କାହିଁ ।

 

ସାଧୁସଙ୍ଗ କି ରୂପ ତାକୁ ନ ଜାଣିଲି,

ଅସାଧୁଜନ ସଙ୍ଗେ ନିରତେ ରହିଲି ।”

(ସୂର୍ଯ୍ୟମଣି ଚ୍ୟାଉପଟ୍ଟନାୟକ)

 

ନିଜର ଟେକ ରକ୍ଷା କରିବାର ସ୍ଫୃହା ଶାରଳା ଦାସଙ୍କର ଥିଲେ ସୁଦ୍ଧା ସେ ସ୍ଥଳବିଶେଷରେ ଅନ୍ୟାନ୍ୟ କବିମାନଙ୍କ ପରି ସୌଜନ୍ୟର ପରିଚୟ ଦେଇଅଛନ୍ତି ।

 

ଶାରଳାଦାସ ଜ୍ୟୋତିଷଶାସ୍ତ୍ର ମଧ୍ୟ ଜାଣିଥିଲେ ଓ ତହିଁରେ ତାହାଙ୍କର ଗଭୀର ବିଶ୍ୱାସ ଥିବାର ଅନୁମିତ ହୁଏ । ଯେ କୌଣସି ପର୍ବ ଖୋଜନ୍ତୁ, ବାର, ତିଥି, ନକ୍ଷତ୍ର, କରଣ, ଲଗ୍ନ ସମାନ ନ ଥିଲେ ତାଙ୍କର କୌଣସି ବିଷୟ ବା ଘଟନା ଆରମ୍ଭ କରିବାର ବିରଳ ଦେଖାଯାଏ-

 

“ମେଷମାସ ଶୁକ୍ଳପକ୍ଷ ନବମୀର ଶେଷ,

ଅନନ୍ତର ଦଶମୀ ହୋଇଲା ପରବେଶ ।

 

ଶନିବାର ବେଳ ହୋଇଅଛି ତିନିଘଡ଼ି,

ଏ ଉତ୍ତାରେ ବୃହସ୍ପତିଙ୍କ ବେଳ ପଡ଼ି ।

 

ବାଳବ ନାମ କରଣ ଅଟେ ଯୋଗଲୀଳା,

ମୀନଲଗ୍ନେ ପାପଗ୍ରହ କିଛି ନାହିଁ ମେଳା ।

 

ଶୁଭବେଳ ଅଟଇ ସମସ୍ତେ ଯିବାପାଇଁ,

ଅମୃତବେଳେ ବିଜେ ଯୁଧିଷ୍ଠି ନରସାଇଁ ।” (ଆଦିପର୍ବ)

 

“ମକର ଶୁକଳପକ୍ଷ ଏକାଦଶୀ ତିଥି,

ପଣ୍ଡିତ ବାର ଯେ ମଘା ନକ୍ଷତ୍ର ଯୁକତି ।

 

ଦ୍ରୌପଦୀ ଶୁଦ୍ଧସ୍ନାହାନ କଲେ ସେ ଦିବସ,

ବନ୍ଦାପନା କରାଇଲେ ଥାଇ ଧର୍ମଶିଷ୍ୟ ।” (ମଧ୍ୟପର୍ବ)

 

“ମିଥୁନର ପଞ୍ଚମୀ ସେ ଦିନ ଗୁରୁବାର,

ଶ୍ରବଣା ଯେ ନକ୍ଷତ୍ର ଅଟଇ ସେ ଦିନର ।

 

ଗର ନାମେ କରଣ ଯେ ଶୁଭନାମେ ଯୋଗ,

ସେହିଦିନ ସ୍ୱାମୀର ସଞ୍ଚିତ ପ୍ରତି ଦୀର୍ଘ ।” (ମୁଷଳୀପର୍ବ)

 

ଶାରଳା ଦାସ ମହାଭାରତ ମୂଳ ସଂସ୍କୃତାନୁଯାୟୀ ନୁହେଁ । ଏଥିରେ ଅନେକ ମୂଳକ ବିଷୟ ପରିବର୍ଜିତ ଏବଂ କେତେକ କଳ୍ପିତ ବିଷୟ ସଂଯୋଜିତ ହୋଇଅଛି । କବି ମଧ୍ୟ ଏହା ସ୍ୱୀକାର କରିଅଛନ୍ତି-

 

“ଅଗାଧ ସାଗର ଏହୁ ଶ୍ରୀ ମହାଭାରତ,

ସବୁ ସଞ୍ଚପି କହିଲେ ହେବ ଅପ୍ରମିତ ।

 

ଏସନ ବିଚାରି ଠିକ ଠିକ ଯେ କହିବି,

ମୋ ହୃଦେ ମାଳା ପରମମାହେଶ୍ୱରୀ ଦେବୀ ।”(ଆଦିପର୍ବ)

 

ଶାରଳା ଦାସଙ୍କ ଭାଷା ଅତି ସରଳ ଓ ସୁନ୍ଦର; ବର୍ଣ୍ଣନା ସ୍ୱାଭାବିକ, ଆଡ଼ମ୍ବରଶୂନ୍ୟ ଅଥଚ ଭାବପୂର୍ଣ୍ଣ । ଲାଖବିନ୍ଧା ସଭାରେ ଦ୍ରୌପଦୀଙ୍କ ବର୍ଣ୍ଣନା ଦେଖନ୍ତୁ-

 

“ସଭାରେ ଥାଇ ବୋଇଲା କାଳଦମନ,

କନ୍ୟାର ଶରୀର ତ ଅଳଙ୍କାରହୀନ ।

 

ଦୁର୍ଯ୍ୟୋଧନ ବୋଇଲା, ହୋଇଲ କି ବାୟୀ,

ଶରୀରକୁ ଭାରା ବୋଲି ଅଳଙ୍କାର ନ ବହି ।”

X X X X

“ଚାହାଁନ୍ତେ ସବୁରି ଶରୀର ଯିବ ଫାଟି,

ସଂସାର ନିମନ୍ତେ ତଳକୁ କଲା ଦୃଷ୍ଟି ।

 

କଞ୍ଚିତ କରି ଯେବେ ଚାହିଁବ ସଭାକୁ,

ଅନେକ ହତ୍ୟାଦୋଷ ଲାଗିବ ତାହାକୁ ।

 

ସ୍ତ୍ରୀରୀ ସୁଲକ୍ଷଣୀ ସେ ଅଟଇ ସୁଜ୍ଞାନୀ,

ପାପକୁ ଭୟ କରି ନ ଚାହିଁଲା ମାନିନୀ ।”

X X X X

“ଏହା ନାସାରୁ ବାହାର ଯେବଣ ପବନ,

ନିମ୍ବ ସାହାଡ଼ାରେ ଲାଗିଲେ ହେବ ଚନ୍ଦନ ।

 

ତାମ୍ବୁଳ ବିହୀନେ ଅଧର ରଙ୍ଗ ଅତ୍ୟନ୍ତ,

ବାଳ ଆଦିତ୍ୟ ଜ୍ୟୋତିକି ଜିଣଇ ସତତ ।

 

ବିମ୍ବଫଳ ପଟାନ୍ତର ନୁହେଁ ବୃଦ୍ଧକାଳେ,

ତେଣୁ ଲଜ୍ଜାଭରେ ଝଡ଼ି ପଡ଼ଇ ଭୂତଳେ ।”

X X X X

“ଜାଈ ପାଖୁଡ଼ା ଜିଣଇ ତୋର ନଖରେଖ,

ପଟାନ୍ତର ଯୋଗୁଁ ବଢ଼ୁଅଛି ତା’ର ଶିଖ ।”

X X X X

“ଯେସନେକ ଜଳରେ ଗମଇ ହଂସପନ୍ତି,

ଚାଲନ୍ତେ ସୁନ୍ଦରୀର ତେସନ ପାଦଗତି ।”

X X X X

 

ଅର୍ଜୁନଙ୍କ ପ୍ରତିଜ୍ଞା ମଧ୍ୟ ଦେଖନ୍ତୁ-

 

“ମହାସତୀର ଶାପ ଯେ ନ ଯାଇ ଖଣ୍ଡନ,

ଅର୍ଜୁନ ବୋଲେ ଦେବୀ ଗୋ ମୋର ବୋଲ ଶୁଣ ।

 

ଯେବେ ଦ୍ରୁପଦ ମୋତେ କିଞ୍ଚିତେ ସାହା ଏକା,

ଏକା ହନୁମନ୍ତ ଆଗୋ ବିଧ୍ୱଂସିଲା ଲଙ୍କା ।

 

ଏକା ମନ୍ଦରକେ ମହୋଦଧି ହେଲା ମନ୍ଥି,

ନିଦାଘ ବଳ ମନ୍ଥିଲେ ନାରାୟଣ ମୂର୍ତ୍ତି ।

 

ବିନତାନନ୍ଦନ ଗରୁଡ଼ ଅଟଇ ଏକା,

ବିଧ୍ୱଂସିଲେ ନାଗବଳ ହୋଇଣ ନିଶଙ୍କା ।

 

ଇକ୍ଷ୍ୱାକୁ ବଂଶରେ କୁମାର ଭଗୀରଥ,

ଆକାଶୁ ଗଙ୍ଗାପାଣି ବୁହାଇଲା ପୃଥ୍ୱୀ ତ ।

 

ଏକ ନାଗରାଜା ସେ ଗୋ ଅଟଇ ଅନନ୍ତ,

ଫେଣାକେ ଧରିଛି ନବଦ୍ୱୀପ ସିନ୍ଧୁ ସାତ ।

 

ଏକା ପର୍ଶୁରାମ ବୀର କଲେ କ୍ଷତ୍ରିବୃତ୍ତି,

ଏକୋଇଶ ବାର ପୃଥ୍ୱୀ କଲେକ ନିକ୍ଷତ୍ରି ।

 

ଆମ୍ଭର ଉପର ବଂଶେ ନୃପତି ଯଯାତି,

ଜଣକରେ ଭିଆଇଲା ନବଖଣ୍ଡ ପୃଥ୍ୱୀ ।

 

ଏକା ଅଗସ୍ତି ଋଷି ଯେ ବାଳଲୀଳା ଖେଳେ,

ସପତ ସମୁଦ୍ରକୁ ଚଳୁରେ ରଖିଲେ ।

 

ତୁହି ମୋତେ ସଂଘାତୁଣୀ ନ ବୋଲ ଯେ ଏକା,

ଗଭୀର ସମୁଦ୍ର କାହିଁ କାଠି ଦେଉ ଯୋଖା ।”

X X X X

 

ଏତିକି ନୁହେଁ; କବି ଯେଉଁ ଯେଉଁ ସ୍ଥଳରେ ଆପଣାର କଳ୍ପନାଶକ୍ତି ସ୍ୱଚ୍ଛନ୍ଦ ଭାବରେ ପରିଚାଳନ କରିଅଛନ୍ତି, ସେହି ସେହି ସ୍ଥାନରେ ବର୍ଣ୍ଣିତ ବିଷୟ ପ୍ରାୟ ସବୁ ଅତ୍ୟନ୍ତ ସୁଶ୍ରାବ୍ୟ ଓ ମନୋହର ।

 

ଶାରଳାଦାସ ଭାରତରେ କେତେଗୁଡ଼ିଏ ଅପ୍ରଚଳିତ ଶବ୍ଦ ବ୍ୟବହୃତ ହେବାର ଦେଖାଯାଏ- ମୁକୁ (ମତେ), ତୁକୁ (ତତେ), ପୁତ୍ରନ୍ତ (ପୁତ୍ରମାନଙ୍କୁ), ସବୁନ୍ତି (ସମସ୍ତଙ୍କୁ), ତାହାନ୍ତ (ସେମାନଙ୍କୁ), ପୁତ୍ରକଇ (ପୁତ୍ରକୁ), ହୁଅସି (ହୁଅ), ପ୍ରୋହିତ, ବୋଲନ୍ତା, ଅରଜିଲା ଅଛଇ, ଏହା ତହୁଁ (ଏହାଠୁଁ), ଜିଣିଲାକୁ (ଜିଣିବାକୁ), ଏକୁ (ଏହାକୁ), ଶୁଣିବା ହେ, ତୋ ତହିଁକି, ଜୀବନ୍ତେ (ଜିଇ ଥାଉ ଥାଉ), ବୈତ୍ରଣୀ, ଥିଲାକୁ, ଉଠୁ (ଉଠ), ସବିହେଁ, ଦେଖିଲା ତ ନାହିଁ, ଆମ୍ଭର ଦେଖିଲା ନାହିଁ ଇତ୍ୟାଦି ।

 

ଶାରଳାଦାସଙ୍କ ‘ଛନ୍ଦରେ’ ଶେଷାକ୍ଷର ମିଳନ ଭିନ୍ନ କୌଣସି ଶୃଙ୍ଖଳା ବା ନିୟମ ଲକ୍ଷିତ ହୁଏ ନାହିଁ । କବି ୧୨ ଅକ୍ଷରଠାରୁ ୨୪ ଅକ୍ଷର ପର୍ଯ୍ୟନ୍ତ ଡେଇଁ ଯାଇଅଛନ୍ତି । ଯଥା:-

 

ଜୟ ତୁ ଦଧିବାମନ ଦେବରାଜ (୧୨)

ଦର୍ଶନେ ସଫଳ ପ୍ରସନ୍ମେ ସିଦ୍ଧ କାର୍ଯ୍ୟ (୧୩)

 

ଜମ୍ବୁଦ୍ୱୀପ ଭ୍ରତଖଣ୍ଡ ଓଡ଼୍ରରାଷ୍ଟ୍ର ଈଶାନେ, (୧୫)

ଚନ୍ଦ୍ରଭାଗା ନଦୀତଟେ ଦିବ୍ୟସ୍ଥାନେ । (୧୨)

 

ପର୍ଶୁରାମ ପାଟଣା କନକାଇ ନଗ୍ର (୧୩)

କଳିଯୁଗ ଚାରିଲକ୍ଷ ବତିଶସହସ୍ର ଭୋଗ । (୧୬)

 

ସକଳଜନତାରିଣୀ ଶାରଳାଚଣ୍ଡୀ ନାମ, (୧୫)

ଝଙ୍କଡ଼ପୁରବାସୀ ଯୋଗେଣ ଆଦିବ୍ରହ୍ମ (୧୪)

 

ନବତନ ବସ୍ତ୍ର କୁଣ୍ଡଳ ଯେ ଧୂପ ଦୀପ, (୧୪)

ଏମାନ ଦେଇ ସେ ଶତ ଦଣ୍ଡପ୍ରଣମିତ

ହୋଇଲେ ପରୀକ୍ଷ ମହାନୃପ । (୨୪)

 

କୌଣସି କୌଣସିଠାରେ ସମାନାକ୍ଷର ବିଶିଷ୍ଟ ପଦ ମଧ୍ୟ ଦେଖାଯାଏ । ଯଥା:-

 

କୁଞ୍ଚିତ କବରୀ ଘନ ସୁସଞ୍ଚ ରୁଚିର(୧୪)

କୁସୁମ ବିହୀନେ ବିହରନ୍ତି ମଧୁକର ।(୧୪)

 

ଚାହାଁନ୍ତେ ସବୁରି ଶରୀର ଯିବ ଫାଟି(୧୩)

ସଂସାର ନିମନ୍ତେ ତଳକୁ କଲା ଦୃଷ୍ଟି ।(୧୩)

 

କେହି କେହି ପଚାରିପାରନ୍ତି, ଶାରଳା ଦାସଙ୍କ କବିତାରେ ଏପରି ବର୍ଣ୍ଣବ୍ୟତିକ୍ରମ କାହିଁକି ଦେଖାଯାଏ ଓ ସେ କେଉଁ ଆଦର୍ଶ ଧରି ଛନ୍ଦ ରଚନା କରିଥିଲେ ? ଏ ବିଷୟରେ କୌଣସି ନିଶ୍ଚିତାଭିପ୍ରାୟ କୁହାଯାଇନପାରେ । ମାତ୍ର ଅନୁସନ୍ଧାନ କରି ଦେଖିଲେ ଅନୁମାନ ହୁଏ, ଓଡ଼ିଆ ଢଗଢମାଳି ତାହାଙ୍କର ପ୍ରଧାନ ବା ଏକମାତ୍ର ଆଦର୍ଶ ଥିଲା । ଅନେକ ଓଡ଼ିଆ ଢଗରେ ଅନ୍ତ୍ୟମେଳ ଭିନ୍ନ ଅକ୍ଷର ନିୟମ ଦୃଷ୍ଟ ହୁଏନାହିଁ । ଯଥା:-

 

ଘଇତା ମାରଇ ରାଗେ,

କାନ ମଲ୍ଲୀକଢ଼ି ପକାଇଦେଉଛି ଦିଅର ଶଶୁର ଆଗେ ।

ନିଲଜ ଲାଉ,

ଟେକାଟେକି କଲେ ପିଢ଼ାକୁ ଯାଉ ।

 

ଅଳପ ତେଣ୍ଟା ମାଇପ ଖେଣ୍ଟା ମଠୁଆ ବଳଦ ଯାର,

ଯମଘର ଯାଇ କି ଫଳ ପାଇବ ନିତି ମରଣ ତାର ।

 

ଧନର ମହିମା ଧନର ଗାରିମା ଧନ ସିନା ବଡ଼ ଜାଣ,

ଧନ ଥିଲେ କୁଜା କନ୍ଦର୍ପ ନାରାୟଣ ଶତ୍ରୁ ଖଟେ ପାଦତଳ ।

 

ଦୁଇ ମାଇପର ଘଇତା,

ତତଲା ଖାଇବୁ କି ପଖାଳ ଖାଇବୁ ଦିନ ଥାଉ ଥାଉ କହିଥା ।

 

କେତେଗୁଡ଼ିଏ ଢଗ ସମାନାକ୍ଷର ବିଶିଷ୍ଟ ଥିବାର ମଧ୍ୟ ଦେଖାଯାଏ । ଯଥା:-

 

ଦୁଧ ଖାଇ ମନେ କଲେ ଘରେ ଥିବ ଗାଈ,

କଳି କରି ମନେ କଲେ ସଙ୍ଗେ ଥିବ ଭାଇ ।

 

ପଳାଇ ପଶିଲି ମାଉସୀ ଘରେ,

ମାଉସୀ ମାଇଲା ଦୁଇପହାରେ ।

 

ଏ ଢଗ ସବୁ କେହି କୌଣସି ରାଗ ବା ରାଗିଣୀରେ ବୋଲନ୍ତି ନାହିଁ । ଶାରଳା ଦାସଙ୍କ ଭାରତ ଓ ବଳରାମଦାସଙ୍କ ରାମାୟଣ ମଧ୍ୟ ପୁରାଣ ସମୟରେ ପାଠକମାନେ ଶୁଣିଥିବେ । କୌଣସି ରାଗ ବା ରାଗିଣୀରେ କେହି ଗା’ନ୍ତି ନାହିଁ । ଯେଉଁ ଧାରାରେ ଭାରତ ରାମାୟଣ ଗାନ କରାଯାଏ, ତାହାକୁ “ବୋଲା” ବା “ପଢ଼ା” କହନ୍ତି । ଢଗବୃତ୍ତ ନୀଚ ବୃତ୍ତ ନୁହେଁ । ଅନ୍ୟାନ୍ୟ ଖ୍ୟାତନାମା କବିମାନେ ମଧ୍ୟ ଢଗବୃତ୍ତରେ ଛାନ୍ଦ ଚୌପଦୀ ଲେଖିଥିବାର ଦେଖାଯାଏ । ‘ଗୀତ ନାଶ ଯାଏ ବାଟେ, ପାଣି ନାଶ ଯାଏ ଫାଟେ, ସ୍ତିରୀ ନାଶ ଯାନ୍ତି ଯାତ୍ରାପରବେ ଯେ ସୂତା ନାଶ ଯାଏ ହାଟେ ।’ ଏହି ଢଗ ଓ ଆଧୁନିକ ‘ଘଣ୍ଟାରବ’ ସମାନ । ଯଥା:- ‘ଫାଲ୍‍ଗୁନ ଶୋଭା ପ୍ରକାଶି, ଶିଶିରେ ବସନ୍ତ ମିଶି, ବାଳାବାମା ତନୁ ସୀମାକୁ ଆଶ୍ଳେଷ ଯୌବନ କଲା କି ଆସି ।’(ଲାବଣ୍ୟବତୀ) । ‘କୁଟନ୍ତି ଧାନ, ବୁହନ୍ତି ପାଣି, ଦୋସଡ଼ା ପକାଇ ମାହାନ୍ତିଆଣୀ ।’ ଏହି ଢଗରାଗ ଛୋଟ ମଞ୍ଜରୀକି ସମାନ । ଯଥା:- ନନ୍ଦନନ୍ଦନ, ଜଗବନ୍ଦନ, ବରଜବାଳୀଙ୍କ ହୃଦଚନ୍ଦନ । (ଶ୍ରୀକୃଷ୍ଣଲୀଳା)

 

ଶାରଳା ଦାସ କିପରି ଭାରତ ଲେଖିଲେ ? ଏ ବିଷୟରେ ଖଣ୍ଡିଏ ହସ୍ତଲିଖିତ ପୁସ୍ତକର ପ୍ରାରମ୍ଭରେ ଲେଖାଅଛି-

 

କୈଳାସବାସୀ ସେ (ଶାରଳା ଦାସ) ରୂପରେ ଅବତାର,

ମୂର୍ଖ ହୋଇ ଜନ୍ମ ହେଲା ଶୂଦ୍ର ଘର ।

 

ବିରଜାମଣ୍ଡଳ ଦେଶେ କୃଷି କରୁଥାଇ,

ଏକ ଦିନେ ପଦେ ସେ ଟେକିଲା ଗୀତ ଗାଇ ।

 

ପଛକୁ ଚାହିଁଲା ଆମ୍ଭେ (ଶାରଳାଦେବୀ) ବୃଦ୍ଧାସ୍ତିରୀ ରୂପ,

ତେଣୁକରି ଗୀତ ପଦ କଲାକ ସେ ଲୋପ ।

 

କରେ ହଳବାଡ଼ି ଧରିଣ ଭୂମି ଚଷି,

ପୁଣି ହିଁ ଢମାଳି ଗୀତ ଗାଇଲା ପଦେ ହସି ।

 

ଅତି ବୃଦ୍ଧ ଅବସ୍ଥା ହୋଇଣ ଆମ୍ଭେ ଗଲୁଁ,

ସେ କୃଷିକାର ପାଶେ ପ୍ରବେଶ ହୋଇଲୁଁ ।

 

ଚାଲନ୍ତେ ଲଡ଼ବଡ଼ ଯେ ଛିଡ଼ା ଧୋତି କଟି,

ସେ ଭୂମିର ହୁଡ଼ା ନ ପାରିଲୁ ଉଠି ।

 

ଥରହର ହୋଇ ଭୂମିରେ ପଡ଼ିବାବେଳେ,

କୃଷିକାର ଦେଖି ଧାଇଁଲା ତତ୍କାଳେ ।

 

ବେନି କରେ ମତେ କୋଳାଗ୍ରତ କରି,

ସ୍ଥିର କରି ନେଇ ବସାଇଲା ଧରି ।

 

କାହିଁର ମାତା ତୁ ଗୋ କେବଣ ଦେଶ ଯାଉ,

ସଙ୍ଗେ କେହି ନାହିଁ ଏକା ତ ଅଇଲୁ କାହୁଁ ।

 

ମୁଁ ବୋଇଲି ଆରେ ବନ୍ଧୁବର୍ଗ ମୋର ନାହିଁ,

ତେଣୁ ଏକା ହୋଇ ଅଇଲି ଏଥେ ମୁହିଁ ।

 

ଯକ୍ଷପୁର ଶାସନେ ଅଟଇ ମୋର ବାସ,

ବଣା ହୋଇ ଅଇଲି ନ ଜାଣି କେଉଁ ପାଶ ।

 

ମୁଁ ବୃଦ୍ଧା ମତେ ଗଙ୍ଗା ପାରି କରିଦିଅ,

ଆମ୍ଭର ଆୟୁ ଘେନି ଆପଣେ ବର୍ତ୍ତିଥାଅ ।

 

ମୁହିଁ ବୃଦ୍ଧାସ୍ତିରୀ ଯେ ଦେହରେ ସୁସ୍ଥ ନାହିଁ,

ଜଳ ଶରୀରେ ଲାଗିଲେ ବାଧା ଯେ ବଳଇ ।

 

ଏ ନଦୀ ପାରି ମତେ ଦିଅ ହୋ କୃଷିକାର,

ତ୍ୱରିତେ ଯିବି ମୁଁ ମୋର ଯକ୍ଷପୁର ।

 

ଶୁଣି ମହାକାଳ ହଳ ଛାଡ଼ିଦେଲା,

ମତେ ନେଇ ଯେ କାଖରେ ବସାଇଲା ।

 

ବୃଦ୍ଧଗଙ୍ଗାତୀରେ ହୋଇଲା ପ୍ରବେଶ,

ଦେଖିଣ ତାହାର ଯେ ଉଡ଼ିଲା ସାହସ ।

 

ମନେ ବିଚାରିଲା ପ୍ରଖର ନଦୀଜଳ,

କେମନ୍ତ କରି ଏଥି ପାଇବି ଥଳ କୂଳ ।

 

ଆମ୍ଭେ ବୋଇଲୁଁ ବାବୁ ରେ ବହନ ପାରି କର,

ତ୍ୱରିତେ ଯିବି ମୁଁ ନୋହିବ ଉଛୁର ।

 

ଶୁଣିକରି ଜଳରେ ପଶିଲା ଧସାଇ,

ବାମ କାଖ ଉପରେ ମତେ ଯେ ବସାଇ ।

 

ଡାହାଣ କରେ ଯେ ଧରିଛି ହଳବାଡ଼ି,

ସ୍ଥିର ସ୍ଥିର କରି ଚରଣ ଯେ ଛାଡ଼ି ।

 

ଚରଣ ବୁଡ଼ି ଜାନୁ ବୁଡ଼ିଲା ତାର କଟି,

କାଖ ଉପରୁ ପୁଣି ଆମ୍ଭଙ୍କୁ ଦେଲା ଟେକି ।

 

ସ୍କନ୍ଧ ଉପରେ ନେଇ ବସାଇଲା ତୁରିତ,

ପୁଣି ସ୍କନ୍ଧକୁ ଜଳ ଟେକିଲା ଅପ୍ରମିତ ।

X X X X

ପୁଣି ମାୟାରେ ଜଳ ସ୍କନ୍ଧକୁ ଲାଗିଲା,

ମସ୍ତକ ଉପରେ ବେଗେ ନେଇ ବସାଇଲା ।

 

ଆମ୍ଭେ ଜାଣିଲୁଁ ତାର ହୃଦର ବେଦନା,

ବୋଇଲୁଁ ବାବୁ ଗୀତ ପଦେ ଗାଉନା ।

 

ବଚନେ କହିଲା ମା ଗୋ ମୂର୍ଖ ମୋର ମତି,

ବଷଟ୍‍କାର (?) ପଦ କେମନ୍ତେ କରିବି ଉକତି ।

 

ଆମ୍ଭେ ବିଚାରିଲୁଁରେ ହୋଇଲା ତୋର ଜ୍ଞାନ,

ଶ୍ରୀ ମହାଭାରତ ଏବେ କର ତୁ ଲେଖନ ।

X X X X

 

ଏହା ଶାରଳାଦେବୀ ବ୍ରାହ୍ମଣମାନଙ୍କୁ ସ୍ୱପ୍ନରେ କହିଥିଲେ ବୋଲି ଲେଖାଅଛି । ଏଥିର ଭାଷା ଦେଖିଲେ ଶାରଳାଦାସଙ୍କର ବୋଲି ବୋଧହୁଏ ନାହିଁ । ପ୍ରାୟ ୮୨୦ ବର୍ଷ ତଳେ ଲେଖା ହୋଇଥିବା ପୁସ୍ତକ ଖଣ୍ଡିଏ ଦେଖିଥିଲୁଁ, ତହିଁରେ ମଧ୍ୟ ଏହା ନାହିଁ । ସମ୍ଭବତଃ କୌଣସି ସାହିତ୍ୟଶଠ ଏହାପରେ ମିଶାଇଅଛି । ଶାରଳା ଦାସ ଲେଖିଥାନ୍ତୁ ବା ଅନ୍ୟ କେହି ମିଶାଇଥାନ୍ତୁ, ଏହାଦ୍ୱାରା ଶାରଳାଦାସଙ୍କ ‘ଛନ୍ଦ’ ଢଗଢମାଳିର ଅନୁକରଣ ବୋଲି ସ୍ପଷ୍ଟ ପ୍ରମାଣିତ ହେଉଅଛି ।

 

‘ଚଣ୍ଡୀପୁରାଣ’ ଶାରଳାଦାସଙ୍କର ଅନ୍ୟତମ ଗ୍ରନ୍ଥ । ଏଥିର ରଚୟିତା ବଳରାମ ଦାସ ବୋଲି ହଣ୍ଟର ସାହେବ କହିଅଛନ୍ତି । ଏହା ତାଙ୍କର ଭ୍ରମ । ସେ ଆଉ କି କି ଗ୍ରନ୍ଥ ଲେଖିଅଛନ୍ତି ଜାଣିବାର ବାସନା ରହିଲା ।



 

ବଳରାମ ଦାସ

(ରାମାୟଣ-ରଚୟିତା)

 

ବଙ୍ଗରେ କୃତ୍ତିବାସ ଯେପରି, ଉତ୍ତରଦେଶରେ ତୁଳସୀ ଦାସ ଯେପରି, ଦକ୍ଷିଣରେ ଭାସ୍କର ଯେପରି, ଓଡ଼ିଶାରେ ବଳରାମ ଦାସ ସେହିପରି । ବାସ୍ତବିକ ଏହାଙ୍କୁ ଉତ୍କଳ ବାଲ୍ମୀକି କହିଲେ ଅତ୍ୟୁକ୍ତି ହେବନାହିଁ । ଏ ଓଡ଼ିଶା ରାଜା ପ୍ରତାପରୁଦ୍ରଙ୍କ ସମୟରେ ଅର୍ଥାତ୍‍ ଷୋଡ଼ଶ ଶତାବ୍ଦୀର ଆରମ୍ଭରେ ଜୀବିତ ଥିଲେ । ଏ ଜାତିରେ କରଣ, ବୈଷ୍ଣବ ମତାବଲମ୍ବୀ; ଏହାଙ୍କ ବସତି ପୁରୁଷୋତ୍ତମ କ୍ଷେତ୍ର । ଏହାଙ୍କ ପିତା ମହାପାତ୍ର ସୋମନାଥ; ଭାର୍ଯ୍ୟାର ନାମ ଜମ୍ବୁ । କବି ‘ଗୁପ୍ତଗୀତା’ର ଶେଷ ଭାଗରେ ନିମ୍ନୋଦ୍ଧୃତ ଆତ୍ମବିବରଣଟି ଦେଇଅଛନ୍ତି-

 

ଶୁଣି ଅର୍ଜୁନ ତୃପତ ହୋଇଲେ

ପୁଣି ଚରଣେ ପଡ଼ି ପଚାରିଲେ

ଏ ଗୁପତ ଜ୍ଞାନ କରି ଗୁପତ

କଳିରେ କେମନ୍ତ ହେଲା ଉଦିତ

 

କାହାର ମୁଖେ ଏହା କୁହାଇବ

ଏ କଥା ଦେବ ମୋତେ ଆଜ୍ଞା ହେବ

ଶ୍ରୀହରି ବୋଇଲେ ଶୁଣ ଅର୍ଜୁନ

ପଦ୍ମନ ଅଟଇ ମୋର ନନ୍ଦନ

 

ତାର ନନ୍ଦନ ଅନିରୁଦ୍ଧ ହେବ

ସେ ପୁଣି କାଳରେ କ୍ଷୟ ହୋଇବ

ମୁହିଁ ଯେ ଜଗନ୍ନାଥ ଅବତାରେ

କଳିଯୁଗେ ଦାରୁବ୍ରହ୍ମ ରୂପରେ

 

ପ୍ରତାପରୁଦ୍ର ନାମ ଦେବରାୟେ

କହଇଁ ତତେ ସେ କାଳ ସମୟେ

ସୋମନାଥ ନାମେ ପାତ୍ର ତାହାର

ଅନିରୁଦ୍ଧ ଜନ୍ମ ତାହାର ଘର

 

ଜମ୍ବୁ ନାମରେ ତାହାର ଭାରିଯା

ଅନିରୁଦ୍ଧ ଦେବେ ଅତ୍ୟନ୍ତ ତରଜା

ତାହାର ନାମ ବଳରାମ ଦାସ

ଗୁପତ ଜ୍ଞାନ ଅଧ୍ୟାୟେ ପ୍ରକାଶ

 

ସେ ବଳରାମ ଦାସ ଗୋପ୍ୟ କରି

ଅଧ୍ୟାୟେ କରିଣ ଜୀବନ ହାରି

ସେ ପୁଣି ମୁକୁନ୍ଦ ଦେବ ଦି’ଅଙ୍କେ

ବଳରାମ ଦାସ ଜନମ ଲୋକେ

 

ବଳରାମ ଦାସ ଶୂଦ୍ର କୁଳେଣ

ବୈଷ୍ଣବପଣରେ ଅତି ନିପୁଣ

ତହିଁ ବଳରାମ ଦାସ ଜନ୍ମିବ

ଗୀତାରସ ସେ ସମସ୍ତ କହିବ

 

ତା ମୁଖେ କୁହାଇବି ଗୀତାରସ

ଗୀତେ ଭଣିଲେ ବଳରାମ ଦାସ

 

ରାମାୟଣ ଲଙ୍କାକାଣ୍ଡରେ ମଧ୍ୟ କବି ଲେଖିଅଛନ୍ତି-

 

ସୋମନାଥ ମହାପାତ୍ର କୋଳେ ହୋଇଲି ସମ୍ଭୂତ,

ଯହୁଁ ପିତା ମୋର ବିଷ୍ଣୁରେ ଭକତ;

 

ତେଣୁ ସେ ଜଗନ୍ନାଥ ଦୟା ମୋତେ କଲେ,

ରାମାୟଣ ଗ୍ରନ୍ଥ ମୋ ମୁଖରେ ବଖାଣିଲେ ।

 

‘ଦାର୍ଢ଼୍ୟତାରସାମୃତ’ ପ୍ରଥମ ଖଣ୍ଡରେ ଲେଖାଅଛି-

 

“ଭକତଜନ ମଧ୍ୟେ ସାର,

ମହିମା ଅପାରୁ ଅପାର ।

ନାମ ତା ବଳରାମ ଦାସ,

ମହନ୍ତ ସୋମନାଥ ଶିଷ୍ୟ ।

 

ପୁରୁଷୋତ୍ତମେ ତାର ଘର,

କୁଟୁମ୍ବ ଘେନି ନିରନ୍ତର ।

X X X X

ନିରତେ ହରିପାଦ ଧ୍ୟାଇ,

ଆନନ୍ଦେ ମତ୍ତ ହେଉଥାଇ ।

ଗୋଟିଏ ନାମ ଯହୁଁ ଶୁଣେ,

କୋଟିଏ ନିଧି ପ୍ରାୟ ମଣେ ।

 

ସର୍ବଦା ହରିରସେ ରସେ,

ଶ୍ରବଣେ ଶୁଣି ମୁଖେ ଘୋଷେ ।

ବସଇ ସାଧୁଙ୍କ ସଙ୍ଗର,

ସକଳ ଜୀବେ ଦୟା ତାର ।”

 

‘ଦାର୍ଢ଼୍ୟତାରସାମୃତ’ରେ ମଧ୍ୟ ବଳରାମ ଦାସ ପ୍ରତାପରୁଦ୍ରଙ୍କ ସମୟର ଲୋକ ବୋଲି କଥିତ ଅଛି-

 

ତେଣେ ପ୍ରତାପରୁଦ୍ର ରାଜା,

କରାଇ ନାନାମତେ ପୂଜା ।

କଟି ବସନ ଆଣ୍ଟେ ଭିଡ଼ି,

ଆପଣେ ଧଇଲେ ଦଉଡ଼ି ।”

 

ବଳରାମ ଦାସ କବି ଜଗନ୍ନାଥ ଦାଶଙ୍କର ଶିଷ୍ୟ ଥିଲାପରି ଅନୁମିତ ହୁଏ । “ଶ୍ରୀଜଗନ୍ନାଥଙ୍କର ଦାସର ଅଟଇ ମୁଁ ଭୃତ୍ୟ” ବୋଲି କବି ଉତ୍ତରାକାଣ୍ଡରେ କହିଅଛନ୍ତି । ଏହାଙ୍କ ‘ବ୍ରହ୍ମାଣ୍ଡଭୂଗୋଳ’ରେ ଜଗନ୍ନାଥ ଦାଶ ଭାଗବତର କେତେଗୁଡ଼ିଏ ପଦ ଅନ୍ତର୍ନିହିତ ତତ୍ତ୍ୱାର୍ଥ ସହିତ ପ୍ରକାଶ କରି କବି ପ୍ରଗାଢ଼ ଗୁରୁଭକ୍ତିର ପରିଚୟ ଦେଇଅଛନ୍ତି । ‘ବ୍ରହ୍ମାଣ୍ଡଭୂଗୋଳ’ର ଛନ୍ଦ ମଧ୍ୟ ଗୁରୁଭକ୍ତି ବ୍ୟଞ୍ଜକ ଅଟେ । ବଳରାମ ଦାସ ଜଣେ ପ୍ରଧାନ ଭଗବଦ୍‍ଭକ୍ତ ଥିଲେ ମଧ୍ୟ ତାହାଙ୍କର ଚରିତ୍ର ନିତାନ୍ତ ମନ୍ଦ ଥିଲା । ‘ଦାର୍ଢ଼୍ୟତାରସାମୃତ’ରେ ଲେଖାଅଛି-

 

“ଶ୍ରୀଦାରୁବ୍ରହ୍ମ ସେବା ବିନେ

ଅନ୍ୟ ନ ଜାଣେ ତାର ମନେ

କେବଳ ପ୍ରକୃତିବଶରେ

ନିରତେ ଗମେ ବେଶ୍ୟାଘରେ

 

ଚନ୍ଦ୍ରରେ କଳଙ୍କ ଯେସନ

ଅର୍ଜିଲା କଥା ନୋହେ ଆନ

ପୂର୍ବ ଅର୍ଜିତ କର୍ମ ଫଳେ

ନିରତେ ବେଶ୍ୟାଘରେ ଚଳେ

॥”

 

ଉପରୋଦ୍ଧୃତ କବିଙ୍କ ଆତ୍ମବିବରଣରେ ପ୍ରଦ୍ୟୁମ୍ନର ପୁତ୍ର ବୋଲି କହି କବି ଆପଣାର ଚରିତ୍ର କଳୁଷିତ ଥିବାର ସୂଚାଇ ଦେଇଅଛନ୍ତି । “ସେ ବଳରାମ ଦାସ ଗୋପ୍ୟ କରି । ଅଧ୍ୟାୟେ କରିଣ ଜୀବନ ହାରି । ସେ ପୁଣି ମୁକୁନ୍ଦ ଦେବ ଦି’ ଅଙ୍କେ । ବଳରାମ ଦାସ ଜନମ ଲୋକେ ।” ବୋଲି କବି ଯାହା ଲେଖିଅଛନ୍ତି, ବୋଧହୁଏ ତାହା କେବଳ ନିଜ ଚରିତ୍ର ସଂସ୍କରଣ । ରାମାୟଣରେ କବିଙ୍କ ସ୍ତ୍ରୀ ବର୍ଣ୍ଣନା ଦେଖିଲେ କବିଙ୍କ ଚରିତ୍ର ମନ୍ଦ ଥିବାର ସ୍ପଷ୍ଟ ଉପଲକ୍ଷରେ ଜଣାଯାଏ ।

 

ବଳରାମ ଦାସ ଅଳ୍ପ ବୟସରେ ରାମାୟଣ ଲେଖିଥିଲେ । ସେ ଉତ୍ତରାକାଣ୍ଡରେ କହିଅଛନ୍ତି-

 

“ଜନ୍ମରୁ ମୂର୍ଖ ମୁଁ ଅଳପ ବୟସ

ଗ୍ରନ୍ଥ କଲାବେଳକୁ ବୟସ ତିରିଶ॥”

 

ବଳରାମ ଦାସଙ୍କ ରାମାୟଣରେ ଅପର ନାମ ‘ଜଗନ୍ମୋହନ ରାମାୟଣ’

 

“ଏ ଆଦିକାଣ୍ଡ ଯେ ସଦାଜୟେ ସମ୍ପୂର୍ଣ୍ଣ

ଜଗନ୍ମୋହନ ରାମାୟଣ ଅଟଇ ଏହାର ନାମ ।”

 

କବି ଲଙ୍କାକାଣ୍ଡରେ ଏହାକୁ “ମହାନାଟକ” ଆଖ୍ୟା ମଧ୍ୟ ଦେଇଅଛନ୍ତି- “ତେଣୁ ସେ ମହାନାଟକ ହୋଇଲା ଏହାର ନାମ । ଶ୍ରୀରାମଚରିତ ଏ ବିବିଧ ଅନୁପମ ।” ଏଥିରେ ଲକ୍ଷେ ପଦ ଥିବାର କବି ଉତ୍ତରାକାଣ୍ଡରେ କହିଅଛନ୍ତି-

 

“ଶ୍ରୀଜଗନ୍ନାଥଙ୍କ ଚରିତ ମୁହିଁ କହି

ରାମାୟଣ ସାତକାଣ୍ଡ ଲକ୍ଷେ ପଦ ହୋଇ ।”

 

ଶାରଳାଦାସଙ୍କ ଭାଷା ଅପେକ୍ଷା ବଳରାମ ଦାସଙ୍କ ଭାଷା ମାର୍ଜିତ ହେଲେ ମଧ୍ୟ ଆଦିକବିଙ୍କର ସରଳତା ଓ ଅନାଡ଼ମ୍ବର ସୌନ୍ଦର୍ଯ୍ୟ ବଳରାମ ଦାସଙ୍କ ରାମାୟଣରେ ପ୍ରାୟ ସର୍ବତ୍ର ପ୍ରକ୍ଷିପ୍ତ ହୋଇଥିବାର ଦେଖାଯାଏ । ଜନକ ରାଜାଙ୍କ ସ୍ୱୟମ୍ବର ସଭାରେ ରାମ ଲକ୍ଷ୍ମଣଙ୍କ ବର୍ଣ୍ଣନା ଦେଖନ୍ତୁ-

 

କେ ବୋଲଇ କାହାର ତନୟ ଏ ବେନି ।

ହରିହର ଅଇଲେ କି ମନୁଷ୍ୟଦେହ ଘେନି ॥

 

ନୃପତିଗଣେ ଦେଖି ମନେ ଅଚାକୁହା (?)

ମତ୍ତଗଜ ମେଳରେ କି ପ୍ରବେଶ ସିଂହର ଛୁଆ ॥

 

କଉଶିକର ପାଶେ ଅଛନ୍ତି ଭାଇ ବେନି ।

ଚନ୍ଦ୍ର ଉଇଁଛି କି ଗୁରୁ ଶୁକ୍ର ଘେନି ॥

 

କଶ୍ୟପର ସଙ୍ଗେ କି ବାସବ ଶ୍ରୀପତି ।

ରାମ ଲକ୍ଷ୍ମଣ ବେନି ତେସନ ଦିଶନ୍ତି ॥

 

ଗଉରବ ପାଇ ଯେ ବସିଲେ ସଭା ମଧ୍ୟେ ।

କାର୍ତ୍ତିକେଶ୍ୱର ଗଣପତି ଈଶ୍ୱର ସନ୍ନିଧେ ॥

 

ବ୍ରହ୍ମାର କତିରେ କି ବିଷ୍ଣୁ ରୁଦ୍ର ଅଛି ।

ବିଶ୍ୱାମିତ୍ର ସଙ୍ଗତରେ ତେସନ ରଘୁବତ୍ସି ॥

 

ଲଙ୍କାରେ ହନୁମାନଙ୍କ ପଶ୍ଚାତ୍ତାପ ମଧ୍ୟ ଦେଖନ୍ତୁ-

 

“ପାଟସୁତା ସଙ୍ଗେ ନେଇ ମିଶାଇଲି ପଟ ।

ଦେବତା ବ୍ରାହ୍ମଣ ମୁଁ ସମ କଲି ନଷ୍ଟ ॥

 

ଲବଙ୍ଗ କର୍ପୂର କଲି ଏକ ସମ ।

ବ୍ରହ୍ମଜାତି ହୀରାକୁ କଲି ସ୍ପଟିକ ସଙ୍ଗେ କମ ॥

 

କାଚ ହେମରାଗ କଲଇଁ ଏକସରି ।

ଗରଗଡ଼ ସାଙ୍ଗରେ ମୁକୁତା ସମ କଲି ॥

 

ପାନ ପାଲଟାଇ ଆଳୁପତ୍ର ଅଣାଇ ।

ଗୋରୁଙ୍କ ସଙ୍ଗତେ ନେଇ ଘୁଷୁରିକୁ ଗଣଇ ॥

 

କାଢ଼ି ଅଶ୍ୱ ତୁଲେ ଗଜକୁ କଲଇଁ ତୁଲ ।

ସେବତୀ ପୁଷ୍ପ ତୁଲେ ଗୁନ୍ଥିଲି ଲାଉ ଫୁଲ ॥

 

କିଆଫଳ ଖାଇ ପଣସ ପାସୋରିଲି ।

କୁଳସ୍ତିରୀ ସଙ୍ଗେ ବେଶ୍ୟାକୁ ଲେଖିଲି ॥

 

କୂପପାଣିରେ ମିଶାଇଲି ଗଙ୍ଗାଜଳ ।

ଆମ୍ବ ଲେଖି ଖାଇଲି ମହାକାଳଫଳ ॥

 

କାଶିପୁର ତେଜି ମଗଧପୁର ଗଲି ।

ସୀତାଙ୍କୁ ମନ୍ଦୋଦରୀ ସଙ୍ଗେ ସମ କଲି ॥”

 

ଏଥିରେ ଭାଷାର ସରଳତା ଓ ବର୍ଣ୍ଣନାର ଅନାଡ଼ମ୍ବର ସୌନ୍ଦର୍ଯ୍ୟ ମାତ୍ର ନୁହେଁ, ଭାବୀ ଉପଧାମେଳ-ପ୍ରଧାନ ଯୁଗର ଛାୟା ଲକ୍ଷିତ ହୁଏ ।

 

ବଳରାମ ଦାସଙ୍କ ରାମାୟଣରେ ଦ୍ୱିତୀୟା ଓ ଚତୁର୍ଥୀ ଏକବଚନରେ ‘କଇ’ (ଲଙ୍କାକଇ, ଆମ୍ବକଇ, ମଞ୍ଚକଇ), ଦ୍ୱିତୀୟା ବହୁବଚନରେ ‘ନ୍ତ’ (ତାହାନ୍ତ, ପୁତ୍ରନ୍ତ), ପ୍ରଥମା ବହୁବଚନରେ ‘ଏ’ (ଦେବତାଏ, ପ୍ରଜାଏ, ଗନ୍ଧର୍ବେ) ଓ କ୍ରିୟାରେ ନିମିତ୍ତାର୍ଥରେ ‘ତ’ (ନେଇତ, କରିତ, କହିତ) ଇତ୍ୟାଦି ପ୍ରୟୋଗ ବହୁଳ ପରିମାଣରେ ଦେଖାଯାଏ ।

 

ଶାରଳାଦାସଙ୍କ ଛନ୍ଦ ପରି ବଳରାମ ଦାସଙ୍କ ଛନ୍ଦ ମଧ୍ୟ ସମାନାକ୍ଷାର ବିଶିଷ୍ଟ ନୁହେଁ । କୌଣସି କୌଣସି ଚରଣରେ ୧୨, କୌଣସି କୌଣସି ଚରଣରେ ୧୩ ବା ୧୪, କୌଣସି କୌଣସି ଚରଣରେ ୧୬ ବା ୧୭ ଅକ୍ଷର ଥିବାର ଦୃଷ୍ଟ ହୁଏ । କେତେଗୋଟି ନମୁନା ଦେଖନ୍ତୁ-

 

ନୋହିଲେ ଏ ଗ୍ରନ୍ଥ ନୁହଇ ସମ୍ପୂର୍ଣ୍ଣ ।(୧୨)

ତେଣୁ ସେ ମୋର ବ୍ୟାକୁଳ ହୁଅଇ ମନ ॥(୧୩)

 

ଚଉଦ ଭୁବନେ ତୁ ଗୋ ଇଚ୍ଛାସୁଖେ ଆଉ ।(୧୪)

ଯହିଁକି ତୋ ମନ ତହିଁକି ତୁ ଯାଉ ॥(୧୨)

 

ଏ ଆଦିକାଣ୍ଡ ଯେ ସଦାଜୟେ ସମ୍ପୂର୍ଣ୍ଣ ।(୧୩)

ଜଗନ୍ମୋହନ ରାମାୟଣ ଅଟଇ ଏହାର ନାମ ॥(୧୭)

 

କବି ଶାରଳାଦାସଙ୍କ ଛନ୍ଦ ଅନୁକରଣ କରିଥିବାର ଏଥିରୁ ସ୍ପଷ୍ଟ ପ୍ରତୀତ ହୁଏ । ଶାରଳା ଦାସଙ୍କର ଛନ୍ଦ ମାତ୍ର ନୁହେଁ, ତାହାଙ୍କର ଅନ୍ୟ କେତେଗୁଡ଼ାଏ କଥା ମଧ୍ୟ କବି ଅନୁକରଣ କରିଅଛନ୍ତି । ସେ ଲଙ୍କାକାଣ୍ଡର ଶେଷଭାଗରେ ଆପଣା ବିଷୟରେ କ’ଣ କହିଅଛନ୍ତି, ଥରେ ଦେଖନ୍ତୁ-

 

“ମୁହିଁ ବଳରାମ ଦାସ ରାମାୟଣ ଅବତାରେ ଥିଲି ।

ଦିହୁଡ଼ି ଧରିଣ ମୁଁ ସମସ୍ତ ଦେଖିଲି ॥

 

ମତେ ଆଜ୍ଞା ଦେଲେ ମର୍ତ୍ତ୍ୟପୁରକୁ ଯିବୁ ।

କଳିଯୁଗେ ଶୂଦ୍ରମୁନି ହୋଇଣ ଜନମିବୁ ॥

 

ଜନ୍ମହୁଁ ବର୍ଣ୍ଣ କଥା ସୁମରିବୁ ତୁହି ।

ଶ୍ରୀଜଗନ୍ନାଥ ପ୍ରଭୁ ଯେ ମୋହର ଗୋସାଇଁ ॥”

 

ଉତ୍ତରାକାଣ୍ଡରେ ମଧ୍ୟ ଲେଖାଅଛି-

 

“ଜନ୍ମଜନ୍ମାନ୍ତରେ ଶ୍ରୀରାମ ସୁମରଇଁ ।

ସମୟେକ ଜନ୍ମିଲି ଏ ମର୍ତ୍ତ୍ୟ ଭୂଇଁ ॥

 

ମନ ମାୟା ଦୋଷେ ଜନନୀର ଗର୍ଭୁ

ଜନ୍ମ ହୋଇଣ ମୁଁ ଜାଣିଲି ମହାପ୍ରଭୁ ॥

 

ଏହାର ପ୍ରସାଦେ ଯେ ଶାରଦା ଦୟା କଲା ।

ରାମାୟଣ ଗ୍ରନ୍ଥ ମୋ ମୁଖରୁ ଉତ୍ତରିଲା ॥”

 

ବଳରାମ ଦାସଙ୍କ ସମ୍ବନ୍ଧରେ ଗୋଟିଏ ଅଲୌକିକ ପ୍ରବାଦ ଅଛି । ଏହା ‘ଦାର୍ଢ଼୍ୟତା ରସାମୃତ’ ପ୍ରଥମ ଖଣ୍ଡରେ ଲିପିବଦ୍ଧ ହୋଇଅଛି, ସୁତରାଂ ଏହିଠାରେ ଦିଆଗଲା ନାହିଁ । ଏହା ପାଶ୍ଚାତ୍ୟ ସଭ୍ୟତାଲୋକପ୍ରାପ୍ତ ଶିକ୍ଷିତ ବ୍ୟକ୍ତିମାନେ ବିଶ୍ୱାସ କରିନପାରନ୍ତି ସତ୍ୟ, ମାତ୍ର ଏହି ପ୍ରବାଦଦ୍ୱାରା କବିଙ୍କର ଖ୍ୟାତିଟା ଅନେକ ଦୂର ବ୍ୟାପିଥିବାର ଜଣାଯାଏ । ଏହି ପ୍ରବାଦକୁ ଲକ୍ଷ୍ୟ କରି ଜଣେ ବଙ୍ଗୀୟ ବୈଷ୍ଣବ କବି ଲେଖିଅଛନ୍ତି-

 

“ବନ୍ଦେ ଓଡ଼ିଆ ବଳରାମ ଦାସ ମହାଶୟ ।

ଜଗନ୍ନାଥ ବଳରାମ ବଶ ଯାର ହୟ ।”

 

ବଳରାମ ଦାସ ରାମାୟଣ ଛାଡ଼ି ଆଉ କେତେଗୁଡ଼ିଏ ଉପାଦେୟ ଗ୍ରନ୍ଥ ରଚନା କରିଅଛନ୍ତି । ଯଥା:- ଭଗବଦ୍‍ଗୀତା, ଅମରକୋଷଗୀତା, ଗୁପ୍ତଗୀତା, ବ୍ରହ୍ମାଣ୍ଡଭୂଗୋଳ, ବେଢ଼ାପରିକ୍ରମା, ବାରମାସୀ, ବିରାଟଗୀତା, ରାମବିଭା, ଦୁର୍ଗାସ୍ତୁତି ଇତ୍ୟାଦି ।



 

Unknown

ଦୀନକୃଷ୍ଣ ଦାସ

 

ଆମେ ଦେଖି ଆସୁଅଛୁଁ, ପ୍ରାଚୀନ ଓଡ଼ିଆ ଭାଷାକବି ପ୍ରାୟ ସମସ୍ତେ ‘ଦାସ’ ଉପାଧିଧାରୀ । ଏହି ‘ଦାସ’ ଓ ‘ଦୀନ’ ଶବ୍ଦର ବାହୁଲ୍ୟ ଯୋଗୁଁ ଆମ୍ଭେମାନେ ସମୟ ସମୟରେ ପ୍ରକୃତ ତତ୍ତ୍ୱ ସଂଗ୍ରହ କରିନପାରି ଭ୍ରମରେ ପଡ଼ିଥାଉଁ । ଏଥିର ଦୃଷ୍ଟାନ୍ତ ‘ଦୀନକୃଷ୍ଣ ଦାସ’ । ଆମ୍ଭମାନଙ୍କର ଧାରଣା ଥିଲା, ଓଡ଼ିଶାରେ ଦୀନକୃଷ୍ଣ ଦାସନାମା ଜଣେମାତ୍ର କବି ଥିଲେ, କିନ୍ତୁ ଅନୁସନ୍ଧାନଦ୍ୱାରା ନିର୍ଦ୍ଧାରିତ ହୋଇଅଛି, ‘ଦୀନକୃଷ୍ଣ ଦାସ’ ଦୁଇଜଣ ସ୍ୱତନ୍ତ୍ର ବ୍ୟକ୍ତିଙ୍କର ନାମ । ‘ରସକଲ୍ଲୋଳ’ ରଚୟିତା ଦୀନକୃଷ୍ଣ ଦାସଙ୍କ ସମ୍ବନ୍ଧରେ ପାଠକେ ଅଳ୍ପ ବା ଅଧିକ ଜାଣନ୍ତି । ସୁତରାଂ ‘ରସବିନୋଦ’ ରଚୟିତା ଦୀନକୃଷ୍ଣ ଦାସଙ୍କର ଯତ୍‍ସାମାନ୍ୟ ପରିଚୟ ଏହିଠାରେ ଦିଆଗଲା ।

 

ଦୀନକୃଷ୍ଣ ଦାସ “ସୁବର୍ଣ୍ଣରେଖା ନଦୀତୀର । କଟକ ନାମ ଜଳେଶ୍ୱର”ରେ ଜନ୍ମଗ୍ରହଣ କରିଥିଲେ । ଏହାଙ୍କ ପିତାଙ୍କ ନାମ ମଧୁସୂଦନ ଦାସ-

 

“ମଧୁସୂଦନ ଜ୍ୟେଷ୍ଠଶିଷ୍ୟ

ଭଣିଲେ ଦୀନକୃଷ୍ଣ ଦାସ ।”(ରସବିନୋଦ) ।

 

ଏ ଜାତିରେ ରଜପୁତ-

 

“ମୁଁ ଛାର କାହିଁରେ ଗଣନା

ଜାତିରେ ରାଜପୁତ୍ର ସିନା ।” ରସବିନୋଦ) ।

 

ଏ ଓଡ଼ିଶା ରାଜା ଦିବ୍ୟସିଂହ ଦେବଙ୍କ ରାଜତ୍ୱ ସମୟର କବି, ଅର୍ଥାତ୍‍ ରସକଲ୍ଲୋଳ ରଚୟିତା ଦୀନକୃଷ୍ଣ ଦାସଙ୍କ ସମକାଳୀନ ଥିଲେ । କବି ‘ନାମରତ୍ନଗୀତା’ରେ କହିଅଛନ୍ତି-

 

ସେହି କୁରୁବଂଶେ ଜନ୍ମ ହେବେ ନରବର ।

ଦିବ୍ୟସିଂହ ନାମ ଯେ ହୋଇବ ତାହାଙ୍କର ॥

X X X X

ସପ୍ତଦଶ ଅଙ୍କ ଯେଉଁକାଳେ ହେବ ପୁଣ ।

ଯୁଧିଷ୍ଠି ଜନମିଥିବେ ଦିବ୍ୟସିଂହ ଜାଣ ॥

X X X X

ଯେଉଁ କାଳେ ସପ୍ତଦଶ ଅଙ୍କ ହେବ ଜାଣ ।

ଯୁଧିଷ୍ଠିର ନାମେ ଥିବ ଦିବ୍ୟସିଂହ ରାଣ ॥

X X X X

 

କବି ‘ରସବିନୋଦ’ରେ ନିମ୍ନୋଦ୍ଧୃତ ଆତ୍ମପରିଚୟ ଦେଇଅଛନ୍ତି-

 

“ପୂର୍ବ ବାସନା ଆଦିମୂଳେ

ଜନମ ରାଜପୁତ୍ର କୁଳେ

ସୁବର୍ଣ୍ଣରେଖା ନଦୀତୀର

କଟକ ନାମେ ଜଳେଶ୍ୱର

 

ସପତ ପୁରୁଷ ମୋ ତହିଁ

ଗଲାଣି ଏତେ କାଳ ବହି

ବନ୍ଧୁ କୁଟୁମ୍ବ ତହିଁ ଯେତେ

ରହିଣ ଅଛନ୍ତି ସମସ୍ତେ

 

ଡଣିଆ ରାଜ୍ୟର ନିକଟେ

ସକଳ ଚଉଦଣ୍ଡପାଟେ

ସମସ୍ତେ ଅଛନ୍ତି ଯେ ପୂରି

ମୋତେ ଆଣିଲେ ଦେବ ହରି

 

ହୃଦରେ ଅନୁଗ୍ରହ କଲେ

ଦକ୍ଷିଣ ଦିଗକୁ ଆଣିଲେ

ଦେଖିଲି ଓଢ଼୍ରରାଷ୍ଟ୍ର ଦେଶ

ଓଡ଼ିଶା ଭୂମିରେ ପ୍ରବେଶ

॥”

 

କବି ଯେତେବେଳେ ଓଡ଼ିଶାରେ ଆସି ରହିଲେ, ତାହାଙ୍କ ଜାତୀୟ ଲୋକେ ତାହାଙ୍କଠାରେ ‘ଚଳିଲେ’ ନାହିଁ; କବି ବୋଲି ମଧ୍ୟ କେହି ପଚାରିଲେ ନାହିଁ । ଏହା ତାହାଙ୍କୁ ଅବଶ୍ୟ ବାଧିଥିଲା; ଏଣୁ କବି ଅଭିମାନରେ ସ୍ଫୀତ ହୋଇ କହିଅଛନ୍ତି-

 

ଅନେକ ଜାତି ଗୋତ୍ର ମୋର

ଅଛନ୍ତି ଓଡ଼ିଶା ରାଜ୍ୟର

କେହି ତ ନ ଚଳିଲେ ମତେ

ବନ୍ଧୁ କୁଟୁମ୍ବ ଛନ୍ତି ଯେତେ

 

ମୋହର ବାସନାର ଭାବ

କେହି ସେ ନ ପାରିଲେ ଠାବ

ଯେ ଲୋକ ନ ଜାଣନ୍ତି ମତେ

ତାହାଙ୍କ ବୁଦ୍ଧି ଅବା କେତେ

 

ସେମାନେ ଜାତିଗର୍ବେଶ୍ୱର

ମୁଁ ତାଙ୍କ ଜନ୍ମରୁ କୋୟର

ପଦ ଯୋଡ଼ିଲି ବୋଲନିକି

ବଡ଼ିମା କହିବି ତହିଁକି

X X X

 

 

ବୋଧହୁଏ କବି ସଙ୍ଗତିସମ୍ପନ୍ନ ନ ଥିଲେ । ସେ ଖୋରଧା ନିକଟବର୍ତ୍ତୀ ଭୀମନଗରସ୍ଥ କୌଣସି ବଳରାମ ସାମନ୍ତସିଂହାରଙ୍କ ଅନୁସରଣରେ ରହି ଜୀବିକା ନିର୍ବାହ କରୁଥିଲେ । “ଯାହାର ଲୁଣ ଖାଇ, ତାହାର ଗୁଣ ଗାଇ” ଏହା ସ୍ୱଭାବସିଦ୍ଧ । କବି ମଧ୍ୟ ଏହି ସ୍ୱାଭାବିକ ରୀତ୍ୟନୁସାରେ ଉକ୍ତ ବଳରାମ ଦାସ ସାମନ୍ତସିଂହାରଙ୍କ ବଂଶବୃକ୍ଷ ‘ରସବିନୋଦ’ରେ ଲିପିବଦ୍ଧ କରି ଆନ୍ତରିକ କୃତଜ୍ଞତାର ପରିଚୟ ଦେଇଅଛନ୍ତି । କାଳେ କାର୍ଯ୍ୟକାରୀ ହେବ, ଏହି ଆଶାରେ ଉକ୍ତ ବଂଶବୃକ୍ଷ ନିମ୍ନରେ ଉଦ୍ଧୃତ ହେଲା-

 

କୋଦିନେ ମାନସିଂହ ସାଇଁ

ଅଇଲେ ଓଡ଼ିଶାକୁ ବାହି

ସେଦିନ ରାମଚନ୍ଦ୍ର ରାଜା

ସୁଖେ ପାଳନ୍ତି ଜନ ପ୍ରଜା

 

ଖୋରଧା କଟକ ନବର

ରହିଣ ଥିଲେ ନୃପବର

ଅଣଚାଳିଶ ଅଙ୍କ ଭୋଗ

କରି ହୋଇଲେ ମୃତ୍ୟୁ ଯୋଗ

 

ଏହାଙ୍କ ପୁତ୍ର ଅନୁପମ

ପୁରୁଷୋତ୍ତମ ଦେବ ନାମ

କୋଡ଼ିଏ ନବ ଅଙ୍କ ଭୋଗ

କରି ହୋଇଲେ ମୃତ୍ୟୁ ଯୋଗ

 

ତାହାଙ୍କ ମଧ୍ୟମ ତନୁଜ

ନୃସିଂହ ଦେବ ମହାରାଜ

କୋଡ଼ିଏ ତେର ଅଙ୍କ ଥିଲେ

ବିନ୍ଦୁ ଚରଣେ ସେବା କଲେ

X

X

X

 

ତାହାଙ୍କ ଅନ୍ତେ ନୃପମଣି

ଗଙ୍ଗାଧରକୁ କଲେ ଆଣି

ସେ ରାଜା ବେନି ମାସ ଥିଲେ

ଅଳପ ଦିନେ ନାଶ ଗଲେ

 

ତାହାଙ୍କ ଅନ୍ତେ ନୃପମଣି

ଓଡ଼ିଶା ରାଜ୍ୟକୁ କାରଣୀ

ବଳଭଦର ଦେବ ନାମ

ଖୋରଧା କଟକେ ବିଶ୍ରାମ

X

X

X

 

ସେ ରାଜା ପାଞ୍ଚ ଅଙ୍କଠାରେ

ଥିଲା ସୁବ୍ରହ୍ମ ନଦୀତୀରେ

ଭୀମ ଯେ ନଗ୍ରୀ ଦଣ୍ଡପାଟ

ଖୋର୍ଦ୍ଧାକୁ ଚାରି କୋଶ ବାଟ

 

ସେ ହଦଗଡ଼େ କରି ଘର

ପୁରୁଷୋତ୍ତମ ବିଦ୍ୟାଧର

ତାହାଙ୍କ ପୁତ୍ର ଅନୁପମ

ଯୁକତେ ନୀଳକଣ୍ଠ ନାମ

 

ସେ କିଛିଦିନ ରାଜ୍ୟ କଲେ

ବୈକୁଣ୍ଠ ଭୁବନକୁ ଗଲେ

ତାହାଙ୍କ ପୁତ୍ର ଅନୁପମ

ସାମନ୍ତ ସଦାଶିବ ନାମ

X

X

X

 

ଧର୍ମ କୀରତିମାନ କଲେ

ସ୍ୱର୍ଗଭୁବନକୁ ସେ ଗଲେ

ତାହାଙ୍କ ପୁତ୍ର ଅନୁପମ

ଯୁକତେ ବଳରାମ ନାମ

 

ପଦ ଯେ ସାମନ୍ତସିଂହାର

ବାସନା ଅତି ଅଗୋଚର

X

X

X

 

ଯାହାକୁ ମୋର ପ୍ରତିଆଶା

ତେଣୁଟି କହିଲି ଏ ଭାଷା

ଯାହାର ଅନ୍ନବସ୍ତ୍ର ଖାଇ

ତା ସୁଖ ଚିନ୍ତା କରୁଥାଇ

X

X

X

 

 

ଏହି ବଂଶବୃକ୍ଷ ସହିତ ହଣ୍ଟର ସାହେବଙ୍କ ଓଡ଼ିଆ ଇତିହାସ ତୁଳନା କରି ଦେଖିଲେ କବି ଦିବ୍ୟସିଂହଙ୍କ ସମୟରେ ଜୀବିତ ଥିବାର ଅନୁମିତ ହୁଏ ।

 

ଦୀନକୃଷ୍ଣ ଦାସ ଅନେକ ଉପାଦେୟ ଗ୍ରନ୍ଥ ରଚନା କରିଅଛନ୍ତି । ସେଥିର ଦୀର୍ଘ ତାଲିକା ଖଣ୍ଡିଏ କବି ‘ରସବିନୋଦ’ର ମୁଖବନ୍ଧରେ ଦେଇଅଛନ୍ତି । ଉକ୍ତ ତାଲିକାଟି ଏହିପରି-

 

ପ୍ରଥମ ବୋଲି ମୋର ସାର

ପ୍ରତ୍ୟକ୍ଷ ଏ ଗୁଣସାଗର

ଆଠଶ ଚଉଦ ଏ ପଦ

ଭକତ ଭାବନାର ଭେଦ

 

ତା ପଛେ ଯେଉଁ ଗ୍ରନ୍ଥ ହୋଇ

ଭାବସମୁଦ୍ର ବୋଲି କହି

ଏ ଗ୍ରନ୍ଥ ବୋଲି ସସ୍ରେ ପଦ

ଦୁଇଶ କୋଡ଼ିଏ ଶବଦ

 

ତହୁଁ ହୋଇଲା ଭୂତକେଳି

ସହସ୍ରେ ପଦରେ ଏ ଝଳି

ତା ପଛେ ସଂସାରବୋଧନ

ସତୁରି ପଦରେ ପ୍ରଚ୍ଛନ୍ନ

 

ଅମୃତସାଗର ଏ ଗ୍ରନ୍ଥ

ସେ ଗୀତଗୋବିନ୍ଦର ଅର୍ଥ

ଏ ପଦ ବେନି ସସ୍ରେ ଲେଖ

କୋଡ଼ିଏ ପଦ ଯେ ଅଧକ

 

ତା ପଛେ ଯେଉଁ ଗ୍ରନ୍ଥ ସାର

ନାମ ତା ମୁକତିସାଗର

ଏ ଗ୍ରନ୍ଥ ପାଞ୍ଚ ସସ୍ର ପଦ

ନିବିଡ଼େ ଅଛି ଭାବ ଭେଦ

X

X

X

 

ସେ ଶାସ୍ତ୍ରେ ଗୁପତ ଉତ୍ତମ

ପ୍ରସ୍ତାବସାଗର ତା ନାମ

ଏ ଶାସ୍ତ୍ରଗୋଟି ସର୍ବ ଭେଦ

ସାତଶ ପଞ୍ଚାଶ ଏ ପଦ

X

X

X

 

ଏଥି ଉତ୍ତାରୁ ଯେଉଁ ଗ୍ରନ୍ଥ

କହିବା ତହିଁ ଆଦି ଅନ୍ତ

ସେ ଶାସ୍ତ୍ର ଜଗତେ ଉତ୍ତମ

ତତ୍ତ୍ୱସାଗର ଏହା ନାମ

 

ଏ ପଦ ଗଣିତା ଯେ କରି

ଦୁଇ ସହସ୍ର ଅଠସ୍ତରି

ତା ପଛେ ଶାହାସ୍ତ୍ରେ ଉତ୍ତମ

ଜଗମୋହନ ଛନ୍ଦ ନାମ

 

ଏ ଗ୍ରନ୍ଥ ଗୁଣ କି କହିବା

ଛଅଶ ଅଶୀ ପଦେ ନିର୍ଭା

ଜାମ୍ବୁବତୀଙ୍କ ବିଭା ଯେଉଁ

ଆଠଶ ଅଶୀ ପଦ ସେହୁ

 

ଶ୍ରୀବୃନ୍ଦାବନେ ଯେ ରାହାସ

ଗୋପି ଗୋବିନ୍ଦ ପ୍ରେମରସ

ଏ ଶାସ୍ତ୍ର ପ୍ରଚ୍ଛନ୍ନ ସମ୍ବାଦ

ଅଶୀ ଯେ ସସ୍ର ନଉ ପଦ

 

କଂସର ବିଭାଗ୍ରନ୍ଥ ଗୋଟା

ବେନି ସହସ୍ର ଶତେ ନିଷ୍ଠା

ଜ୍ଞାନସାଗର ତହିଁ ପଛ

ତହିଁକି କିସ ଦେବା ଲକ୍ଷ

 

ସେ ଗ୍ରନ୍ଥ କହୁଅଛି ଏକା

ପାଞ୍ଚଶ ନଉ ପଦେ ଲେଖା

ଧର୍ମସାଗର ଗ୍ରନ୍ଥସାର

ତହିଁ ମହିମା ଅଗୋଚର

 

ଏଥି ଉତ୍ତାରେ ପଦ ନିର୍ଭା

ଶ୍ରୀୟା ଯେ ସତ୍ୟବତୀ ବିଭା

କାଳିନ୍ଦୀ କମଳା ତୁଳସୀ

ଏମନ୍ତ ପଞ୍ଚୁ ପାଟବଂଶୀ

 

ବିଭା ହୋଇଲେ ପଦ୍ମମୁଖ

ଏ ଗ୍ରନ୍ଥ ଗୋଟି ଶାସ୍ତ୍ରସୁଖ

ଦରିଦ୍ର ଦାମୋଦର ଦ୍ୱିଜ

କହୁଛି ସେ ଗ୍ରନ୍ଥର ବୀଜ

 

ଏ ଶାସ୍ତ୍ର କହିବା ନିକରେ

ତିନିଶ ପନ୍ଦର ପଦରେ

ଏଥି ଉତ୍ତାରେ ଗ୍ରନ୍ଥବୀର

ଗୀତା ଯେ ନାମରତ୍ନ ସାର

 

ଏ ଗ୍ରନ୍ଥ ପଦ ଦିବ୍ୟ ତତ୍ତ୍ୱ

ଦୁଇ ସହସ୍ର ପାଞ୍ଚ ଶତ

ଏ ଗ୍ରନ୍ଥ ପ୍ରଚ୍ଛନ୍ନ (ଅନ) ଉପମ

ରସବିନୋଦ ବୋଲି ନାମ

 

ଏ ଗ୍ରନ୍ଥ ଦଶ ସସ୍ର ପଦ

ଦୁଇଶ ଅଶୀରେ ସମ୍ବାଦ

ଭକ୍ତିସାଗର ଗ୍ରନ୍ଥ ଗୋଟା

ପାଞ୍ଚଶ ଅଶୀ ପଦେ ନିଷ୍ଠା

 

ଏଥି ଉତ୍ତାରେ ଗ୍ରନ୍ଥ ସାର

ଲକ୍ଷଣ ସ୍ତିରୀ ପୁରୁଷର

ମହିମାସାଗର ଯେ ଗ୍ରନ୍ଥ

କହିବା ତହିଁ ଆଦି ଅନ୍ତ

X

X

X

 

ଆବର ଚଉତିଶାମାନ

ଯେତେକ ହୋଇଛି ଲେଖନ

ଗୋଟିଏ ଗୋଟିଏ ଯେ କରି

କେତେ କହିବି ନାମ ଧରି

X

X

X

 

 

ଏହି ତାଲିକା ଦେଖି ସାହିତ୍ୟସେବକ ମାତ୍ରେ ସ୍ୱୀକାର କରିବେ, ଦୀନକୃଷ୍ଣ ଦାସ ଓଡ଼ିଆ ଭାଷାର ଅସମ୍ପୂର୍ଣ୍ଣ ଭଣ୍ଡାରରେ ଅନେକ ଅମୂଲ୍ୟ ଜିନିଷ ପୂରାଇ ପ୍ରାକୃତିକ ଓଡ଼ିଶାକୁ ଚିରଋଣୀ କରିଅଛନ୍ତି । ଏ ରସକଲ୍ଲୋଳ ପ୍ରଣେତା ଦୀନକୃଷ୍ଣ ଦାସଙ୍କର ଯଶଃ ଯତ୍‍କିଞ୍ଚିତ୍‍ ଅପହରଣ କରିଥିଲେ ମଧ୍ୟ, ଏହାଙ୍କୁ ଯଥାଯୋଗ୍ୟ ଭକ୍ତି କରିବାରେ କେହି ଓଡ଼ିଆ କୁଣ୍ଠିତ ହେବେ ନାହିଁ, ଏହା ଆମ୍ଭର ଦୃଢ଼ ବିଶ୍ୱାସ । କବି ‘ରସବିନୋଦ’ରେ କହିଅଛନ୍ତି-

 

ସବୁ ଶାହାସ୍ତ୍ର ଦଧି ଭାଣ୍ଡ

ତହିଁ ମେଲିଲି ଖୁଆଦଣ୍ଡ

X

X

X

 

ଏ କଥାମାନ ସବୁ ଖୋଜି

ମୋର ମନରେ ହେଜି ହେଜି

X

X

X

 

ଏ ଶାସ୍ତ୍ରବୀଜମାନ ସୁଖେ

ଖୋଜି ଆଣିଲି ନାନା ଦୁଃଖେ

 

ଯାହାଙ୍କର ଏପରି ବହୁକାଳବ୍ୟାପୀ ପରିଶ୍ରମ ଓ ଚେଷ୍ଟାଦ୍ୱାରା ଓଡ଼ିଆ ଭାଷାର ସଂକୀର୍ଣ୍ଣ କଳେବର ଏତେଦୂର ପ୍ରସାରିତ ହୋଇଅଛି, ସେ ଅବଶ୍ୟ ଓଡ଼ିଆମାନଙ୍କର ଶିରୋଧାର୍ଯ୍ୟ ।

 

କୃଷ୍ଣଦାସଙ୍କ ଗ୍ରନ୍ଥରେ ‘ରସକଲ୍ଲୋଳ’ର ପଦଲାଳିତ୍ୟ, ବାକ୍ୟପଲ୍ଲବ ଓ ବର୍ଣ୍ଣନା ସୌନ୍ଦର୍ଯ୍ୟ ନାହିଁ ସତ୍ୟ, କିନ୍ତୁ ତାହାଙ୍କ ଭାଷା ଅତି ସରଳ, ସହଜବୋଧ; ରଚନା ପରିପକ୍ୱ ଓ ଅନାଡ଼ମ୍ବର । କବି କଳ୍ପନାର ଚାକଚକ୍ୟ ଦେଖାଇ ନ ଥିଲେ ମଧ୍ୟ, ବକ୍ତବ୍ୟ ବିଷୟଗୁଡ଼ିକ ସରଳ, ସ୍ୱଚ୍ଛନ୍ଦ ଭାବରେ ଲେଖିଯାଇଅଛନ୍ତି । ଦୃଷ୍ଟାନ୍ତ ଦେଖାନ୍ତୁ-

 

ସପତ ସିନ୍ଧୁ ଯେତେ ଜଳ

ତହିଁ ମୁଁ ଲୋଡ଼ୁଅଛି ଥଳ

ଆକାଶପୁର ଯେତେ ବ୍ୟାପୀ

ହସ୍ତରେ ଲୋଡ଼ୁଅଛି ମାପି

 

କରେ କି ଧରି ହୋଏ ଇନ୍ଦୁ

ଖୋରିରେ ବାହି ଲୋଡ଼େ ସିନ୍ଧୁ

ପବନ ଅଣଚାଶଠାକୁ

ଫାନ୍ଦ ପାତିଛି ଧରିବାକୁ

 

ସୂତାର ନିଶୁଣି ଲଗାଇ

ସ୍ୱର୍ଗକୁ ଲୋଡ଼ୁଅଛି ଯାଇ

ପିମ୍ପୁଡ଼ି ହୋଇ ଏଡ଼େ ବଳୀ

ମେରୁକୁ ଲୋଡ଼ୁଅଛି ପେଲି

 

ଯୁଧିଷ୍ଠିରଙ୍କ ଗୁଣ ବର୍ଣ୍ଣନା ମଧ୍ୟ ଦେଖନ୍ତୁ-

 

ଧର୍ମରେତରେ ଜାତ ହୋଇ

ଅଧର୍ମ ପାଶକୁ ନ ଯାଇ

ଶୋକ ସନ୍ତାପ ନାହିଁ ଚିତ୍ତେ

ଧର୍ମଆଚାର ବୃତ୍ତି ନିତ୍ୟେ

 

ହୃଦ ଭିତରେ ନାହିଁ ମାୟା

ଜୀବରେ ନିରନ୍ତର ଦୟା

ଶାନ୍ତ ଶୀତଳ ଦୁଇ ମତ

ପରସ୍ତିରୀରେ ନାହିଁ ଚିତ୍ତ

ପରକୁ ନ କରନ୍ତି ରୋଷ

କ୍ଷମା କରନ୍ତି କଲେ ଦୋଷ

 

କବିଙ୍କ ସ୍ତ୍ରୀ ବର୍ଣ୍ଣନା ପ୍ରାୟ ସର୍ବତ୍ର ସଂକ୍ଷିପ୍ତ ଓ ସଂଯମିତ । ଦୁଇ ଚାରି ପଦରେ ରୂପ, ଯୌବନ, ଶୋଭା ସମସ୍ତ ସମାପ୍ତ । କୁନ୍ତୀ, ମାଦ୍ରୀ ଓ ଚନ୍ଦ୍ରାବତୀଙ୍କ ବର୍ଣ୍ଣନା ଦେଖନ୍ତୁ-

 

ଯୁଗତେ ଅପୂର୍ବ ସୁନ୍ଦରୀ

ରୂପକୁ ରମ୍ଭା ନୋହେ ସରି

X

X

X

 

ଅତି ସୁନ୍ଦର ଦିବ୍ୟ ଶୋଭା

ରୂପକୁ ସମ ନୋହେ ରମ୍ଭା

କାମଭଣ୍ଡାର ଦିବ୍ୟ ବାମା

ଲାବଣ୍ୟସିନ୍ଧୁ ଶୁଦ୍ଧସୀମା

X

X

X

 

ଅତ୍ୟନ୍ତ ସୁନ୍ଦର ଯୁବତୀ

ନାମ ତାହାର ଚନ୍ଦ୍ରାବତୀ

 

କବିଙ୍କ ଉପମାଗୁଡ଼ିକ ଜନସାଧାରଣଙ୍କ ଦୈନିକ ସମ୍ଭାଷଣରୁ ଉତ୍ତୋଳିତ-

 

ଏ କଥା କହିଦେବା ଫେଡ଼ି

ଧାନରେ ଯେସନ ଅଗାଡ଼ି

X

X

X

 

ଦିହୁଡ଼ି ଆଗେ ନିକି ଦୀପ

ଜଳି ଦିଶିବ ଦିବ୍ୟ ରୂପ

କାଷ୍ଠରେ ପୋକ ଯେହ୍ନେ ପଶି

କୋରିଣ ଖାଉଥାଇ ବସି

 

କବିଙ୍କର କୌଣସି ଗ୍ରନ୍ଥ ରସକଲ୍ଲୋଳ ପରି ବିବିଧ ଛନ୍ଦୋବନ୍ଧରେ ଲିଖିତ ହୋଇନାହିଁ । ତାହାଙ୍କ ଗ୍ରନ୍ଥଯାକରେ ଚାରୋଟି ବା ପାଞ୍ଚୋଟି ବୃତ୍ତ ମାତ୍ର ବ୍ୟବହୃତ ହୋଇଅଛି । ଯଥା- ବିଂଶାକ୍ଷରୀ (ଗୁଣସାଗର), ଚତୁର୍ଦ୍ଦଶାକ୍ଷରୀ (ନାମରତ୍ନଗୀତା, ଏକାଦାଶାକ୍ଷରୀ (ପ୍ରସ୍ତାବସିନ୍ଧୁ), ନବାକ୍ଷରୀ (ରସବିନୋଦ) ।



 

 

ଦ୍ୱାରକା ଦାସ

(ପ୍ରେମରସଚନ୍ଦ୍ରିକା - ରଚୟିତା)

 

ଦ୍ୱାରକା ଦାସ ଜଣେ ନିମ୍ନସ୍ତରର କବି । ଏ କୌଣସି ସୁବିସ୍ତୀର୍ଣ୍ଣ ଗ୍ରନ୍ଥ ଲେଖିଥିବାର ଜଣାଯାଏ ନାହିଁ । ଯାହାହେଉ, ଓଡ଼ିଆ ଭାଷାର ଇତିହାସ ଧାରାବାହିକରୂପେ ଲେଖିବାକୁ ହେଲେ ଦ୍ୱାରକା ଦାସଙ୍କ ବିଷୟ ଜାଣିବା ନିତାନ୍ତ ଆବଶ୍ୟକ । ଦ୍ୱାରକା ଦାସ ବୋଧହୁଏ ସନ୍ନ୍ୟାସୀ ଥିଲେ । ତାହାଙ୍କ ‘ସପ୍ତପୋଈ’ରେ ଲେଖାଅଛି- “ଖଣ୍ଡି କୁଡ଼ିଆ କନ୍ଥଡ଼ା ବସ୍ତ୍ର ମୋର । ଫଳ ମୂଳ ଖାଇ ଦିନ ମୁଁ ବଞ୍ଚେଇ କଷ୍ଟ ମୁଁ ସହିବି କେତେ ।” ଏ କୌଣସି ରାମଦାସଙ୍କର ଶିଷ୍ୟ- “ଏହି ପଥକୁ କରିଅଛି ଆଶ । ପାପୀ ପାମର ରାମଦାସ ଶିଷ୍ୟ ।” (ପ୍ରେମରସ ଚନ୍ଦ୍ରିକା) । ଦ୍ୱାରକା ଦାସ ଓଡ଼ିଶା ରାଜା ତେଲଙ୍ଗା ମୁକୁନ୍ଦ ଦେବଙ୍କ ରାଜତ୍ୱ ସମୟରେ ଜୀବିତ ଥିଲେ ଓ ବଳରାମ ଦାସଙ୍କର ସମକାଳୀନ ଲୋକ । ବଳରାମ ଦାସଙ୍କ ‘ଗୁପ୍ତଗୀତା’ରେ ଲେଖାଅଛି-

 

ଶ୍ରୀହରି ବୋଇଲେ ଶୁଣ ଅର୍ଜୁନ

ମୁକୁନ୍ଦ ଦେବ ବୋଲିଣ ରାଜନ

ତାହାଙ୍କ ଯାଇ ସତାଇଶ ଅଙ୍କେ

ନାମ ତା ପଦନ ପଟ୍ଟନାୟକେ

 

ତାହାକୁ ଦିନେ ଯେ ଭେଟିଲେ ଦାସେ

କଲ୍ୟାଣ କରିଣ ବସିଲେ ପାଶେ

ଗୁପତଗୀତା ଅଧ୍ୟା ଥିଲା କାଖେ

ତାଙ୍କୁ ପଚାରିଲେ ପଟ୍ଟନାୟକେ

 

କି ପୁସ୍ତକ ଅଛି ଦାସେ କାଖରେ

ଫେଡ଼ିକରି ତାହା କହ ନିକରେ

ଆମ୍ଭେ ଶୁଣିବୁଁ କି ନା ଏହୁ ରସ

ଦାସେ ବୋଇଲେ ଜ୍ଞାନ ଉପଦେଶ

 

ଗୁପତେଗୀତା ଏ ଅଧ୍ୟା ଅଟଇ

ଶ୍ରୋତା ଯେବେ ଶୁଣେ ତାହା କହଇ

X

X

X

 

ଏ ଗୁପତ ଯେ ମହା ରସଗୀତା

ଆପଣେ କହ ହୋଇଣ ବକତା

ତାହାଙ୍କ ବଚନ ଶୁଣିଣ ଦାସେ

ପ୍ରସଙ୍ଗ କଲେ ତାଙ୍କ ଭାଷା ଆଶେ

 

ପୂର୍ବ ଜନ୍ମରେ ଆମ୍ଭ ଗୀତା କଲା

ପ୍ରଥମ ଅଧ୍ୟା ସିନା ହୋଇଥିଲା

ଏବେ ତାହା ଆମ୍ଭେ କହିବା ରହି

ତୁମ୍ଭେ ତା ଶୁଣିବ ଶ୍ରବଣ ଦେଇ

 

ଯେଣୁ ସେ କଥା ପଡ଼ିଲା ଆଣ୍ଟ

ଭକ୍ତକୁ କଟାଳ କଲେ ବହୁତ

ସେ ପୁଣି ମୋ ଛାମୁରେ ଜଣାଇଲା

ଅନେକ ସ୍ତୁତିରେ ବଚନ କଲା

 

ମୁଁ ତାଙ୍କ ହୃଦରେ ପଶିଲି ଯାଇ

ଗୀତା ତାହାକୁ ଦେଉଥାଇ କହି

ତେଣୁ କହିଲେ ତା’ ଦ୍ୱାରକା ଦାସ

ପଞ୍ଚତିରିଶ ଅଧ୍ୟା ହେଲା ଶେଷ

 

ପୂର୍ବ ଅଧ୍ୟା ଘେନି ଛବିଶ ହୋଇ

ପଟ୍ଟନାୟକ ତା ବିସ୍ତାରି କହି

ଶୁଣିଣ ପଦନ ପଟ୍ଟନାୟକ

ତିନି ପୁତ୍ର ଆଣି କଲେ ସେବକ

 

ଏମନ୍ତେ ଗୀତା ହୋଇଲା ସମ୍ପୂର୍ଣ୍ଣ

ଶୁଣିଲେ ସଂସାର ସକଳ ଜନ

X

X

X

 

 

କେହି କେହି ପଚାରି ପାରନ୍ତି, ତେଲଙ୍ଗା ମୁକୁନ୍ଦ ଦେବ ତ ସତର ବର୍ଷ ମାତ୍ର ରାଜତ୍ୱ କରିଥିଲେ; ତାହାଙ୍କର ସତାଇଶ ଅଙ୍କ ଆସିଲା କେଉଁଠୁ ? ଓଡ଼ିଶା ଇତିହାସରେ ଲେଖାଅଛି, ମୁକୁନ୍ଦ ଦେବଙ୍କ ଉତ୍ତାରୁ ଅନେକ ବର୍ଷ ପର୍ଯ୍ୟନ୍ତ ଓଡ଼ିଶା ଅରାଜକ ଥିଲା । ଏହି ଅରାଜକତା ସମୟରେ, ବୋଧହୁଏ, ଲୋକେ ସ୍ୱର୍ଗୀୟ ମୁକୁନ୍ଦ ଦେବଙ୍କ ନାମରେ ଅଙ୍କ ଗଣନା କରୁଥିଲେ । ଅତଏବ ମୁକୁନ୍ଦ ଦେବଙ୍କ ସତାଇଶ ଅଙ୍କ ବୋଲି ବଳରାମ ଦାସ ଯାହା କହିଅଛନ୍ତି, ତାହା ଅସଙ୍ଗତ ନୁହେଁ । ଅଥବା ‘ସପ୍ତଦଶ’ ବଦଳରେ ‘ସତାଇଶ’ ପଡ଼ି ଯାଇଥିବ ।

 

‘ଗୁପ୍ତଗୀତା’ ସହିତ ‘ପ୍ରେମରସ ଚନ୍ଦ୍ରିକା’ ତୁଳନା କରି ଦେଖିଲେ, ବଳରାମ ଦାସ ଓ ଦ୍ୱାରକା ଦାସ ଏକ ଶ୍ରେଣୀର ଲୋକ ଥିଲାପରି ପ୍ରତୀୟମାନ ହୁଏ । ଦୁହେଁ ବ୍ରହ୍ମଜ୍ଞାନୀ, ଦୁହେଁ ତତ୍ତ୍ୱଜ୍ଞାନୋପଦେଷ୍ଟା, ଦୁହେଁ ବୈଷ୍ଣବ ମତାବଲମ୍ବୀ । ବଳରାମ ଦାସ ଗୁପ୍ତଗୀତାରେ କେତେଗୋଟି ସମାନାକ୍ଷର ବିଶିଷ୍ଟ ଛନ୍ଦ ବ୍ୟବହାର କରିଅଛନ୍ତି । ଯଥା:- ଭାରତବୋଲି (ଆଧୁନିକ ବଙ୍ଗଳାଶ୍ରୀ), ଜଳକ୍ରୀଡ଼ାବାଣୀ (ଆଧୁନିକ ଚକ୍ରକେଳି), ଭାଗବତବାଣୀ (ଗୁଜ୍ଜରୀ), ଭୀଷ୍ମୈକବୋଲି କଳସାବାଣୀ । ଦ୍ୱାରକା ଦାସ ମଧ୍ୟ ଏଥିରୁ ଅନେକ ଛନ୍ଦ ତାହାଙ୍କ ପ୍ରେମରସଚନ୍ଦ୍ରିକାରେ ବ୍ୟବହାର କରିଅଛନ୍ତି ।

 

ଉଭୟଙ୍କ ଗ୍ରନ୍ଥରେ (ଗୁପ୍ତଗୀତା ଓ ପ୍ରେମରସ ଚନ୍ଦ୍ରିକା) ସମାନ ଭାବାତ୍ମକ କେତେଗୁଡ଼ିଏ ପଦ ଦୃଷ୍ଟ ହୁଏ । ଗୁପ୍ତଗୀତାରେ ଲେଖାଅଛି-

 

ସେ ବଳରାମ ଦାସ ଗୋପ୍ୟ କରି ।

ଅଧ୍ୟାୟେ କରିଣ ଜୀବନ ହାରି ।

X X X

ମୁଁ (ଜଗନ୍ନାଥ) ତାର ହୃଦରେ ପଶିଲି ଯାଇ ।

ଗୀତା ତାହାକୁ ଦେଉଥାଉଁ କହି ।

X X X

ପ୍ରଥମେ ଫେଡ଼ି ପୋଥିକି ରଖିଲେ ।

ଓଁକାର ଥାପି ହସ୍ତ ମାରିଦେଲେ ।

X X X

ପ୍ରେମରସଚନ୍ଦ୍ରିକାରେ କ’ଣ ଲେଖାଅଛି, ଦେଖନ୍ତୁ-

ଯାହା ତୁ ପଚାରିଲୁ ମତେ । ଗୁପତେ କହୁଅଛି ତତେ ॥

X X X

ନାରଦ ବିଷ୍ଣୁ ସମ୍ବାଦ ଏ ଉତ୍ତମ ସୁଜନ ଜନଙ୍କୁ ହିତ ।

ପାମର ଦ୍ୱାରକା ଦାସ ଭଣିଲେ ଆଜ୍ଞା ଦେଲେ ଜଗନ୍ନାଥ ॥

X X X

ଦୁଇକି ଦୁଇ ବିଭିନ୍ନ ଏଥି ନାହିଁ ଅଭେଦ ଏକଇ ଅଙ୍ଗ ।

ଯାହା ହାତ ମାରି ମୋତେ କହିଦେଲ ପ୍ରଚ୍ଛନ୍ନ ଏହି ଶ୍ରୀଅଙ୍ଗ ॥

 

ବଳରାମ ଦାସଙ୍କ ସହିତ ଦ୍ୱାରକା ଦାସଙ୍କର କେତେଦୂର ସାମଞ୍ଜସ୍ୟ ଅଛି, ଉପରୋଦ୍ଧୃତ ଅଂଶଗୁଡ଼ିକରୁ ପାଠକେ ସହଜରେ ହୃଦୟଙ୍ଗମ କରିପାରିବେ । ବୋଧହୁଏ, ବଳରାମ ଦାସ ଦ୍ୱାରକା ଦାସଙ୍କର ଅନୁକରଣ କରିଥିଲେ । ଗୁପ୍ତଗୀତାରେ ଲେଖାଅଛି- “ତେଣୁ କହିଲା ତା’ ଦ୍ୱାରକା ଦାସ, ପଞ୍ଚତିରିଶ ଅଧ୍ୟା ହେଲା ଶେଷ ।” ଅର୍ଥାତ୍‍ ଦ୍ୱାରକା ଦାସ ‘ପ୍ରେମରସ ଚନ୍ଦ୍ରିକା’ ଲେଖିଲା ବାଦ୍‍ ବଳରାମ ଦାସ ‘ଗୁପ୍ତଗୀତା’ ରଚନା କରିଥିଲେ ।

 

ପ୍ରେମରସ ଚନ୍ଦ୍ରିକାର ଭାଷା ସରଳ, ସଫା, ଗୁପ୍ତଗୀତାର ଭାଷା ଯତ୍‍କିଞ୍ଚିତ ଜଟିଳ । ଆମ୍ଭେ ଦ୍ୱାରକା ଦାସଙ୍କର ହସ୍ତଲିଖିତ କୌଣସି ପୁସ୍ତକ ଦେଖିନାହୁଁ । ଯେଉଁ ମୁଦ୍ରିତ ପୁସ୍ତକ ଆମ୍ଭ ହସ୍ତଗତ ହୋଇଅଛି, ସେଥିରେ ଭାଷା ପ୍ରକାଶଙ୍କ ଦ୍ୱାରା ପରିମାର୍ଜିତ ହୋଇଥିବାର ସମ୍ଭାବନା । ନତୁବା ସମାନାକ୍ଷର ବିଶିଷ୍ଟ ଛନ୍ଦରେ ଲେଖି ବଳରାମ ଦାସ ରାମାୟଣର ସାରଲ୍ୟ ଗୁପ୍ତଗୀତାରେ ରକ୍ଷା କରିପାରି ନାହାନ୍ତି ।

 

‘ସପ୍ତପୋଈ’ ଦ୍ୱାରକା ଦାସଙ୍କର ଅନ୍ୟତମ ପୁସ୍ତକ । ଏଥିର ଭାଷା ପ୍ରେମରସଚନ୍ଦ୍ରିକାର ଭାଷା ଅପେକ୍ଷା ସରଳ । ନମୁନା ଦେଖନ୍ତୁ-

 

ଧରଣୀ ମଧ୍ୟରେ ଏ ଦୁଃଖସାଗରେ ଭାସିଯାଉଛି ପଡ଼ି ମୁହିଁ ।

ଧରି ଶଙ୍ଖଚକ୍ର କିପାଇଁ ବସିଛ ଧରିବାର ଶୋଭା ପାଇନାହିଁ ॥

 

ନୀରକ୍ଷ ଜନରେ ଦୟା ଯେବେ ନାହିଁ ଥାଇ କି ହୋଇବ ବିଜେ କରି ।

ନୀଳଚକ୍ରେ ନେତ ଉଡ଼ିବାର ନିନ୍ଦା ହେବ ଦ୍ୱାରକା କହଇ ସ୍ମରି ॥

 

ରଖ ବା ନ ରଖ ମୁଁ ତୋ କିଣା ଲୋକ ଆଉ ମୋର ସଖା କାହିଁ ।

ଦୁଃଖ ପାଇ ରାଗେ ଗାଳି ମୁଁ ଦେଉଛି ମୋ ଦୋଷ ଘେନିବ ନାହିଁ ।

 

ନାତେ ଯେ ମାଇଲା ଶ୍ରୀବତ୍ସ ବ୍ରାହ୍ମଣ ମାଳା ପରି ଅଛ ଘେନି ।

ଲବଣୀ ଗୋପରେ ଚୋରୀ କରି ଖାଅ କି ବୋଲନ୍ତି ଗୋପାଳୁଣୀ ॥

 

ବୋଇଲେ ବୋଇଲେ ଦୋଷ କ୍ଷମା କର କ୍ଷମାଶୀଳ ନାମ ତୋର ।

ବିପତ୍ତି କାଳେ ତୁମେ ସେହ୍ନା ନୋହିଲେ ବଞ୍ଚେ କି ଦ୍ୱାରକା ଛାର ॥

X X X X

ଝାଡ଼େ ହରିଣୀ ଚିନ୍ତା କରୁଁ ତାରିଲ ଇନ୍ଦ୍ର ଗରବ ଗଞ୍ଜିଲ ହରି ।

ଝାଡ଼ପାଣି କଷାଫଳ ଖାଇ ଯୋଗୀ ସାଧି ସାଧି ଗଲେ ଦେହ ହାରି ॥

 

ନିକଟକୁ ଦୂର ଦୂରକୁ ନିକଟ ପ୍ରସନ୍ନ ହେଲେ ଏମନ୍ତ ହୁଅ ।

ନୀରକ୍ଷ ଦ୍ୱାରକା ଛାମୁରେ ଜଣାଏ ମୋହଠାରେ କିମ୍ବା ଏଡ଼େ କୋହ ॥

X X X X

 

ଦ୍ୱାରକା ଦାସ ଆଉ କି କି ଗ୍ରନ୍ଥ ଲେଖିଅଛନ୍ତି, ଜାଣିବାର ଇଚ୍ଛା ରହିଲା ।



 

ଧନଞ୍ଜୟ ଭଞ୍ଜ

(ରଘୁନାଥବିଳାସ - ରଚୟିତା)

 

ପ୍ରାଚୀନ କାଳରେ ଓଡ଼ିଆ ଭାଷା ପ୍ରତି ଓଡ଼ିଆ ରାଜାମାନଙ୍କର ଯେଉଁ ଆଦର ଥିଲା, ତାହା ଆଜିକାଲି ସ୍ମରଣ କଲାମାତ୍ରେ ମନରେ ଘୋର ଦୁଃଖ ଜାତ ହୁଏ । କେହି କେହି ପଣ୍ଡିତମାନଙ୍କୁ ନିଜ ଆଶ୍ରୟରେ ରଖି, ଉତ୍ସାହ ପ୍ରଦାନ କରି ଓଡ଼ିଆ ଭାଷାରେ ନାନାଦି ଗ୍ରନ୍ଥ ଲେଖାଉଥିଲେ । କେହି କେହି ଏତିକିରେ ତୃପ୍ତ ନ ହୋଇ, ରାଜ୍ୟ ଶାସନ ପରିତ୍ୟାଗପୂର୍ବକ ନିଜେ ସାହିତ୍ୟ କ୍ଷେତ୍ରରେ ଦଣ୍ଡାୟମାନ ହୋଇ ଗ୍ରନ୍ଥ ରଚନା କରି ମାତୃଭାଷାର ପୁଷ୍ଟି ସାଧନ କରୁଥିଲେ । ପ୍ରାଚୀନ ଓଡ଼ିଆ ଗ୍ରନ୍ଥ ସବୁ ଉଦ୍‍ଘାଟନ କରି ଦେଖିଲେ, ଏହା କେତେଦୂର ସତ୍ୟ, ସହଜରେ ଜଣାଯିବ । ଏହି ରାଜାମାନଙ୍କ ମଧ୍ୟରେ ଧନଞ୍ଜୟ ଭଞ୍ଜ ଜଣେ । ଧନଞ୍ଜୟ ଭଞ୍ଜ ଗଞ୍ଜାମ ଜିଲ୍ଲାନ୍ତର୍ଗତ ଘୁମୁସର ତାଲୁକାର ରାଜା ଥିଲେ । ଏ ଗୋପୀନାଥ ଭଞ୍ଜଙ୍କ ପୁତ୍ର ଓ ବିଖ୍ୟାତ କବି ଉପେନ୍ଦ୍ର ଭଞ୍ଜଙ୍କର ପିତାମହ । ଉପେନ୍ଦ୍ର ଭଞ୍ଜ ଲେଖିଅଛନ୍ତି-

 

ବିଶିଷ୍ଟ ବଶିଷ୍ଠପାଳକା

ଶ୍ରୀରାମେ ଦତ୍ତ ରାଜଟୀକା

ସେ କୁଳେ ରାଜା ଧନଞ୍ଜୟ

ସମସ୍ତ ଗୁଣର ନିଳୟ

 

ତଦ୍‍ବତ ତାହାଙ୍କ ତନୁଜ

ନରେଶ ନୀଳକଣ୍ଠ ଭଞ୍ଜ

ତାହାଙ୍କ ଜ୍ୟେଷ୍ଠ ସୁତ ମୁହିଁ

ଉପେନ୍ଦ୍ର ଭଞ୍ଜ ନାମ ବହି

 

 

-ଲାବଣ୍ୟବତୀ

 

 

କୁନ୍ଦେନ୍ଦୁ କାନ୍ତି କୀର୍ତ୍ତି ରଣରଣ କାନ୍ତି

ରଣେଶ୍ୱର ରଣ ଭଞ୍ଜ ନୃପତି

କୁଶାନୁତେଜ ତାଙ୍କ ତନୁଜ

କୃତରୁ ପ୍ରତାପ ପ୍ରତାପ ଭଞ୍ଜ

 

କନିଷ୍ଠ ସୁତ ତାଙ୍କ ଭୁଭୃତ

କରି ଗୋପୀନାଥ ନାମ ବିଦିତ

କବି ନୃପବର ତାଙ୍କ କୁମର

କହି ଧନଞ୍ଜୟ ନାମ ତାଙ୍କର

 

କାଶ୍ୟପୀକାନ୍ତ ତାହାଙ୍କ ସୁତ

କୃତଜ୍ଞ ନୀଳକଣ୍ଠ ଭଞ୍ଜ ସତ

 

 

-ରସପଞ୍ଚକ

 

 

କବି ସଂସ୍କୃତ ଭାଷାରେ ଉତ୍ତମ ବ୍ୟୁତ୍ପତ୍ତି ଲାଭ କରିଥିଲେ, ଏହା ତାହାଙ୍କ ଗ୍ରନ୍ଥ ‘ରଘୁନାଥ ବିଳାସ’ ଦ୍ୱାରା ସେ ପ୍ରମାଣ କରାଇ ଦେଇଅଛନ୍ତି । ଏତଦ୍‍ଭିନ୍ନ ସଙ୍ଗୀତ ଓ ସାହିତ୍ୟରେ ମଧ୍ୟ ସେ ବିଶେଷ ପାରଗ ଥିଲେ । ଖଣ୍ଡିଏ ହସ୍ତଲିଖିତ ଘୁମୁସର ଭଞ୍ଜ ବଂଶାନୁଚରିତରେ ଲେଖାଅଛି-

 

ଏହାଙ୍କର ସୁତ ନାମ ଧନଞ୍ଜୟେ

ସମସ୍ତ ଗୁଣରେ ଅଟନ୍ତି ନିପୁଣ ଏ

ସଙ୍ଗୀତ ସାହିତ୍ୟ କବିତା ରଚନ

ରଘୁନାଥ ବିଳାସ ପୁସ୍ତକ ବିଦ୍ୟମାନ

 

ବଡ଼ ଦାନୀ ଧାର୍ମିକଗୁଣରେ ନିପୁଣ

ଧନଞ୍ଜୟପୁର ନାମେ ଶାସନ ଦାନ

ବଳିଆରପଣେ ଅଟନ୍ତି ଚତୁର

ଛୟାଳିଶ ବରଷ ହେଲେ ଏ ନୃପବର

 

ଉପରୋଦ୍ଧୃତ ଅଂଶରୁ ଜଣାଯାଏ, କବି ୪୬ ବର୍ଷ ରାଜତ୍ୱ କରିଥିଲେ । ସିଂହାସନାରୂଢ଼ ହେଲାବେଳକୁ ତାହାଙ୍କ ବୟସ ୨୫ରୁ ଊଣା ହୋଇନଥିବ । ତାହାହେଲେ କବି ୭୧ ବର୍ଷ ବୟସରେ ମାନବଲୀଳା ସମ୍ବରଣ କରିଥିବେ । ପୌତ୍ର ଉପେନ୍ଦ୍ର ଭଞ୍ଜ ଓଡ଼ିଶା ରାଜା ଦିବ୍ୟସିଂହ ଦେବଙ୍କ ସମୟର ଲୋକ; ଅତଏବ ତାହାଙ୍କ ୧୦୦ ବର୍ଷ ପୂର୍ବେ ତାଙ୍କ ପିତାମହ ଧନଞ୍ଜୟ ଭଞ୍ଜଙ୍କ ଜନ୍ମକାଳ ନିରୂପଣ କଲେ ଅନ୍ୟାୟ ହେବନାହିଁ । ଘୁମୁସର ଭଞ୍ଜବଂଶାନୁଚରିତରେ ଲେଖାଅଛି-

 

ଏଥୁଅନ୍ତରେ ଶ୍ରୀ ଓଡ଼ିଶା ଦେଶର

ଶ୍ରୀରାମଚନ୍ଦ୍ର ଦେବ ମହାରାଜାଙ୍କର

ପାଟମହାଦେଈ ପଳାଇ ଆସିଲେ

ଲୁଚିକରି ଘୁମୁସର ରାଜ୍ୟେ ରହିଲେ

 

ଏହିଠାରେ ଶ୍ରୀବୀରକେଶରୀ ଜନ୍ମ

ନୃସିଂହପୁରଠାରେ ଠାକୁ ନିଧନ (?)

ଘନ ଭଞ୍ଜ ରାଜାଙ୍କ ସାହାଯ୍ୟରୁ କରି

କ୍ଷେତ୍ରେ ରାଜା ହେଲେ ଶ୍ରୀବୀରକେଶରୀ

 

କ୍ଷତ୍ରିୟବରପୁର ନାମେ ଶାସନ ଦାନ

ଘୁମୁସର ରାଜ୍ୟରେ କଲେକ ସ୍ଥାପନ

ଘନ ଭଞ୍ଜଙ୍କୁ ଦେଲେ କ୍ଷତ୍ରିବର ପଦ

ଓଡ଼ିଶାର ରାଜା ହେଲେ ବସିଣ ଆନନ୍ଦ

 

ଧନଞ୍ଜୟ ଭଞ୍ଜ ଘନ ଭଞ୍ଜଙ୍କର ଚତୁର୍ଥ ପୁରୁଷ । ଧନଞ୍ଜୟ ଭଞ୍ଜ ୪୬ବର୍ଷ, ରଣ ଭଞ୍ଜ ୪ ବର୍ଷ, ଘନ ଭଞ୍ଜ ୩୮ ବର୍ଷ । (ବୀରକେଶରୀ ଦେବଙ୍କ କଥା ଯଦି ସତ୍ୟ ହୋଇଥାଏ, ତେବେ ଧନଞ୍ଜୟ ଭଞ୍ଜ ସପ୍ତଦଶ ଶତାବ୍ଦୀର ପ୍ରାରମ୍ଭରେ (୧୯୦୩-୨୫+୪୬+୨+୪+୩୮) ଜନ୍ମଗ୍ରହଣ କରିଥିବେ ।

 

ପ୍ରାଚୀନକାଳର ଓଡ଼ିଆ ଭାଷା ଜୀବନ୍ତ ଭାଷା, ନୈସର୍ଗିକ ଶୋଭାପୂର୍ଣ୍ଣ । ପରବର୍ତ୍ତୀ ଭାଷା ସଂସ୍କୃତାଳଙ୍କାରେ ବିଭୂଷିତ, ଅତଏବ ସାରନିପୀଡ଼ିତ; ଯତ୍‍କିଞ୍ଚିତ୍‍ ନିର୍ଜୀବ କହିଲେ ମଧ୍ୟ ଅତ୍ୟୁକ୍ତି ହେବନାହିଁ । ଧନଞ୍ଜୟ ଭଞ୍ଜ ଏ ଦୁଇ ଯୁଗର ମଧ୍ୟବର୍ତ୍ତୀ । ଏହାଙ୍କ ରଘୁନାଥ ବିଳାସରେ ପ୍ରାଚୀନ କବିମାନଙ୍କର ସରସତା ଓ ଉଦ୍ଦୀପନା ଅଛି ଏବଂ ପରବର୍ତ୍ତୀ କବିମାନଙ୍କର ଶବ୍ଦାଡ଼ମ୍ବର ଓ ପାଣ୍ଡିତ୍ୟ ମଧ୍ୟ ଲକ୍ଷିତ ହୁଏ । ନମୁନା ସ୍ୱରୂପ ରଘୁନାଥ ବିଳାସରୁ କିୟଦଂଶ ନିମ୍ନରେ ଉଦ୍ଧୃତ ହେଲା-

 

(କ)

 

ବିଚାରିଣ ରାମ ବୋଲି ବୋଇଲା ବଚନ ।

ସୀତାୟା କର୍ଣ୍ଣରେ ସେ ପ୍ରବେଶ ହେଲା ସ୍ୱନ ଯେ ॥

 

ଉଠିକରି ଚଉଦିଗ ଅନାଇ ବୋଇଲା ।

ମଲାର ପ୍ରାଣୀକି କେହୁ ଜୀବଦାନ କଲା ଯେ ॥

 

ଦରିଦ୍ର ବାଞ୍ଛନ୍ତେ କେହୁ ଦେଲା କୋଟିନିଧି ।

ଦଗଧବନରେ କି ଅମୀୟ ସିଞ୍ଚିଲା ବିଧି ଯେ ॥

 

ଯେ କହିଲା ରାମ ନାମ ଆଉ ବୋଲୁ ସେହୁ ।

ଦେବତା କି ଆନ କେହୁ ପ୍ରତ୍ୟକ୍ଷ ଯେ ହେଉ ହେ ॥

 

(ଖ)

 

ଅସ୍ତ୍ର ପ୍ରହାରେ ଲୁଚିଲା ମିହିର

ବରଷାପ୍ରାୟେ ପଡ଼େ ଶରଧାର

ଦେଖି କୋପ କଲା ପବନସୁତ

ସ୍ତମ୍ଭ ବୁଲାଇ ପିଟିଲା ତ୍ୱରିତ

ରାବଣର ସୈନ୍ୟ ।

 

ନିମିଷମାତ୍ରେ କଲାକ ନିଧନ ॥

 

X X X

 

ରଥ ଉପରେ କଚାଡ଼ିଲା ରଥ

ଗଜକୁ ଧରି ଗଜ କଲା ଓଥ

ହୟ ପରେ ଦ୍ୱୟ କଲା ପ୍ରହାର

ସାଗର ଯେହ୍ନେ ମନ୍ଥଇ ମନ୍ଦର

ଘଡ଼ିକ ଭିତରେ ।

 

ସକଳ ସୈନ୍ୟ ପେଷେ ଯମପୁରେ॥

 

ସରଳ ସରଳହୃଦୟା ଦେଖରେ ସୁରଭି ସୁରଭି ଶୋଭନ

ଦେଖରେ ମୟୂର ମୟୂରକ ମୂଳେ କୁରୁବଳ ବକେ ରଞ୍ଜନ

ଆଗୋ ସଜନି ।

 

ସଜ ନିତ୍ୟ ହୁଏ ଏଥେ କାମ ॥

 

କୁମାର କୁମାର ଶୋଭା ଦେଖ ଏବେ ସୁନାରୀ ସୁନାରୀ ସମ

X X X

 

 

କୁମୁଦ କୁମୁଦ ମୋଦକାରୀ ନାମ ମୂର୍ତ୍ତି ।

ସୁଗ୍ରୀବ ସୁଗ୍ରୀବଠାରେ ବିଦିତ ଯା କୀର୍ତ୍ତି ଯେ ॥

 

ସୁଲକ୍ଷଣ ଲକ୍ଷଣ ଯାହାର ଅନୁଚର ।

ଶୁଭରତ ଭରତ ଯାହାର ପ୍ରୀତିକର ॥

 

ଶତ୍ରୁଘନ ଶତ୍ରୁଘନ ଯାର ଆଜ୍ଞାକାରୀ ।

ଅସୁର ଅସୁରହାରୀ ଅଯୋଧ୍ୟାବିହାରୀ ଯେ ॥

X X X

କାଶବିଶଦ କୀର୍ତ୍ତି ଯାହାର ସେ ରାମ ସବୁଁ ସାର ।

ସାରଙ୍ଗଧର ସମ୍ପୂର୍ଣ୍ଣ କଳାରୂପରେ ଅବତାର ॥

 

ତାର ରସରେ ପଞ୍ଚାଶ ଛାନ୍ଦ ହୋଇଲା ସମାପତି ।

ପତିତଜନପାବନ ପାଦେ ଭଣେ ଭଞ୍ଜ ନୃପତି ॥

 

(କ) ଚିହ୍ନିତାଂଶ ଯେଡ଼େ ସରସ ଓ (ଖ) ଚିହ୍ନିତାଂଶ ଯେଡ଼େ ଉତ୍ତେଜନାବ୍ୟଞ୍ଜକ, (ଗ) ଚିହ୍ନିତ ପଦଗୁଡ଼ିକ ତେଡ଼େ ରସହୀନ ଓ ନିର୍ଜୀବ । ଏଥିଦ୍ୱାରା କବି ଯେ କେବଳ ଆପଣାର ପାଣ୍ଡିତ୍ୟ ଦେଖାଇ ଅଛନ୍ତି ଏମନ୍ତ ନୁହେଁ, ଭାବୀ ଭଞ୍ଜୀୟ ଯୁଗର ସୂତ୍ରପାତ କରିଦେଇ ଅଛନ୍ତି ।

 

କବି ମୂଳ ରାମାୟଣର ବିଷୟ ଅପେକ୍ଷା ବର୍ଣ୍ଣନା ପ୍ରତି ବିଶେଷ ଲକ୍ଷ୍ୟ ରଖିଥିଲା ପରି ବୋଧହୁଏ । ରଘୁନାଥବିଳାସ ସବୁ ପଞ୍ଚାଶ ଛାନ୍ଦ; ଏଥିରୁ ମୋଟରେ ଦଶ ଛାନ୍ଦ ଋଷିଆଶ୍ରମ, ସୀତାଙ୍କ ବେଶ ଓ ଅଙ୍ଗପ୍ରତ୍ୟଙ୍ଗ, ଚିତ୍ରକୂଟ ପର୍ବତ, ଲଙ୍କାପୁର, ମଧୁବନ, ସାୟଂକାଳ, ପ୍ରାତଃକାଳ ଇତ୍ୟାଦି ବର୍ଣ୍ଣନାରେ ଯାଇଅଛି । ଏହି ବର୍ଣ୍ଣନାଗୁଡ଼ିକ ଅପେକ୍ଷାକୃତ ଦୀର୍ଘ ହେଲେ ସୁଦ୍ଧା କ୍ଳାନ୍ତିକର ନୁହେଁ; ନାନାବିଧ ସଂସ୍କୃତ ଅଳଙ୍କାରରେ ମଣ୍ଡିତ ହୋଇଥିଲେ ସୁଦ୍ଧା ଭାବରେ କୌଣସି ହାନି ଲକ୍ଷିତ ହୁଏନାହିଁ ।

 

ସୀତାଙ୍କ ବର୍ଣ୍ଣନା ଦେଖନ୍ତୁ-

 

ଧନ୍ୟ ରମଣୀ କୁଟିଳବେଣୀ ନିନ୍ଦେ ଭ୍ରମରଶ୍ରେଣୀ ।

କିଅବା କାମଦେବର ରମ୍ୟ ନୀଳକେତନ ଜାଣି ॥

 

କିଅବା ମୁଖଚନ୍ଦ୍ରକୁ ଗ୍ରାସି ରହିଛି ଘୋର ତମ ।

ରୋଷେଣ ପୁଚ୍ଛ ଲମ୍ବାଇଅଛି ଦିଶଇ ଅନୁପମ ॥

 

କିଅବା ନିଜ ପତି ଆଶାରେ ଅଛି ରଜନୀ ରହି ।

ତାରକା ସପତଣୀର ପାଶେ ନ ଯିବ ନିଶାସାଇଁ ॥

 

କିଅବା ଯୁବାନେତ୍ରଚାତକ ଅମୃତଦାନୀ ସେହୁ ।

କିଅବା ଯୁବାଜନନୟନ କାମତିମିର ଏହୁ ॥

 

କିଅବା ରତିନାଥରଥର ନୀଳ ଚାମର ଶୋଭା ।

ଦେଖିଲେ ହର ହାରିବ ଧୃତି ଜଗତଜନଲୋଭା ॥

 

କି ସେ କାଳିନ୍ଦୀତରଙ୍ଗଶ୍ରେଣୀ ପ୍ରାୟେକ ମନୋହର ।

ସୀମନ୍ତେ ଶୋଭା ସିନ୍ଦୂର ରବିସୁତା କି ପାଶେ ତାର ॥

 

କିବା ଅଞ୍ଜନାଚଳକନ୍ଦରଦରୀ ବାହାର ରବି ।

କି ନୀଳମଣି ଭୂମିରେ ଶୋହେ ମାଣିକ୍ୟଦଣ୍ଡ ଛବି ॥

 

ଶିରେ ଶୋଭିତ ମାରାଗମଣି ବିଦିତ ମାରତଣ୍ଡ ।

କି ଭାଲଧନୁପରେ ସାଜିଛି ମଦନ ଫୁଲକାଣ୍ଡ ॥

 

ନୀଳ କୁଟିଳ ଚୂର୍ଣ୍ଣକୁନ୍ତଳି ତଥିପାରଶ୍ୱେ ସାଜେ ।

କି ଭୃଙ୍ଗଗଣ କାମକୋଦଣ୍ଡେ ଜଗତଜୟ ରାଜେ ॥

 

କିବା ଲଲାଟପଟ ସୁନ୍ଦର ଅଷ୍ଟମୀ କଳାନିଧି ।

ଭ୍ରୂଲତା ଅର୍ଦ୍ଧକଳଙ୍କି ଶୋଭା ରବି ଛାଡ଼ିଲା ବିଧି ॥

 

କପୋଳଫାଳ ଅତି ମଞ୍ଜଳ କି କାମଦେବ ଫରି ।

କିବା ମୁକୁରଖଣ୍ଡ ମାଜିଣ ଥୋଇଲା ଲୋକକାରୀ ॥

X X X

 

ପ୍ରାତଃକାଳ ବର୍ଣ୍ଣନା ମଧ୍ୟ ଦେଖନ୍ତୁ-

 

X X X

ଦରମୁକୁଳିତ କୁମୁଦକୁଳ ତେଜି ଭ୍ରମର ।

ନଳିନ ନଳିନ ବିହାରେ ହୋଇ ଅତି ସତ୍ତ୍ୱର ॥

 

କମଳିନୀ ଚିତ୍ତ ଆନନ୍ଦେ ହେଲା ଏଣୁ ବିସ୍ତାର ।

ଯେଣୁ ହିମଲବ ଲୋତକ କରେ କଲା ତା’ ଦୂର ॥

 

ଦିବା-କାନ୍ତାକୁ ଆଲିଙ୍ଗନ କରେ ସହସ୍ର କରେ ।

ଦେଖିଲା ଶଶି ପଶିଲା ଅସ୍ତଗିରି ଗହ୍ୱରେ ॥

 

କୁମୁଦିନୀର ଶିରେ ପାଦ ଅତି କ୍ରୋଧରେ ଦେଲା ।

ରକ୍ଷକ ଭ୍ରମର ହୁଙ୍କାର ବାଣୀ ମନେ ନ କଲା ॥

 

ଇନ୍ଦୀବର-ଲତା-କାମିନୀ ଭୃଙ୍ଗମାଳ-କବରୀ ।

କରେ କି ଧରି ଆକର୍ଷିଲା ରବି ବିଧୁର ଧରି ॥

 

ଏସନ ଦେଖି ଭୟ ପାଇ ତମ କନ୍ଦରେ ଗଲା ।

କିଅବା ଛିନ୍ନଭିନ୍ନ ହୋଇ ଲତାନ୍ତରେ ରହିଲା ॥

 

କିବା ତମ-କରୀ ବିଦାର କଲା କରରେ ହରି ।

ଉଦୟ ଅଚଳ ଦରୀରୁ ଅତି ରୋଷ ପ୍ରସାରି ॥

 

ତେଣୁକରି ଅତି ଲୋହିତ ତାର ଶୋଣିତ କିଏ ।

ମୃଗ ଭୟେ ମୃଗ-ଲାଞ୍ଛନ ଗଲା ଅତି ସଭୟେ ॥

 

ଦିବ୍ୟ ମଣି ଦିନମଣି କି ପ୍ରାଚୀନାରୀ ଶିରର ।

କିବା ଉଦୟାଚଳ ଶିର ଜବାକୁସୁମ ସାର ॥

 

କିବା ସୁରରାଜ ମସ୍ତକକୁ ଏହୁ କନକ ଛତ୍ର ।

ଏକି କୁରୁବିନ୍ଦ ଫଳକ ଦିଶେ ଅତି ବିଚିତ୍ର ॥

 

ବଳରାମ ଦାସଙ୍କ ରାମାୟଣରେ ଯେପରି ଦ୍ୱିତୀୟା ବହୁବଚନରେ ‘ନ୍ନ’ ଓ ନିରାତ୍ତାର୍ଥରେ କ୍ରିୟାରେ ‘ତ’ ବ୍ୟବହୃତ ହୋଇଅଛି, ଧନଞ୍ଜୟ ଭଞ୍ଜଙ୍କ ରଘୁନାଥବିଳାସରେ ସ୍ଥାନେ ସ୍ଥାନେ ସେହିପରି ପ୍ରୟୋଗ ଦେଖାଯାଏ । ଯଥା:-

 

ଶୁଣି ଆନନ୍ଦ ବିଶ୍ୱାମିତ୍ର ଋଷିଗଣନ୍ତ ବରି ।

କରନ୍ତି ଯାଗବିଧାନ ତହିଁ ବେଦଧ୍ୱନି ବିସ୍ତାରି ॥

X X X

ତୁମ୍ଭର ଲୀଳା ଚରିତ କହିତ ମୋ ମନ ।

ଆଜ୍ଞା ଦିଅ ତୁମ୍ଭେ ମୋତେ ଜାନକୀରମଣ ହେ ॥

 

ଅନେକଠାରେ ଦ୍ୱିତୀୟା ଏକବଚନରେ ‘ରେ’ ବ୍ୟବହୃତ ହୋଇଅଛି । ଯଥା:-

 

ତାରେ ହୁଅ କୃପାଚେତା ହୁଅ ଶାପମୋକ୍ଷଦାତା ।

ଏତେ ବୋଲି ଧରି କର ସେ ଉର୍ଦ୍ଧ୍ୱରେତା ॥

X X X

ଯେହୁ ଭାଙ୍ଗିବ ତାରେ ଦେବ ଦୁହିତି ଯେ ।

 

ସେ, ଏହା, ଯିଏ, କିଏ ବଦଳରେ ସେହୁ, ଏହୁ, ଯେହୁ, କେହୁ ପ୍ରାୟ ସର୍ବତ୍ର ଦୃଷ୍ଟ ହୁଏ । ଯଥା:-

 

କିଅବା ଯୁବାନେତ୍ରଚାତକ ଅମୃତଦାନୀ ସେହୁ ।

X X X

ଦରିଦ୍ର ବାଞ୍ଛନ୍ତେ କେହୁ ଦେଲା କୋଟିନିଧି ।

X X X

ଯୁବା ଧଇର୍ଯ୍ୟ ତୃଣ ଦହନେ ଏହୁ କାଳାନଳ ।

 

ରଘୁନାଥବିଳାସ ଛଡ଼ା କବି ‘ଚଉପଦୀଭୂଷଣ’ ନାମରେ ଆଉ ଖଣ୍ଡିଏ ଗ୍ରନ୍ଥ ରଚନା କରିଅଛନ୍ତି । ଏଥିରେ ‘କ’ଠାରୁ ‘କ୍ଷ’ ପର୍ଯ୍ୟନ୍ତ ଚଉତିରିଶିଟି ଗୀତ ଅଛି । ଉପେନ୍ଦ୍ର ଭଞ୍ଜଙ୍କ ‘ଚଉପଦୀଭୂଷଣ’ ଧନଞ୍ଜୟ ଭଞ୍ଜଙ୍କ ‘ଚଉପଦୀଭୂଷଣ’ର ଅନୁକରଣ ପରି ବୋଧହୁଏ ।



 

ହଳଧର ଦାସ

(ଅଧ୍ୟାତ୍ମରାମାୟଣ - ଅନୁବାଦକ)

 

ଓଡ଼ିଆ ଭାଷାରେ ଅନେକ ମୂଳ ସଂସ୍କୃତ ଗ୍ରନ୍ଥର ଅବିକଳ ଅନୁବାଦ ଦେଖାଯାଏ । ଏହି ମୌଳିକ ଅନୁବାଦ ଗ୍ରନ୍ଥମାନଙ୍କ ମଧ୍ୟରେ ହଳଧର ଦାସଙ୍କର ଅଧ୍ୟାତ୍ମରାମାୟଣ ସର୍ବାପେକ୍ଷା ପ୍ରାଚୀନ । ହଳଧର ଜାତିରେ କରଣ, ବୈଷ୍ଣବ ମତାବଲମ୍ବୀ; ଏ ପୁରୁଷୋତ୍ତମବାସୀ ଶ୍ରୀ ଅନନ୍ତ ପଟ୍ଟନାୟକଙ୍କ କନିଷ୍ଠ ପୁତ୍ର । କବିଙ୍କ ଆତ୍ମପରିଚୟ ଏହି-

 

“ଶ୍ରୀଅନନ୍ତ ପଟ୍ଟନାୟକ

ସେ ବଡ଼ ବ୍ରହ୍ମଣ୍ୟ ଧାର୍ମିକ

ବିବେକୀ ଦାତା ଦାନ୍ତ ଶାନ୍ତ

ବଇଷ୍ଣବ ଆଚାରବନ୍ତ

କନିଷ୍ଠ ପୁତ୍ର ମୁଁ ତାଙ୍କର

ମୋହର ନାମ ହଳଧର’’

 

୨୪୯ ବର୍ଷ ତଳେ ଅଧ୍ୟାତ୍ମରାମାୟଣର ଅନୁବାଦ ଶେଷ ହୋଇଥିବାର କବିଙ୍କ ଗ୍ରନ୍ଥରୁ ଜଣାଯାଏ । ସେ ଉତ୍ତରାକାଣ୍ଡରେ କହିଅଛନ୍ତି-

 

ଚାରି ସହସ୍ର ସାତ ଶତ

ତେୟାଶୀ ବରଷେ ସଂଯୁତ

ଅଷ୍ଟାବିଂଶତି କଳିଯୁଗ

ଏତେକ ହୋଇଥିଲା ଭୋଗ

ଆଶ୍ୱିନ ମାସରେ ଏ ଗୀତ

ସର୍ବଶୁଭେ ହେଲା ରଚିତ

 

ମୂଳ ସଂସ୍କୃତର ସଙ୍ଗତି, ସନ୍ଦର୍ଭ ରକ୍ଷା କରି ଓଡ଼ିଆ ଭାଷାରେ ପଦ୍ୟାନୁବାଦ କରିବା ସହଜ ବ୍ୟାପାର ନୁହେଁ । ଏଥିପାଇଁ ପରିପକ୍ୱ ଧୀଶକ୍ତି ଓ ସଂଯତଚିତ୍ତ ଆବଶ୍ୟକ । ସୁତରାଂ ଅଧ୍ୟାତ୍ମରାମାୟଣ ରଚନା କଲାବେଳକୁ କବିଙ୍କ ବୟସ ୫୦ ବର୍ଷରୁ ଅଧିକ ବିନା ଊଣା ନ ଥିବ । ଅଧ୍ୟାତ୍ମରାମାୟଣର ଅନୁବାଦ କବିଙ୍କର ପ୍ରଥମୋଦ୍ୟମ ନୁହେଁ । ସେ ‘ହଳଧରକାରିକା’ ନାମରେ ଖଣ୍ଡିଏ ସଂସ୍କୃତ ଗ୍ରନ୍ଥ ରଚନା କଲା ବାଦ୍‍ ଅଧ୍ୟାତ୍ମରାମାୟଣ ପଦ୍ୟାନୁବାଦ କରିବାରେ ପ୍ରବୃତ୍ତ ହୋଇଥିଲେ । (ହଣ୍ଟର ସାହେବଙ୍କ ଓଡ଼ିଶା ଇତିହାସ ଦେଖନ୍ତୁ ।) ଏହା ଯଦି ସତ୍ୟ ହୋଇଥାଏ, ତେବେ ଦାସ ଖ୍ରୀଷ୍ଟ ୧୬୦୪ ସାଲରେ ବା ତନ୍ନିକଟ କୌଣସି ସମୟରେ ଜନ୍ମଗ୍ରହଣ କରିଥିବେ । କିନ୍ତୁ ‘ଋଷିକୃତ ଯେତେ ଚରିତ’ ସେ ସବୁ ସମାପ୍ତ କରି ସେ କହିଅଛନ୍ତି-

 

ଗଜପତି ମୁକୁନ୍ଦ ଦେବ

ବିବେକୀ ବ୍ରହ୍ମଣ୍ୟ ବୈଷ୍ଣବ

ପ୍ରଜାପାଳନେ ଧର୍ମ ସମ

ଦଣ୍ଡ୍ୟ ଲୋକଠାରେ ସେ ଯମ

 

 

 

 

ସଂଗ୍ରାମେ ମହେନ୍ଦ୍ର ସମାନ

ରୂପରେ ଯେସନ ମଦନ

ଯାଚକଠାରେ କଳ୍ପଦ୍ରୁମ

ତେଜରେ ଚଣ୍ଡକର ସମ

 

 

 

 

ତାହାର ଯଶଃ ପୁଣ୍ୟକୀର୍ତ୍ତି

ସମ୍ପୂର୍ଣ୍ଣ କରିଛି ଏ କ୍ଷିତି

ତାଙ୍କର ଯେତେ ଗୁଣମାନ

ତାହା କହିବ କେଉଁ ଜନ

 

 

 

 

ସବୁ ଉତ୍ତମ ଗୁଣଯୁତ

ସମସ୍ତ ଦୁର୍ଗୁଣରହିତ

ଏମନ୍ତ ପରକାରେ ଯେହି

ତାଙ୍କର ଅଟନ୍ତି ଯେ ଭାଇ

 

 

 

 

ଶ୍ରୀଅନନ୍ତ ପଟ୍ଟନାୟକ

ସେ ବଡ଼ ବ୍ରହ୍ମଣ୍ୟ ଧାର୍ମିକ

ବିବେକୀ ଦାତା ଦାନ୍ତ ଶାନ୍ତ

ବଇଷ୍ଣବ ଆଚାରବନ୍ତ

 

 

 

 

କନିଷ୍ଠ ପୁତ୍ର ମୁଁ ତାଙ୍କର

ମୋହର ନାମ ହଳଧର

 

ଏହା ପଢ଼ିଲାମାତ୍ରେ କବି ମୁକୁନ୍ଦଦେବଙ୍କ ସମୟରେ ଜୀବିତ ଥିବାର ବିଶ୍ୱାସ ହୁଏ । କିନ୍ତୁ ଅନନ୍ତ ପଟ୍ଟନାୟକ ମୁକୁନ୍ଦଦେବଙ୍କ ଭାଇ ବୋଲି କବି ଲେଖିଥିବାରୁ ଏ ବିଷୟରେ ଗଭୀର ସନ୍ଦେହ ଜାତ ହୁଏ । ସମ୍ଭବତଃ ମଧ୍ୟରେ କେତେଗୁଡ଼ିଏ ପଦ ଛାଡ଼ି ଯାଇଅଛି । ନୋହିଲେ ତେଲଙ୍ଗା ମୁକୁନ୍ଦଦେବ ତ ଦକ୍ଷିଣରୁ ଯାଇଥିଲେ; ସେ ଜାତିରେ କରଣ ହୋଇଥିବେ । ତାହାହେଲେ ଅଧ୍ୟାତ୍ମରାମାୟଣ ଆରମ୍ଭ କଲାବେଳକୁ ହଳଧରଙ୍କ ବୟସ- ସମଗ୍ର ଗ୍ରନ୍ଥ ଲେଖିବା ସକାଶେ ୬ ବର୍ଷ କାଟିଦେଲେ-୮୦ ହୋଇଥିବ । ଏପରି ଅନୁମାନ କରିବା ନିରାପଦ ନ ହେଲେ ମଧ୍ୟ, କବି ବୃଦ୍ଧ କାଳରେ ଅଧ୍ୟାତ୍ମରାମାୟଣ ଅନୁବାଦ ଆରମ୍ଭ କରିବାର ଆଭାସ ତାହାଙ୍କ ଗ୍ରନ୍ଥରୁ ମିଳୁଅଛି-

 

ଆହେ ପତିତପାବନ କରୁଣାନିଧାନ ।

ବଡ଼ ବେଗେ ମୋର ମନୋରଥ କର ପୂର୍ଣ୍ଣ ॥

 

ଏକେ ଅଧ୍ୟାତ୍ମ ସୁନ୍ଦରକାଣ୍ଡ ରଘୁନାଥ

କରିବି ଗୀତ ପାମରେ ହୋଇବେ କୃତାର୍ଥ ॥

 

ଅବିଘ୍ନ ହୋଇ ଏ ଅତି ବେଗେ ନିର୍ଭା ପାଉ ।

ଏରୂପେ ଭୋ ସ୍ୱାମୀ ମୋହଠାରେ କୃପା ହେଉ ॥

-ସୁନ୍ଦରାକାଣ୍ଡ

 

ଆହେ ରାଜେନ୍ଦ୍ର ସୀତାକାନ୍ତ

ତୁମ୍ଭର ଉତ୍ତର ଚରିତ

ସ୍ଫୁରୁ ମୋ ମନରେ ବହନ

ଏରୂପେ ହୁଅ ପରସନ

X

X

X

 

ବହନ ଏ ଉତ୍ତମ ହୋଇ

ମୋ ମନେ ସ୍ଫୁରୁ ଉମାସାଇଁ

 

 

-ଉତ୍ତରାକାଣ୍ଡ

 

 

କବି ଜଣେ ପ୍ରଧାନ ସଂସ୍କୃତଜ୍ଞ ପଣ୍ଡିତ ଥିଲେ, ଏହା କହିବା ବାହୁଲ୍ୟ ମାତ୍ର । ଯେଉଁ ବ୍ୟକ୍ତି ସଂସ୍କୃତରେ ଗ୍ରନ୍ଥ ରଚନା କରିଅଛନ୍ତି ଓ ଯାହାଙ୍କର ଅନୁବାଦ ମୂଳ ସଂସ୍କୃତାନୁଯାୟୀ, ତାହାଙ୍କର ଯେ ସଂସ୍କୃତ ଭାଷାରେ ବିଶେଷ ଦଖଲ ଥିଲା, ଏହା କିଏ ଅସ୍ୱୀକାର କରିପାରିବ ? ବେଦ, ଶାସ୍ତ୍ର, ପୁରାଣରେ ମଧ୍ୟ ହଳଧର ବିଶେଷ ପାରଙ୍ଗମ ଥିଲେ । ସେ କହିଅଛନ୍ତି-

 

ଶୁଣିଲି ଏ ଚିନ୍ତା କରନ୍ତେ

ବେଦ ପୁରାଣେ ସବୁ ଶାସ୍ତ୍ରେ

କେବଳ ଶ୍ରୀରଘୁନନ୍ଦନ

ପରମ ପତିତପାବନ

 

 

 

 

ଦୀନଲୋକର ପ୍ରିୟବନ୍ଧୁ

ଅପ୍ରମିତ କରୁଣାସିନ୍ଧୁ

ଏହା ଜାଣି ନିଶ୍ଚିନ୍ତ ହେଲି

 

 

 

ଯେଡ଼େ ବଡ଼ ପଣ୍ଡିତ ହେଲେ ମଧ୍ୟ ଅନ୍ୟର ସାହାଯ୍ୟ ବିନା କୌଣସି ଗ୍ରନ୍ଥ ରଚନା କରିବା କଷ୍ଟସାଧ୍ୟ । ଅତଏବ ରାୟପୁର ଶାସନବାସୀ ମହେଶ୍ୱରାଚାର୍ଯ୍ୟଙ୍କଠାରୁ ଅଧ୍ୟାତ୍ମରାମାୟଣର ଅର୍ଥ ପ୍ରଥମେ ଶୁଣି ପରେ କବି ଦେଶୀ ଭାଷାରେ ଅନୁବାଦ କରିଥିଲେ । କବି କୃତଜ୍ଞତାର ସହିତ ଲେଖିଅଛନ୍ତି-

 

ରାୟପୁର ନାମେ ଶାସନ

ତହିଁରେ ଅଟେ ମହାଜନ

ବତ୍ସସ ଗୋତ୍ରରେ ଜନମ

ମହେଶ୍ୱର ଆଚାର୍ଯ୍ୟ ନାମ

 

 

 

 

ବ୍ରହ୍ମ କର୍ମରେ ସେ ନିରତ

ପଣ୍ଡିତ ବଇଷ୍ଣବ ଶାନ୍ତ

ସେ ମୋତେ ଅନୁଗ୍ରହ କଲେ

ରାମାୟଣ ଅର୍ଥ କହିଲେ

 

 

 

 

ଶୁଣିଣ କୃତାର୍ଥ ହୋଇଲି

ତହିଁରୁ ଯେତେ ମୁଁ ବୁଝିଲି

ତାହା ଭାବନା କରି ଚିତ୍ତେ

ସବୁ ଲୋକମାନଙ୍କ ହିତେ

 

 

 

 

ସୀତା ରାମ ଉମା ଶଙ୍କର

ଏହାଙ୍କୁ କରି ନମସ୍କାର

ଦେଶ ଭାଷାରେ କଲି ଗୀତ

ଏ ତ ଅଗାଧ ସିନ୍ଧୁ ମତ

 

ଅଧ୍ୟାତ୍ମରାମାୟଣର ଭାଷା ପରିଶୁଦ୍ଧ; ମୂଳ ସଂସ୍କୃତର ଅବିକଳ ଅନୁବାଦ ହେଲେ ମଧ୍ୟ ଏଥିରେ ସଂସ୍କୃତର ପ୍ରଖରତା ତେତେ ଦେଖାଯାଏ ନାହିଁ । କବି ବହୁଳ ପରିମାଣରେ ସୁଲଭ ଶବ୍ଦ ବ୍ୟବହାର କରି ରଚନାର ସରଳତା ପ୍ରତିପାଦନ କରିବାରେ କିଛି ମାତ୍ର ତ୍ରୁଟି କରିନାହାନ୍ତି । ନମୁନା ଦେଖନ୍ତୁ-

 

ସମସ୍ତଙ୍କ ହୃଦରେ ଅଛନ୍ତି ଯେଉଁ ରାମ ।

ତାହାଙ୍କର ଦୂତ ମୁଁ ରେ ରାକ୍ଷସ ଅଧମ ॥

 

ତୁ ନିଶ୍ଚୟ ଆପଣାର ନାଶ ହେବା ପାଇଁ ।

ଯାଗ ଘରୁ ହବି ଯେହ୍ନେ କୁକୁର ନିଅଇ ॥

 

ସେରୂପେ ତାଙ୍କର ଯହୁଁ ହରିଲୁ କାନ୍ତାକୁ ।

ତେଣୁ ସେ ରାମ ଆସି ମାତଙ୍ଗ ପର୍ବତକୁ ॥

 

ହୁତାଶନ ସାକ୍ଷୀ କରି ସୁଗ୍ରୀବ ସଙ୍ଗରେ ।

ମିତ୍ର ହୋଇ ବାଳିକି ମାଇଲେ ଏକ ଶରେ ॥

 

ବାନର ରାଜ୍ୟେ ମିତ୍ରକୁ ଅଭିଷେକ କଲେ ।

ସେ ସୁଗ୍ରୀବ ଏବେ ନିଜ କପିଙ୍କର ତୁଲେ ॥

 

ଶ୍ରୀରାମ ଲକ୍ଷ୍ମଣ ଦୁହିଁଙ୍କର ସଙ୍ଗତରେ ।

କୁଶଳେ ଅଛନ୍ତି ପ୍ରସ୍ରବଣ ଗିରିବରେ ॥

 

ଜାନକୀଙ୍କି ଖୋଜିବାର ପାଇଁ କପୀଶ୍ୱର ।

ଦଶ ଦିଗକୁ ପେଷିଣ ଅଛନ୍ତି ବାନର ॥

 

ମୁଁ ତାଙ୍କ ମଧ୍ୟରେ ଜଣେ ନାମ ହନୁମାନ ।

ପବନ ଦେବତାଙ୍କର ଅଟଇ ନନ୍ଦନ ॥

 

ସବୁ ଦିଗ ଖୋଜନ୍ତେ ମୁଁ ଏଠାରେ ମିଳିଲି ।

ପଦ୍ମ ପତ୍ରାକ୍ଷୀ ସୀତାଙ୍କୁ ତୋ ପୁରେ ଦେଖିଲି ॥

 

ମର୍କଟ ସ୍ୱଭାବରୁ ମୁଁ ନାଶ କଲି ବନ ।

ମୋତେ ମାରିବାକୁ ଧନୁ ଶର ଧରି ସୈନ୍ୟ ॥

-ସୁନ୍ଦରାକାଣ୍ଡ

 

କବିଙ୍କ ବର୍ଣ୍ଣନା ଗୁଡ଼ିକ ସଂସ୍କୃତାନୁଯାୟୀ-

 

କି ଏ ମର୍କତ ରମ୍ଭା ତରୁ

ଉଲଟ ହୋଇଅଛି ଉରୁ

ମହୀନ୍ଦ୍ର କରିକୁମ୍ଭ ପ୍ରାୟେ

ନିତମ୍ବଯୁଗ ଶୋଭାପାଏ

 

 

 

 

କଟିଭାଗ ଡମ୍ବରୁମତ

ଉଦରେ ତ୍ରିବଳି ଶୋଭିତ

ହୃଦୟ ପୃଥୁଳ ବିସ୍ତାର

ଶ୍ରୀବତ୍ସ ଚିହ୍ନ ମନୋହର

 

 

 

 

ବକ୍ଷ ତମାଳ ବନ ତେଜି

ରୋମ ଛଳେ କି ଭୃଙ୍ଗରାଜି

ଗମନ୍ତି ମଧୁପାନ ଆଶେ

ନାଭି ସର ପଦ୍ମକୁ କି ସେ

X X X

 

ନିର୍ମଳ ଦର୍ପଣ ଯେସନ

ଏମନ୍ତ ପ୍ରକାର ବଦନ

ପ୍ରବାଳଶ୍ରେଣୀ କି ଅଧର

ଦଶନ ମୁକୁତା ପ୍ରକାର

 

 

 

 

କରୁଣା ରସରେ ସମ୍ପୂର୍ଣ୍ଣ

ବିକାଶ ପଙ୍କଜଲୋଚନ

ନାସିକା ଅତି ମନୋହର

ସବୁ ନେତ୍ରର କି ସେ ଘର

 

 

 

 

ଚିବୁକ ପରମ ରୁଚିର

ଗଣ୍ଡ କି ମର୍କତ ମୁକୁର

ହନୁ ବିପୁଳ ମନୋହର

ଭ୍ରୂଲତା ଧନୁର ଆକାର

 

 

 

 

ପାଟଳି ପୁଷ୍ପ କି ଏ କର୍ଣ୍ଣ

ଚାହିଁଲା ମାତ୍ରେ ବାନ୍ଧେ ମନ

କସ୍ତୁରୀ ଲେଖିଲା ସଦୃଶ

ରୁଚିର ଦିଶେ ଦାଢ଼ିନିଶ

 

 

 

 

ଲଲାଟ ଦିଶେ ମନୋହର

କି ଏ ଅଷ୍ଟମୀ ନିଶାକର

କୁଟିଳ ଅଳକାନିକର

ପଙ୍କଜରେ କି ଭୃଙ୍ଗବାର

 

 

 

 

ଚିକ୍‍କଣ କୁଞ୍ଚିତ କୁନ୍ତଳ

ଶ୍ୟାମଳ ଯେହ୍ନେ ଅଳିକୁଳ

X

X

X

 

 

 

-ଅଯୋଧ୍ୟାକାଣ୍ଡ

 

 

ଦୀନକୃଷ୍ଣ ଦାସଙ୍କ ‘ନାମରତ୍ନଗୀତା’ରେ ‘ହାନ୍ଦେ’ ଶବ୍ଦ ପରି ହଳଧରଙ୍କ ଅଧ୍ୟାତ୍ମରାମାୟଣରେ ‘ପୁଣ’, ‘ପୁଣି’ର ପ୍ରୟୋଗ ଢେର ଦେଖାଯାଏ । ଉଦାହରଣ ଦେଖିଲେ ଏଥିର ଯଥାର୍ଥ୍ୟ ସ୍ପଷ୍ଟ ଜଣାଯିବ-

 

ଲଙ୍କାଯାକ ନିଃଶେଷ କରିଣ ପୋଡ଼ିଦେଲି ।

ସେ ଉତ୍ତାରେ ପୁଣି ତୁମ୍ଭ ଛାମୁକୁ ଅଇଲି ॥

 

ପାର୍ବତୀଙ୍କି ଚାହିଁ ପୁଣି ଶଙ୍କର କହିଲେ ।

ପୁଣି ରାମ ବଡ଼ ହରଷରେ ଆଜ୍ଞା ଦେଲେ ॥

X X X

ତୁମ୍ଭେ ଦୁହେଁ ନ ଥିଲା ବେଳରେ ଯାହା ପୁଣ ।

ତାଙ୍କୁ ପୁଣ ଚୋରାଇ ନେଲା ଯାହା ରାବଣ ॥

-ସୁନ୍ଦରାକାଣ୍ଡ

 

ସେ ନିଃଶ୍ରେଣୀଙ୍କି ପାଇ ପୁଣ

ଜ୍ଞାନଯୋଗକୁ ଆହୋହଣ

X

X

X

 

ସେ ଉତ୍ତାରୁ ସମୁଦ୍ର ପୁଣ

ବହୁତ ବିନୟ ହୋଇଣ

 

 

-ଲଙ୍କାକାଣ୍ଡ

 

 

ଅନ୍ତ୍ୟ ବର୍ଣ୍ଣ ‘ଣ’ ଥିଲେ ପଦ ମିଳାଇବା ଟିକିଏ ସହଜ; ଅକ୍ଷର ନ ଅଣ୍ଟିଲେ ପଦ ମଧ୍ୟରେ ‘ପୁଣି’ ବିଶେଷ ସାହାଯ୍ୟ କରେ । ଏହି କାରଣରୁ ପରା ହଳଧର ‘ପୁଣ’ ଓ ‘ପୁଣି’ର ଆଶ୍ରୟ ନେଇଥିଲେ । ବହୁବଚନ ‘ମାନ’ ପ୍ରତ୍ୟୟ ମଧ୍ୟ କବି ଇଚ୍ଛାନୁସାରେ ବ୍ୟବହାର କରିଅଛନ୍ତି । ଯଥା:- ଗରଜନମାନ, ଚୁମ୍ବନମାନ, ମଧୁମାନ, ନୃତ୍ୟମାନ, ଅଶ୍ରୁଧାରାମାନ, ମୁଖମାନ, ଚେଷ୍ଟାମାନ ଇତ୍ୟାଦି । ଏଥିରୁ ମଧ୍ୟ ବୋଧହୁଏ ହଳଧର ଦାସ ଜଣେ ମହାନ୍‍ ସଂସ୍କୃତଜ୍ଞ ପଣ୍ଡିତ ଥିଲେ ।

 

ଅଧ୍ୟାତ୍ମରାମାୟଣରେ ଦୁଇଗୋଟି ଛନ୍ଦ ମାତ୍ର ଦୃଷ୍ଟ ହୁଏ । ଯଥା:- ଚତୁର୍ଦ୍ଦଶାକ୍ଷର (ସୁନ୍ଦରାକାଣ୍ଡ ମାତ୍ର) ଓ ନବାକ୍ଷର । ନବାକ୍ଷର ଛନ୍ଦରେ ଅନେକ ସ୍ଥଳରେ ଓ ଚତୁର୍ଦ୍ଦଶାକ୍ଷର ଛନ୍ଦରେ କୌଣସି କୌଣସିଠାରେ ଯତିଭଙ୍ଗ ଲକ୍ଷିତ ହୁଏ । ଯଥା:-

 

ଯୋଗମାୟା ଜନକ ଘରେ

ଜାତ ହେଲା ସୀତା ନାମରେ

ସୁନା ପଇତା ଶୋଭାବନ

କଟିତଟେ ପୀତ ବସନ

 

 

 

 

ଶଙ୍କର ବୋଲନ୍ତି ଭବାନି

ଯହିଁ ପୂର୍ଣ୍ଣ ବହୁତ ମୁନି

ଏ ଉତ୍ତାରେ ଶତେ ଯୋଜନ ସମୁଦ୍ର ଛାର

କି କଥା ଏ ଅବା ହୋଇ ନ ପାରିବି ପାର

 

ଅନୁବାଦ ଗ୍ରନ୍ଥମାନଙ୍କରେ ଏପରି ଦୋଷ ଧର୍ତ୍ତବ୍ୟ ନୁହେଁ । ମୂଳ ସଂସ୍କୃତର ଅର୍ଥ ମନେରଖି, ନିୟମବଦ୍ଧ ପଦ୍ୟରେ ସନ୍ନିବିଷ୍ଟ କରି, “ଭଗ୍ନପୃଷ୍ଠକଟିଗ୍ରୀବ ତୁଲ୍ୟଦୃଷ୍ଟିରଧୋମୁଖଃ” ହୋଇ ତାଳପତ୍ରରେ ଲେଖୁ ଲେଖୁ ତ କାଳ ଯାଉଥିବ, ଯତି ଆଡ଼େ ଦୃଷ୍ଟି କିପରି ରହିପାରିବ ?



 

Unknown

ଗୋପାଳ କବି

 

ପ୍ରାଚୀନ କାଳରେ ଯେ କେବଳ ଓଡ଼ିଆମାନେ ଭାଷାର ଉନ୍ନତି ସାଧନ କରୁଥିଲେ, ଏମନ୍ତ ନୁହେଁ । ଅନ୍ୟାନ୍ୟ ଦେଶର ଭାଷାରେ ଓଡ଼ିଆମାନେ ଯେପରି ଗ୍ରନ୍ଥ ରଚନା କରୁଥିଲେ ଓ କରୁଅଛନ୍ତି, ଅନ୍ୟାନ୍ୟ ଜାତୀୟ ଲୋକେ ମଧ୍ୟ ଓଡ଼ିଆ ଭାଷାରେ ସେପରି ଗ୍ରନ୍ଥ ରଚନା କରୁଥିଲେ । ଏହି ଓଡ଼ିଆ ହିତାକାଂକ୍ଷୀମାନଙ୍କ ମଧ୍ୟରେ ଜଣେ ପଶ୍ଚିମା (ପ୍ରେମପଞ୍ଚାମୃତ ରଚୟିତା କବି ଭୂପତି), ଜଣେ ବଙ୍ଗାଳୀ (ପରିମଳା-ପ୍ରଣେତା ନରସିଂହ ସେଣ) ଓ ଜଣେ ତେଲେଙ୍ଗା (ଅଧ୍ୟାତ୍ମରାମାୟଣ-ଅନୁବାଦକ) । ଶେଷୋକ୍ତ ବ୍ୟକ୍ତିଙ୍କ ପରିଚୟ ମାତ୍ର ଏହିଠାରେ ଦିଆଯାଉଅଛି । ତେଲେଙ୍ଗା କବିଙ୍କ ନାମ ଗୋପାଳ ବା ଗୋପାଳିଆ ।

 

“ତେଲେଙ୍ଗା କୁଳେ ମୁହିଁ ଜାତ

ମୋ ନାମ ଗୋପାଳ ପତିତ

।”

 

ଏ ଦକ୍ଷିଣରୁ ଯାଇ ସମ୍ବଲପୁରର ‘ଅଜିତ ସିଂହ’ ମହାରାଜାଙ୍କ ଆଶ୍ରୟରେ ରହିଲେ । ବୋଧହୁଏ, କବି ଅଜିତ ସିଂହଙ୍କ ‘ତେର ଦଣ୍ଡପାଟ’ରୁ କୌଣସି ଦଣ୍ଡପାଟରେ ସିପାଇ ହୋଇ ତାହାଙ୍କ ଶରୀରରକ୍ଷକ (body-guard) କାର୍ଯ୍ୟ କରୁଥିଲେ । ସେ ଅଧ୍ୟାତ୍ମରାମାୟଣର ଶେଷଭାଗରେ ଲେଖିଛନ୍ତି-

 

“ତାହାଙ୍କ ଅନ୍ନବସ୍ତ୍ର ଖାଇ

କ୍ଷେତ୍ରି ବୃତ୍ତିର ଆଶ୍ରେ ଥାଇ

ଶ୍ରୀମହାରାଜାଙ୍କ ସେବାରେ

କେବଳ ଥାଇ ନିରନ୍ତରେ

॥”

 

କବି ଅଜିତ ସିଂହଙ୍କ ପ୍ରତାପ ନିମ୍ନୋକ୍ତରୂପେ ବର୍ଣ୍ଣନା କରି ତାହାଙ୍କୁ ଆନ୍ତରିକ କୃତଜ୍ଞତା ଦେଖାଇଛନ୍ତି-

 

ଅଜିତ ସିଂହ ମହାରାଜ

ଶ୍ରୀ ଛତ୍ରସାଏଙ୍କ ଆତ୍ମଜ

ସମଲପୁରର ଈଶ୍ୱର

ସମଲେଶ୍ୱର ଇଷ୍ଟ ଯାର

 

 

 

 

ଅତିହିଁ ଧର୍ମଜ୍ଞ ନୃପତି

ବ୍ରାହ୍ମଣ ବୈଷ୍ଣବେ ଭକତି

ଦକ୍ଷିଣରାଏ ଦିଆନଙ୍କୁ

ସମର୍ପି ସକଳ ରାଜ୍ୟକୁ

 

 

 

 

ବିଶାଶେ କୋଶ ଆୟତନ

ଭୋଗ କରନ୍ତି ନିଶ୍ଚିନ୍ତେଣ

ଯେ ଅବା ତେର ଦଣ୍ଡପାଟ

ଭୟେଣ ସେବନ୍ତି ନିକଟ

 

 

 

 

ଅତିହିଁ ପ୍ରତାପୀ ଅଟନ୍ତି

ଗୃହେ ମିଳିଲା ବନହସ୍ତୀ

ଦକ୍ଷିଣ ଦେଶ ମରଟାଏ

ଧ୍ୱଂସିଲେ ପୂର୍ବ ଖଣ୍ଡଯାଏ

 

 

 

 

ସେ ପୁଣି ସମ୍ବଲପୁରେଣ

ଭୟରେ ନ ଛୁଅନ୍ତି ତୃଣ

ଆବର ରାଜାଙ୍କୁ ଭେଟନ୍ତି

ଯେ ତାଙ୍କ ସୈନ୍ୟ ସେନାପତି

 

 

 

 

ଭାସ୍କର ଆଦି ରଘୁରାୟେ

ସେନାକେ ଦିଅନ୍ତି ହସ୍ତୀଏ

ଏରୂପେ ପ୍ରତାପ ଯେତେକ

ତାହା ମୁଁ କହିବି କେତେକ

 

ଅଜିତ ସିଂହ ୧୬୬୦ ଖ୍ରୀଷ୍ଟାବ୍ଦଠାରୁ ୧୭୩୨ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ରାଜତ୍ୱ କରିବାର “ସମ୍ବଲପୁର ରାଜବଂଶର ଇତିହାସ”ରେ ଲେଖାଅଛି । ଏହି ୭୨ ବର୍ଷ ରାଜତ୍ୱର କେଉଁ ଭାଗରେ ଗୋପାଳ କବି ଅଧ୍ୟାତ୍ମରାମାୟଣ ଅନୁବାଦ କରିଥିଲେ, ନିରୂପଣ କରିବା କଷ୍ଟସାଧ୍ୟ । କିନ୍ତୁ ଏତିକି ଅନୁମାନ କରାଯାଇପାରେ, ଅଜିତ ସିଂହଙ୍କ ଭୟରୁ ମରହଟ୍ଟାମାନେ ସମ୍ବଲପୁରର ସୀମା ଲଙ୍ଘନ କରିପାରୁନଥିଲେ ।

 

“ଆବର ରାଜାଙ୍କୁ ଭେଟନ୍ତି

ଯେ ତାଙ୍କ ସୈନ୍ୟ ସେନାପତି

ଭାସ୍କର ଆଦି ରଘୁରାୟେ

ସେନାକେ ଦିଅନ୍ତି ହସ୍ତୀଏ

॥”

 

ବୋଲି କବି ଯାହା ଲେଖିଅଛନ୍ତି, ତାହା ଅଜିତ ସିଂହଙ୍କ ଯୌବନ ସମୟର କଥା ହୋଇଥିବ । ତାହାହେଲା କବି ସପ୍ତଦଶ ଶତାବ୍ଦୀର ଶେଷଭାଗରେ ଅଜିତ ସିଂହଙ୍କ ସେବାରେ ଥାଇ ଅଧ୍ୟାତ୍ମରାମାୟଣ ଅନୁବାଦ କରିଥିବେ । କବି କିପରି ଅଧ୍ୟାତ୍ମରାମାୟଣ ଅନୁବାଦ କରିପାରିଥିଲେ, ନିମ୍ନୋଦ୍ଧୃତ ଅଂଶଦ୍ୱାରା ସ୍ପଷ୍ଟ ବୁଝାଇ ଦେଇଛନ୍ତି-

 

ଶ୍ରୀମହାରାଜାଙ୍କ ସେବାରେ

କେବଳ ଥାଇ ନିରନ୍ତରେ

ଶ୍ରୀଜଗନ୍ନାଥ ଦେଉଳର

ପଶ୍ଚିମେ ରାଜାଙ୍କ ନଅର

 

 

 

 

ସେ ଜଗନ୍ନାଥ ମଣ୍ଡପେଣ

ନିତ୍ୟେହେଁ ରାଜାଙ୍କ ପୁରାଣ

ଶ୍ରୀ ରାଜଗୁରୁଙ୍କର ଭ୍ରାତ

କହ୍ନାଇ ମିଶ୍ର ନାମେ ଖ୍ୟାତ

 

 

 

 

କହନ୍ତେ ସେଠାବରେ ମୁହିଁ

ରାଜାଙ୍କ ସେବାରୁ ଶୁଣଇଁ

ରାମ ଚରିତ ରାମାୟଣ

ଈଶ୍ୱର ପାର୍ବତୀ ଆଖ୍ୟାନ

 

 

 

 

ନୈମିଷା ଅରଣ୍ୟରେ ସୁତ

କହନ୍ତେ ମୁନିଙ୍କ ଅଗ୍ରତ

ଶୁଣି ମୁଁ କରନ୍ତେ ଲେଖନ

ଅଦ୍ଭୁତେ ହୋଇଲା ସମ୍ପୂର୍ଣ୍ଣ

 

ସମଗ୍ର ଅଧ୍ୟାତ୍ମରାମାୟଣ ୭୭୩୨ ପଦରେ ସମ୍ପୂର୍ଣ୍ଣ- ଆଦି ୬୮୬, ଅଯୋଧ୍ୟା ୧୦୯୫, ଆରଣ୍ୟକ ୮୨୬, କିସ୍କିନ୍ଧ୍ୟା ୯୪୮, ସୁନ୍ଦରା ୬୮୦, ଲଙ୍କା ୧୯୭୮ ଓ ଉତ୍ତରା ୧୫୧୯ ପଦ । ପ୍ରକୃତ ରାମଚରିତ ଏତିକି । ପ୍ରସ୍ତାବନାର ୮୦ ପଦ ତୁଲେ ମୋଟ ୭୮୧୨ ପଦ । ଏସବୁ କବି ‘ତିନିପହର ଦିବାର’ରେ ରଚନା କରିଥିବାର ଲେଖିଛନ୍ତି । “ତିନିପହର ଦିବାରେଣ । ପୁସ୍ତକ ହୋଇଲା ସମ୍ପୂର୍ଣ୍ଣ ।” ‘ତିନିପହର ଦିବାର’ର ଅର୍ଥ ଯଦି ଚବିଶ ତିନି ପହର (ଅର୍ଥାତ୍‍ ୨୪ X ୩ X ୩ = ୨୧୬ ଘଣ୍ଟା) ହୋଇଥାଏ, ତେବେ ସେ ଘଣ୍ଟାକେ ହରାହାରି ୬ପଦ ହିସାବରେ ରଚନା କରିଥିବେ; ନତୁବା ‘ତିନିପହର ଦିବାର’ର ଅର୍ଥ ଯେବେ ଚଉଦ ତିନିପହର କରିବା, ତାହାହେଲେ ସେ ଘଣ୍ଟାକେ ହାରାହାରି ୬୨ ପଦ ହିସାବରେ ରଚନା କରିଥିବେ । ଯାହାହେଉ ଅର୍ଥ ଶୁଣି ଘଣ୍ଟାକେ ୩୭ ବା ୬୨ ପଦ ହିସାବରେ ରଚନା କରିବା ସହଜ ବ୍ୟାପାର ନୁହେଁ । କବିଙ୍କର ଯେ ଅସାଧାରଣ ସ୍ମରଣଶକ୍ତି ଓ କବିତ୍ୱ ଶକ୍ତି ଥିଲା, ଏଥିଦ୍ୱାରା ସ୍ପଷ୍ଟ ପ୍ରମାଣିତ ହେଉଅଛି । କବି ମଧ୍ୟ ନିଜେ ଆଶ୍ଚର୍ଯ୍ୟାନ୍ୱିତ ହୋଇ କହିଅଛନ୍ତି- “ଶୁଣି ମୁଁ କରନ୍ତେ ଲେଖନ । ଅଦ୍ଭୁତେ ହୋଇଲା ସମ୍ପୂର୍ଣ୍ଣ ।” ଏଡ଼େ ଆଶୁକବି ହୋଇ ସୁଦ୍ଧା ସେ କିପରି ସୌଜନ୍ୟର ପରିଚୟ ଦେଇଅଛନ୍ତି, ଦେଖନ୍ତୁ-

 

ଏ ଆଦି ପ୍ରାକୃତବନ୍ଧେଣ

ହୋଇଲେ ନବ ଅକ୍ଷରେଣ

ଏହୁ ମୋ ନୁହଇ ଆୟତ୍ତ

ଲେଖନ୍ତେ ହୋଇଲା ସ୍ଫୁରିତ

 

 

 

 

ଭକ୍ତଙ୍କ ଭୃତ୍ୟମାନଙ୍କର

ସଙ୍ଗ ତ ନ କଲି ତାଙ୍କର

ନିତ୍ୟେ ଅଧର୍ମ ଆଚରଇ

ପରସ୍ତିରୀଙ୍କି ମନ ଦେଇ

 

 

 

 

ହୋଇଣ ଇନ୍ଦ୍ରିୟ ଆୟତ୍ତ

ଧନେ ବ୍ୟାକୁଳ ମୋର ଚିତ୍ତ

ଆବର ଆବୃତରେ ଥାଇ

ନାନା ଜୀବିକା ଆଚରଇ

 

 

 

 

ପରର ହିତ ବୁଦ୍ଧି ତେଜି

ଅପକାରରେ ମନ ମଜ୍ଜି

ମିଥ୍ୟା ମୁଁ କହଇ ବହୁତ

ଅନେକ ଲଙ୍ଘଇ ସୁକୃତ

 

 

 

 

ଏଣୁ ପାତକୀ ମୋ ସମାନ

ନାହିଁ ନୋହିବ ଜଗତେଣ

 

ଗୋପାଳଙ୍କ ଅଧ୍ୟାତ୍ମରାମାୟଣ ମୂଳ ସଂସ୍କୃତର ସମ୍ପୂର୍ଣ୍ଣ ଅନୁବାଦ ନୁହେଁ । ଏଥିରୁ ସେ କେତେକ ବିଷୟ ଛାଡ଼ି ଦେଇଅଛନ୍ତି । କିନ୍ତୁ ଯାହା ଲେଖିଅଛନ୍ତି, ସେ ସବୁ ପ୍ରାୟ ମୂଳ ସଂସ୍କୃତାନୁଯାୟୀ; ନିଜର ଯୋଜନା ଥିଲାପରି ବୋଧହୁଏ ନାହିଁ । ହଳଧର ଦାସ ଓ ସୂର୍ଯ୍ୟମଣି ଚ୍ୟାଉପଟ୍ଟନାୟକଙ୍କ ଅଧ୍ୟାତ୍ମରାମାୟଣ ସହିତ ତେଲଙ୍ଗା କବିଙ୍କ ଅଧ୍ୟାତ୍ମରାମାୟଣ ତୁଳନା କରି ଦେଖନ୍ତୁ-

 

ଭବ ବୋଲନ୍ତି ଗୋ ଭବାନି

ସୀତା ଲକ୍ଷ୍ମଣ ସଙ୍ଗେ ଘେନି

ଅଗସ୍ତିଙ୍କଠାରୁ ଗମନ

କରନ୍ତେ ଶ୍ରୀରଘୁନନ୍ଦନ

 

 

 

 

ମହାଗିରିଶୃଙ୍ଗ ଯେସନ

ସେରୂପେ ଦିଶେ ଅପଘନ

ଜଟାୟୁ ଏମନ୍ତ ପ୍ରକାରେ

ବସିଛନ୍ତି ସୁଖେ ମାର୍ଗରେ

 

 

 

 

ଅତିଅନ୍ତ ବୃଦ୍ଧ ଅଟନ୍ତି

ତାହାଙ୍କୁ ଦେଖି ରଘୁପତି

କିଏ ବୋଲି ବିସ୍ମୟ ହେଲେ

ଲକ୍ଷ୍ମଣଙ୍କୁ ଚାହିଁ କହିଲେ

 

 

 

 

ଋଷିମାନଙ୍କୁ କରି ନାଶ

ମୋ ଆଗେ ପଡ଼ିଲା ରାକ୍ଷସ

ବହନ ଆଣ ଧନୁଶର

ଜୀବନ ହରିବି ତାହାର

 

 

 

 

ଶୁଣି ଜଟାୟୁ ଭୟ କଲେ

ରାମଙ୍କୁ ଏମନ୍ତ କହିଲେ

ମାରିବା ନୋହୁ ମତେ ବୀର

ସଖା ମୁଁ ଦଶରଥଙ୍କର

 

 

 

 

ଗୃଧ୍ର ମୁଁ ଜଟାୟୁ ମୋ ନାମ

ତୋ କାର୍ଯ୍ୟ କରିବି ଶ୍ରୀରାମ

ତୁମ୍ଭେ ଲକ୍ଷ୍ମଣ ମୃଗୟାକୁ

ଗଲେ ଜଗିଥିବି ସୀତାଙ୍କୁ

 

 

 

 

ରାମ ଯହୁଁ ଏହା ଶୁଣିଲେ

ସ୍ନେହ କରି ତାଙ୍କୁ କହିଲେ

ହେ ଗୃଧ୍ରରାଜ ମହାଶୟ

ତୁମ୍ଭେ ମୋହର ମାନ୍ୟ ପ୍ରିୟ

 

 

 

 

ଆସ ନିକଟେ ରହିଥିବ

ମୋର ପ୍ରୀତି କଥା କରିବ

ଏମନ୍ତ କହି ରାବଣାରି

ତାହାଙ୍କୁ ଆଲିଙ୍ଗନ କରି

 

 

-ହଳଧର ଦାସ

 

 

କହନ୍ତି ଶଶଧର ଶୁଣ ଧରସୁତା ।

ଏ ଉତ୍ତାରୁ ଶ୍ରୀରାମ ସଉମିତ୍ରି ସୀତା ॥

 

ଗମନକୁ ତିନିହେଁ କରନ୍ତି ତ୍ୱରାରେ ।

ବୃଦ୍ଧ ଜଟାୟୁଙ୍କୁ ଦେଖିଲେ ସେ ମାର୍ଗରେ ॥

 

ଶୈଳଶୃଙ୍ଗ ପରାୟେ ହୋଇଛନ୍ତି ସ୍ଥିତ ।

ଏହା କି ବୋଲି ରାମ ହୋଇଲେ ବିସ୍ମିତ ॥

 

ସୌମିତ୍ରିଙ୍କି ଚାହିଁ ବୋଇଲେ ଆହେ ଭାଇ ।

ଏହି କି ଋଷିଙ୍କର ଭକ୍ଷକ ଅଟଇ ॥

 

ଆମ୍ଭର ପୁରତରେ ସ୍ଥିତ ହୋଇଅଛି ।

ଚାପ ଆଣ ମାରିବି କୋପ ମୋ ହେଉଛି ॥

 

ଏହିରୂପେ ରାଘବ ବଚନକୁ ଶୁଣି ।

ଭୟେ ପୀଡ଼ା ପାଇ ଜଟାୟୁ ପକ୍ଷୀମଣି ॥

 

ବୋଇଲେ ଆହେ ରାମ ତୁମ ପିତାଙ୍କର ।

ପ୍ରିୟସଖା ମୁହିଁ ଅଟଇ ରଘୁବୀର ॥

 

ଏଣୁ ତୁମ୍ଭ ବଧକୁ ନୁହଇ ମୁଁ ଯୋଗ୍ୟ ।

ଜଟାୟୁ ଗୃଧ୍ର ନାମ ଅଟେ ମହାଭାଗ ॥

 

ଏ ପଞ୍ଚବଟୀରେ ମୁଁ କରିଅଛି ବାସ ।

ତୁମ୍ଭ ପ୍ରିୟ କାମ ନିମିତ୍ତେ ସୀତାଈଶ ॥

 

ତୁମ୍ଭେ କେଉଁଦିନ ବା ଯିବ ମୃଗୟାରେ ।

ଲକ୍ଷଣ ବୀର ଅବା ଯିବେ ସଙ୍ଗତରେ ॥

 

ସଯତ୍ନ ମୁଁ ହୋଇ ଜନକନନ୍ଦନାଙ୍କୁ ।

ରକ୍ଷା ତ କରିବି ହେ କହୁଛି ତୁମ୍ଭଙ୍କୁ ॥

 

ଏହିରୂପେ ଗୃଧ୍ରର ବଚନକୁ ଶୁଣି ।

ସସ୍ନେହ ହୋଇ ରାମ କହିଲେ ବାଣୀ ॥

 

ଆଚ୍ଛା ହେ ସାଧୁ ଗୃଧ୍ରମାନଙ୍କର ବର ।

ସେହିରୂପେ ପ୍ରିୟକୁ କରିବ ମୋହର ॥

 

ଆମ୍ଭ ସମୀପରେ କରିବ ତୁମ୍ଭେ ବାସ ।

ଅତି ଦୂରରେ ନ ରହିବ ଗୃଧ୍ର ଈଶ ॥

 

ଏରୂପେ କହି ତାଙ୍କୁ ଆଲିଙ୍ଗନ କରି ।

ପଞ୍ଚବଟୀ ଗମନ କଲେ ବିରାଧାରି ॥

-ସୂର୍ଯ୍ୟମଣି ଚ୍ୟାଉପଟ୍ଟନାୟକ

 

ମୁନିଙ୍କ ଆଗେ କହେ ସୁତ

ଏମନ୍ତ ଯାନ୍ତେ ରଘୁନାଥ

ସୀତା ଲକ୍ଷ୍ମଣ ଘେନି ସଙ୍ଗେ

ଯାନ୍ତେଣ ପଞ୍ଚବଟୀ ମାର୍ଗେ

 

 

 

 

ପଥେ ଦେଖିଲେ ଜଟାୟୁଷ

ଦିଶଇ ପର୍ବତ ସଦୃଶ

ଦେଖି ଶ୍ରୀରାମ ଲକ୍ଷ୍ମଣଙ୍କୁ

ବୋଇଲେ ମାର ଏ ଦୁଷ୍ଟକୁ

 

 

 

 

ମୁନିଜନଙ୍କ ମାଂସ ଖାଇ

ତେଣୁ ଏ ବନସ୍ତେ ବୁଲଇ

ରାମ ବଚନେ ଜଟାୟୁଷ

ଶୁଣି ପାଇଲା ମହାତ୍ରାସ

 

 

 

 

ବୋଲଇ ଶୁଣ ରଘୁନାଥ

ତୁମ୍ଭର ପିତା ଦଶରଥ

ସେ ମୋର ମଇତ୍ର ଅଟନ୍ତି

ମତେ ନ ମାର ରଘୁପତି

 

 

 

 

ତୁମ୍ଭ ଆସିବା ଶୁଣି କର୍ଣ୍ଣେ

ଅଛି ମୁଁ ପଞ୍ଚବଟୀ ବନେ

ତୁମ୍ଭର ଦୟା ହେଲେ ମତେ

ସେବାରେ ଥିବଇଁ କିଞ୍ଚିତେ

 

 

 

 

ଯଦ୍ୟପି ତୁମ୍ଭେ ମୃଗୟାକୁ

ଘେନିଣ ଗଲେ ଲକ୍ଷ୍ମଣଙ୍କୁ

ସୀତାଙ୍କୁ ଜଗିଥିବି ମୁହିଁ

ଶୁଣି ଆନନ୍ଦ ରଘୁସାଇଁ

 

 

 

 

ଜଟାୟୁଷକୁ କୋଳ କଲେ

ହେଉ ବୋଲିଣ ଆଜ୍ଞା ଦେଲେ

 

 

-ତେଲଙ୍ଗା ଗୋପାଳ

 

 

ତେଲଙ୍ଗା କବିଙ୍କ ଅନୁବାଦ ସ୍ଥାନେ ସ୍ଥାନେ ମୂଳ ସଂସ୍କୃତରୁ ଯତ୍‍କିଞ୍ଚିତ୍‍ ଛାଡ଼ି ଯାଇଥିଲେ ମଧ୍ୟ ଆବଶ୍ୟକ ବିଷୟଗୁଡ଼ିକ ସୁନ୍ଦରରୂପେ ଲେଖା ହୋଇଅଛି । ଶୁଣି ପଦ୍ୟାନୁବାଦ କରିବାଠାରେ ଏପରି ସାମାନ୍ୟ ସ୍ଖଳନ ବାଚ୍ୟ ନୁହେଁ ।

 

ଅଧ୍ୟାୟ-ବିଭାଗଟା ଠିକ୍‍ ମୂଳସଂସ୍କୃତ ଅଧ୍ୟାତ୍ମରାମାୟଣର ସଦୃଶ । ଯଥା:- ଆଦିକାଣ୍ଡ-୭, ଅଯୋଧ୍ୟା-୯, ଆରଣ୍ୟକ-୧୦, କିସ୍କିନ୍ଧ୍ୟା-୯, ସୁନ୍ଦରା-୫, ଲଙ୍କା-୧୬ ଓ ଉତ୍ତରା-୯ ଅଧ୍ୟାୟ । କବି ପ୍ରତ୍ୟେକ କାଣ୍ଡର ଶେଷରେ ମୂଳ ସଂସ୍କୃତ ଶ୍ଳୋକର ସଂଖ୍ୟା ମଧ୍ୟ ଦେଇଅଛନ୍ତି- ଆଦି ୧୬୦, ଅଯୋଧ୍ୟା ୭୦୦, ଆରଣ୍ୟକ ୫୦୦, କିସ୍କିନ୍ଧ୍ୟା ୫୫୫, ସୁନ୍ଦରା ୩୦୦ ଓ ଲଙ୍କା ୧୧୪୦ ଶ୍ଳୋକ । କିନ୍ତୁ ଉତ୍ତରାକାଣ୍ଡର ଶ୍ଳୋକ ସଂଖ୍ୟା ଉଲ୍ଲେଖ କରିନାହାନ୍ତି । ବୋଧହୁଏ ଗ୍ରନ୍ଥ ସମ୍ପୂର୍ଣ୍ଣ ହେବା ହେତୁରୁ ମନୋଲ୍ଲାସରେ ପୌରାଣିକଙ୍କୁ ଶ୍ଳୋକ ସଂଖ୍ୟା ପଚାରିବାର କବି ପାସୋରି ଯାଇଥିବେ । କବି ଅଳ୍ପ ବୟସରେ ଅଧ୍ୟାତ୍ମରାମାୟଣ ଅନୁବାଦ କରିଥିଲେ । ସେ କହିଅଛନ୍ତି-

 

“ବାଳୁତ ବୁଦ୍ଧି ମୋର ଯେଣୁ

ଏରୂପେ ଲେଖିବଇଁ ତେଣୁ’’

 

 

-ଆଦିକାଣ୍ଡ

 

କବି ଜାତିରେ ତେଲଙ୍ଗା ହେଲେ ମଧ୍ୟ ତାହାଙ୍କ ଭାଷା ତେଲଙ୍ଗା ଲୋକେ କହିବା ଭାଷା ନୁହେଁ । ନମୁନା ଦେଖନ୍ତୁ-

 

ତୋହର ଯଶ ଗୁଣନାମ

ବର୍ଣ୍ଣି କି ପାରଇ ନିଗମ

ମାନବେ ହୋଇ ଅବତାର

ହରିଲୁ ଅବନୀର ଭାର

 

 

 

 

ରାବଣ ଆଦି ଦୁଷ୍ଟ ଯେତେ

ନାଶିଲୁ ଧର୍ମରକ୍ଷା ଅର୍ଥେ

ତେଣୁ ତୋ ଅବତାରମାନ

ନମସ୍ତେ ପୁରୁଷଉତ୍ତମ

 

 

 

 

ଯେ ଆଦି ଅବତାର ତୁହି

ତୋ ବିନୁ ଅନ୍ୟ କେହି ନାହିଁ

ତୋର ଶରୀରୁ ମାୟା ଜାତ

ଯେ ମାୟାବଳେ ସୃଷ୍ଟି ଖ୍ୟାତ

 

 

 

 

ପାଳନ ହୁଏ ତୋର ବଳେ

ପୁଣି ସଂହରୁ ଅନ୍ତକାଳେ

ଏଣୁ ତୋ ମହିମା ଅନନ୍ତ

କିଛୁ ଜାଣନ୍ତି ତୋର ଭକ୍ତ

 

 

 

 

ସେ ପୁଣି ଭକ୍ତିଭାବେ ଚିନ୍ତି

ମନ ବଚନ ସମର୍ପନ୍ତି

ଏମନ୍ତ ଯେ ତୁମ୍ଭ ଭକତ

ତାହାକୁ ତୁମ୍ଭେ ପରାପତ

 

 

 

 

ଏଣୁ ଭକତିହୀନେ ଭାବ

ବ୍ରହ୍ମାଦି ଦେବଙ୍କୁ ଦୁର୍ଲଭ

ଏମନ୍ତ ମହିମା ଯାହାର

ମୁଁ ମୂଢ଼ କରଇ ବିଚାର॥

 

 

 

 

 

ଜୀବରେ ଗଣିତା ନୁହଇ

ନାମ ଲେଖି ତ ବିଚାରଇ

ଭକତିଶୂନ୍ୟ ମତିହୀନ

କିରୂପେ କରିବି ଲେଖନ

 

ରଚନା କୌଶଳ ଦେଖିଲେ ବିଶ୍ୱାସ ହୁଏ, ଅଧ୍ୟାତ୍ମରାମାୟଣ କବିଙ୍କର ପ୍ରଥମୋଦ୍ୟମ ନୁହେଁ । ଓଡ଼ିଆ ପଦ୍ୟ ରଚନାରେ ସେ ଅବଶ୍ୟ କୃତହସ୍ତ ଥିଲେ । ନୋହିଲେ କି ଯତିଭଙ୍ଗ ବା ଭାବବିପ୍ଳବ ନ ଥାଇ “ତିନିପହର ଦୁଇବାର”ରେ ସମଗ୍ର ଅଧ୍ୟାତ୍ମରାମାୟଣର ପଦ୍ୟାନୁବାଦ ସମ୍ପୂର୍ଣ୍ଣ କରିପାରିଥାନ୍ତେ ?



 

କୃଷ୍ଣ ସିଂହ

(ମହାଭାରତ - ଅନୁବାଦକ)

 

ଓଡ଼ିଆ ରାଜକବିମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାନ୍ତର୍ଗତ ଧରାକୋଟର ରାଜା କୃଷ୍ଣ ସିଂହ ଜଣେ ପ୍ରଧାନ କବି । ଏ ୧୭୨୯ ଖ୍ରୀଷ୍ଟାବ୍ଦରେ ଜନ୍ମଗ୍ରହଣ କରି ୧୭୮୮ ଖ୍ରୀଷ୍ଟାବ୍ଦରେ ମାନବଲୀଳା ସମ୍ବରଣ କରିଥିଲେ । ଏ ରାଜା ନୀଳାଦ୍ରି ସିଂହଙ୍କର ମଧ୍ୟମ ପୁତ୍ର ଓ ବର୍ତ୍ତମାନ ରାଜା ଶ୍ରୀ ମଦନମୋହନ ସିଂହଙ୍କର ପଞ୍ଚମ ପୁରୁଷ । କବିଙ୍କର ଆତ୍ମପରିଚୟ ଏହି-

 

ରାମଚନ୍ଦ୍ର ସିଂହ ମୋ ଜନକ ଜନକ

ଧରାକୋଟମଣ୍ଡଳ ଅବନୀନାୟକ

ଶୂରପଣେ ତାଙ୍କ ସମାନ ଏକା ସେହି

ଅର୍ଜିଲେ ନିଜବଳ ଦେଖାଇ ପରମହୀ

X

X

X

 

 

ଏ ମହୀରେ ଏକା ସେ ବୈଷ୍ଣବ ବୋଲାଇଲେ ।

ସମସ୍ତ ଜନଙ୍କରେ ପ୍ରଶଂସିତ ହେଲେ ॥

 

ବତିଶ ବରଷରେ ଛାଡ଼ି ରାଜ୍ୟଭାର ।

ସେତୁବନ୍ଧ ଆଦି ଦେଖି ସେ ନରବର ॥

 

ଗୁରୁଙ୍କୁ ନିଜ ସଙ୍ଗତରେ ସେ ଘେନିଲେ ।

ପୁରୁଷୋତ୍ତମ କ୍ଷେତ୍ରେ ପ୍ରବେଶ ହୋଇଲେ ॥

 

ତହିଁ କେତେଦିନ ରହିଲେ ବାସ କରି ।

କଲେ ଦରଶନ କମଳାବିହାରୀ ॥

X X X

ସେଠାରୁ ସେ ଗୁରୁଙ୍କ ସଙ୍ଗତେ ବାହାରିଲେ ।

ଶ୍ରୀବୃନ୍ଦାବନରେ ଯାଇଣ ମିଳିଲେ ॥

X X X

ଦେହୀ ଲୋକ ଦେହ ତ ନୁହଇ ଆୟତ୍ତ ।

କାଳବଶେ କାଳ ହୁଅନ୍ତେ ପ୍ରାପତ ॥

 

ଶ୍ରୀଗୁରୁ ଗୋବିନ୍ଦଙ୍କ ସମୀପେ ନିଜ ପ୍ରାଣ ।

ହାରି ତ୍ରିଭୁବନେ ଗଲେ ନରରାଣ ॥

 

ତାଙ୍କ ଜ୍ୟେଷ୍ଠ ସୁତ ଜୟସିଂହ ରାୟେ ।

କଲେ କୀର୍ତ୍ତି ଖ୍ୟାତ ବାପାଙ୍କ ପରାୟ ॥

 

କେତେ କାଳ ମହୀରେ କରି ମହୀ ଭୋଗ ।

ପ୍ରିୟ ପରାଣକୁ ଦେହରୁ କଲେ ତ୍ୟାଗ ॥

 

ରାଜେନ୍ଦ୍ର ସିଂହ ନାମେ ତାହାଙ୍କ ସାନ ଭାଇ ।

ତଦନ୍ତେ ହୋଇ ନରଙ୍କର ସାଇଁ ॥

 

ଧର୍ମରେ ସେ ଅବନୀମଣ୍ଡଳ ପାଳିଲେ ।

ଗୁରୁଦେବ ବ୍ରାହ୍ମଣ ପାଦରେ ସେବିଲେ ॥

 

ଘେନି ସଙ୍ଗତରେ ଭାରିଯା ପୁତ୍ରଙ୍କୁ ।

ବାହାରିଲେ ଗୋବିନ୍ଦଦ୍ୱାଦଶୀ ସ୍ନାନକୁ ॥

 

କ୍ଷେତ୍ରରେ ଦିନାକେତେ ଭକ୍ତିରେ ରହିଲେ ।

ସେଠାରେ କାଳବଶ ପରାଣକୁ କଲେ ॥

 

ନୀଳାଦ୍ରି ସିଂହ ନାମେ କନିଷ୍ଠ ତାହାଙ୍କର ।

ଆଗୁ ତ ପରଲୋକେ କରିଥିଲେ ଘର ॥

 

ତାହାଙ୍କ ଥାଉଁ ତାଙ୍କ ଜ୍ୟେଷ୍ଠ ସୁତ ଦୁଇ ।

ମର୍ତ୍ତ୍ୟଲୋକଙ୍କର ଧର୍ମକୁ ଥିଲେ ପାଇ ॥

 

ମୁଁ ତାଙ୍କର ହୋଇ ମଧ୍ୟମ କୁମର ।

ଏଣୁ ଧରାକୋଟେ ହୋଇଲି ନରବର ॥

-ଆଦିପର୍ବ

 

ବନ୍ଧୁମାନଙ୍କ ସହିତ ଅପଡ଼ ହେବାରୁ କବି ବାଲ୍ୟ ସମୟରେ ପିତାଙ୍କ ସଙ୍ଗେ ଯାଇଁ ନୂଆଗଡ଼ରେ ରହିଥିଲେ । କବିଙ୍କ ପିତା ନୀଳାଦ୍ରି ସିଂହ ଏହିଠାରେ ପରଲୋକ ପ୍ରାପ୍ତ ହେଲେ । ଯେତେବେଳେ ଏହାଙ୍କ ଜ୍ୟେଷ୍ଠ ପିତା ରାଜେନ୍ଦ୍ର ସିଂହ ପୁରୁଷୋତ୍ତମ କ୍ଷେତ୍ରରେ କାଳକବଳରେ ପତିତ ହେଲେ, ଧରାକୋଟର ପ୍ରଜାମାନେ ଅନ୍ୟ କୌଣସି ବ୍ୟକ୍ତିଙ୍କୁ ଉତ୍ତରାଧିକାରୀରୂପେ ନିଯୁକ୍ତ କରିବାର ଚେଷ୍ଟା କରୁଥିଲେ । ଏହି ବାର୍ତ୍ତା ଶୁଣିପାରି କୃଷ୍ଣ ସିଂହ ଏକାକୀ ନୂଆଗଡ଼ଠାରୁ ଧରାକୋଟ ଆସି ସେଠା ସାମନ୍ତମାନଙ୍କୁ ଆୟତ୍ତ କରି ସେମାନଙ୍କ ସାହାଯ୍ୟରେ ୧୭୮୧ ଖ୍ରୀଷ୍ଟାବ୍ଦରେ ରାଜ୍ୟାଭିଷିକ୍ତ ହେଲେ । ଏ ୪୨ବର୍ଷ ବୟସରେ ଗାଦିରେ ବସି ୭ବର୍ଷ ମାତ୍ର ରାଜତ୍ୱ କରିଥିଲେ । କୃଷ୍ଣ ସିଂହ ନୂଆଗଡ଼ରେ ଥାଇ ବୃଥା କାଳହରଣ କରିନଥିଲେ । ଏ ବିଦ୍ୟାଭାସ ବିଷୟରେ ବିଶେଷ ଶ୍ରଦ୍ଧା ରଖି କ୍ରମଶଃ ସଂସ୍କୃତ ଭାଷାରେ ଉତ୍ତମ ବ୍ୟୁତ୍ପତ୍ତି ଲାଭ କରିଥିଲେ । ଏହା ତାହାଙ୍କ ମହାଭାରତ ଦ୍ୱାରା କବି ସ୍ପଷ୍ଟ ପ୍ରମାଣ କରାଇ ଦେଇଅଛନ୍ତି । କବି ବୈଷ୍ଣବଧର୍ମାବଲମ୍ବୀ ଥିଲେ । ବୈଷ୍ଣବୋଚିତ ବିନୟ ଭାବରେ “ସାଧୁସଙ୍ଗେ ଶାସ୍ତ୍ର କିଛି ନ ପଢ଼ିଲି । ମୂର୍ଖପଣେ ଭାରତଗୀତ ଆରମ୍ଭିଲି ।” ବୋଲି ଅନେକଠାରେ କହିଥିଲେ ସୁଦ୍ଧା, ତାହାଙ୍କ ଭାରତ ଦେଖି ତାହାଙ୍କ ପାଣ୍ଡିତ୍ୟ ବିଷୟରେ କିଏ ଆଶଙ୍କା କରିପାରିବ ? ଆଦିପର୍ବର ଶେଷରେ ଲେଖାଅଛି-

 

ଏ କାଳକୁ ଶକାବ୍ଦ ସତରଶ ଚାରି ।

କହିଲି କାଳସଂଖ୍ୟା ଜାଣିବ ବିଚାରି ॥

 

ଫାଲ୍‍ଗୁନ ମାସ କୃଷ୍ଣପକ୍ଷ ପଞ୍ଚମୀରେ ।

ଭୃଗୁବାରେ ଚିତ୍ରା ନାମ ନକ୍ଷତ୍ରରେ ॥

 

କୋଡ଼ିଏ ଦଣ୍ଡ ଦିନ ଭୋଗର ଅନ୍ତରେ ।

ଆଦିପର୍ବ ପୁସ୍ତକ ସାରିଲି ଗୀତରେ ॥

 

ଏଥିରୁ ସ୍ପଷ୍ଟ ଜଣାଯାଏ, ଆଦିପର୍ବର ଅନୁବାଦ ୧୬୮୨ ଖ୍ରୀଷ୍ଟାବ୍ଦରେ ଶେଷ ହୋଇଥିଲା । ସମ୍ଭବତଃ ରାଜା ହେବା ପୂର୍ବରୁ ସଂସ୍କୃତ ମହାଭାରତ ଉତ୍କଳାନୁବାଦ କରିବାର ଅଭିଳାଷ କବିଙ୍କର ଥିଲା । ସୁବିଧା ନ ପାଇ ବା ଅନ୍ୟ କୌଣସି କାରଣରୁ ତାହାଙ୍କ ଅଭିଳାଷ କାର୍ଯ୍ୟରେ ପରିଣତ ହୋଇପାରିନଥିଲା । ସେ ରାଜା ହେବାର ପ୍ରାୟ ବର୍ଷକ ଉତ୍ତାରୁ ଏହି ଗୁରୁତର କାର୍ଯ୍ୟରେ ରତ ହେଲେ । କଥିତ ଅଛି, କେତେକାଳ ହରିହର ଛାମୁ ପଟ୍ଟନାୟକ ଓ କେତେକାଳ ଜୟ ବେବର୍ତ୍ତାଙ୍କ ହସ୍ତରେ ରାଜ୍ୟଭାର ଅର୍ପଣ କରିଦେଇ ପାଞ୍ଚଜଣ ପଣ୍ଡିତଙ୍କୁ ପାଖରେ ରଖି ତାହାଙ୍କର ପ୍ରାୟ ସମସ୍ତ କାଳ ଏଥିରେ ବିନିଯୋଗ କରିଥିଲେ । କବି ଦ୍ରୋଣପର୍ବର ଶେଷରେ ଲେଖିଅଛନ୍ତି-

 

ପୁରୁଷୋତ୍ତମ ସିଂହ ରାଜାଙ୍କ ପଣନାତି ।

ରାମଚନ୍ଦ୍ର ସିଂହ ରାଜାଙ୍କର ମୁଁ ନାତି ॥

 

ଜୟସିଂହ ରାଜା ମୋହର ଜ୍ୟେଷ୍ଠତାତ ।

କରିଥିଲେ ପୂର୍ବେ ସେ ଦ୍ରୋଣପର୍ବ ଗୀତ ॥

 

ଏହା ଜାଣି ଆଦିପର୍ବ ହରିବଂଶ ।

ଯାଏ ଗୀତ କରି କଲି ମୁହିଁ ଶେଷ ॥

 

ଦ୍ରୋଣପର୍ବ ଗୀତକୁ ନ ବର୍ଣ୍ଣିଲି ଗୀତେ ।

ବୋଲିଛନ୍ତି ଜ୍ୟେଷ୍ଠ ପିତା ଭାବି ଚିତ୍ତେ ॥

 

ଲକ୍ଷେ ଗ୍ରନ୍ଥ ପୂର୍ଣ୍ଣ ନ ହେଲା ବୋଲିକରି ।

ମୋ ମନେ କରି ପ୍ରିୟଜନଙ୍କୁ ପଚାରି ॥

 

ସବୁରି ସନମତେ ଭାରତ ଗୀତ ପ୍ରାନ୍ତେ ।

ଦ୍ରୋଣପର୍ବ ଗୀତ ମୁଁ ବର୍ଣ୍ଣିଲି ଜାଣ ଗୀତେ ॥

 

ଏସରିକି ଶକାବ୍ଦ ସତରଶ ଦଶ ।

ବରଷ ହୋଇଛି ଉତ୍ତମ ହୋଇ ଶେଷ ॥

 

ପୁଷ୍ୟ ଶୁକ୍ଳ ଦ୍ୱିତୀୟା ଚନ୍ଦ୍ରଙ୍କ ବାରରେ ।

ସରିଲା ଏ ଗୀତ ବ୍ୟାସଙ୍କ ତୋଷରେ ॥

 

ଆଦିପର୍ବର ଶେଷରେ ଯାହା ଲେଖାଅଛି, ସେଥି ସହିତ ଉପରୋଦ୍ଧୃତ ଅଂଶଟି ତୁଳନା କରି ଦେଖିଲେ, କବି ନ୍ୟୂନାଧିକ ଛ’ ବର୍ଷରେ ସମଗ୍ର ଭାରତର ଅନୁବାଦ ଶେଷ କରିଥିବାର ଅବଧାରିତ ହୁଏ । ପାଠକମାନଙ୍କ ସୁବିଧା ସକାଶେ କବି ମଧ୍ୟ ‘କାଳସଂଖ୍ୟା’ ସ୍ଥାନେ ସ୍ଥାନେ ସ୍ପଷ୍ଟ ବୁଝାଇ ଦେଇଅଛନ୍ତି । ଅଶ୍ୱମେଧ ପର୍ବରେ ଲେଖାଅଛି-

 

ଏକାଳକୁ ଶକାବ୍ଦ ସତରଶ ସାତ ।

ହୋଇଛି ବୋଲିକରି ଗଣକଙ୍କ ମତ ॥

 

ଆରମ୍ଭରୁ ସମାପତିକି ବରଷ ।

ତିନି ହୋଇଅଛି ସୁଜନେ ଜାଣ ଶେଷ ॥

 

କାଳସଂଖ୍ୟା ଜାଣିବାକୁ ଏ ଗୀତେ ।

ବସାଇଲି ଏ ଦୋଷ ନ ଧରିବେ ଚିତ୍ତେ ॥

 

ହରିବଂଶ ଶେଷଭାଗରେ ଲେଖାଅଛି-

 

ଏକାଳକୁ ଶକାବ୍ଦ ସତରଶ ଆଠ ।

ହୋଇଛି କହିଛନ୍ତି ଗଣକ ସପଠ ॥

 

ପୁଷ୍ୟ ଶୁକ୍ଳ ନବମୀ ସୋମବାର ଦିନ ।

ହୋଇଲା ମୋ ଭାରତ କରିବା ସମାପନ ॥

 

ଏସବୁ ଆଲୋଚନା କରି ଦେଖିଲେ ଜଣାଯାଏ, କବିଙ୍କ ସାତବର୍ଷ ରାଜତ୍ୱରୁ ଊଣାଅଧିକ ଛ’ ବର୍ଷକାଳ ମହାଭାରତ ଅନୁବାଦ କରିବାରେ ଅତିବାହିତ ହୋଇଥିଲା । କେହି କେହି କହନ୍ତି, ଭାଗବତ ଓ ରାମାୟଣ ମଧ୍ୟ ଅନୁବାଦ କରିବା ସକାଶେ କବିଙ୍କର ଇଚ୍ଛା ଥିଲା । କିନ୍ତୁ ଦୈବ ପ୍ରତିକୂଳ ହେବାରୁ ତାହାଙ୍କ ଇଚ୍ଛା କାର୍ଯ୍ୟରେ ପରିଣତ ନ ହେଉଣୁ କବି ୪୯ ବର୍ଷ ବୟସରେ ଧରାଧାମରୁ ଅନ୍ତର୍ହିତ ହେଲେ ।

 

କୃଷ୍ଣ ସିଂହଙ୍କ ଭାଷା ପଣ୍ଡିତ ଭାଷା; ସ୍ଥାନେ ସ୍ଥାନେ ଅଯଥା ଶବ୍ଦାଡ଼ମ୍ବର ଲକ୍ଷିତ ହେଲେ ସୁଦ୍ଧା, ଦୁରୂହ ନୁହେଁ । ନମୁନା ଦେଖନ୍ତୁ-

 

ଅରବିନ୍ଦନେତ୍ର ହେ କମଳାବିଳାସ

ଅକ୍ରୂରଜ୍ଞାନଦାତା ଭକତବିଶ୍ୱାସ

ଅନାକୃତ ଅକୃତ ପ୍ରାଣିଙ୍କ କରତା

ଅଜ ଅବିନାଶୀ ଦେବଙ୍କ ଦେବତା

 

 

 

 

ଅନଙ୍ଗତାତ ଧର୍ମଦେବଙ୍କ ନନ୍ଦନ

ଅନନ୍ତଶାୟୀ କଂସମୁରବିନାଶନ

ଅମେଷସୁଖଦାତା ପ୍ରଳୟକାରକ

ଅବିଚିନ୍ତ୍ୟମହିମା ଲକ୍ଷ୍ମୀଙ୍କ ନାୟକ

 

 

 

 

ଆର୍ତ୍ତବନ୍ତଜନ ଶରଣ ଭଗବାନ

ଅବନୀ ଉଦ୍ଧାରକ ଦୁଷ୍ଟବିଧ୍ୱଂସନ

ଅଘନିବାରଣ ଶକଟଭଞ୍ଜନ

ଅଷ୍ଟବକ୍ରାଦିଙ୍କର ତପବରଧନ

 

 

 

 

ଅଞ୍ଜନାଭ ଦୁର୍ଲ୍ଲଭ ଗୁଣର ନିଧାନ

ଅଚଳଧର ବ୍ରଜବିନିତାରଞ୍ଜନ

ଅବିରତେ ତୁମ୍ଭ ପାଦପଦ୍ମଦେଶେ

ଶରଣ କୃଷ୍ଣସିଂହ ମାନସ ରଖ ତୋଷେ

 

 

-ହରିବଂଶ

 

 

କବିଙ୍କ ବର୍ଣ୍ଣନାଗୁଡ଼ିକ ଅତ୍ୟନ୍ତ ମନୋହର । ଦ୍ରୌପଦୀଙ୍କ ବେଶ ବର୍ଣ୍ଣନା ଦେଖନ୍ତୁ-

 

ଦ୍ରୁପଦନନ୍ଦନାର ଦେହରେ ଢାଳିଲେ ।

ତଦଅନ୍ତେ ଶିର ସ୍ନାନ କରାଇଲେ ॥

 

ସେକାଳରେ କେଶ ତମାଳର ଦଳେ ।

ଜଳଟୋପି ବ୍ୟାଜେ କି ମୋତିପନ୍ତି ଫଳେ ॥

 

ନୀଳବାସ ତାଙ୍କର ଅଙ୍ଗଦେଶେ ଜଡ଼ି ।

ରହି ତ ଥିଲା ସ୍ନାନ ଜଳଧାରା ପଡ଼ି ॥

 

କାଚଭିତ୍ତି ମଧ୍ୟରେ ମର୍କତ ପିତୁଳା ।

ଦିଶିଲା ପରି କୃଷ୍ଣା ସେକାଳେ ହେଲେ ତୁଳା ॥

X X X

କଙ୍କିତିକା ଦାଢ଼ପନ୍ତିକି ଟଙ୍କାରି ।

ସାଉଁଳିଲା ସେକାଳେ ଜଣେ କେଶ ଧରି ॥

 

ସଖୀକର କୋକନଦରୁ ଭ୍ରମର ।

ଶ୍ରେଣୀ ସେ କେଶବ୍ୟାଜେ ହେଲେ କି ବାହାର ॥

 

ପୃଷ୍ଠଦେଶେ ଲୋଟି ଯାହା ହୋଏ କେତେ ଅନା ।

ମର୍କତ ତଟ ଭେଦି ବହେ କି ଯମୁନା ॥

 

ଏଅନ୍ତେ ରଙ୍ଗ ଭଣ୍ଡି ଦେଇ ଯା ଜୁଡ଼ାକୁ ।

ବାନ୍ଧିଲେ ଆସିଲା ସେ ଏପରି ମନକୁ ॥

 

ରାହୁ ମୁଖୁଁ ଭଣ୍ଡି କି ତପନ ଯାଉଛି ।

କିଆପତ୍ରୀ ବ୍ୟାଜେ ପରିଧି ରାଜିଛି ॥

 

କିରଣଗଣ ପରି ଦିଶଇ ମନୋହର ।

ସୁନା ଚମ୍ପାଧାଡ଼ି ସେ ଜୁଡ଼ା ମୂଳର ॥

X X X

ଘୋଡ଼ାଇ ଦେଲେ ଯାହା ମୁକୁତାର ଜାଲୀ ।

ମର୍କତ ଲିଙ୍ଗ ଅବା ଅମୃତ ହେଲା ବୋଳି ॥

X X X

ଅଳକାପାଟୀ ବ୍ୟାଜେ କିବା ରାହୁ ପାଟି ।

ବିସ୍ତାରିଛି ମୁଖଚନ୍ଦ୍ରକୁ ରହି ଘୋଟି ॥

 

ସଜାଇଲେ ଗନ୍ଧ ଲଗାଇ ଅଳକା ।

ତା ଦେଖି ଭୃଙ୍ଗଶ୍ରେଣୀ ପକାଇଲେ ଡକା ॥

 

ଜାଣି ଡୋଳା ଖଞ୍ଜରୀଟର ଚହଟ ।

ବନ୍ଦି କଲେ ଅଞ୍ଜନ ଅଠାରେ କରି ହଟ ॥

X X X

କଣ୍ଠେ କଣ୍ଠାମାଳିମାନଙ୍କୁ ଖଞ୍ଜିଲେ ।

ଫୁଲୀ ପୃଷ୍ଠଦେଶକୁ ଲମ୍ବାଇ ସେ ଦେଲେ ॥

 

ସେକାଳେ ସେ ଫୁଲୀ ଏମନ୍ତ ଦିଶିଲା ।

ଲାବଣ୍ୟଜଳେ କୋକନଦ କି ଫୁଟିଲା ॥

X X X

ଯତନେ ବାହୁ ବେନି ରତନ ତାଡ଼ ପାଇ ।

ସବୁ ଶୋଭାକୁ ସେ ହୁଡ଼ିଲା ଗର୍ବ ବହି ॥

 

ବଳୟ ପଛେ ହୀରା ଚୁଡ଼ି ଯା ଖଞ୍ଜା ହେଲା ।

ବାହୁ ଇନ୍ଦୀବର ମାଳାକୁ ଭିଡ଼ିଲା ॥

 

ତାହା ଦେଖି ସଖୀମାନେ ମନେ ମଣି ।

ଯମୁନା ବୀଚିରେ କି ଭାସୁଛି ହଂସଶ୍ରେଣୀ ॥

X X X

ଗମନବେଳେ ହୋଇବାକୁ ପାଦ ହୁଡ଼ ।

ଜଣାଇବ ବୋଲି ଖଞ୍ଜିରେ ପାହୁଡ଼ ॥

 

ପୁଣି ସେ ସଖୀମାନେ ରସେ ହୋଇ ଭୋଳା ।

ଖଞ୍ଜିଲେ ତହିଁ ତଳେ ଘାଘୁଡ଼ିଲଗା ବଳା ॥

X X X

-ଆଦିପର୍ବ

 

ତାଡ଼, ଚୁଡ଼ି, ପାହୁଡ଼, ବଳା, ନାକଚଣା, କିଆପତ୍ରୀ ଇତ୍ୟାଦି ଦେଖିଲେ ବୋଧହୁଏ, ଉପରୋକ୍ତ ବର୍ଣ୍ଣନାଟି ମୂଳ ସଂସ୍କୃତାନୁଯାୟୀ ନୁହେଁ । ଏପରି ସ୍ଥାନେ ସ୍ଥାନେ ମୂଳ ସଂସ୍କୃତରୁ ଛାଡ଼ି ଯାଇଥିବାର ଦେଖାଯାଏ ।

 

କୃଷ୍ଣ ସିଂହଙ୍କ ଛନ୍ଦରେ କୌଣସି ଅକ୍ଷର ନିୟମ ନାହିଁ । ସମାନାକ୍ଷର ବିଶିଷ୍ଟ ପଦ ବିରଳ ଲକ୍ଷିତ ହୁଏ । ଉଦାହରଣ ସ୍ୱରୂପ କେତେକ ପଦ ଏହିଠାରେ ଦିଆଗଲା-

 

ଯଉବନ ଆସି ହୁଅନ୍ତେ ପ୍ରାପତି ।(୧୨)

ହୋଇଲେ ସେ ଶର୍ମିଷ୍ଠା ନାରୀ ଋତୁମତୀ ॥(୧୩)

 

ଋତୁ ଦେଖି ମତିରେ ଏହି ଚିନ୍ତା ହେଲା ।(୧୩)

ପତି ବିନା ଋତୁ ବ୍ୟର୍ଥ ମୋର ହେଲା ॥(୧୨)

 

ସେ ରାଜା ମୋତେ ପୁତ୍ର ପ୍ରାପତ କରାଇବେ ।(୧୪)

ଏକା ହୋଇ ନେତ୍ରେ ପଡ଼ିବେ ମୋର ଯେବେ ॥(୧୩)

 

ଦଶ ମାସ ଆସି ହୁଅନ୍ତେ ସମାପତି ।(୧୩)

କଲେ ଅତି ସୁନ୍ଦର କୁମାର ଉତପତି ॥(୧୪)

 

ସମାନାକ୍ଷର ବିଶିଷ୍ଟ ପଦସବୁ କୌଣସି ଏକ ଛନ୍ଦରେ ଗଠିତ ନୁହେଁ; କୌଣସି କୌଣସିଠାରେ ଦ୍ୱାଦଶାକ୍ଷର, କୌଣସି କୌଣସିଠାରେ ତ୍ରୟୋଦଶାକ୍ଷର ଓ କୌଣସି କୌଣସିଠାରେ ଚତୁର୍ଦ୍ଦଶାକ୍ଷର ନିୟମରେ ରଚିତ ଯଥା:-

 

 

(୧୨)

 

 

ପୁତ୍ର ଜାତ ହେଲା ଦେବଯାନିଙ୍କର

ବୃଥା ଯଉବନ ହୋଇଲା ମୋହର

 

(୧୩)

 

 

ରୂପ କୁଳ ଶୀଳରେ ଅଟଇ ମୁଁ ଯୁକ୍ତ

ପ୍ରସନ୍ନ ହୁଅ ମତେ ନହୁଷଙ୍କ ସୁତ

 

(୧୪)

 

 

ଦଇବେ ସେ କାଳରେ ଯଯାତି ମହୀପତି

ପ୍ରବେଶ ହେଲେ ଆସି ଅଶୋକବନ କତି

 

କୃଷ୍ଣ ସିଂହ କେଉଁ ଛନ୍ଦର ଆଦର୍ଶ ଧରି ମହାଭାରତ ଲେଖିଥିଲେ, ଜାଣିବା କଷ୍ଟସାଧ୍ୟ; କିନ୍ତୁ ଏତିକି ଅନୁମାନ କରାଯାଇପାରେ, କୃଷ୍ଣ ସିଂହ ସଙ୍ଗୀତବିଦ୍ୟାରେ ବିଶେଷ ପ୍ରବୀଣ ଥିଲେ । ସେ ଭୀଷ୍ମପର୍ବରେ କହିଅଛନ୍ତି-

 

“ହରିକଥା ଦିନେ ନ କଲି କୀର୍ତ୍ତନ

ବଳାଇଲି ନର୍ତ୍ତନ ଗୀତ ବାଦ୍ୟେ ମନ’’

 

ଏହି ହେତୁରୁ ବୋଧହୁଏ, ସେ ଛନ୍ଦ ଅପେକ୍ଷା ଗାନ ପ୍ରତି ବିଶେଷ ଦୃଷ୍ଟି ରଖି କୌଣସି ଧରାବନ୍ଧା ଅକ୍ଷରନିୟମ ପ୍ରତିପାଳନ କରିନଥିଲେ । ଯାହାହେଉ, କୃଷ୍ଣ ସିଂହଙ୍କ ମହାଭାରତ ଯେଉଁ ବୃତ୍ତରେ ଗାନ କରାଯାଏ, ତାହା ଓଡ଼ିଆ ଛନ୍ଦମାନଙ୍କ ମଧ୍ୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରି ଆଜିକାଲି ‘କୃଷ୍ଣସିଂହ ଭାରତବାଣୀ’ ନାମରେ ସର୍ବତ୍ର ପରିଚିତ ।

 

ମହାଭାରତ ଛାଡ଼ି କୃଷ୍ଣ ସିଂହ କେତେଗୁଡ଼ିଏ ଚଉପଦୀ ଓ ଚଉତିଶା ରଚନା କରିଥିବାର ଜଣାଯାଏ ।



 

ଦାଶରଥି ଦାଶ ଓ କୃପାସିନ୍ଧୁ ଦାସ

(ବ୍ରଜବିହାର - ରଚୟିତା)

 

ଓଡ଼ିଆରେ ଦୁଇଗୋଟି “ବ୍ରଜବିହାର” ଥିଲାପରି ଜଣାଯାଏ- ଦାଶରଥି ଦାଶକୃତ ବ୍ରଜବିହାର ଓ କୃପାସିନ୍ଧୁ ଦାସକୃତ ବ୍ରଜବିହାର । ଦୁଇଖଣ୍ଡଯାକ କୃଷ୍ଣ ବିଷୟକ ପାରମାର୍ଥିକ ଗ୍ରନ୍ଥ । ଦାଶରଥି ଜାତିରେ ବ୍ରାହ୍ମଣ; କୃପାସିନ୍ଧୁ ଜାତିରେ କରଣ । ଦାଶରଥି ଦାଶଙ୍କ ଜନ୍ମସ୍ଥାନ ରଣପୁର; କୃପାସିନ୍ଧୁଙ୍କ ଜନ୍ମସ୍ଥାନ ଡାଳିଯୋଡ଼ା ରାଜ୍ୟ । ଦାଶରଥି ‘ଜଗନ୍ନାଥ ଦରଶନେ’ ଯାଇ ‘କ୍ଷେତ୍ରବରରାଜ ପୁରୁଷୋତ୍ତମ’ରେ କିଛି କାଳ ବାସ କରିଥିଲେ । କୃପାସିନ୍ଧୁ ‘ମହାପ୍ରଭୁ ବାରମାସୀ ଯାତ୍ରା କାର୍ଯ୍ୟରେ’ ନିଯୁକ୍ତ ହୋଇ ‘ଉଆସ କୋଠକରଣ’ରୂପେ ଯାଇ ପୁରୀରେ ବସତି ସ୍ଥାପନ କରିଥିଲେ । ଦାଶରଥିଙ୍କ ଗୁରୁଙ୍କ ନାମ କଣ୍ଠଦାସ ଗୋସ୍ୱାମୀ; କୃପାସିନ୍ଧୁଙ୍କ ପିତାଙ୍କ ନାମ ଭାଗୀରଥି ଖରସୁଧା ପଟ୍ଟନାୟକ । ଦାଶରଥି ଓଡ଼ିଶା ରାଜା ଗୋପୀନାଥ ଦେବଙ୍କ ସମୟର କବି; କୃପାସିନ୍ଧୁ ବୀରକେଶରୀ ଦେବଙ୍କ ସମୟର କବି । ଦାଶରଥିଙ୍କ ଆତ୍ମପରିଚୟ ଏହି-

 

ବ୍ରଜବିହାର ତୃତୀୟ ବୋଲି ସମ୍ପୂର୍ଣ୍ଣ ।

କୃଷ୍ଣପଦ-ସହସ୍ରଦଳ ଏ ସମ୍ପୂର୍ଣ୍ଣ ॥

 

ଦାଶମାନସ-ଭ୍ରସଳ ବିଳସେ ରସ ।

ଶୁଣି ସୁଜନଜନେ ନ ଘେନିବା ଦୋଷ ॥

 

ଜୀବକାରଣ ଶ୍ରୀକଣ୍ଠଦାସ ଗୋସାଇଁ ।

ମହାରସ ଦେଶଭାଷା ଦେଲେ ବସାଇ ॥

 

ଭାଗବତ ଦଶମ ମୂଳ ହେମସୂତ୍ର ।

ରତ୍ନରୂପକୃତ ଲୀଳାମୃତ ଚରିତ ॥

 

ମୋର ମନ ସୂଚି କରି ଗୁନ୍ଥଇ ବାଛି ।

କଣ୍ଠେ ବହି ଭବବ୍ୟାଧି ନ ବାଧେ କିଛି ॥

 

ଗୋପୀନାଥ ଦେବ ଅଙ୍କତ୍ରି ମାର୍ଗଶିର ।

ପାତ୍ର ଭଗବାନ ପଦ ଭ୍ରମରବର ॥

 

ସଦାବର୍ତ୍ତୀ ସଦାମତି ହରିଭକତି ।

ଭୋଗ ପହଣ୍ଡି ଗୁଣ୍ଡିଚା ମୋହନ କୀର୍ତ୍ତି ॥

 

ଏହି ସମୟେ ଏ ବୋଲି ହେଲା ସମ୍ପୂର୍ଣ୍ଣ ।

ଦାଶରଥି ଦାଶ ସେବେ ପଦଚରଣ ॥

X X X

 

ଶ୍ରୀବ୍ରଜବିହାର ଦଶମ ବୋଲି

ଶ୍ରୀଗୁରୁ କୃପାରୁ ସମ୍ପୂର୍ଣ୍ଣ କଲି

ଚାରି ସସ୍ର ଆଠ ଶତ ବତିଶ

କଳିଯୁଗ ଭୋଗ ଏତେ ବରଷ

 

 

 

 

ଶକାବଦ ଷୋଳଶ ତେପନ

ରାମଚନ୍ଦ୍ର ଦେବ ମହାରାଜନ

ଆଠ ଅଙ୍କ କୁମାର ପୌର୍ଣ୍ଣିମାରେ

ବ୍ରଜବିହାର ଗ୍ରନ୍ଥ ସମ୍ପୂର୍ଣ୍ଣରେ

 

 

 

 

କ୍ଷେତ୍ରବରରାଜ ପୁରୁଷୋତ୍ତମ

ଜଗନ୍ନାଥ ଦରଶନେ ବିଶ୍ରାମ

ରଣପୁର ମଣ୍ଡଳରେ ମୋ ବାସ

ନାମ ବିଦିତ ଦାଶରଥି ଦାଶ

 

କୃପାସିନ୍ଧୁଙ୍କ ଆତ୍ମପରିଚୟ ଏହି-

 

ଶ୍ରୀବୀରକେଶରୀ ନାମ

ଗଜପତି ନୃପୋତ୍ତମ

ତେର ଅଙ୍କ କନ୍ୟା ମାସ ଗୁରୁବାର ପଞ୍ଚମୀରେ ପୂର୍ଣ୍ଣକାମ

 

 

 

 

ଡାଳିଯୋଡ଼ା ରାଜ୍ୟେ ଜାତ

ପିତା ଭାଗୀରଥି ଖ୍ୟାତ

ଦେବତା ବ୍ରାହ୍ମଣ ବୈଷ୍ଣବ ସେବାରେ ଯାହାର ନିମଗ୍ନ ଚିତ୍ତ

 

 

 

 

ଲକ୍ଷେ ନାମ ଜପ ଇଷ୍ଟ

କରିବାରେ ସେହୁ ହୃଷ୍ଟ ।

 

ଦୟା ବହି ମହାପ୍ରଭୁ କ୍ଷେତ୍ରେ ରଖି ଦେଲେ ବଇକୁଣ୍ଠେ ଭେଟ

 

 

 

 

ଖରସୁଧାକୁଳନଭ

ଦିନମଣି ସୁଧାଭାବ

ବାସୁଦେବ ଗୋପୀନାଥ ଶ୍ରୀଚରଣ ଶରଣ କମଳାଧବ

 

 

 

 

ଉଆସ କୋଠକରଣ

ଦେଇ ପ୍ରତିନିଧିପଣ

ଦେଇ ମହାପ୍ରଭୁ ବାରମାସୀ ଯାତ୍ରା କାର୍ଯ୍ୟରେ କଲେ ନିପୁଣ

 

 

 

 

ଏହି ଦ୍ୱାରେ କୃପା ଲେଶ

କରି ଦେଲେ କ୍ଷେତ୍ରବାସ

ବୋଲେ କୃପାସିନ୍ଧୁ ଦୀନବନ୍ଧୁ ନାମ ମୋଠାରେ କଲେ ପ୍ରକାଶ

 

ଦାଶରଥି ଦାଶଙ୍କ ବ୍ରଜବିହାର ଦଶ ଛାନ୍ଦରେ ସମ୍ପୂର୍ଣ୍ଣ; ପ୍ରତ୍ୟେକ ଛାନ୍ଦ ‘ବୋଲି’ ନାମରେ ଅଭିହିତ । କୃପାସିନ୍ଧୁ ଦାସଙ୍କ ବ୍ରଜବିହାର ଏକବିଂଶତି ଛାନ୍ଦରେ ସମାପ୍ତ । ଦାଶରଥିଙ୍କ ବ୍ରଜବିହାରରେ ଦଶ ଛାନ୍ଦ ଥିଲେ ସୁଦ୍ଧା ପ୍ରତ୍ୟେକ ଛାନ୍ଦରେ ସହସ୍ରେ ପଦଠାରୁ ଊଣା ଥିବାର ଦେଖାଯାଏ ନାହିଁ । କିନ୍ତୁ କୃପାସିନ୍ଧୁ ଦାସଙ୍କ ସମଗ୍ର ବ୍ରଜବିହାରର ପଦସଂଖ୍ୟା ୯୯୮- ଅର୍ଥାତ୍‍ ଦାଶରଥି ଦାଶଙ୍କର ଗୋଟିଏ ଛାନ୍ଦରେ ଥିବା ପଦ ସଂଖ୍ୟାଠାରୁ ଊଣା । କୃପାସିନ୍ଧୁ ଦାସ ରାଧାକୃଷ୍ଣଙ୍କ ପ୍ରଣୟ କଳହ ଓ ପୁନର୍ମିଳନ ମାତ୍ର ବର୍ଣ୍ଣନା କରିଅଛନ୍ତି । ଦାଶରଥି ଦାଶ ଦଶମ ସ୍କନ୍ଧର ପ୍ରାୟ ସମସ୍ତ ବିଷୟ ତାହାଙ୍କ ବ୍ରଜବିହାରରେ ବର୍ଣ୍ଣନା କରିଅଛନ୍ତି । କବି ମଧ୍ୟ କହିଅଛନ୍ତି-

 

“ଭାଗବତ ଦଶମ ମୂଳ ହେମସୂତ୍ର

ରତ୍ନରୂପକୃତ ଲୀଳାମୃତ ଚରିତ

ମୋର ମନ ସୂଚି କରି ଗୁନ୍ଥଇ ବାଛି

କଣ୍ଠେ ବହି ଭବବ୍ୟାଧି ନ ବାଧେ କିଛି’’

 

ଏହି ହେତୁରୁ ସେ ଗୋପୀନାଥ ଦେବଙ୍କ ଦ୍ୱିତୀୟ ବା ତୃତୀୟ ଅଙ୍କରେ ଗ୍ରନ୍ଥ ଆରମ୍ଭ କରି ରାମଚନ୍ଦ୍ର ଦେବଙ୍କ ଆଠ ଅଙ୍କରେ ଶେଷ କରିଥିଲେ । କୃପାସିନ୍ଧୁ ଦାସଙ୍କ ବ୍ରଜବିହାରର ୨୧ ଛାନ୍ଦରୁ ୮ଗୋଟି ମାତ୍ର ସମ ଛନ୍ଦ, ବାକି ସବୁ ବିଷମ ଛନ୍ଦ । କିନ୍ତୁ ଦାଶରଥି ଦାଶଙ୍କ ବ୍ରଜବିହାରରେ ସମ ଛନ୍ଦ ବିନା ଗୋଟିଏ ହେଲେ ବିଷମ ଛନ୍ଦ ଦେଖାଯାଏ ନାହିଁ । ସମ ଛନ୍ଦ ଅପେକ୍ଷା ବିଷମ ଛନ୍ଦରେ କୌଣସି ପ୍ରକାଣ୍ଡ ଗ୍ରନ୍ଥ ଲେଖିବା ଅବଶ୍ୟ ଶ୍ରମସାପେକ୍ଷ । ଭାବ ଓ ବିଷୟ ପ୍ରତି ଯେତେ ଲକ୍ଷ୍ୟ ରଖିବାକୁ ହୁଏ, ବର୍ଣ୍ଣ-ବିନ୍ୟାସ ପ୍ରତି ତେତେ ଦୃଷ୍ଟି ରଖିବାକୁ ହୁଏ । ବିଶେଷତଃ ନିୟମ କରି ପ୍ରତ୍ୟେକ ଛାନ୍ଦରେ ସହସ୍ରେ ପଦ ରଖିବାଠାରେ କୌଣସି ବିଷମ ଛନ୍ଦ ବ୍ୟବହାର କରିବା ବାଞ୍ଛନୀୟ ନୁହେଁ । ଏହି କାରଣରୁ ବୋଧହୁଏ, ଦାଶରଥି ଦାଶ ବିଷମ ଛନ୍ଦର ବ୍ୟବହାର ଏକାବେଳକେ ପରିତ୍ୟାଗ କରି ଦେଇଥିବେ । କୃପାସିନ୍ଧୁଙ୍କ ବ୍ରଜବିହାରରେ ବିଶେଷ ରଚନାଚାତୁରୀ ଓ ଶବ୍ଦସୌଷ୍ଠବ ଦେଖାଯାଏ । ଯଥା:-

 

(କ-ପୂର୍ବାନୁପ୍ରାସ)

 

କୁଜ୍‍ଝଟି ଛାଡ଼ି ଗଲା ଅରୁଣ ପ୍ରାୟେ ।

କୁନ୍ଦରଦନୀ ଓଷ୍ଠ କି ଶୋଭାପାଏ ॥

 

କାହୁଁ ଆଣି ଲୋଚନେ ସୁରମାଦକ ।

କି କୁଟିଳେ କରାଉଅଛି ବିଲୋକ ଯେ ॥

 

କେ କହେ କାଦମ୍ବିନୀ ପରାୟେ ହୋଇ ।

କନକକାନ୍ତି ବିଦ୍ୟୁଲ୍ଲତା ଦେଖାଇ ଯେ ॥

 

କେଳତିରସ ବରଷିବୁ ସଧୀରେ ।

କରକା ପକାଇବୁ ଦରହାସରେ ଯେ ॥

(ଅବନା ଗୋମୂତ୍ରବନ୍ଧ)

 

ଜୟ ଦରହର ପଦ୍ମନୟନ

ଜୟ କରତର ଛଦ୍ମ ଅୟନ

ଭବଜଳ ତପତକ ରକ୍ଷଣ

ଦବବଳ ହନ୍ତଦର ଲକ୍ଷଣ

 

 

 

 

ଅଜହର ହରସକନ୍ଦରଦ

ଗଜବରକ ରସକ ଦରଦ

ମଛ ଯବ ମୃତ କର ଚରଣ

ଅଛ ଅବନତର ମରଣ

 

 

(ସିଂହାବଲୋକନ)

 

 

ଦୂତୀତହୁଁ ଅତି ପ୍ରୀତି ବାଣୀ ଶୁଣି ଶ୍ରୀକୃଷ୍ଣ ହରଷ ମନ ।

ମନମଥଭୟଭଞ୍ଜନୀ ଛାମୁକୁ ଲେଖନ୍ତି ଉଦନ୍ତମାନ ।

 

ମାନ କରି ଯାହା ମୁଖରୁ ମୋହର ନ ଚାହିଁଲା ଚାରୁକେଶୀ ।

କେ ଶିକ୍ଷା ମନ୍ତର ଦେବାରୁ ଅନ୍ତର କଲା ସେ କୋକିଳଭାଷୀ ।

(ଅନୁପ୍ରାସ)

 

ଗୋପନ ନ କଲେ ସ୍ୱପନ ଭାବ ଚିତ୍ତୋଇ ମୁଦେ ।

ଲପନ ଟେକିଣ ପ୍ରସନ୍ନଭାବେ ଚୁମ୍ବିଲା ମୁଦେ ॥

 

ଆତୁରୀ ଦେଖିଣ ଚତୁରୀ ଏକ ବୋଲଇ ତହିଁ ।

ଚାତୁରୀ-ବସନ କତୁରୀ-କାମ ରଖାଉ ନାହିଁ ॥

 

ଶବ୍ଦସୌଷ୍ଠବ ପ୍ରତିପାଦନ କରିବା ଓ ନିଜର କବିତାଶକ୍ତି ଦେଖାଇବା ଦାଶରଥି ଦାଶଙ୍କର ଉଦ୍ଦେଶ୍ୟ ନୁହେଁ । ସୁତରାଂ କୃପାସିନ୍ଧୁଙ୍କ ବ୍ରଜବିହାରରେ ଥିବା ରଚନାଟୋପ ଦାଶରଥିଙ୍କ ଗ୍ରନ୍ଥରେ ଲକ୍ଷିତ ହୁଏ ନାହିଁ । ଯାହା କିଛି ଦେଖାଯାଏ, ତାହା ସରଳ ଭାବରେ ଓ ସୁଖବୋଧ୍ୟ ଭାଷାରେ ଲେଖା ହୋଇଅଛି । ନମୁନା ଦେଖନ୍ତୁ-

 

ଉଚ୍ଚବାଚ କରି କେହି ତୁଟାତୁଟି ।

କଳି କରିଣ ହୁଅନ୍ତି ଉଠାଉଠି ॥

 

କେହୁ କାହା ସଙ୍ଗେ ହୋଇ ବୋଲାବୋଲି ।

କଥା ନ କହିଣ ମୁହଁ ଫୁଲାଫୁଲି ॥

 

କେହୁ କଥାଛିଦ୍ର ପାଇ ତୋଖାତୋଖି ।

କେହୁ ବଚନେ ବଚନ ଯୋଖାଯୋଖି ॥

 

ବାଛି ପଛରେ କାହାକୁ କୁହାକୁହି ।

କେହୁ ଉଚିତ କହଇ ମୁହାଁମୁହିଁ ॥

 

ବାଦ ଲଗାଇଣ ହୋଇ ଜିଣାଜିଣି ।

ପ୍ରୀତିଧନ ଦେଇ କେହୁ କିଣାକିଣି ॥

 

ଏକ ଆରକରୁ ତହିଁ ଶିଖାଶିଖି ।

ବେଶ ଛଇଳ ଚାତୁରୀ ଦେଖାଦେଖି ॥

 

କଥା ଅଭାବରେ କେହୁ ରୁଷାରୁଷି ।

ଭଲ ଭଲ ଲୋକେ ପଶି ତୋଷାତୋଷି ॥

 

କେହୁ କାହା ସଙ୍ଗେ ମିତ୍ର ବନ୍ଧାବନ୍ଧି ।

ହାର କଙ୍କଣ ବସନ ପିନ୍ଧାପିନ୍ଧି ॥

 

କହୁ କହୁଣ ବଚନ ହୁଡ଼ାହୁଡ଼ି ।

ଗୋଳ କରନ୍ତେଣ କେହୁ ଛଡ଼ାଛଡ଼ି ॥

 

କେହୁ ମାଲଯୁଦ୍ଧେ ହୋଇ ଧରାଧରି ।

ଠାଣମାଣେ ରହି ମୁଥ ମରାମରି ॥

 

ଆଡ଼ ଛାଡ଼ ବଞ୍ଚାଇଣ ପଞ୍ଚାପଞ୍ଚି ।

ଦନ୍ତ ଚାପି ବାହା ମେଲି ଉଞ୍ଚାଉଞ୍ଚି ॥

 

ବାହୁବଳରେ ହୁଅନ୍ତି କୋଡ଼ାକୋଡ଼ି ।

ଭିଡ଼ାଭିଡ଼ି ହୋଇ ମହୀ ଗଡ଼ାଗଡ଼ି ॥

 

ଗଦା ଖଡ଼ଗ ଧରି କେ ସଧାସଧି ।

କେହୁ ଉତ୍ତମ ମଧ୍ୟମ ଅଧାଅଧି ॥

 

ଚକା ଗୁଳୁଚି ବରଡ଼ା ପକାପକି ।

ଦଣ୍ଡା ଦୋହସ୍ତା ପଖିଆ ଠୁକାଠୁକି ॥

 

ମହା ଅଚଳ ପଥର ଟେକାଟେକି ।

ଯନ୍ତ୍ର ଯନ୍ତ୍ରବାଣ ଧନୁ ଝିଙ୍କାଝିଙ୍କି ॥

 

ମାରି ପଳାନ୍ତେଣ ଧରି ଗୋଡ଼ାଗୋଡ଼ି ।

ଦୁଇ ହାତେ ମୁଥ ବିଧା କୋଡ଼ାକୋଡ଼ି ॥

 

ହଣାହଣି ହୋଇ ହାତେ ଅଡ଼ାଅଡ଼ି ।

ଯୋଡ଼ି ବନ୍ଧେ ପଡ଼ି ମହୀ ଗଡ଼ାଗଡ଼ି ॥

 

ଏକା ବାହେ ଆର ବାହେ ପେଲାପେଲି ।

ଆଣ୍ଠୁଭର ଦେଇ ହୋଇ ଠେଲାଠେଲି ॥

 

ଠାଣମାଣେ ଟିପଟାଣେ ତଡ଼ାତଡ଼ି ।

କାନ୍ଧେ କାନ୍ଧ ଦେଇ ବାହେ ମଡ଼ାମଡ଼ି ॥

 

ତମ ତର୍ଜନାରେ ହୋଇ ହୁଆଁହୁଇଁ ।

ଦୁଇଆଡ଼େ ପୋଏ ରହି ଟିହାଟିହି ॥

 

ବଳ ପ୍ରାକର୍ମ ଦେଖାଇ ଡକାଡ଼କି ।

ସମବଳ ପାଇ ହୋଇ ଥକାଥକି ॥

 

କରେ କରତାଳି ମାରି ଧୁଆଁଧୁଇଁ ।

ପଛେ ଗୋଡ଼ାଇଣ ହାତ ପୁଆପୁଇ ॥

 

ବାଦ କରିଣ ବୃକ୍ଷକୁ ଉଠାଉଠି ।

ଫେଡ଼ି ନ ପାରିଣ କାହା ମୁଠାମୁଠି ॥

 

ଦାଶରଥି ଦାଶଙ୍କ ଅନ୍ୟ କୌଣସି ଗ୍ରନ୍ଥ ଥିବାର ଜଣାଯାଇନାହିଁ । କିନ୍ତୁ କୃପାସିନ୍ଧୁ ଦାସ ବ୍ରଜବିହାର ଭିନ୍ନ ବଳଭଦ୍ର ଭଜନା, ଜଗନ୍ନାଥ ଭଜନା, ସୁଭଦ୍ରା ଭଜନା ଓ ସୁଦର୍ଶନ ଭଜନା ଏହି ଚାରୋଟି ଭଜନା ଲେଖିଅଛନ୍ତି । ଏସବୁ ମାନ୍ଦ୍ରାଜ ମ୍ୟୁଜିୟମ୍‍ରେ ସଞ୍ଚିତ କରାଯାଇ ରଖାହୋଇଅଛି ।



 

କବି ହରିକୃଷ୍ଣ

(ରାମାୟଣ-ରଚୟିତା)

C:\Users\USER-10\Desktop\Prabandhabali.png

 

ହରିକୃଷ୍ଣ ପାରଳା ରାଜଭବନରେ ପ୍ରଧାନ ଚିତ୍ରକର ଥିଲେ । ପାରଳାର ଶ୍ରୀଜଗନ୍ନାଥ ଓ ଲିଉରି ଶ୍ରୀଗୋପୀନାଥଙ୍କୁ ଚିତ୍ର କରିବା ଏହାଙ୍କର ପ୍ରଧାନ କାର୍ଯ୍ୟ ଥିଲା । ଉତ୍ସବାଦି ସମୟରେ ରାଜବାଟୀର ସମସ୍ତ ଚିତ୍ର କାର୍ଯ୍ୟ ମଧ୍ୟ ଏ କରୁଥିଲେ । ଏଥିଲାଗି ପାରଳାର ତତ୍କାଳୀନ ରାଜା ଏହାଙ୍କୁ ମହାପାତ୍ର ଉପାଧି ଓ ଲକ୍ଷ୍ମୀପୁର ନାମକ ଖଣ୍ଡିଏ ଗ୍ରାମ ପ୍ରଦାନ କରିଥିଲେ । ଲିଉରି ପାରଳାଖେମୁଣ୍ଡିଠାରୁ ଦଶକ୍ରୋଶ ଦୂରରେ ସ୍ଥିତ ଗୋଟିଏ ପଲ୍ଲୀଗ୍ରାମ । ଲିଉରି ଗୋପୀନାଥ ପାରଳାଖେମୁଣ୍ଡି ତାଲୁକାର ଏକ ପ୍ରଧାନ ଦେବତା । ଏହିଠାରେ ପ୍ରତିବର୍ଷ ଦୋଳୋତ୍ସବ ହୁଏ । ସମୟ ସମୟରେ ପାରଳାର ରାଜା ପରିବାରଙ୍କ ସହିତ ଗୋପୀନାଥଙ୍କ ଦର୍ଶନାର୍ଥେ ଏଠାକୁ ବିଜେ କରନ୍ତି । ଏହି ଗୋପୀନାଥ ମୂର୍ତ୍ତିଙ୍କୁ ହରିକୃଷ୍ଣ ସ୍ୱହସ୍ତରେ ଗଠନ କରିଥିବାର ଲୋକେ କହନ୍ତି । ହରିକୃଷ୍ଣ ଅବସ୍ଥାପନ୍ନ ନ ଥିଲେ; ତଥାପି ଅର୍ଥ ସଂଗ୍ରହାଭିଳାଷ ତାହାଙ୍କୁ ସ୍ପର୍ଶ କରିପାରିନଥିଲା । କୁଟୁମ୍ବ ପରିପୋଷଣାର୍ଥେ ଯେତିକି ଆବଶ୍ୟକ ସେତିକିରେ ସେ ସନ୍ତୁଷ୍ଟ ହେଉଥିଲେ । ଗୋପୀନାଥଙ୍କ ଗଠନ ଉପଲକ୍ଷରେ ହରିକୃଷ୍ଣ ଖଣ୍ଡିଏ ଗ୍ରାମ ପୁରସ୍କାରସ୍ୱରୂପ ପ୍ରାପ୍ତ ହୋଇଥିଲେ । ଯେତେବେଳେ ଶ୍ରୀଗୋପୀନାଥ ଓ ଜଗନ୍ନାଥଙ୍କ ଚିତ୍ର କରିବା ସକାଶେ ଆଉ ଖଣ୍ଡିଏ ଗ୍ରାମ ପାଇଲେ, ସେତେବେଳେ ପ୍ରଥମୋକ୍ତ ଗ୍ରାମ ଖଣ୍ଡିକ ଫେରାଇ ଦେଇଥିଲେ । ଏହା କେତେଦୂର ସତ୍ୟ, ଆମ୍ଭେ କହିନପାରୁ; କିନ୍ତୁ ହରିକୃଷ୍ଣଙ୍କ ବଂଶଧରମାନେ ଏହି କଥା କହନ୍ତି । ହରିକୃଷ୍ଣ ବୈଷ୍ଣବ ଧର୍ମାବଲମ୍ବୀ ଥିଲେ । ନିଜ ବୃତ୍ତି ପ୍ରତି ଲକ୍ଷ୍ୟ ରଖି ସୁଦ୍ଧା ପାରମାର୍ଥିକ ଚିନ୍ତାରେ ଅନେକ କାଳ ଅତିବାହିତ କରୁଥିଲେ । ଏହାଙ୍କ ପ୍ରଗାଢ଼ ଦେବଭକ୍ତି ବିଷୟରେ ଗୋଟିଏ କିମ୍ବଦନ୍ତୀ ପ୍ରଚଳିତ ଅଛି: ଲିଉରି ଗୋପୀନାଥମୂର୍ତ୍ତି ଗଠନ କରୁ କରୁ ଏହାଙ୍କ ଗୋଡ଼ରେ ଶସ୍ତ୍ର ବାଜି ଗୋଡ଼ ଫୁଟିଗଲା । ନାନାପ୍ରକାର ଔଷଧ ଲେପନ କଲେ ମଧ୍ୟ କୌଣସି ପ୍ରକାରେ ଉପଶମ ଲାଭ କରିପାରିଲେ ନାହିଁ । ଦିନେ ମନସ୍ତାପରେ ଶଯ୍ୟାରେ ଶୋଇଥିଲେ, ସ୍ୱପ୍ନରେ କେହି ଜଣେ ଦେଖାଦେଇ କହିଲେ- “ଭକ୍ତିରସପ୍ରଧାନ କୌଣସି କବିତା ଯଦି ରଚନା କରିବୁ, ତେବେ ତୋ ଗୋଡ଼ ଭଲ ହୋଇଯିବ ।” ଏହି ସ୍ୱପ୍ନାଦେଶ ପାଇ ହରିକୃଷ୍ଣ ପ୍ରାତଃକାଳରୁ ଉଠି ଓଡ଼ିଆ ବର୍ଣ୍ଣମାଳାର ନିୟମାନୁସାରେ ‘କ’ଠାରୁ ‘କ୍ଷ’ ପର୍ଯ୍ୟନ୍ତ ଚଉତିରିଶଟି ଜଣାଣ ରଚନା କରିବାକୁ କୃତସଂକଳ୍ପ ହେଲେ । ଯେଉଁ ଦିନ ରଚନା ଶେଷ ହେଲା, ସେହିଦିନ ହରିକୃଷ୍ଣ ଆରୋଗ୍ୟସ୍ନାନ କଲେ । ହରିକୃଷ୍ଣ ସଂସ୍କୃତ ପଢ଼ିଥିଲେ । ଏହା ତାହାଙ୍କ ଏକାଦଶୀମାହାତ୍ମ୍ୟ ଓ ଅନ୍ୟାନ୍ୟ କବିତାରୁ ଜଣାଯାଏ । ମୂଳ ସଂସ୍କୃତ ଏକାଦଶୀ ମହାତ୍ମ୍ୟ ସହିତ ଏହାଙ୍କ ଅନୁବାଦ ତୁଳନା କରି ଦେଖନ୍ତୁ-

 

ଶ୍ଳୋକ

 

 

 

 

କଥୟିଷ୍ୟାମି ରାଜେନ୍ଦ୍ର ଭବତଃ ସ୍ନେହକାରଣାତ୍‍

ନ ତଥା ତୁଷ୍ଟି ମେ ରାଜନ୍‍ କ୍ରତୁଭିଶ୍ଚାପ୍ତଦକ୍ଷିଣୈଃ

 

 

 

 

ଯଥା ମା ତୁଷ୍ଟତାୟାନୀ ଏକାଦଶ୍ୟା ବ୍ରତେନ ବୈ

ତସ୍ମାତ୍ସର୍ବପ୍ରଯତ୍ନେନ କର୍ତ୍ତବ୍ୟୋ ହରିବାସରଃ

 

 

 

 

କହନ୍ତି କମଳାର ବର

ଶୁଣ ହେ ନୃପତିଶେଖର

ଯାହା ପୁଛିଲ ଶ୍ରଦ୍ଧାଚିତ୍ତେ

ମୋ ବହୁ ସ୍ନେହ ଏହୁ ବ୍ରତେ

 

 

 

 

ଏ ମହା ଏକାଦଶୀ ପୁଣ୍ୟେ

ଯେମନ୍ତ ସନ୍ତୋଷ ମୋ ମନେ

ଏ ବ୍ରତ ବିନା ଯେତେ କର୍ମ

ଅନେକ ଯହିଁ ତପ ଧର୍ମ

 

 

 

 

ଏଥେ ସନ୍ତୋଷ ମୋର ନାହିଁ

ଶ୍ରୀ-ଏକାଦଶୀ ପ୍ରାୟ ହୋଇ

ଏ ମୋର ପ୍ରିୟା ଏକାଦଶୀ

ସକଳ ସୁଖ ପୁଣ୍ୟରାଶି

ଯତ୍ନେ ଯେ କରଇ ଏ ବ୍ରତ

ସେ ପ୍ରାଣୀ ମୋର ଆତ୍ମାହିତ॥

 

 

 

 

 

ଶ୍ଳୋକ

 

 

 

ତଥାପ୍ୟେକାପି ଚୈକସ୍ୟା ଶୃଣୁ ରାଜନ୍‍ କଥାନକଂ

ଅତଃପରଂ ପ୍ରବକ୍ଷ୍ୟାମି ପୌଷସ୍ୟ କୃଷ୍ଣପାକ୍ଷିକାଂ

 

 

 

 

ଲୋକାନାଂ ଚ ହିତାର୍ଥାୟ କଥୟାମି ବିଧିଂ ତଥା

ପୌଷସ୍ୟ କୃଷ୍ଣପକ୍ଷେ ବେ ସଫଳାନାମନାମତା

 

 

 

 

ଗୀତ

 

 

 

ତଥାପି ଶୁଣ ମହୀପତି

ଏକାଗ୍ର ଭାବେ ଦେଇ ମତି

ଏତେକ ବ୍ରତର ଲକ୍ଷଣ

କହିବା କରି ପୁଣ ପୁଣ

 

 

 

 

ଯେ ପୁଷ୍ୟ କୃଷ୍ଣ ଏକାଦଶୀ

ଅର୍ଥଦାୟିନୀ ପୁଣ୍ୟରାଶି

ସଫଳା ନାମଟି ଏହାର

ଏଅନ୍ତେ ଶୁଣ ନୃପବର

ଏହାର ବିଧିମତ ଯେତେ

କହିବା ଲୋକଙ୍କର ହିତେ

 

 

 

 

ଶ୍ଳୋକ

 

 

 

 

ନାଗାନାଂ ଚ ଯଥା ଶେଷଃ ପକ୍ଷିଣାଂ ଗରୁଡ଼ୋ ଯଥା

ଦେବାନାଂ ଚ ଯଥା କୃଷ୍ଣୋ ଦ୍ୱିପଦାଂ ବ୍ରାହ୍ମଣୋ ଯଥା

ବ୍ରତାନାଂ ଚ ତଥା ରାଜନ୍‍ ଏକାଦଶୀ ବିଶିଷ୍ୟତେ

 

 

 

 

ଗୀତ

 

 

 

 

ନାଗଙ୍କ ମଧ୍ୟେ ଶେଷ ବଡ଼

ପକ୍ଷୀଙ୍କ ଶ୍ରେଷ୍ଠଟି ଗରୁଡ଼

ଦେବଙ୍କ ଶ୍ରେଷ୍ଠ କୃଷ୍ଣ ଯେହ୍ନେ

ମାନବେ ଶ୍ରେଷ୍ଠ ଯେ ବ୍ରାହ୍ମଣେ

ତେମନ୍ତେ ବ୍ରତଙ୍କ ବିଶିଷ୍ଟ

ଶ୍ରୀ ଏକାଦଶୀ ବ୍ରତ ଶ୍ରେଷ୍ଠ

 

 

 

 

ଶ୍ଳୋକ

 

 

 

 

ନାରିକେଳଫଳୈଶ୍ଚୈବ ତଥୈବ ବୀଜପୁରକୈଃ

ଜମ୍ଭୀରୈର୍ଦାଡ଼ିମୈ ଶ୍ଚୈବ ତଥା ପୂଗଫଳୈସ୍ତଥା

 

 

 

 

ଲବଙ୍ଗୈର୍ବିବିଧୈଶ୍ଚୈବ ତଥାମ୍ରୈର୍ବିବିଧୈଃ ଫଳୈଃ

ପୂଜୟେଦ୍ଦେବଦେବେଶଂ ଧୂପଦୀପୈଃ ତଥୈବତ

 

 

 

 

ଗୀତ

 

 

 

 

ଲବଙ୍ଗ ଆଦି ବାସ ଦ୍ରବ୍ୟ

ଯତନେ ଏହା ସମ୍ପାଦିବ

ଜମ୍ଭୀର ନାରୀକେଳ ଆମ୍ବ

ଗୁଆ କମଳା ତାଳ ଜାମ୍ବ

 

 

 

 

ଟଭା ନାରଙ୍ଗ ଯେ ଡାଳିମ୍ବ

ଏ ଆଦି ଯେତେକ ମିଳିବ

ମୋତେ କରିବ ସମର୍ପଣ

ମଣ୍ଡଳେ କରି ସଂସ୍ଥାପନ

 

 

 

 

ଶ୍ରୀ ନାରାୟଣଙ୍କୁ ଆରାଧି

ଷୋଡ଼ଶ ଉପଚାର ବିଧି

 

ଉଦ୍ଧୃତ ପଦଗୁଡ଼ିକ ଅବିକଳ ଅନୁବାଦ ନ ହେଲେ ମଧ୍ୟ ସଂସ୍କୃତ ଭାଷାରେ କବିଙ୍କର କେତେଦୂର ଦଖଲ ଥିଲା, ଏହାଦ୍ୱାରା ସହଜରେ ଅବଧାରିତ ହୁଏ । ହରିକୃଷ୍ଣ ଜଣେ ଶ୍ରମଶୀଳ ବ୍ୟକ୍ତି ଥିଲେ । ରାଜକାର୍ଯ୍ୟ, ଦେବକାର୍ଯ୍ୟ ଓ ନିଜର ବୃତ୍ତି ନିର୍ବାହ କଲା ବାଦ୍‍ ଯେଉଁ ଅବସର ପ୍ରାପ୍ତ ହେଉଥିଲେ, ତାହା ପାରମାର୍ଥିକ ଚିନ୍ତା ଓ କବିତା ରଚନାରେ ବିନିଯୋଗ କରୁଥିଲେ । ହରିକୃଷ୍ଣ ଅନେକଠାରେ ଆପଣାକୁ କବି ବୋଲି ପରିଚୟ ଦେଇଅଛନ୍ତି । ଏହାଙ୍କୁ ଏହି ଉପାଧି କିଏ ଦେଇଥିଲା, ଜାଣିବା କଷ୍ଟସାଧ୍ୟ । କିନ୍ତୁ ତାହାଙ୍କର ଅନେକ ଚଉପଦୀ ରାଜା ଗଜପତି ନାରାୟଣ ଦେବଙ୍କ ନାମରେ ଉତ୍ସୃଷ୍ଟ ହୋଇଥିବାର ଦେଖି ଅନୁମାନ ହୁଏ, ଗଜପତି ଦେବ ଏହାଙ୍କୁ ଏହି ଉପାଧିରେ ଭୂଷିତ କରିଥିଲେ ।

 

ହରିକୃଷ୍ଣ କେଉଁ ସମ୍ବତ୍ସରେ ଜନ୍ମଗ୍ରହଣ କରିଥିଲେ, ଜଣାନାହିଁ । ଏହାଙ୍କ ଗ୍ରନ୍ଥରେ ମଧ୍ୟ ଏ ବିଷୟରେ କୌଣସିଠାରେ କିଛି ଲେଖାନାହିଁ । କିନ୍ତୁ ୧୮୬୨ ଖ୍ରୀଷ୍ଟାବ୍ଦରେ ଲକ୍ଷ୍ମୀପୁର ଗ୍ରାମର ଚିରସ୍ଥାୟୀ ବନ୍ଦୋବସ୍ତ କରାଯାଇ ଯେଉଁ ସନନ୍ଦ ପ୍ରଦତ୍ତ ହୋଇଥିଲା, ତହିଁରେ ଏତିକି ଲିପିବଦ୍ଧ ହୋଇଅଛି: “ପାରଳାଖେମୁଣ୍ଡିର ଜଗନ୍ନାଥ ମୂର୍ତ୍ତିଙ୍କୁ ଚିତ୍ର କରିବା ସକାଶେ ପାରଳାଖେମୁଣ୍ଡିର ରାଜା ଗଜପତି ନାରାୟଣ ଦେବ ହରିକୃଷ୍ଣଙ୍କୁ ଏହି ଲକ୍ଷ୍ମୀପୁର ଗ୍ରାମ ପ୍ରଦାନ କରିଥିଲେ । ହରିକୃଷ୍ଣଙ୍କ ବଂଶଧରମାନେ କହନ୍ତି, ଏହି ଗ୍ରାମ ଦେବା ପ୍ରାୟ ୧୦୦ ବର୍ଷ ହୋଇଥିବ । କିନ୍ତୁ କେତେକ ପ୍ରାଚୀନ ରିକାର୍ଡ ପରିଶୀଳନ କରି ଆମ୍ଭେ (ଇନାମ କମିଶନର) ଦେଖି ପାରିଅଛୁ, ପ୍ରାୟ ୧୬୦ ବର୍ଷ ତଳେ ଏହି ଲକ୍ଷ୍ମୀପୁର ହରିକୃଷ୍ଣଙ୍କୁ ପ୍ରଦତ୍ତ ହୋଇଅଛି ।” ହରିକୃଷ୍ଣଙ୍କ ବଂଶଧରମାନଙ୍କ ଗଣନା ଯଦି ସତ୍ୟ ହୋଇଥାଏ, ତେବେ ହରିକୃଷ୍ଣ ୧୭୬୨ ଖ୍ରୀଷ୍ଟାବ୍ଦରେ (୧୮୬୨-୧୦୦) ଲକ୍ଷ୍ମୀପୁର ପ୍ରାପ୍ତ ହୋଇଥିବେ । ନତୁବା ଇନାମ କମିଶନରଙ୍କ ଗଣନା ଯଦି ସତ୍ୟ ହୋଇଥାଏ, ତେବେ ଗଜପତି ନାରାୟଣ ଦେବ ୧୭୦୨ ଖ୍ରୀଷ୍ଟାବ୍ଦରେ (୧୮୬୨-୧୬୦) ହରିକୃଷ୍ଣଙ୍କୁ ଲକ୍ଷ୍ମୀପୁର ଦେଇଥିବେ । ହରିକୃଷ୍ଣଙ୍କ କାର୍ଯ୍ୟପ୍ରବୀଣତା ଦେଖି ଏହି ଗ୍ରାମ ପୁରସ୍କାର ଦିଆଯାଇଥିବ, ଏଥିରେ ସନ୍ଦେହ ନାହିଁ । କିନ୍ତୁ ପୁରସ୍କାରଯୋଗ୍ୟ ପ୍ରବୀଣତା ପ୍ରାପ୍ତ ହେଲା ସରିକି ହରିକୃଷ୍ଣଙ୍କ ବୟଃକ୍ରମ ୪୦ରୁ ଊଣା ହୋଇନଥିବ । ତାହାହେଲେ ହରିକୃଷ୍ଣ ତାହାଙ୍କ ବଂଶଧରମାନଙ୍କ ଗଣନାନୁସାରେ ୧୭୨୨ ଖ୍ରୀଷ୍ଟାବ୍ଦରେ, ନତୁବା ଇନାମ କମିଶନରଙ୍କ ଗଣନାନୁସାରେ ୧୬୬୨ ଖ୍ରୀଷ୍ଟାବ୍ଦରେ ଜନ୍ମଗ୍ରହଣ କରିଥିବେ ।

 

ଏକାଦଶୀମାହାତ୍ମ୍ୟ ଓ ଗୋପୀନାଥ ଜଣାଣ ଛାଡ଼ି ହରିକୃଷ୍ଣ ଅନେକ ଚଉପଦୀ ଓ ଚଉତିଶା ରଚନା କରିଅଛନ୍ତି । ‘ରସତାଣ୍ଡବ’ ନାମରେ ଖଣ୍ଡିଏ ଗ୍ରନ୍ଥ ଏ ରଚନା କରିଥିବାର କେହି କେହି କହନ୍ତି । କିନ୍ତୁ ଏହା ଆମ୍ଭେ ଦେଖିନାହୁଁ ।



 

Unknown

ରାମ ଦାଶ

(ଦାର୍ଢ଼୍ୟତା ଭକ୍ତିରସାମୃତ ପ୍ରଣେତା)

 

କେହି କେହି ଆକ୍ଷେପ କରି କହନ୍ତି- “ଏହି ଦୁର୍ବଳ ଭାରତବାସୀ ତାହାର ପୂର୍ବପୁରୁଷମାନଙ୍କର ଗୌରବର କାହାଣୀ ଇତିହାସର ପୃଷ୍ଠାରେ ଲିପିବଦ୍ଧ କରି ରଖିପାରିନାହିଁ । ସାମାନ୍ୟ ବ୍ୟବହାର୍ଯ୍ୟ ପଦାର୍ଥ ପାଇଁ ଯେପରି ବିଦେଶର ମୁହଁକୁ ଚାହିଁ ବସି ରହିଅଛି, ସେହିପରି ସ୍ୱଦେଶର ଅତୀତ ଗୌରବର କାହାଣୀ ପାଇଁ ସେହି ବୈଦେଶିକ ମହାପୁରୁଷମାନଙ୍କ ଉପରେ ନିର୍ଭର କରୁଅଛି । ସେମାନଙ୍କର ସେ ଅଧ୍ୟବସାୟ କାହିଁ, ସେ ଅନୁସନ୍ଧିତ୍ସା କାହିଁ, ସେ ଗବେଷଣା ପ୍ରିୟତା କାହିଁ ଯେ ସେମାନେ ଐକାନ୍ତିକ ଯତ୍ନସହକାରେ କଠୋର ସାଧନରେ ପ୍ରବୃତ୍ତ ହୋଇ ଅତୀତ ଗୌରବର ଚିତ୍ର ସେମାନଙ୍କର ପ୍ରତିବେଶୀମାନଙ୍କ ସମକ୍ଷରେ ଉତ୍ତୋଳନ କରିବାକୁ ସମର୍ଥ ହେବେ ?” କିନ୍ତୁ ଯାହା ଅନ୍ୟ କୌଣସି ଭାରତବାସୀ କରିପାରିନାହିଁ, ତାହା ଜଣେ ଦୀନହୀନ ଓଡ଼ିଆ, ସୁ-ନିପୁଣ ଓ ସୁ-ସମ୍ବନ୍ଧ ଭାବରେ ନ ହେଲେ ମଧ୍ୟ, ଯତ୍‍ସାମାନ୍ୟ ପ୍ରକାରେ ସମ୍ପନ୍ନ କରିଥିବାର ଜଣାଯାଏ । ଏହି ମହାତ୍ମା ‘ଦାର୍ଢ଼୍ୟତାଭକ୍ତି-ରସାମୃତ’ ରଚୟିତା ରାମ ଦାଶ । ରାମ ଦାଶ ଗଞ୍ଜାମ ଜିଲ୍ଲାନ୍ତର୍ଗତ ମହୁରୀ ତାଲୁକାରେ ଜନ୍ମଗ୍ରହଣ କରିଥିଲେ । ଏହାଙ୍କ ବାସସ୍ଥାନ ବ୍ରହ୍ମପୁର ନିକଟବର୍ତ୍ତୀ ଡୁରା । ସେ ଦାର୍ଢ଼୍ୟତାଭକ୍ତି-ରସାମୃତରେ କହିଛନ୍ତି-

 

“ମହୁରୀ ରାଜ୍ୟ ଡୁରା ଗ୍ରାମ

ସେ ଗ୍ରାମେ ଅଟେ ମୋ ବିଶ୍ରାମ’’

 

ଡୁରା ଖଣ୍ଡିଏ ପଲ୍ଲୀଗ୍ରାମ । ଏଠାରେ ଅନେକ ହଳୁଆ ବ୍ରାହ୍ମଣ ବାସ କରନ୍ତି; ଗୋଟିଏ ଦେବାଳୟ ମଧ୍ୟ ଅଛି । ରାମ ଦାଶ ଏହି ଦେବାଳୟର ଅଧିକାରୀ ଓ ଏହି ବ୍ରାହ୍ମଣମାନଙ୍କର ‘ଗୋସାଇଁ’ ଅର୍ଥାତ୍‍ ଦୀକ୍ଷାଗୁରୁ ଥିଲେ । ଏହି ଜିଲ୍ଲାର ଉତ୍ତର ପ୍ରଦେଶର ଅନେକଠାରେ ଦେଖାଯାଏ କି, ଯେଉଁ ଗ୍ରାମରେ ଏକ ଶ୍ରେଣୀର ବ୍ରାହ୍ମଣମାନେ ବେଶି ସଂଖ୍ୟାରେ ନିବାସ କରନ୍ତି, ସେହିଠାରେ ସେମାନେ ଗୋଟିଏ ଦେବାଳୟ ତୋଳାଇ ସେମାନଙ୍କ ଭିତରୁ ଜଣକୁ ବାଛି ତାହାକୁ ସେହି ମଠର ଅଧିକାରୀ କରି, ଗୋସ୍ୱାମୀ ଉପାଧି ଦେଇ ତାହାଠାରୁ ମନ୍ତ୍ର ଗ୍ରହଣ କରନ୍ତି । ଏହି ଗୋସ୍ୱାମୀମାନେ ବାନପ୍ରସ୍ଥାଶ୍ରମ ଅବଲମ୍ବନ କରନ୍ତି ନାହିଁ; ଗୃହସ୍ଥାଶ୍ରମରେ ଥାଇ ନିଜ ନିଜ କର୍ତ୍ତବ୍ୟ କର୍ମମାନ ଚଳାଇ ନିଅନ୍ତି । ରାମ ଦାଶ ଏହି ଶ୍ରେଣୀର ‘ଗୋସାଇଁ’ ଜଣେ । ଏ ଜାତିରେ ହଳୁଆ ବ୍ରାହ୍ମଣ; ବଳରାମଗୋତ୍ରୀ ଓ ଯଜୁର୍ବେଦୀ । ଏହାଙ୍କ ପିତାଙ୍କ ନାମ ଲଛମନ ଦାଶ- “ପିତା ମୋ ଲଛମନ ଦାଶ । ମୁହିଁ ଅଟଇ ତାଙ୍କ ଶିଷ୍ୟ ।” ପୁତ୍ରଙ୍କ ନାମ ମଧୁସୂଦନ ଦାଶ । ରାମ ଦାଶଙ୍କ ବଂଶତାଲିକା ଏହିପରି-

 

କୃଷ୍ଣ ଦାଶ

ଲଚ୍ଛମନ ଦାଶ

ରାମ ଦାଶ

ମଧୁସୂଦନ ଦାଶ

ଆର୍ତ୍ତ ଦାଶ

ଶ୍ରୀଧର ଦାଶ

ପରଶୁରାମ ଦାଶ

 

ଦାର୍ଢ଼୍ୟତା ଭକ୍ତିରସାମୃତ ପ୍ରଥମ ଖଣ୍ଡ ସପ୍ତମ ଅଧ୍ୟାୟରେ ଯେଉଁ ରାମ ଦାଶଙ୍କ ବିଷୟ ଲିପିବଦ୍ଧ ହୋଇଅଛି, ସେ ସମ୍ଭବତଃ କବି ରାମ ଦାଶ ବିନା ଅନ୍ୟ କେହି ନୁହନ୍ତି । ଅଳ୍ପ ପରିଶୀଳନ କରି ଦେଖନ୍ତୁ । ଦାର୍ଢ଼୍ୟତା ରାମ ଦାଶଙ୍କ ବସତି ଦକ୍ଷିଣ ଦେଶ; “ଦକ୍ଷିଣ ଦେଶେ ପୁଣ୍ୟ କ୍ଷେତ୍ର । ଦେଖିଲା ମାତ୍ରକେ ପବିତ୍ର ।” କବି ରାମ ଦାଶଙ୍କ ବାସସ୍ଥାନ ଗଞ୍ଜାମ ମଧ୍ୟ ଦକ୍ଷିଣ ଦେଶରେ ଯାଏ । ଦାର୍ଢ଼୍ୟତା ରାମ ଦାଶ ଜଣେ ‘ଗୃହୀ ବୈଷ୍ଣବ’ ଓ କୌଣସି ମଠର ଅଧିକାରୀ ଥିଲେ; ତାହାଙ୍କର କୁଟୁମ୍ବ ସବୁ ତିନିଜଣ-

 

“ଗୃହୀ ବୈଷ୍ଣବ ଅଟେ ପୁଣ

ତାର କୁଟୁମ୍ବ ତିନି ଜଣ

ଏକଇ ପୁତ୍ର ଏକ ନାରୀ

ସେ ଗ୍ରାମେ ଥାନ୍ତି ମଠ କରି’’

 

କବି ରାମ ଦାଶ ମଧ୍ୟ ଜଣେ ଗୃହୀ ବୈଷ୍ଣବ ଓ ଡୁରା ମଠର ଅଧିକାରୀ ଥିଲେ । ଏହାଙ୍କ କୁଟୁମ୍ବରେ ମଧ୍ୟ ତିନି ଜଣରୁ ଅଧିକ ନଥିଲେ । ଦାର୍ଢ଼୍ୟତା ରାମ ଦାଶଙ୍କ “ସର୍ବଦା କାଳେ ତା ଭଜନ । କେବଳ ପ୍ରଭୁ ଲଚ୍ଛମନ ॥” ରାମ ମତାବଲମ୍ବୀ କବି ରାମ ଦାଶଙ୍କ ଇଷ୍ଟଦେବତା ମଧ୍ୟ ଲଚ୍ଛମନ । ଦାର୍ଢ଼୍ୟତା ରାମ ଦାଶଙ୍କ ପରି କବି ରାମ ଦାଶ ନିରନ୍ତର ସାଧୁ ବୈଷ୍ଣବ ସେବାରେ ଅନୁରକ୍ତ ଥାଆନ୍ତି । ଦାର୍ଢ଼୍ୟତା ରାମ ଦାଶ ‘ପଣ୍ଡିତ, ବିବେକ’ ଥିଲେ; କବି ରାମ ଦାଶ ମଧ୍ୟ ଜଣେ ସାଧାରଣ ପଣ୍ଡିତ ବୋଲି ପରିଚିତ ।

 

ରାମ ଦାଶଙ୍କ ବିଦ୍ୟାଗୁରୁ କୌଣସି ଗଦାଧର ଦାଶ “ଶ୍ରୀଗୁରୁ ଗଦାଧର ଦାଶ । ସେ ପାଦପଦ୍ମେ ମୋର ଆଶ ॥” ଲୋକେ କହନ୍ତି, ଏହି ଗଦାଧରଙ୍କଠାରେ ରାମ ଦାଶ ସଂସ୍କୃତ ଅଧ୍ୟୟନ କରିଥିଲେ । ଯଥୋଚିତ ପାରଦର୍ଶିତା ଲାଭ କରି ଏ ନିଜେ ଖଣ୍ଡିଏ ସଂସ୍କୃତ ପାଠଶାଳା ଫିଟାଇ ଡୁରାର କେତେକ ଛାତ୍ରଙ୍କୁ ସଂସ୍କୃତ ପଢ଼ାଉଥିଲେ । ରାମ ଦାଶ ଡୁରାର କାର୍ଯୀ କାମ ମଧ୍ୟ କରୁଥିଲେ । ଏହି କାର୍ଯୀ ପଣିଆ ଏହାଙ୍କ ପୁରୁଷାନୁକ୍ରମେ ଚାଲି ଆସୁଥିଲା ପରି ଜଣାଯାଏ । ଏହାଙ୍କ ପିତା କାର୍ଯୀ ଥିଲେ, ଏ ନିଜେ କାର୍ଯୀ ଥିଲେ ଓ ଏହାଙ୍କ ବଂଶଧର ପରଶୁରାମ ଦାଶ ମଧ୍ୟ ବର୍ତ୍ତମାନ କାର୍ଯୀ ହୋଇଅଛନ୍ତି ।

 

ଦାର୍ଢ଼୍ୟତାଭକ୍ତି ରସାମୃତ ଖଣ୍ଡିଏ ପ୍ରାଚୀନ ଭକ୍ତିଗ୍ରନ୍ଥ । ଏଥିରେ କେତେକ ପୌରାଣିକ ଓ ଅନେକ ଈଶ୍ୱରାନୁଗୃହୀତ ଐତିହାସିକ ଭକ୍ତଙ୍କ ଜୀବନବୃତ୍ତାନ୍ତ ଲିପିବଦ୍ଧ ହୋଇଅଛି । ଏହା ଦୁଇ ଭାଗରେ ବିଭକ୍ତ ଓ ପ୍ରତ୍ୟେକ ଭାଗ ୨୫ ଅଧ୍ୟାୟରେ ସମ୍ପୂର୍ଣ୍ଣ । ପ୍ରଥମ ଭାଗ ଶ୍ରୀ ବୀରକେଶରୀ ଦେବଙ୍କ ୪୨ ଅଙ୍କରେ ସମାପ୍ତ ହେବାର କବି ଲେଖିଅଛନ୍ତି-

 

ଶ୍ରୀ ବୀରକେଶରୀ ଦେବଙ୍କ

ସମ୍ପୂର୍ଣ୍ଣ ବୟାଳିଶି ଅଙ୍କ

ଯେ ତୁଳ ପଞ୍ଚମୀ ଦିବସେ

ଶୁଦ୍ଧ ସକଳ ହରିବାସେ

 

 

 

 

ଚିତ୍ର ନକ୍ଷତ୍ର ରବିବାରେ

ତତ୍ତୁଲ୍ୟ ନାମ କରଣରେ

ଶୁଭ ନାମରେ ଯେଉଁ ଯୋଗ

ପଞ୍ଚାଶ ଦଣ୍ଡ ଥିଲା ଭୋଗ

 

 

 

 

ଏମନ୍ତ ଶୁଭ ଅନୁକୂଳେ

ପ୍ରାଣିଙ୍କ ଶ୍ରବଣ ମଙ୍ଗଳେ

ସମ୍ପୂର୍ଣ୍ଣ ହେଲା ଏ ଚରିତ

କହଇ ଲଚ୍ଛମନ ସୁତ

 

ଦ୍ୱିତୀୟ ଖଣ୍ଡ ଶ୍ରୀ ଦିବ୍ୟସିଂହଙ୍କ ୨୩ ଅଙ୍କରେ ସମାପ୍ତ ହୋଇଥିଲା-

 

ଶ୍ରୀ ଦିବ୍ୟସିଂହ ଦେବଙ୍କର

ସମ୍ପୂର୍ଣ୍ଣ ତେଇଶି ଅଙ୍କର

 

ଦ୍ୱିତୀୟ ଖଣ୍ଡରେ କୌଣସି କୌଣସି ହସ୍ତଲିଖିତ ପୁସ୍ତକରେ ୨୭ ଓ କୌଣସି କୌଣସି ପୁସ୍ତକରେ ୨୮ ଅଧ୍ୟାୟ ଥିବାର ଲକ୍ଷିତ ହୁଏ; କିନ୍ତୁ କବି ନିଜେ କହିଅଛନ୍ତି-

 

ପ୍ରଥମ ପ୍ରବନ୍ଧ ପଞ୍ଚିଶ

ଅଧ୍ୟାରେ ହୋଇଲା ପ୍ରକାଶ

ତହୁଁ ବତିଶ ସମ୍ବତ୍ସର

ଉତ୍ତାରୁ ସାଧୁମାନଙ୍କର

 

 

 

 

କୃପାରୁ ପୁଣ ପଞ୍ଚବିଂଶ

ଅଧ୍ୟା ଦାର୍ଢ଼୍ୟତାମୃତରସ

ଦୁଇ ପ୍ରବନ୍ଧ ମିଶିବାରେ

ସମ୍ପୂର୍ଣ୍ଣ ପଞ୍ଚାଶ ଅଧ୍ୟାରେ

 

କବି ପ୍ରଥମ ଭାଗ ରଚନା କଲାର ୩୨ ବର୍ଷ ଉତ୍ତାରୁ ଦ୍ୱିତୀୟ ଭାଗ ରଚନା କରିଥିଲେ ବୋଲି ଲେଖିଅଛନ୍ତି, ମାତ୍ର ଏହା ସମ୍ଭବପର ନୁହେଁ । ବୀରକେଶରୀ ଦେବ ଖ୍ରୀ.୧୭୩୬ଠାରୁ ଖ୍ରୀ.୧୭୭୩ ପର୍ଯ୍ୟନ୍ତ ଓ ଦିବ୍ୟସିଂହ ଦେବ ଖ୍ରୀ.୧୭୭୩ଠାରୁ ଖ୍ରୀ.୧୭୯୧ ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ । ବୀରକେଶରୀ ଦେବଙ୍କ ବୟାଳିଶି ଅଙ୍କଠାରୁ ଦିବ୍ୟସିଂହ ଦେବଙ୍କ ୨୩ ଅଙ୍କ ସରିକି ୨୨ ବା ୨୩ ବର୍ଷ ହେବ; ୩୨ ବର୍ଷ କିପରି ହେଲା ଜଣାଯାଉ ନାହିଁ । ବୋଧହୁଏ, ‘ବାଇଶ’ ପରିବର୍ତ୍ତରେ ‘ବତିଶ’ ପଡ଼ିଯାଇଥିବ । ରାମ ଦାଶ ଓଡ଼ିଶା ରାଜା ବୀରକେଶରୀ ଦେବଙ୍କ ସମୟର କବି, ଏହା ଉପରୋଦ୍ଧୃତ ଅଂଶରୁ ସ୍ପଷ୍ଟ ଅବଧାରିତ ହୁଏ । ଏ କେଉଁ ସମ୍ବତ୍ସରରେ ଜନ୍ମଗ୍ରହଣ କରିଥିଲେ, ଜଣାଯାଏ ନାହିଁ ।

 

କବିଙ୍କ କବିତାରେ କୌଣସି ବାଗାଡ଼ମ୍ବର ବା ରଚନାଟୋପ ଲକ୍ଷିତ ହୁଏ ନାହିଁ; ଯାହା ଲେଖିଅଛନ୍ତି, ତାହା ଅତ୍ୟନ୍ତ ସରଳ ଓ ସୁଖବୋଧ ଭାଷାରେ ଲେଖିଅଛନ୍ତି । ଉଦାହରଣ ଦେଖନ୍ତୁ-

 

ଏକଥା ଅଟଇ ପ୍ରମାଣ

ଶୁଣି ଚଳିଲେ ନୃପରାଣ

ବୋଇଲେ ଧର ହେ ଏହାକୁ

କେବଣ ବାପ ଆସି ରଖୁ

 

 

 

 

ସଭାର ଲୋକେ ଆଚମ୍ବିତେ

ଅନାଇଛନ୍ତି ସ୍ତମ୍ଭୀଭୂତେ

ନିର୍ବନ୍ଧ କରି ବନ୍ଧାଇଲେ

ପାଦେ ଶାଙ୍କୋଳି ପିନ୍ଧାଇଲେ

 

 

 

 

ଶ୍ରୀ ପୁରୁଷୋତ୍ତମ ମଧ୍ୟରେ

ରଖାଇ ଗଲେ ବନ୍ଦୀଘରେ

ବନ୍ଦୀ ମନ୍ଦିରେ ଯତ୍ନ କରି

ଖଣା ଖୋଳାଇ ହାତ ଚାରି

 

 

 

 

ତହିଁରେ ଦାଶଙ୍କୁ ରଖାଇ

ଉପରେ କାଠ ପଟା ଦେଇ

ସେ କାଠ ପଟା ପରେ ଭଲେ

ପଥରମାନ ମଡ଼ାଇଲେ

 

 

 

 

ନିର୍ବନ୍ଧେ କବାଟ କିଳାଇ

ଯେମନ୍ତେ ନ ଯିବ ପଳାଇ

ଅନେକ ଲୋକଙ୍କୁ ହକାରି

ଜଗାଇ ଦେଲେ ଦଣ୍ଡଧାରୀ

 

 

 

 

ଜାଗ୍ରତେ ରଖି ଜଗୁଆଳ

କହି ଚଳିଲେ ମହୀପାଳ

ଛାମୁରେ ଥିଲେ ଯେତେ ନର

କହିବା ଶକ୍ତି ଅଛି କା’ର

 

 

 

 

ମହାପ୍ରତାପୀ ନୃପବର

ଚଳିଣ ଗଲେ ନିଜ ପୁର

ଲୋକେ ଯେ ଗଲେ ଯେଝା ପୁର

ଦାଶେ ରହିଲେ ବନ୍ଦୀଘର

 

 

 

 

ଜଗିଅଛନ୍ତି ଶତେ ଜଣ

ଅତ୍ୟନ୍ତ ଆକଟ କରିଣ

ନିର୍ବନ୍ଧ କରିଣ କବାଟ

ମାଛି ଗଳିତ ନାହିଁ ବାଟ

 

 

 

 

ଦାଶେ ରହିଲେ ତହିଁ ଯାଇଁ

ନିର୍ବନ୍ଧେ ଅଛି ବନ୍ଧା ହୋଇ

ପୟରେ ଲାଗିଛି ଶାଙ୍କୋଳି

କେଣିକି ନ ପାରଇ ଚଳି

 

 

 

 

ଖଣା ମଧ୍ୟରେ ଅଛି ପଡ଼ି

ଆତଙ୍ଗେ ଶିରେ କର ଯୋଡ଼ି

X X X

 

 

‘ରାମରସାମୃତ’ ରାମ ଦାଶଙ୍କର ଅନ୍ୟତର ଗ୍ରନ୍ଥ ।



 

ନିଶଙ୍କରାୟ ରାଣୀ

(ପଦ୍ମାବତୀ ଅଭିଳାଷ-ରଚୟିତ୍ରୀ)

 

ଅନେକ ଦିନରୁ ଆମ୍ଭର ଏହି ଧାରଣା ଥିଲା ଯେ, ପୂର୍ବେ ପ୍ରାକୃତିକ ଓଡ଼ିଶାରେ ସ୍ତ୍ରୀ କବି କେହି ନ ଥିଲେ । କିନ୍ତୁ ଅନୁସନ୍ଧାନଦ୍ୱାରା ଜାଣିପାରିଅଛୁ କେତେକ ରାଜମହିଳା ଓଡ଼ିଆ ପଦ୍ୟସାହିତ୍ୟ କାନନରେ କେତେଗୁଡ଼ିଏ କୋମଳ ମନୋହର ବ୍ରତତୀ ଲଗାଇ ଅକ୍ଷୟ କୀର୍ତ୍ତି ରଖିଯାଇଅଛନ୍ତି । ଏମାନଙ୍କ ମଧ୍ୟରେ ‘ପଦ୍ମାବତୀ ଅଭିଳାଷ’ ପ୍ରଣେତା ନିଶଙ୍କରାୟ ରାଣୀ ଅଗ୍ରଗଣ୍ୟା । ନିଶଙ୍କରାୟ ରାଣୀ ଗଞ୍ଜାମଜିଲ୍ଲାନ୍ତର୍ଗତ ଜରଡ଼ା ବାସୁଦେବ ଥାଟରାଜଙ୍କ ଦୁହିତା ଓ ବୁଢ଼ାଶିଙ୍ଗୀ ରାଜା ଶ୍ରୀ ଗୌରଚନ୍ଦ୍ର ନିଶଙ୍କରାୟଦେଓଙ୍କ ରାଣୀ ଥିଲେ । କବି ‘ପଦ୍ମାବତୀ ଅଭିଳାଷ’ରେ ନିମ୍ନୋଦ୍ଧୃତ ଆତ୍ମ ପରିଚୟ ଦେଇଅଛନ୍ତି-

 

ଜରଡ଼ା ଦେଶ ଅଧୀଶ ଯେ ବୀର ଧୀର

କବିପଣେ ଦୁତୀ ସରସ୍ୱତୀକୁମର

ସିଦ୍ଧ ବିଦ୍ୟା ଉପାସନାରେ ପଣ୍ଡିତ

ବାସୁଦେବ ଥାଟନରପତି ମୋ ତାତ

 

 

 

 

ଗଙ୍ଗବଂଶାବ୍‍ଧିସମ୍ଭବ ପୀୟୂଷକର

ଶ୍ରୀଖିମଣ୍ଡି ମହାରାଜ୍ୟେ ଯେ ଅଧୀଶ୍ୱର

ବୀରାଧିବୀର ଶ୍ରୀଗଜପତି ନୃପତି

ଭୂପକୁଳଦୀପ ଯେ ପ୍ରତାପୀ ଅତି

 

 

 

 

ତାହାଙ୍କ ଅଂଶୁ ଉତ୍ପତ୍ତି ଖ୍ୟାତି ମୋ ପ୍ରିୟ

ଶ୍ରୀରାମଚନ୍ଦ୍ର ଦେଓଙ୍କର ଯେ ତନୟ

ବୁଢ଼ାଶିଙ୍ଗୀ ଦେଶ ଦୁତୀ ତ୍ରିଦଶାଳୟ

ଶତ୍ର ସମେ ତହିଁ କରିଛନ୍ତି ବିଜୟ

 

 

 

 

ରୂପେ କାମ ଧୀବନ୍ତେ ଯେ ଗୀଷ୍ପତି ସରି

ଦିଶେ ଦିଶେ ଯାହାଙ୍କ ଯଶ ପ୍ରସରି

ଦୟାଶୀଳ ଦାତା ବଳୀ ସମରେ ଯେଉଁ

ଭୀମପରାକ୍ରମ ପରେନ୍ଦୁ ରାହୁ॥

 

 

 

 

 

ସଦା ସର୍ବତ୍ର ଯେ ବିଚକ୍ଷଣ ସମାଜେ

ଶ୍ରୀକାଳିକାଦେବୀଙ୍କର ବରପୁତ୍ର ଯେ

ନାମ ଶ୍ରୀ ଗଉରଚନ୍ଦ୍ର ନିଶଙ୍କରାୟ

ଦେଉ ପଦ ଯାହାଙ୍କ ଯେ ସୁଗୁଣମୟ

 

 

 

 

ଅଟଇ ମୁଁ ତାଙ୍କର ସୁପ୍ରିୟ ଜାୟା

ଶ୍ରୀଦୁର୍ଗାମାଧବ ମତେ କରନ୍ତେ ଦୟା

ପଦ୍ମାବତୀ ଅଭିଳାଷ ନାମେ ପ୍ରବନ୍ଧ

ପ୍ରକାଶ କଲି ଏ ଅଠତିରିଶ ଛାନ୍ଦ

 

କବିଙ୍କ ମାତା, ବୋଧହୁଏ ଘୁମୁସର ରାଜା ଶ୍ରୀକର ଭଞ୍ଜଙ୍କ ଦୁହିତା ଥିଲେ । କବି ଲେଖିଅଛନ୍ତି-

 

ମହେଶ ସଙ୍ଗେ ଗଉରୀ ଯୁଗଳ ପାଦ ସୁମରି ଭଣଇ ନୃପତି ମନୋହାରୀ

ଜରଡ଼ାରାଜ୍ୟ ଭୂପତି ସୁତ ଥାଟନରପତି ମୁଁ ତାଙ୍କ ପ୍ରିୟ କୁମାରୀ ହେ

ସାଧୁଜନେ

ସ୍ତିରୀବୁଦ୍ଧି ନୁହଇ ସୁମତି

ଦିବାକରବଂଶ ଶ୍ରୀକର ଭଞ୍ଜ ନରେନ୍ଦ୍ର କେବଳ ତାହାଙ୍କ ଅଂଶୁ ଖ୍ୟାତି ହେ

 

ଗଞ୍ଜାମ ଜିଲ୍ଲା ମାନ୍ୟୁଆଲରେ ଲେଖାଅଛି, ଶ୍ରୀକର ଭଞ୍ଜ ୧୭୮୮ ଖ୍ରୀଷ୍ଟାବ୍ଦରେ ଘୁମୁସର ସିଂହାସନାରୂଢ଼ ହୋଇଥିଲେ । ସୁତରାଂ ନିଶଙ୍କରାୟ ରାଣୀ ଅଷ୍ଟାଦଶ ଶତାବ୍ଦୀର ଶେଷ ଭାଗରେ ବା ଉନ୍ନବିଂଶତି ଶତାବ୍ଦୀର ପ୍ରାରମ୍ଭରେ ଜନ୍ମଗ୍ରହଣ କରିଥିବେ ।

 

ଅନୁମାନ ହୁଏ, ରାଣୀଙ୍କଠାରେ ଗୌରଚନ୍ଦ୍ର ନିଶଙ୍କରାୟଙ୍କର ମନାନ୍ତର ଘଟିଥିଲା; ନତୁବା କବି କୌଣସି ବିପଦରେ ପଡ଼ିଥିଲେ । ସେ କରୁଣ ସ୍ୱରରେ କହିଅଛନ୍ତି-

 

ସହଜେ ଅବଳା କର୍ମେ ହେଲି ହୀନ

ସୁବୁଦ୍ଧି ନୋହେ ନାହିଁ ପାଠ ପଠନ

ବିହି ଆଣି କଲା ମତେ ଏତେ ହଟ

ସ୍ୱଦେଶରେ ଥିଲେ ହୋଇଥାନ୍ତି ପାଟ

 

 

 

 

ଏକାନ୍ତେ ଦିବା ରଜନୀ ନ ସରଇ

ତେଣୁ ବାଳ ବୋଧନେ ମନ ଦେଇ

କହଇ ମଧୁମାଳତୀ କଥାରସ

ସାଧୁଜନେ ନ ଧରିବା ଦୋଷାଦୋଷ

 

କବି ପଦ୍ମାବତୀ ଅଭିଳାଷ ରଚନା କଲାବେଳକୁ ପିତାଙ୍କ ଘରଠାରେ ଥିଲାପରି ଉପରୋଦ୍ଧୃତ ଅଂଶରୁ ସୂଚିତ ହୁଏ । କବି ମଧ୍ୟ ଜରଡ଼ା ରାଜବଂଶର ଆରାଧ୍ୟ ଦେବତା ଦୁର୍ଗାମାଧବଙ୍କ ନାମ ଅନେକ ସ୍ଥଳରେ ଉଲ୍ଲେଖ କରିଅଛନ୍ତି-

 

“ଶ୍ରୀଦୁର୍ଗାମାଧବ ମତେ କରନ୍ତେ ଦୟା ॥ ପଦ୍ମାବତୀ ଅଭିଳାଷ ନାମେ ପ୍ରବନ୍ଧ । ପ୍ରକାଶ କରି ଏ ଅଠତିରିଶ ଛାନ୍ଦ ॥” ଯଦି ବୁଢ଼ାଶିଙ୍ଗୀ ଗଡ଼ରେ ଥାନ୍ତେ, ସେ ଏପରି କାହିଁକି ଲେଖନ୍ତେ ?

 

ପାଠକେ ଜାଣିଥିବେ, ରାଜକନ୍ୟାମାନେ ସର୍ବତ୍ର ସାଧାରଣ ଶିକ୍ଷା ପ୍ରାପ୍ତ ହୋଇଥାନ୍ତି । ଯେଉଁଠାରେ ପିତା ନିଜେ ଲବ୍‍ଧପ୍ରତିଷ୍ଠ, ସେଠାରେ କନ୍ୟାମାନେ ସଂସ୍କୃତ ମଧ୍ୟ ପଢ଼ାପଢ଼ି କରିଥାନ୍ତି । ଜରଡ଼ାର ବାସୁଦେବ ଥାଟରାଜ ଜଣେ ଖ୍ୟାତନାମା କବି ଥିଲେ; “କବିପଣେ ଦୁତୀ ସରସ୍ୱତୀ କୁମର”, “ସିଦ୍ଧବିଦ୍ୟା ଉପାସନାରେ ପଣ୍ଡିତ ।” ସୁତରାଂ ତାହାଙ୍କ ଦୁହିତା କବି ହେବା ଆଶ୍ଚର୍ଯ୍ୟ ନୁହେଁ । ପିତାଙ୍କ ପ୍ରସାଦରୁ ପଦ୍ମାବତୀ ଅଭିଳାଷ ରଚନା କରିଥିବାର କବି ନିଜେ କହିଅଛନ୍ତି-

 

ବାସୁଦେବ ଥାଟନୃପ ମୋର ତାତ

କବିପଣେ ଦୁତୀ ସରସ୍ୱତୀସୁତ

ତାଙ୍କ ପାଦରଜ ପ୍ରସାଦରୁ ମୁହିଁ

ମଧୁମାଳତୀ ଚରିତ ବଖାଣଇଁ

 

ପଦ୍ମାବତୀ ଅଭିଳାଷର ଅପର ନାମ ମଧୁମାଳତୀ ଚରିତ ।

 

ବୁଢ଼ାଶିଙ୍ଗୀର ରାଜାମାନେ ରାମମତାବଲମ୍ବୀ । ସୀତାରାମ ସେମାନଙ୍କର ଇଷ୍ଟଦେବତା । କବିମାନେ ଆପଣା ଆପଣା ଆରାଧ୍ୟ ଦେବତାଙ୍କ ସ୍ତୁତି ଗ୍ରନ୍ଥାରମ୍ଭରେ ଲେଖିବା ସାଧାରଣ ନିୟମ । କିନ୍ତୁ ପଦ୍ମାବତୀ ଅଭିଳାଷରେ ଏଥିରେ ବିପର୍ଯ୍ୟୟ ଦେଖାଯାଏ । ଗ୍ରନ୍ଥର ମୁଖବନ୍ଧରେ ସରସ୍ୱତୀଙ୍କ ବନ୍ଦନା; ଛାନ୍ଦର ଶେଷରେ ଇଷ୍ଟଦେବତା ସ୍ମରଣା । ଏଥିରୁ ସ୍ପଷ୍ଟ ବୋଧହୁଏ, ନିଶଙ୍କରାୟ ରାଣୀ ବିଦ୍ୟାଶିକ୍ଷା ପ୍ରତି ବିଶେଷ ଲକ୍ଷ୍ୟ ରଖିଥିଲେ । ସୁତରାଂ ଇଷ୍ଟଦେବତାଙ୍କ ଅପେକ୍ଷା ବିଦ୍ୟାଦେବୀଙ୍କଠାରେ ତାହାଙ୍କର ଗାଢ଼ତର ବିଶ୍ୱାସ ଓ ଭକ୍ତି ଥିଲା । ନୋହିଲେ କି କବି ପଦ୍ମାବତୀ ଅଭିଳାଷର ନାୟକ ମଧୁଙ୍କୁ ମାଳତୀଙ୍କ ଗର୍ଭରୁ ରାମନବମୀ ଦିନ ନୁହେଁ, ଦଶହରା ଦିନ ନୁହେଁ, ମାଘ ଶୁକ୍ଳ ପଞ୍ଚମୀ ଦିନ ଜନ୍ମ କରାଇଥାନ୍ତେ ?

 

ତାହା ଦେଖି ସକଳ ପ୍ରିୟସଖୀ କରନ୍ତି ପ୍ରସବ ବିଧି ।

ବିଶେଷରେ ମାଘ ଶୁକ୍ଳ ପଞ୍ଚମୀ ମଙ୍ଗଳବାର ଅବଧି ସେ ।

ବେନି ଘଡ଼ି ରଜନୀ ।

ରାଜାନନ୍ଦନ ଜାତ ଅବନୀ ସେ ।

 

କବି ଶୀତକାଳ ବର୍ଣ୍ଣନା କରି ଅଧିକ କିଛି ନ କହି ବସନ୍ତ ପଞ୍ଚମୀର କଥାଟା କାହିଁକି ଲେଖିଥାନ୍ତେ ?

 

ମାଘ ଶୁକ୍ଳ ପଞ୍ଚମୀ ଦିବସରେ

ସରସ୍ୱତୀଙ୍କି ପୂଜିଲେ କୁମରେ

ଶାରଦାଙ୍କ ବନ୍ଦନା ଗୀତମାନ

ଚାଟଶାଳରେ ଗାଇଲେ ନନ୍ଦନ

 

ରାଜବାଟୀର ସ୍ତ୍ରୀମାନେ ପୁରାଣ, ଛାନ୍ଦ, ଚଉପଦୀ, ବିଶେଷତଃ ଉପେନ୍ଦ୍ରଭଞ୍ଜଙ୍କ ଲାବଣ୍ୟବତୀ ଶିଖିଥାନ୍ତି । ନିଶଙ୍କରାୟ ରାଣୀ ମଧ୍ୟ ଲାବଣ୍ୟବତୀ ଉତ୍ତମରୂପେ ଜାଣିଥିବାର ତାହାଙ୍କ ଗ୍ରନ୍ଥରୁ ପ୍ରମାଣ ମିଳଇ । ସେ ଗୋଟିଏ ସରୋବର ରାମକିରୀ ରାଗରେ ବର୍ଣ୍ଣନା କରି ଲେଖିଛନ୍ତି-

 

ସେ ନରବର ସରୋବର ବୁଲି ଦେଖନ୍ତି ଶୋଭା

ସ୍ଫଟିକ ପାବଚ୍ଛ ବକୁଳମୂଳେ ହୋଇଲେ ଉଭା

 

 

ନୀଳଶାଢ଼ୀ ରଙ୍ଗଧଡ଼ିରେ ହଂସାବଳୀ ଶୋଭନ

ମହୀ ମହିଳା ବିସ୍ତାରିବା ପ୍ରାୟେ ଦିଶେ ରଞ୍ଜନ

 

 

ପଦ୍ମ କୁମୁଦ କୋକନଦଙ୍କର ସୁବାସ ଘେନି

ଭ୍ରମରେ ଭ୍ରମରେ ଭ୍ରମନ୍ତି କରି ହରଷେ ଧ୍ୱନି

 

 

ଦୀପଦଣ୍ଡ ମଣ୍ଡି ସୁନ୍ଦର ସାରସ ଚକ୍ରବାକ

ହଂସ ମରାଳି ସଙ୍ଗେ କେଳି କରୁଛନ୍ତି ଡାହୁକ

 

ଉପେନ୍ଦ୍ରଭଞ୍ଜଙ୍କର ସରୋବର ବର୍ଣ୍ଣନା ଦେଖନ୍ତୁ-

 

କି ନୀଳଶାଢ଼ୀ ହଂସାବଳୀ ରଙ୍ଗ ଧଡ଼ି ହୋଇଛି

ଅବନୀ-ବନିତା ବିସ୍ତାରେ କିବା କିଣିବା ଇଚ୍ଛି

 

 

ପାବଚ୍ଛ ସ୍ୱଚ୍ଛ ସ୍ଫଟିକରେ ନୀରତୀର ପ୍ରତୀ

ସୁବେଣୀ ପରଶ ଭାବି କି ତହିଁ ତ୍ରିବେଣୀ ଖ୍ୟାତ

 

 

ଦୀପଦଣ୍ଡି ଲଭି ମରାଳପନ୍ତି ଦିଏ ଭଉଁରୀ

ବଡ଼ ବଡ଼ଭୀକି ବେଢ଼ି କି ଶୋଭା ଚୂର୍ଣ୍ଣଚଉଁରୀ

X X X

 

ଦେଖରେ ନଳିନୀ ନଳିନୀ ନଳିନୀରେ ପୂରିତ

ଭ୍ରମନ୍ତି ଭ୍ରମରେ ଭ୍ରମରେ ଭ୍ରମରେ ଏ ଶୋଭିତ

(ଲାବଣ୍ୟବତୀ)

 

 

କବି ଏପରି ଅନେକ ଆଳରେ ଉପେନ୍ଦ୍ରଭଞ୍ଜଙ୍କର ଅନୁକରଣ କରିଥିବାର ଲକ୍ଷିତ ହୁଏ ।

 

ସ୍ତ୍ରୀମାନେ ଯେଡ଼େ ବଡ଼ କବି ହେଲେ ମଧ୍ୟ ସେମାନଙ୍କର କଳ୍ପନାଶକ୍ତି ସୀମାବଦ୍ଧ ଅଟେ । ସେମାନେ ନିଜେ ଯାହା ଦେଖିଥାନ୍ତି, ତାହା ମାତ୍ର ଲିପିବଦ୍ଧ କରନ୍ତି । ତାହାଙ୍କର କାନନ-ବର୍ଣ୍ଣନା ଦେଖନ୍ତୁ-

 

ଶୁଣ ହେ ସୁଜନେ ଦେଇ କର୍ଣ୍ଣମନ କହିବା କାନନ ଶୋଭା

ଦ୍ୱାଦଶ ଯୋଜନ ସଞ୍ଜ ଘଞ୍ଜ ବନ ନ ଗଳଇ ଶଶିପ୍ରଭା

ଦିବସେ ଅନ୍ଧାର ମହାଭୟଙ୍କର ସୂର୍ଯ୍ୟତେଜ ନ ଲାଗଇ

ତାଙ୍କ ଭୟ ପାଇ କିବା ତମ ତହିଁ ଲୁଚିଲା ପରି ଦିଶଇ

 

ଏହା କବିଙ୍କର କଳ୍ପିତ କାନନ ନୁହେଁ; ବୁଢ଼ାଶିଙ୍ଗୀର ନିବିଡ଼ ଅରଣ୍ୟ ମାତ୍ର । କୁଶସ୍ଥଳି ନଗରର ରାଜା ମଦନକେଶରୀଙ୍କ ଗଡ଼ ବର୍ଣ୍ଣନା ମଧ୍ୟ ଦେଖନ୍ତୁ-

 

ଗୁପତେ ନୃପତିଙ୍କ ପୁର

ଗିରିକନ୍ଦରେ ବନ ଘୋର

କବି ଆପଣାର ନଥର କି ଅନ୍ୟ କୌଣସି କଳ୍ପିତ ରାଜବାଟୀ ବର୍ଣ୍ଣନା କରିଅଛନ୍ତି, ଯେଉଁମାନେ ବୁଢ଼ାଶିଙ୍ଗୀ ଥରେ ଯାଇ ଦେଖିଅଛନ୍ତି, ସେମାନେ ସହଜରେ ବୁଝିପାରିବେ ।

 

କବିଙ୍କ ଅନ୍ୟାନ୍ୟ ବର୍ଣ୍ଣନା ଅପେକ୍ଷା ପଦ୍ମାବତୀଙ୍କ ବିବାହ ବର୍ଣ୍ଣନାଟି ଯତ୍‍କିଞ୍ଚତ୍‍ ଦୀର୍ଘ । ରାଜବାଟୀରେ ବିବାହୋତ୍ସବ ସମୟରେ ଅଧିବାସ କୋଇଲିବୁଡ଼ଠାରୁ ଅଷ୍ଟମଙ୍ଗଳା ପର୍ଯ୍ୟନ୍ତ ଯେଉଁସବୁ ବିଧିବିଧାନ, ନାଟଖଟଣୀ, ଆମୋଦ ପ୍ରମୋଦ ହୁଏ, ତାହା ଏଥିରେ ବିଶଦରୂପେ ବିବୃତ ହୋଇଅଛି । ସମ୍ଭବତଃ କବିଙ୍କ ବିବାହ ସମୟରେ ସେ ନିଜେ ଯାହା ଯାହା ଦେଖିଥିଲେ ଓ ତାହାଙ୍କୁ ଯାହା ଯାହା କରିବାକୁ ହୋଇଥିଲା, ସେ ସବୁ ଲିପିବଦ୍ଧ କରିଦେଇ ଅଛନ୍ତି । ବାହୁଲ୍ୟ ଭୟରୁ ଉକ୍ତ ବର୍ଣ୍ଣନାଟି ଏହିଠାରେ ଦିଆଗଲା ନାହିଁ ।

 

ବୋଉମାନଙ୍କୁ ସଙ୍ଗେ ଘେନି ସାଧବାଣୀ ପାଣିକି ଯିବାର, ସାଧବପୁଅମାନେ ବୋଇତ ବଣିଜ କରିଯିବାର, ରାକ୍ଷସୀର ଆୟୁଷ-ତୁମ୍ବା ଭାଙ୍ଗିବାର- ଏସବୁ ପଦ୍ମାବତୀ ଅଭିଳାଷର ଗୋଟିଏ ପ୍ରଧାନ ଅଂଶ । ବୋଧହୁଏ କବି ବାଲ୍ୟକାଳରେ ଯେଉଁ କାହାଣୀ ସବୁ ଶୁଣିଥିଲେ, ତାହା ମୂର୍ତ୍ତିମନ୍ତ କରି ତାହାଙ୍କ ଗ୍ରନ୍ଥରେ ଗୁମ୍ଫନ କରିଦେଇଅଛନ୍ତି । ଆଉ କ’ଣ କରନ୍ତେ ? ସେ ଜଣେ ରାଜମହିଳା; ନିରନ୍ତର ଅନ୍ତଃପୁର ମଧ୍ୟରେ ଆବଦ୍ଧା । ବାହ୍ୟ ଜଗତ ସହିତ ତାହାଙ୍କର ବିଶେଷ ସମ୍ପର୍କ ରହିଲା ନାହିଁ । ଅତଏବ ସେ ଯାହା ଚକ୍ଷୁରେ ଦେଖିଥିଲେ, ଯାହା କର୍ଣ୍ଣରେ ଶୁଣିଥିଲେ, ସେସବୁ ଲିପିବଦ୍ଧ କଲେ । କବି ମଧ୍ୟ ବିନୟପୂର୍ବକ କହିଅଛନ୍ତି-

 

ରାମ କୃଷ୍ଣ ହରି ହୃଦରେ ସୁମରି ରଜନୀ ପୁଆଇଲେ

 

ନିଶି ଶେଷେ ପୁଣି ରାମ ଭଜିଲେ ।

 

ସେ ରାମଙ୍କୁ ଈଶ କରିଣ ନରେଶ-କାନ୍ତା ଏ ରସେ ଭଣିଲେ ହେ । ସୁଜନେ ।

 

କିଛି କରି ନାହିଁ ପାଠ ପଠନ

ସ୍ତୀରୀ ସ୍ୱଭାବେ ଅଟେ କର୍ମହୀନ

ରାଜଗୃହେ ବନ୍ଦୀ ପ୍ରାୟେ ହୋଇ ଧନ୍ଦି ଜଞ୍ଜାଳ ଜାଲେ ହେ । ସୁଜନେ ।

 

 

ପଦ୍ମାବତୀ ଅଭିଳାଷର ଭାଷା ଶୁଦ୍ଧ ଓ ପ୍ରାଞ୍ଜଳ, ରଚନା ପରିପକ୍ୱ ଓ ଉପାଦେୟ; ବର୍ଣ୍ଣନାଗୁଡ଼ିକ ସୁନ୍ଦର । ଉଦାହରଣ ଦେଖନ୍ତୁ-

 

କୁସୁମ ସମୟ ହୋଇଛି ଉଦୟ ପଲ୍ଲବିତ ତରୁଲତା

ବୃକ୍ଷଡ଼ାଳେ ଡାଳ ଲାଗିଣ ଚହଳ ବିଭା କି ବର ବନିତା

 

 

ସର୍ବ ତରୁଗଣେ ବରଜାତିପଣେ କରନ୍ତି ବିଭାସମ୍ଭାର

ବରକନ୍ୟାଙ୍କୁ କି ଯଉତୁକ ଦେବେ ବଢ଼ାଇଅଛନ୍ତି କର

 

 

ଫଳପୁଷ୍ପଭର ତରୁଲତାମାନେ ଦିଶନ୍ତି ଏ ଅଧ୍ୟାହାର

ବନ୍ଧୁଗଣ ଲଇ ଫୁଲବେଶ ହୋଇ ବେଦୀରେ ଯେମନ୍ତ ବର

 

 

ପଲାଶ ଲତା ପଲାଶ ଦୂର କରି ପୁଷ୍ପେ ହୋଇଛି ସୁବେଶ

ହୋମ ଅନଳ ଜଳିବା ପରି ଦିଶେ ବରକନ୍ୟାଙ୍କର ପାଶ

 

 

ପୁଷ୍ପମଧୁ ବହି ଘୃତଧାରା ସେହି ବିଯୋଗୀ ଯେ କାଷ୍ଠରାଶି

କାମବ୍ରାହ୍ମଣ ଫୁଲଶରେ ଛେଦିଣ ହୋମ କରିଛି କି ବସି

 

 

କେଉଁ ତରୁଗଣ ଲତା ବେଷ୍ଟିତେଣ ଦିଶେ ଏହି ଶୋଭାବନ

ଚିରପରବାସ ତେଜି କି ପୁରୁଷ କାନ୍ତା ଅଙ୍ଗେ ଆଲିଙ୍ଗନ

 

 

ଦରବିକାଶ କୁସୁମ କିବା ମନ୍ଦହାସେ ମନ ମୋହୁଅଛି

ମୁଞ୍ଚି ମକରନ୍ଦ ଛଳେ ରଖି ଦ୍ୱନ୍ଦ ରାମା କି ଅଶ୍ରୁ ତେଜୁଛି

 

 

ଉଚ୍ଚ ଡାଳରୁ ଝଡ଼ି ପୁଷ୍ପ ପାଖୁଡ଼ି କୁସୁମ ବରଷା ପ୍ରାୟେ

ପବନ ବଳେ ବଲ୍ଲରୀଗଣ ଚଳି ଆଲଟ ଢାଳନ୍ତି କି ଏ

 

 

ବିବିଧ ପକ୍ଷୀ କୋଳାହଳ ନାଦରେ ହୁଳହୁଳି କି ଏ ମଣି

ନାନା ମୃଗଗଣ ଆତଯାତ ପୁଣ ଚରଚା ଲୋକ ଏ ଜାଣି

X X X

 



 

କାହ୍ନୁ ଦାଶ

(ରାମରସାମୃତ ପ୍ରଣେତା)

 

ଗଞ୍ଜାମ ଅଞ୍ଚଳରେ ରାମରସାମୃତ ନାମକ ଦୁଇଖଣ୍ଡି ଓଡ଼ିଆ ପଦ୍ୟଗ୍ରନ୍ଥ ପ୍ରଚଳିତ ଥିବାର ଦେଖାଯାଏ । ଖଣ୍ଡିଏ ସ୍ୱନାମବିଖ୍ୟାତ ଦାର୍ଢ଼୍ୟତା ଭକ୍ତିରସାମୃତ ରଚୟିତା ରାମ ଦାଶଙ୍କ ଦ୍ୱାରା ରଚିତ । ଅପରଟି କାହ୍ନୁ ଦାଶ କର୍ତ୍ତୃକ ଲିଖିତ । ପ୍ରଥମୋକ୍ତ କବିଙ୍କ ସଂକ୍ଷିପ୍ତ ଜୀବନୀ ଏଥିପୂର୍ବେ ପ୍ରକାଶିତ ହୋଇଅଛି । ଶେଷୋକ୍ତ କବିଙ୍କ ଯତ୍‍ସାମାନ୍ୟ ପରିଚୟ ନିମ୍ନରେ ବିବୃତ ହେଲା ।

 

କାହ୍ନୁ ଦାଶ ଧରାକୋଟ ରାଜ୍ୟାନ୍ତର୍ଗତ ଋଷିକୁଲ୍ୟା ନଦୀର ଉତ୍ତର ପାଶ୍ୱର୍ବର୍ତ୍ତୀ ମଙ୍ଗଳପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାହାଙ୍କ ପିତାଙ୍କ ନାମ ରଘୁନାଥ ମହାପାତ୍ର । ସେ ଜାତିରେ ବ୍ରାହ୍ମଣ ଥିଲେ । ପୂର୍ବୋକ୍ତ ଗ୍ରାମରେ କବିଙ୍କ ବଂଶୀୟ ଲୋକେ ଗଣ୍ୟମାନ ଥିଲେ । କବି କହିଅଛନ୍ତି-

 

ସେ ରଘୁନାଥ ମହାପାତ୍ର

ବ୍ରାହ୍ମଣ ବଂଶରେ ପବିତ୍ର

ବଶିଷ୍ଠ କୁଳସିନ୍ଧୁ ସୋମ

ମୁଁ ତାଙ୍କ ଅଟଇ ନନ୍ଦନ

 

 

 

 

ନୀଳାଦ୍ରି ପଶ୍ଚିମ ପାର୍ଶ୍ୱର

ଉତ୍କଳ ଦେଶେ ଜନ୍ମ ମୋର

ରାଜ୍ୟର ଧରାକୋଟ ନାମ

ମଙ୍ଗଳପୁର ଗ୍ରାମ ନାମ

 

 

 

 

ରାଜ୍ୟର ଅଟଇ ସେ ପାଟ

ଗ୍ରାମମାନଙ୍କର ସେ ଶ୍ରେଷ୍ଠ

ଅତି ପ୍ରାଧାନ୍ୟ ଆମ୍ଭେ ତହିଁ

ସେ ଯେ ଆମ୍ଭର ଜନ୍ମଭୂଇଁ

 

ଉପରୋଦ୍ଧୃତ ପଦ୍ୟାଂଶରୁ ଜଣାଯାଏ, କବିଙ୍କ ପିତା ‘ମହାପାତ୍ର’ ସାଂଜ୍ଞା ଧାରଣ କରିଥିଲେ । ପିତା ଓ ପୁତ୍ରଙ୍କର ଉପାଧି କି ହେତୁ ଭିନ୍ନ ହୋଇଅଛି, ତାହାର କୌଣସି ପ୍ରମାଣ କବିଙ୍କ ଗ୍ରନ୍ଥରୁ ମିଳେନାହିଁ; ଅଥଚ ତାହାଙ୍କ ପାରମ୍ପରିକ ସାଂଜ୍ଞା ସମ୍ବନ୍ଧରେ ଦୁଇଗୋଟି ବିଷୟ ଅନୁମିତ ହୋଇପାରେ । “ବ୍ରାହ୍ମଣକୁଳେ ଜନ୍ମ ହୋଇ । ପାଠ ପଠନ ମୋର ନାହିଁ ।” ବୋଲି ଗ୍ରନ୍ଥର ଏକାଧିକ ସ୍ଥାନରେ କବି ନିଜର ପରିଚୟ ଦେଇଅଛନ୍ତି । ଯଦି ଗୁଣୀଗଣ ସୁଲଭ ନମ୍ରତାର ପ୍ରଭାବରୁ କବି ଉପରୋକ୍ତରୂପେ କହିନଥାନ୍ତି, ତେବେ କୁହାଯାଇପାରେ ଯେ, ବହୁସଂଖ୍ୟକ ବ୍ରାହ୍ମଣମାନଙ୍କ ପରି କବିଙ୍କ ପାରମ୍ପରିକ ସାଂଜ୍ଞା ‘ଦାଶ’ ଥିଲା । ମାତ୍ର ରଘୁନାଥଙ୍କ ଗୁଣାତିଶଯ୍ୟ ହେତୁ ସମ୍ମାନସୂଚକ ସକାଶେ ‘ମହାପାତ୍ର’ ଉପାଧି ତତ୍କାଳୀନ କୌଣସି ରାଜା ବା ସମାଜଦ୍ୱାରା ତାହାଙ୍କୁ ପ୍ରଦତ୍ତ ହୋଇଥିବ । କବି ପିତାଙ୍କ ତୁଲ୍ୟ ଯୋଗ୍ୟ ନଥିବା ଯୋଗୁଁ ତାହାଙ୍କ ବିଶିଷ୍ଟ ଉପାଧି ପରିତ୍ୟାଗ କରି ସାଧାରଣ ପାରମ୍ପରିକ ଉପାଧି ପୁନରାୟ ଗ୍ରହଣ କରିଥିଲେ । ଦ୍ୱିତୀୟତଃ ଉତ୍କଳରେ ଅନେକ କବି ‘ଦାଶ’ ସାଂଜ୍ଞାଧାରୀ ଅଟନ୍ତି । ଯଥା- ଶାରଳାଦାସ, ଜଗନ୍ନାଥଦାଶ, ଦୀନକୃଷ୍ଣଦାସ । ସମ୍ଭବତଃ କବି ଏମାନଙ୍କର ଅନୁକରଣ କରି ପୈତୃକ ମହାପାତ୍ର ଆଖ୍ୟା ବିସର୍ଜନପୂର୍ବକ ଦାଶ ଉପାଧି ଗ୍ରହଣ କରିଥିବେ । ଯାହାହେଉ, ଉପରୋକ୍ତ ଉଭୟ ମତରୁ କେଉଁଟି ଗ୍ରହଣଯୋଗ୍ୟ, ନିର୍ଦ୍ଧାରଣ କରିବା କଷ୍ଟସାଧ୍ୟ ।

 

ପ୍ରମାଣାଭାବରୁ କାହ୍ନୁ ଦାଶଙ୍କ ପାରିବାରିକ ସାଂଜ୍ଞା ନିର୍ଦ୍ଧାରଣ କରିବା ଯେମନ୍ତ ସହଜ ନୁହେଁ, ସ୍ତୋକ ଓ ଅସ୍ପଷ୍ଟ ଆଭ୍ୟନ୍ତରୀଣ ନିଦର୍ଶନରୁ ତାହାଙ୍କ ସମୟ ନିରୂପଣ କରିବା ମଧ୍ୟ ତେମନ୍ତ ସୁଲଭ ନୁହେଁ । ସେ ଲେଖିଅଛନ୍ତି-

 

ନରେନ୍ଦ୍ର ମୁକୁନ୍ଦ ଦେବଙ୍କ

କୁଶଳ ପଞ୍ଚଂବିଶ ଅଙ୍କ

ଶ୍ରାବଣ ମାସାଦ୍ୟ ପକ୍ଷରେ

ଏକାଦଶମୀ ରବିବାରେ

ରଜନୀ ସପ୍ତଦଶ ପୂର୍ଣ୍ଣେ

ମୋର ଜନମ ଶୁଭଲଗ୍ନେ

 

କବିଙ୍କ କଥାନୁରୂପ ମୁକୁନ୍ଦ ଦେବଙ୍କ ରାଜତ୍ୱ ସମୟରେ ତାହାଙ୍କ ଜନ୍ମ । ତିନିଜଣ ମୁକୁନ୍ଦ ଦେବ ପୁରୀ ସିଂହାସନାରୋହଣ କରିଥିଲେ । ତନ୍ମଧ୍ୟରୁ ଏକଜଣଙ୍କର ମାତ୍ର ପଞ୍ଚବିଂଶାଧିକ ଅଙ୍କ ଥିଲା । ସେ ଖ୍ରୀଷ୍ଟାବ୍ଦ ୧୬୬୨-୧୬୯୦ ସାଲ ପର୍ଯ୍ୟନ୍ତ ଶାସନ କରିଥିଲେ । ଅତଏବ ପ୍ରଚଳିତ ଅଙ୍କ ଗଣନା ଅନୁସାରେ ତାହାଙ୍କର ମାତ୍ର ତ୍ରୈତ୍ରିଂଶ ଅଙ୍କ ଥିଲା । ସୁତରାଂ ଏହି ମୁକୁନ୍ଦ ଦେବଙ୍କ ସମୟରେ କବିଙ୍କ ଜନ୍ମ ।

 

ସ୍ଥାନାନ୍ତରରେ ଲେଖା ହୋଇଅଛି-

 

ତ୍ରିବିଂଶ ଅବଦ ବୟସ

କାଳରେ ଏ ଗ୍ରନ୍ଥ ପ୍ରକାଶ

କଲି ସଂସାର ଜନହିତେ

ଶୁଣି ହରଷ ଲଭି ଚିତ୍ତେ

 

 

 

 

ଶ୍ରୀଦିବ୍ୟସିଂହ ଦେବରାଜେ

ଗଜପତିଙ୍କ ଶୁଭରାଜ୍ୟେ

ବିଜୟ ତ୍ରୟୋଦଶ ଅଙ୍କେ

ଆଷାଢ଼ ମାସ ସିତପକ୍ଷେ

 

 

 

 

ଦୁତୀୟା ଶ୍ରୀଗୁଣ୍ଡିଚା ଦିନ

ଏ ରାମରସାମୃତ ପୂର୍ଣ୍ଣ

 

ଏ ପ୍ରବନ୍ଧ ରଚନା ଦିବ୍ୟସିଂହ ଦେବଙ୍କ ତ୍ରୟୋଦଶ ଅଙ୍କରେ ଶେଷ ହୋଇଥିଲା ଏବଂ ତତ୍‍ସମୟରେ କବିଙ୍କ “ତ୍ରିବିଂଶ ଅବଦ” ବୟଃକ୍ରମ ହୋଇଥିଲା । ତ୍ରିବିଂଶ ଶବ୍ଦର ପ୍ରକୃତ ଅର୍ଥ ଷାଠିଏ । ପୂର୍ବୋକ୍ତ ମୁକୁନ୍ଦଦେବଙ୍କ ଉତ୍ତାରୁ ଖ୍ରୀଷ୍ଟାବ୍ଦ ୧୬୯୦-୧୭୧୩ ପର୍ଯ୍ୟନ୍ତ ଏକ ଦିବ୍ୟସିଂହଦେବ ରାଜତ୍ୱ କରିଥିଲେ । ୧୭୭୩-୧୭୯୧ ପର୍ଯ୍ୟନ୍ତ ଅନ୍ୟ ଏକ ଦିବ୍ୟସିଂହ ଦେବ ପୁରୀର ରାଜା ଥିଲେ । କୌଣସି ଦିବ୍ୟସିଂହଙ୍କ ତ୍ରୟୋଦଶ ଅଙ୍କ ସମୟକୁ କବିଙ୍କ ବୟସ ଗଣନା କଲେ ୬୦ ହେଉନାହିଁ । କିନ୍ତୁ “ଅଙ୍କ” ଗଣନାର ପ୍ରକୃତ ନିୟମ ପ୍ରତି ଦୃଷ୍ଟି ନ ରଖି ଧାରାବାହିକରୂପେ ଗଣିନେଲେ ମୁକୁନ୍ଦଦେବଙ୍କ ଅବଶିଷ୍ଟ ନଅ ଅଙ୍କ ଓ ତାହାଙ୍କ ଅବ୍ୟବଧାନ ପର ରାଜା ଦିବ୍ୟସିଂହଦେବଙ୍କ ତ୍ରୟୋଦଶ ଅଙ୍କ ମିଳି ଦ୍ୱାବିଂଶ ଅଙ୍କ ହେଉଥିବା ହେତୁ କବି ଏପରି ଭ୍ରାନ୍ତ ଗଣନାରେ ପଡ଼ି ଦ୍ୱାବିଂଶ ବର୍ଷ ଅତିକ୍ରମ ପୂର୍ବକ ତ୍ରୟୋବିଂଶ (ଅର୍ଥାତ୍‍ ୨୩) ବର୍ଷ ବୟଃକ୍ରମ ବୋଲି ସମ୍ଭବତଃ ପରିଚୟ ଦେଇଅଛନ୍ତି । ଏଥିରୁ ବୋଧହୁଏ, ରାମରସାମୃତ କବିଙ୍କ ପ୍ରଥମୋଦ୍ୟମର ଫଳ । ଉକ୍ତ ଗ୍ରନ୍ଥ ପାଠ କଲେ ପ୍ରତିପନ୍ନ ହୁଏ, କାହ୍ନୁ ଦାଶ ଜଣେ ସ୍ୱଦେଶଭାଷାନୁରାଗୀ ଥିଲେ ଓ ସେ ଦେଶୀୟ ଭାଷାରେ ପ୍ରବନ୍ଧ ଲେଖିବାର ପ୍ରୟୋଜନୀୟତା ଉତ୍ତମରୂପେ ଉପଲବ୍‍ଧି କରିପାରିଥିଲେ । ଏହି ଗ୍ରନ୍ଥରେ ସେ ଲେଖିଅଛନ୍ତି-

 

ପ୍ରାକୃତ ଭାଷା ରସ ପଦ

ସବୁରି ଶ୍ରବଣକୁମୁଦ

ହୋଇବ ସର୍ବପ୍ରାଣୀ ପ୍ରୀତି

ବିଚିତ୍ର ଚିତ୍ର ସୁଭାରତୀ

 

 

 

 

ସର୍ବଜ୍ଞ ଅଜ୍ଞ ଜ୍ଞାନୀ ପୁଣି

ଆନନ୍ଦ ହେବେ କର୍ଣ୍ଣେ ଶୁଣି

 

କାହ୍ନୁ ଦାଶଙ୍କ ସମୟରେ ବଳରାମ ଦାସ କୃତ ପ୍ରାକୃତ ରାମାୟଣ ଜନସାଧାରଣରେ ଆଦୃତ ଥିଲା । ମାତ୍ର ଉକ୍ତ ରାମାୟଣ ପ୍ରକାଣ୍ଡ ଥିବା ହେତୁରୁ ଅବସରହୀନ ଲୋକଙ୍କ ସୁବିଧା ନିମିତ୍ତ ରାମରସାମୃତ ନାମକ ସଂକ୍ଷିପ୍ତ ପ୍ରବନ୍ଧ ରଚନାରେ ସେ ପ୍ରବୃତ୍ତ ହୋଇଥିଲେ । କବି କହନ୍ତି-

 

ଯାହା ସେ ବଳରାମ ଦାସ

ପ୍ରାକୃତେ କଲେକ ପ୍ରକାଶ

ଆଦି, ଅଯୋଧ୍ୟା, ଆରଣ୍ୟକ

କିସ୍କିନ୍ଧ୍ୟା ସିନ୍ଦୁରାଦି ଲଙ୍କ

 

 

 

 

ଉତ୍ତରା କାଣ୍ଡ ଯେ ସପତ

ଖଣ୍ଡକେ ଅପୂର୍ବ ଉକତ

ଶୁଣିଲେ ଲତା ହେବ ବୋଲି

ମୁଁ ଏହା ଏକ ଖଣ୍ଡ କଲି

 

ସୁତରାଂ ବର୍ଣ୍ଣିତ ବିଭାଗରେ କବି ସାଧାରଣ ନିୟମ ଅବଲମ୍ବନ କରିନାହାନ୍ତି । ସେ ରାମରସାମୃତ ଅଷ୍ଟୋତ୍ତରଶତ ଅଧ୍ୟାୟରେ ବିଭକ୍ତ କରି ପ୍ରତ୍ୟେକ ଅଧ୍ୟାୟରେ ଅଷ୍ଟାଧିକଶତ ପଦ ଯୋଜନା କରିଅଛନ୍ତି ।

 

ପୂର୍ବେ କୁହାଯାଇଅଛି, ରାମରସାମୃତ କବିଙ୍କ କିଶୋର ବୟସର ରଚନା । କିଶୋର ବୟସରେ ସାଧାରଣତଃ କଳ୍ପନା ଶକ୍ତି ଅତ୍ୟନ୍ତ ଅପଟୁ ଥାଏ । ସୁତରାଂ ବର୍ଣ୍ଣନା ଗୁଡ଼ିକରେ କୌଣସି ବିଶେଷତ୍ୱ ପରିଲକ୍ଷିତ ହୁଏନାହିଁ; ବରଂ ସ୍ଥାନେ ସ୍ଥାନେ ଅସ୍ୱାଭାବିକତା ଦୃଷ୍ଟିଗୋଚର ହୁଏ । ମାତ୍ର କବିଙ୍କ ଭାଷା ଅତ୍ୟନ୍ତ ସରଳ ଓ ସହଜବୋଧ୍ୟ । ନମୁନା ଦେଖନ୍ତୁ-

 

ପଥ ଯେ ନ ଦିଶଇ କ୍ରୋଧେ

ମିଳିଲେ ଲକ୍ଷ୍ମଣ ସନ୍ନିଧ୍ୟେ

ଦେଖିଲେ ପଡ଼ିଛି ସୌମିତ୍ରି

ଫୁଟି ରହିଛି ବ୍ରହ୍ମଶକ୍ତି

 

 

 

 

ଦେଖିଣ ଶ୍ରୀରାମ ବିକଳ

ନୟନୁ ବହେ ଅଶ୍ରୁଜଳ

ଭାଇକି କୋଳରେ ବସାଇ

ଗଳାକୁ ଗଳା ଯେ ଲମ୍ବାଇ

 

 

 

 

ଉଚ୍ଚେଣ କରନ୍ତି ରୋଦନ

ଆହା ମୋ ସୋଦର ଲକ୍ଷ୍ମଣ

ଦୁଃଖର ସଖା ମୋର ବାପ

ଧାର୍ମିକମତି ଗୁଣକୂପ

 

 

 

 

ନିଶାରେ ଧନୁ ଧରି ହସ୍ତେ

କାନନେ ଜଗିଥାଉ ମତେ

ଭଗାରି ଆନ ଭାଇମାନେ

ତୁ ମୋର ଦ୍ୟୁଖେ ଦୁଃଖୀ ବନେ

 

 

 

 

ଘରକୁ ଗଲେ ମୁହିଁ ଦୋଷୀ

ମାଏ ଯେ ପଚାରିବେ ଆସି

କି ବୋଲି କହିବିରେ ଭାଇ

ତୋ ଆଗେ ନ ମଲି କିମ୍ପାଇଁ

 

 

 

 

ଘରୁ ଅଇଲୁଁ ଜଣ ତିନି

ଏକା ରହିଲି ଗଲେ ବେନି

ଆଉ କି ଯିବି ମୁଁ ବାହୁଡ଼ି

ମରିବି ଜଳଧିରେ ବୁଡ଼ି

 

 

 

 

ରାଜ୍ୟଭୋଗ ଯେ ଛାଡ଼ି ଭାଇ

ମୋ ସଙ୍ଗେ ଅଇଲୁ ଗୋଡ଼ାଇ

ଚଉଦ ବରଷ ଯେ ମୋତେ

ସେବିଣ ରହିଲୁ ବନସ୍ତେ

 

 

 

 

ଦୁଃଖକୁ ବିମୁଖ ଯେ ନୋହୁ

ମୋତେ ଯେ ବୁଦ୍ଧି କହିଦେଉ

ମୋ ଆଜ୍ଞା ଯେ ନ ଭାଙ୍ଗୁ ତୁହି

ମୋତେ ଯେ ଡରିଥାଉ ଭାଇ॥

 

 

 

 

 

ତୋହର ଯେତେ ଗୁଣ ସବୁ

କହିଲେ ନ ସରିବ ବାବୁ

କେମନ୍ତ ମୂର୍ଚ୍ଛିବିରେ ବାପ

ରେ ବିହି କଲି ମୁଁ କି ପାପ

 

 

 

 

ରାଜ୍ୟ ବିନଷ୍ଟ ମନେ କଷ୍ଟ

ପତ୍ନୀ ବିଚ୍ଛେଦ ଭ୍ରାତା ନଷ୍ଟ

ଏ ଦୁଃଖ ବିହିଲ କିମ୍ପାଇଁ

ତୋର ତ ଶତ୍ରୁ ମୁଁ ନୁହଇ

 

 

 

 

ଜନ୍ମାଦି ବିଭା ରାଜଯୋଗ

ମତେ କରାଇଥିଲୁ ଆଗ

ଏବେ ମରିବା ବେଳେ ପୁଣ

ଆଗ କରିଛୁ ଯେ ଲକ୍ଷ୍ମଣ

 

 

 

 

ଏଣୁ ତୁ ବଡ଼ ଅଧାର୍ମିକ

ଅଜ୍ଞାନ ମୂଢ଼ ଅବିବେକ

 

କବି ଏହି ଗ୍ରନ୍ଥକୁ “ରାମରସାମୃତସିନ୍ଧୁ ରାମାୟଣ” ନାମରେ ଅନେକଠାରେ ଅଭିହିତ କରିଅଛନ୍ତି । ଏହାଛଡ଼ା ଆଉ କି କି ଗ୍ରନ୍ଥ ସେ ରଚନା କରିଅଛନ୍ତି, ଜାଣିବାର ବାସନା ରହିଲା ।



 

ଓଡ଼ିଆ ବିଭକ୍ତି

 

କେବଳ ଶବ୍ଦଗତ ସାଦୃଶ୍ୟ ଦେଖି କେହି କେହି କହନ୍ତି, ଓଡ଼ିଆ ଭାଷା ସଂସ୍କୃତରୁ ଜାତ । ଆଉ କେତେକ କୃତବିଦ୍ୟ ବ୍ୟକ୍ତିଙ୍କର ଧାରଣା ଏହି ଯେ, ଓଡ଼ିଆ ଭାଷାର ଆଦି କେବଳ ପ୍ରାକୃତ । ଏ ବିଷୟ ଘେନି ହଠାତ୍‍ କୌଣସି ସିଦ୍ଧାନ୍ତରେ ଉପନୀତ ହେବା ନିରାପଦ ନୁହେଁ । ବ୍ୟାକରଣ ଭାଷାର ମେରୁଦଣ୍ଡ । କୌଣସି ଭାଷାର ଆଦି ନିର୍ଦ୍ଦେଶ କରିବା ପୂର୍ବରୁ ସେହି ଭାଷାର ବ୍ୟାକରଣ ପ୍ରତ୍ୟୟ ସବୁ ଉଦ୍‍ଘାଟନ କରି ଦେଖିବା ଆବଶ୍ୟକ । ଏହି ଉଦ୍ଦେଶ୍ୟରେ ଓଡ଼ିଆ ବିଭକ୍ତି ପ୍ରତ୍ୟୟମାନଙ୍କର ଯତ୍‍ସାମାନ୍ୟ ବିବରଣ ଆଜି ଏଠାରେ ଦିଆଗଲା । କ୍ରମଶଃ ଅନ୍ୟାନ୍ୟ ପ୍ରତ୍ୟୟମାନଙ୍କ ଇତିହାସ ଲେଖିବାର ବାସନା ରହିଲା ।

 

ଓଡ଼ିଆ ପ୍ରଥମା ବିଭକ୍ତି ପ୍ରାକୃତ ପ୍ରଥମା ପରି ଅନୁସ୍ୱାର-ବିସର୍ଗବର୍ଜିତ । ଯଥା- ରାମ ପାଠ ପଢ଼ୁଅଛି ।

 

ବୀରପାଅ ଣାଗରାଜ କମ୍ପ ଭୂତଳନ୍ତଓ—ପିଙ୍ଗଳ ।

 

ସାଧାରଣତଃ ଓଡ଼ିଆ ଦ୍ୱିତୀୟା ବିଭକ୍ତିରେ କୌଣସି ଚିହ୍ନ ସମ୍ପୃକ୍ତ ହୁଏନାହିଁ । ଯଥା- ମୁଁ ବନରେ ବାଘ ଦେଖିଲି, ଗୋବିନ୍ଦ ବ୍ୟାକରଣ ପଢ଼ୁଅଛି, ସେ ଦାନ ଦେଲା । ପ୍ରାକୃତରେ ମଧ୍ୟ ଏହିପରି ଅନେକଠାରେ ଦେଖାଯାଏ-

 

ସୁହ ଦେ ମହ ସୋକବିଣାସମଣା ରମଣା—ପିଙ୍ଗଳ ।

 

ଜେ କର ପରଉଅଆର ହସନ୍ତଓ—ପିଙ୍ଗଳ ।

 

ଅପଭ୍ରଂଶେ ଅମଜଶଶସିତ୍ୟେତେଷାଂ ଲୋପୋ ଭବତି—ହେମଚନ୍ଦ୍ର ।

 

ଲୁକ୍‍ ପ୍ରଥମାଦ୍ୱିତୀୟୟୋଃ—ଜୁମର ବ୍ୟାକରଣ—ପ୍ରାକୃତପାଦ ।

 

ଓଡ଼ିଆରେ ପ୍ରାଣୀବାଚକ ସଂଜ୍ଞାଶବ୍ଦ ଓ ସର୍ବନାମ ଶବ୍ଦର ଉତ୍ତର କର୍ମକାରକରେ ‘କି’ ବା ‘କୁ’ ନିତ୍ୟରେ ଯୁକ୍ତ ହୋଇଥାଏ । ଯଥା- ସେମାନେ ଗୋବିନ୍ଦକୁ କହିଲେ, ମୁଁ ତାହାକୁ ମାଗିଅଛି । ଏହି ‘କି’ ବା ‘କୁ’ କିପରି ଆସିଲା, ନିରୂପଣ କରିବା କଷ୍ଟସାଧ୍ୟ । ଓଡ଼ିଆରେ ଏହି ‘କି’ ଓ ‘କୁ’ ଯେପରି ବ୍ୟବହୃତ ହୁଏ, ତେଲଙ୍ଗାରେ ମଧ୍ୟ କୌଣସି କୌଣସିଠାରେ ସେହିପରି ବ୍ୟବହୃତ ହୋଇଥାଏ । ଏହି ସାମଞ୍ଜସ୍ୟ ଦେଖି କେହି କେହି କହନ୍ତି, ଓଡ଼ିଆ ‘କି’ ଓ ‘କୁ’ ତେଲଙ୍ଗା ଭାଷାର ଅବିକଳ ଅନୁକରଣ । ଏପରି ଅନୁମାନ କରିବା ତେତେ ଅସଙ୍ଗତବୋଧ ହୁଏନାହିଁ; କିନ୍ତୁ ଏତିକି ଆପତ୍ତି ଓଡ଼ିଆର ‘କି’ ଓ ‘କୁ’ କର୍ମ ଓ ସମ୍ପ୍ରଦାନ କାରକର ଚିହ୍ନ; ତେଲଙ୍ଗାର ‘କି’ ଓ ‘କୁ’ କେବଳ ଷଷ୍ଠୀ ବିଭକ୍ତିରେ ପ୍ରୟୋଗ ହୁଏ । କୌଣସି କୌଣସି ତେଲଙ୍ଗା ବୈୟାକରଣମାନ ଏହି ‘କି’ ଓ ‘କୁ’ ପ୍ରତ୍ୟୟକୁ ‘ତୁଡ଼ୁକଷଷ୍ଠୀ’ ବୋଲି କହନ୍ତି; ଅର୍ଥାତ୍‍ ଏହା ପ୍ରକୃତ ତେଲଙ୍ଗା ପ୍ରତ୍ୟୟରୂପେ ଗ୍ରହଣ କରନ୍ତି ନାହିଁ । ଦ୍ୱିତୀୟତଃ ପ୍ରାଚୀନ ତେଲଙ୍ଗାମାନଙ୍କ ସହିତ ପ୍ରାଚୀନ ଓଡ଼ିଆମାନଙ୍କର କେବେହେଲେ ସଂସ୍ରବ ଥିଲାପରି କୌଣସି ଐତିହାସିକ ପ୍ରମାଣ ମିଳେନାହିଁ । ବୀମ୍‍ସ ସାହେବ କହନ୍ତି, ସଂସ୍କୃତ ‘କକ୍ଷ’ ଶବ୍ଦ ହିନ୍ଦୀରେ ‘କୋ’ ଆକାର ଧାରଣ କରି ଓଡ଼ିଆରେ ‘କୁ’ ହୋଇଅଛି । ନିମ୍ନଶ୍ରେଣୀର ହିନ୍ଦୀ ଲୋକେ ମଧ୍ୟ ‘କୋ’ ପରିବର୍ତ୍ତେ ‘କୁ’ ଉଚ୍ଚାରଣ କରିଥାନ୍ତି ।

 

ବଳରାମ ଦାସଙ୍କ ରାମାୟଣରେ ଓ ଅନ୍ୟାନ୍ୟ ପ୍ରାଚୀନ ପୁସ୍ତକାଦିରେ କର୍ମକାରକରେ ‘କଇ’ ପ୍ରତ୍ୟୟ ପ୍ରୟୋଗ ହେବାର ଦେଖାଯାଏ । ଯଥା-

 

ଅବଶ୍ୟ ପଚାରିବେ ଏ ପୁତ୍ରକଇ ଦେଖି ।

ବୋଲିବେ କାହୁଁ ପାଇଲୁ ଏ ପୁତ୍ର ଗୋଟିକ ॥

—ରାମାୟଣ

 

ଲକ୍ଷ୍ମଣକଇ ଏହି ପ୍ରକାରେ ବିଦ୍ୟା କହି ।

ତହୁଁ କେତେ ଦୂର ଗଲୁଁ ପଥ ବାହି ॥

—ରାମାୟଣ

 

ଏହି ‘କଇ’ ପ୍ରତ୍ୟୟ ସଂସ୍କୃତ କତି ଶବ୍ଦରୁ ଉତ୍ପନ୍ନ ହୋଇ ଓଡ଼ିଆରେ ‘କି’ ଆକାର ଧାରଣ କରି ‘କି’ କାଳକ୍ରମେ ‘କୁ’ ହୋଇଥିବାର ଅନୁମାନ ହୁଏ । ‘ଇ’ଠାରେ ‘ଉ’ ହେବାର ଅନେକଠାରେ ଦେଖାଯାଏ । ଯଥା- ଗୈରିକ, ଗେରୁ, କୁଟ୍ଟିନୀ, କୁଟୁଣୀ, ତିଂତିଡ଼ୀ, ତେନ୍ତୁଳୀ ଇତ୍ୟାଦି । ଓଡ଼ିଆରେ ନିମିତ୍ତାର୍ଥରେ ଅନେକଠାରେ ‘କୁ’ ବ୍ୟବହୃତ ହୋଇଥାଏ । ଯଥା- ଖାଇବାକୁ ଭାତ ନାହିଁ; ଯିବାକୁ ବାଟ ନାହିଁ । ଏହି ‘କୁ’ ସଂସ୍କୃତ ସପ୍ତମୀ ବିଭକ୍ତିପ୍ରତ୍ୟୟ ‘କୃତେ’ରୁ ଆସିଅଛି । ଏହି କୃତେ ସଂସ୍କୃତରେ ନିମିତ୍ତାର୍ଥରେ ପ୍ରୟୋଗ ହେବାର କୌଣସି କୌଣସିଠାରେ ଦେଖାଯାଏ । ଯଥା-

 

ବାଳିଶୋବତ କାମାତ୍ମା ରାଜା ଦଶରଥୋଭୃଶଂ ।

ପ୍ରସ୍ଥାପୟାମାସ ବନଂ ସ୍ୱୀକୃତେ ଯଃ ପ୍ରିୟଂ ସୁତଂ ।

—ରାମାୟଣ

 

ଓଡ଼ିଆରେ ମଧ୍ୟ ଏପରି ଉଦାହରଣ ମିଳେ । ଯଥା-

 

ବୁଡ଼ିଲା ବଂଶକୁ ଦେବ ତୁହି କଲୁ ରକ୍ଷା ।

ଧ୍ରୁତରାଷ୍ଟ୍ରଙ୍କ ସନ୍ତାନକୃତେ କର ବାଞ୍ଛା ॥

-ସାରଳାଭାରତ, ଆଦିପର୍ବ

 

କୌଣସି କୌଣସି ପ୍ରାଚୀନ ପଦ୍ୟକାବ୍ୟରେ ଦ୍ୱିତୀୟା ବିଭକ୍ତିରେ ‘ନ୍ତ’ ବା ‘ନ୍ତି’ ବ୍ୟବହୃତ ହେବାର ଲକ୍ଷିତ ହୁଏ । ଯଥା-

 

ପୁତ୍ରନ୍ତ କୋଳେ ନେଇ ବୋଇଲେ ମୁନିଶ୍ରେଷ୍ଠ ।

ଅସଜ୍ଜନ ପୁତ୍ର ତୋ ସମସ୍ତେ ମହାଦୁଷ୍ଟ ॥

—ଆଦିପର୍ବ ।

 

ବେନି ପୁତ୍ରଙ୍କୁ ଘେନି ଅଇଲେ ସତ୍ୟବତୀ ।

ବ୍ୟାସଙ୍କର କୋଳେ ନେଇ ଦେଲେ ସେ ଦୁହିନ୍ତି ॥

—ଆଦିପର୍ବ ।

 

ଏହି ‘ନ୍ତ’ ସଂସ୍କୃତ ଦ୍ୱିତୀୟା ବିଭକ୍ତି ପ୍ରତ୍ୟୟ ‘ଆନ୍‍’ରୁ ଉତ୍ପନ୍ନ । ‘ଆନ୍‍’ଠାରେ ‘ଅନ୍ତ’ ହେବାର ଅନେକ ଶବ୍ଦରେ ଦେଖାଯାଏ । ଯଥା- ହନୁମାନ=ହନୁମନ୍ତ । ସଂସ୍କୃତରେ ମଧ୍ୟ ‘ଆନ୍‍’ ‘ଅନ୍ତ’ ହେବାର କୌଣସି କୌଣସିଠାରେ ଦେଖାଯାଏ । ଯଥା- ଭବାନ୍‍, ଭବନ୍ତୌ, ଭବନ୍ତ ।

 

ସର୍ବନାମ ପ୍ରଥମ ଓ ଦ୍ୱିତୀୟ ପୁରୁଷର ଦ୍ୱିତୀୟା ବିଭକ୍ତିରେ ‘ତେ’ ପ୍ରତ୍ୟୟ ବ୍ୟବହୃତ ହୋଇଥାଏ । ଯଥା- ତୋତେ, ମୋତେ । ପ୍ରକୃତରେ ଏ ଦୁଇ ଶବ୍ଦ ‘କୁ’ ପ୍ରତ୍ୟୟ ସହିତ ‘ତୁକୁ’, ‘ମୁଁକୁ’ ହେବାର ଥିଲା । ସାରଳା ଦାସଙ୍କ ମହାଭାରତରେ ଏପରି ବ୍ୟବହାର ଅନେକଠାରେ ଦେଖାଯାଏ । ଯଥା-

 

ନାହିଁ ବୋଇଲି ମୁନି ହେ ଛାଡ଼ିଦିଅ ମୁଁ କୁ ।

ଲଜ୍ଜା କି ନ ପାଇଲ ଶୃଙ୍ଗାର ମାଗିବାକୁ ।

—ଆଦିପର୍ବ ।

 

ତିଆର ଆହେ ପାଣ୍ଡୁ ତୋହର ଭାରିଯାକୁ ।

ଗାନ୍ଧାରୀର ପୁଏ ଥିଲେ ରାଜ୍ୟ ନୁହେଁ ତୁକୁ ।

—ଆଦିପର୍ବ ।

 

କୌଣସି କୌଣସି ନିମ୍ନଶ୍ରେଣୀ ଲୋକମାନଙ୍କ ମୁଖରୁ ମଧ୍ୟ ଅଦ୍ୟାପି ଏହିପରି ପ୍ରୟୋଗ ଶୁଣାଯାଏ । କିନ୍ତୁ ଶିକ୍ଷିତ ଲୋକେ ‘ତୁକୁ’ ଓ ‘ମୁଁକୁ’ ଏକାବେଳକେ ପରିତ୍ୟାଗ କରି କେବଳ ‘ତୋତେ’ ‘ମୋତେ’ ବ୍ୟବହାର କରିଥାନ୍ତି । ବୀମ୍‍ସ୍‍ ସାହେବ କହନ୍ତି, ଏହି ‘ତୋତେ’ ପ୍ରତ୍ୟୟ ‘ତହିଁ’ରୁ ବାହାରିଅଛି; ‘ମୋତହିଁ’ରୁ ‘ମୋତହି’, ‘ମୋତହି’ରୁ ‘ମୋତେ’ ସାଧନ କରିଅଛନ୍ତି । କିନ୍ତୁ ଏହା ତେତେ ସମୀଚୀନ ବୋଧ ହୁଏନାହିଁ । ଏ ଦୁଇ ଶବ୍ଦ ପ୍ରାକୃତ ‘ତୁଜ୍‍ଝେ’ ‘ମୁଜ୍‍ଝେ’ର ଅପଭ୍ରଂଶ ପରି ପ୍ରତୀତି ହୁଏ । ‘ତ’ଠାରେ ‘ଜ’ ହେବାର ଅନେକଠାରେ ଲକ୍ଷିତ ହୁଏ । ଯଥା- କୁର୍ଯ୍ୟାତ୍‍, କିଜ୍ଜେ; ଭଣ୍ୟତେ, ଭଣିଜ୍ଜେ । ଏହି ‘ଜେ’ ଓଡ଼ିଆମାନଙ୍କ ତୁଣ୍ଡରେ ପଡ଼ି ପୁନର୍ବାର ‘ତେ’ରେ ପରିଣତ ହୋଇଯାଇଥିବ; ନତୁବା ‘ତୋତେ’, ‘ମୋତେ’ ସଂସ୍କୃତ ‘ତ୍ୱତ୍‍’, ‘ମତ୍‍’ରୁ ଅନୁକୃତ ହୋଇଅଛି ।

 

ଓଡ଼ିଆ କରଣ କାରକର ପ୍ରତ୍ୟୟ ଏ, ରେ, ରେକରି । ‘ଏ’ ସଂସ୍କୃତ ‘ଏନ’ ପ୍ରତ୍ୟୟରୁ ଜାତ । ପ୍ରାକୃତରେ ମଧ୍ୟ * ଅନେକଠାରେ କରଣ କାରକରେ ‘ଏ’ ପ୍ରତ୍ୟୟ ପ୍ରୟୋଗ ହେବାର ଦେଖାଯାଏ । ଯଥା-

 

ଆଇହି ଅନ୍ତେ ହାରେ ସୁଜୁତ୍ତେ ।

ମଜ୍‍ଝେକ୍‍କଗନ୍ଧୋ ହାରୀଅଚ୍ଛନ୍ଦୋ ।

—ପିଙ୍ଗଳ ।

 

ପିଅସହାଏ କଦେ । —କର୍ପୂରମଞ୍ଜରୀ ।

 

ଓଡ଼ିଆରେ କୌଣସି କୌଣସିଠାରେ ‘ଏଣ’ ପ୍ରତ୍ୟୟ ମଧ୍ୟ ବ୍ୟବହୃତ ହୋଇଥାଏ । ଯଥା-

 

କମଳଲୋଚନ ଶ୍ରୀହରି

କରେଣ ଶଙ୍ଖଚକ୍ରଧାରୀ

 

ପ୍ରାକୃତରେ † ମଧ୍ୟ ‘ଏଣ’ ପ୍ରତ୍ୟୟ ସ୍ଥାନେ ସ୍ଥାନେ ଦେଖାଯାଏ । ଯଥା-

 

ହାର ଏକ୍‍କ ବିଜ୍ଜହୀ ସୁସଦ୍ଦ ପାଅ କିଜ୍ଜହୀ ସୁସକ୍‍କ ଏଣ—ପିଙ୍ଗଳ ।

 

[*ଏଂ ଟା, ବଟା ଏ - ପ୍ରାକୃତପାଦ ।]

[†ଏଣଷ୍ଠା- ପ୍ରାକୃତପାଦ ।]

 

ଏହି ପ୍ରତ୍ୟୟ କେବଳ ପଦ୍ୟକାବ୍ୟରେ ଦେଖାଯାଏ । ତୃତୀୟା ବିଭକ୍ତିର ସଚରାଚର ବ୍ୟବହୃତ ପ୍ରତ୍ୟୟ କେବଳ ‘ରେ’ । ଏହା ସଂସ୍କୃତ ‘କୃତେ’ରୁ ଉତ୍ପନ୍ନ । ‘କୃତେ’ କ୍ରମଶଃ ‘କରିତେ’, ‘କରିଏ’, ‘ରିଏ’ ହୋଇ ପରିଶେଷରେ ‘ରେ’ ଆକାର ଧାରଣ କରିଅଛି । ‘ରେକରି’—ଏଥିରେ ଦୁଇଗୋଟି ପ୍ରତ୍ୟୟ ମିଶିଅଛି, ଯଥା- ‘ରେ’+‘କରି’ । ଏହି ଦୁଇ ପ୍ରତ୍ୟୟଯାକ ‘କୃତେ’ରୁ ଜାତ । କେବଳ ‘ରେ’ ପ୍ରୟୋଗ କଲେ ସେତେ ଦୃଢ଼ତା ପ୍ରତିପାଦିତ ହେବନାହିଁ ବୋଲି ‘କରି’ ମଧ୍ୟ ସଂଯୁକ୍ତ ହୋଇଥାଏ । ଏଥିରୁ ଜଣାଯାଏ, ଓଡ଼ିଆ ‘ରେ’ ସଂସ୍କୃତ ‘କୃତେ’ରୁ ଆସିଅଛି । ‘ଦେଇ’ ପ୍ରତ୍ୟୟ ସଂସ୍କୃତ ‘ଦ୍ୱାରା’ ପ୍ରତ୍ୟୟରୁ ଜାତ ।

 

‘କି’ ଓ ‘କୁ’ ଛାଡ଼ି ଚତୁର୍ଥୀ ବିଭକ୍ତିରେ ଆଉ କେତେଗୁଡ଼ିଏ ପ୍ରତ୍ୟୟ ବ୍ୟବହୃତ ହୋଇଥାଏ । ଯଥା— ‘ଲାଗି’, ‘ପାଇଁ’ ଇତ୍ୟାଦି । ‘ଲାଗି’ ପ୍ରାକୃତର ଅବିକଳ ଅନୁକରଣ । ଯଥା- କାହେଲାଗି ବବ୍‍ବର ବୋଲାଅସି ମୁଜ୍‍ଝେ-ପିଙ୍ଗଳ । ‘ପାଇଁ’ ସଂସ୍କୃତ ‘ପ୍ରାପ୍ତି’ ଶବ୍ଦରୁ ଜାତ ।

 

ପଞ୍ଚମୀ ବିଭକ୍ତିରେ ଅନେକ ପ୍ରତ୍ୟୟ ଦେଖାଯାଏ । ଯଥା- ରୁ, ଠାରୁ, ଥୁଁ, ଠୁଁ ବା ଠୁ, ଉ ବା ଉଁ, ହୁଁ ଇତ୍ୟାଦି । ଏଥିରୁ ‘ରୁ’ ପ୍ରତ୍ୟୟ ବହୁଳ ପରିମାଣରେ ବ୍ୟବହୃତ ହୋଇଥାଏ । ଏହା ପ୍ରାକୃତ ପଞ୍ଚମୀ ବିଭକ୍ତି ପ୍ରତ୍ୟୟ ‘ଆଦୁ’ରୁ ଜାତ । ‘ଦ’ଠାରେ ‘ର’ ହେବାର ଅନେକଠାରେ ଦେଖାଯାଏ । ଯଥା- ଦ୍ୱାଦଶ, ବାରହ; ଏକାଦଶ, ଏଗାରହ; ବଦରୀ, ବରକୋଳି । ନତୁବା ସଂସ୍କୃତ ‘ଆତ୍‍’ ପ୍ରାକୃତରେ ‘ଆଦୁ’, ଓଡ଼ିଆରେ ‘ଆଡ଼ୁ’ ଓ ‘ଡୁ’ ଆକାର ଧାରଣ କରି ‘ଡୁ’ ‘ରୁ’ ହୋଇଅଛି । ‘ଡ’ଠାରେ ‘ର’ ହେବାର ଅନେକଠାରେ ଲକ୍ଷିତ ହୁଏ । ଯଥା- ବଡ଼ା, ବରା; ବିଡ଼ାଳ, ବିରାଡ଼ି; କଡ଼କ, କରତକ । ଓଡ଼ିଆ ପଞ୍ଚମୀ ବିଭକ୍ତିରେ କୌଣସି କୌଣସିଠାରେ ‘ଆଡ଼ୁ’ ପ୍ରତ୍ୟୟ ମଧ୍ୟ ବ୍ୟବହୃତ ହୋଇଥାଏ । ଯଥା- ସେ ଘରଆଡ଼ୁ ଆସିଲା । ‘ସ୍ଥାନ’ ଶବ୍ଦ ସହିତ ‘ରୁ’ ମିଶି ‘ଠାରୁ’ ହୋଇଅଛି । ‘ଥୁଁ’ ଓ ‘ଠୁଁ’ ପ୍ରତ୍ୟୟ ‘ତହୁଁ’ରୁ ଉତ୍ପନ୍ନ । ପ୍ରାଚୀନ ପୁସ୍ତକମାନଙ୍କରେ ‘ତହୁଁ’ ଶବ୍ଦ ପଞ୍ଚମୀ ବିଭକ୍ତିରେ ପ୍ରୟୋଗ ହେବାର ଅନେକଠାରେ ଦେଖାଯାଏ । ଯଥା-

 

ଜାତ କିପାଁ କରି ନାଶ କିପାଁ କରୁ ପ୍ରାଣୀ ।

ତୋତହୁଁ ବିଜ୍ଞ କେ ଆନ ଅଛି ପରିମାଣି ॥

—ସାରଳାଭାରତ, ଆଦିପର୍ବ

 

ବ୍ରହ୍ମାର ତହୁଁ ଯେ ମରୀଚି ଋଷି ଜାତ ।

ମରୀଚିର ପୁତ୍ର କଶ୍ୟପ ତପୋବନ୍ତ ॥

—ରାମାୟଣ

 

କୌଣସି କୌଣସିଠାରେ ‘ତ’ ଲୋପ ହୋଇ କେବଳ ‘ହୁଁ’ ପ୍ରୟୋଗ ହେବାର ଦେଖାଯାଏ । ଯଥା-

 

ଆଜହୁଁ ଏହା ନ ଭେଦିବ ରାଶି ।

ନ କରିବ ପୀଡ଼ା ଶୁଣ ହେ ସ୍ୱର୍ଗବାସୀ ॥

—ରାମାୟଣ

 

ବ୍ରହ୍ମା ବୋଇଲେ ଆଗହୁଁ ଏହା ମୁହିଁ ଜାଣି ।

—ରାମାୟଣ

 

ଏହି ‘ହୁଁ’ ପ୍ରାକୃତରୁ ଆସିଅଛି । ଯଥା-

 

ଭ୍ୟସୋ—ତୋହୁଁ; ରୁକ୍‍ଖହୁଁ ପଡ଼ିଦୋ

—ପ୍ରାକୃତପାଦ

 

କୌଣସି କୌଣସିଠାରେ ‘ତହୁଁ’ ‘ତୁଁ’ ହୋଇ ବ୍ୟବହୃତ ହୋଇଥାଏ । ଯଥା- ‘ଆଗତୁଁ’ । ‘ଉଁ’ ବା ‘ଉ’ ପ୍ରାକୃତ ପ୍ରତ୍ୟୟ ‘ଆଦୁ’ରୁ ଉତ୍ପନ୍ନ (ଆଦୁ, ଆଉ, ଉ); ଏହି ‘ଉ’ ପଞ୍ଚମୀ ବିଭକ୍ତିର ପ୍ରତ୍ୟେକ ପ୍ରତ୍ୟୟରେ ଦେଖାଯାଏ ।

 

ଓଡ଼ିଆ ଷଷ୍ଠୀ ବିଭକ୍ତି ପ୍ରତ୍ୟୟ ‘ର’ ପ୍ରାକୃତ ଷଷ୍ଠୀ ବିଭକ୍ତି ପ୍ରତ୍ୟୟ ‘କେର’ରୁ ଜାତ । ‘କ’କାର ଲୋପ ହୋଇ ‘ର’କାର ମାତ୍ର ଓଡ଼ିଆରେ ଦେଖାଯାଏ । ପ୍ରାକୃତରେ ମଧ୍ୟ ଏପରି ପ୍ରୟୋଗ ସ୍ଥାନେ ସ୍ଥାନେ ଲକ୍ଷିତ ହୁଏ । ଯଥା-

 

ସୋହର ତୋହର

ସଙ୍କଟ ସଂହର

 

 

—ପିଙ୍ଗଳ

 

 

ବହୁବଚନରେ ‘ମାନ’ ପ୍ରତ୍ୟୟ ହେଲେ, ‘କେର’ ଶବ୍ଦର ଆଦ୍ୟ ‘କ’କାରର ଲୋପ ହୁଏନାହିଁ । ଯଥା- ତୁମ୍ଭମାନଙ୍କର । ଓଡ଼ିଆରେ କୌଣସି କୌଣସିଠାରେ ‘ର’ ପରିବର୍ତ୍ତରେ ‘ରି’ ପ୍ରୟୋଗ ହୋଇଥାଏ । ଯଥା- ଆମ୍ଭରି, ତୁମ୍ଭରି । ପ୍ରାକୃତରେ ମଧ୍ୟ ଏପରି କୌଣସି କୌଣସିଠାରେ ଦେଖାଯାଏ । ଯଥା-

 

ଅହର୍ଣ୍ଣିସିଂ ଖାଇ ବିଖଂ ଭିଖାରୀ

ଗଇ ଭବିତ୍ତୀ କିଳ କା ହମାରୀ—ପିଙ୍ଗଳ

 

ପଞ୍ଚମୀ ବିଭକ୍ତି ପ୍ରତ୍ୟୟ ସବୁ ଯେଉଁ ଶବ୍ଦମାନଙ୍କରୁ ଜାତ, ସପ୍ତମୀ ବିଭକ୍ତି ପ୍ରତ୍ୟୟ ସବୁ ସେହି ଶବ୍ଦମାନଙ୍କରୁ ଜାତ । ପ୍ରଭେଦ ଏତିକି, ପଞ୍ଚମୀ ବିଭକ୍ତିର ପ୍ରତ୍ୟୟ ସବୁ ‘ଉ’ କାରାନ୍ତ, ସପ୍ତମୀ ବିଭକ୍ତିର ପ୍ରତ୍ୟୟ ସବୁ ‘ଏ’ କାରାନ୍ତ ବା ‘ଇ’ କାରାନ୍ତ । ଏହି ‘ଏ’ ଓ ‘ଇ’ ଅନ୍ୟାନ୍ୟ ସପ୍ତମୀ ବିଭକ୍ତି ପ୍ରତ୍ୟୟମାନଙ୍କରେ ଲକ୍ଷିତ ହୁଏ । ଯଥା-

 

ପଞ୍ଚମୀ

ବିଭକ୍ତିସପ୍ତମୀ

ବିଭକ୍ତି

 

ରୁ

ରେ

(ଆତ୍‍+ଏ, ଆଡ଼େ, ଡେ, ରେ)

 

 

(ଆତ୍‍+ଏ, ଆଦେ, ଦେ, ରେ)

ଠାରୁ

ଠାରେ

(ସ୍ଥାନ+ରେ)

ଥୁଁ

ଥି

(ତ+ହିଁ) ପ୍ରାକୃତାନୁଯାୟୀ ।*

ଠୁଁ

ଠିଁ

(ତ+ହିଁ) ଏଜନ

ହୁଁ

ହିଁ

(ପ୍ରାକୃତରୁ ଅନୁକୃତ)†

ଉ ବା ଉଁ

ଏ ବା ଇ

(ପ୍ରାକୃତରୁ ଅନୁକୃତ)

ଆଡ଼ୁ

ଆଡ଼େ

(ଆତ୍‍+ଏ, ଆଦେ, ଆଡ଼େ)

 

[*ହିଁ ସପ୍ତମ୍ୟାଂ—ପ୍ରାକୃତପାଦ ।]

[†କିଂ ଯତ୍ତଦାଂ ଙୀତ୍ୟସ୍ୟ ସ୍ଥାନେ ହିଁ ବା ଭବତି—ପ୍ରାକୃତପାଦ ।]

 

ପ୍ରାକୃତରେ ଓଡ଼ିଆ ସପ୍ତମୀ ବିଭକ୍ତିରେ କେତେଗୁଡ଼ିଏ ପ୍ରତ୍ୟୟ ଅବିକଳ ଦେଖାଯାଏ । ଯଥା:-

 

(ଇ)

ଚଉମତ୍ତ କରହୁ ଗଣ ଚାରି—ଠାଇଁ ।

 

ଠବି ଅନ୍ତ ପଓହର ପାଇଁ ପାଇଁ—ପିଙ୍ଗଳ ।

 

ଅଟ୍‍ଠହାର ସତ୍ତ ସାର ଠାଇ ଠାଇ ଣିମ୍ମଳା—ପିଙ୍ଗଳ ।

(ଏ)

ଗୁଣା ଜସ୍‍ସ ସୁଦ୍ଧା ବହୁ ରୂପମୂଦ୍ଧା ।

 

ଘରେ ବିତ୍ତ ଜଗ୍‍ଗା ମହୀ ତସ୍‍ସ ସଗ୍‍ଗା—ପିଙ୍ଗଳ ।

(ହି)

ପାଣ୍ଡଉବଂସହି ଜନ୍ମ କରୀଜେ*-ପିଙ୍ଗଳ ।

(ହିଁ)

ଲଗୋ ଯହିଁ ମରୀ କହୀ—ପିଙ୍ଗଳ ।

(ଥି)

ଜଇ ଏଥି ଦିଗନ୍ତର ଜାଇହି କନ୍ତା ।

 

କିଅ ମମ୍ମହଣ ଚ୍ଛି କି ଣ ଚ୍ଛି ବସନ୍ତା—ପିଙ୍ଗଳ ।

 

ପଦ୍ୟକାବ୍ୟରେ କୌଣସି କୌଣସିଠାରେ ଅଧିକରଣ କାରକରେ ‘ଏଣ’ ପ୍ରତ୍ୟୟ ପ୍ରୟୋଗ ହେବାର ଦେଖାଯାଏ । ଯଥା:-

 

ଶୁଣି ପୁତ୍ରାଦି ତିନି ଜଣ

କହନ୍ତି ପିଅର ଆଗେଣ

 

 

—ଦାର୍ଢ଼୍ୟତା ।

 

 

ଏହି ‘ଏଣ’ ପ୍ରାକୃତ ‘ଏଣ’ର ଅନୁକରଣ ମାତ୍ର ।

 

ଓଡ଼ିଆରେ କୌଣସି କୌଣସିଠାରେ ସପ୍ତମୀ ବିଭକ୍ତିରେ ‘ଠେ’ ପ୍ରତ୍ୟୟ ପ୍ରୟୋଗ ହୋଇଥାଏ, ଯଥା:- ଘରଠେ, କୋଠେ ।

 

ପ୍ରାକୃତରେ ମଧ୍ୟ ଏହି ପ୍ରତ୍ୟୟ ପ୍ରୟୋଗ ହେବାର ଦେଖାଯାଏ ।

 

ସୁଜ୍ଜାଣେ ଣାଉ କଣ୍ଠଟ୍‍ଠାଣେ କର୍ଣ୍ଣଠେ ସାରଟ୍‍ଠାଣେ—ପିଙ୍ଗଳ ।

 

ଏହା ‘ଠି’ ପ୍ରତ୍ୟୟର ଅପଭ୍ରଂଶ । ‘ଇ’କାରଠାରେ ‘ଏ’ କାର ହେବାର ଅନେକ ସ୍ଥଳରେ ଲକ୍ଷିତ ହୁଏ । ଯଥା:- ଇମନ, ଏମନ । ନତୁବା ‘ଠାରେ’ ପ୍ରତ୍ୟୟ ‘ଠାଏ’, ‘ଠେ’ ହୋଇଅଛି ।

 

ଓଡ଼ିଆ ‘ତତେ’ ଓ ‘ମତେ’ ସଂସ୍କୃତ ‘ତ୍ୱତ’ ଓ ‘ମତ୍ୱ’ରୁ ଆସିଥିବାର ଇତିପୂର୍ବେ ଲେଖା ହୋଇଅଛି । ଏହାହିଁ ପ୍ରକୃତ ସିଦ୍ଧାନ୍ତ ପରି ବୋଧହୁଏ । କାରଣ ‘ତତେ’, ‘ମତେ’ ଓଡ଼ିଆରେ ସମ୍ବନ୍ଧାର୍ଥରେ ବ୍ୟବହୃତ ହେବାର ଅନେକଠାରେ ଦେଖାଯାଏ । ଯଥା:- ମତେ ମୁଣ୍ଡ ବଥାଉଅଛି (ଅର୍ଥାତ୍‍ ମୋହର ମୁଣ୍ଡ); ସେ ମତେ ପାଞ୍ଚଟଙ୍କା ବାକି (ଅର୍ଥାତ୍‍ ମୋର ପାଞ୍ଚଟଙ୍କା); ମତେ ଆଖି ଧଇଲା (ଅର୍ଥାତ୍ ମୋର ଆଖି); ରାମ ମତେ ଭାଇ ହେବ (ଅର୍ଥାତ୍ ମୋର) ଇତ୍ୟାଦି । ଏଥିରୁ ସ୍ପଷ୍ଟ ପ୍ରତୀତ ହୁଏ, ପ୍ରଥମେ ‘ତତେ’, ‘ମତେ’ କେବଳ ସମ୍ବନ୍ଧ ଅର୍ଥରେ ବ୍ୟବହୃତ ହେଉଥିଲା; କ୍ରମଶଃ ଏହା କର୍ମକାରକର ସ୍ଥାନ ଅଧିକାର କରିଅଛି ।

 

ସର୍ବନାମ ଉତ୍ତମ ଓ ମଧ୍ୟମ ପୁରୁଷ ଷଷ୍ଠୀ ଏକବଚନରେ ‘ହୋ’ ବା ‘ହ’ ପ୍ରୟୋଗ ହୋଇଥାଏ, ଯଥା:- ମୋହୋ ବା ମୋହ ସଙ୍ଗେ, ତୋହୋ ବା ତୋହ ସଙ୍ଗେ । ପ୍ରାକୃତରେ ମଧ୍ୟ ଏପରି ପ୍ରୟୋଗ ଦେଖାଯାଏ- ହୋଷୂସ୍‍ସାଙସଃ ଅତ ଉତ୍ତରସ୍ୟ ଙସଃ ସ୍ଥାନେ ହୋ, ଷୁ, ସ୍‍ସା ଭବନ୍ତି । ଯଥା:- ରୁକ୍‍ଖହୋ, ରୁକ୍‍ଖଷୁ, ରୁକ୍‍ଖସ—ଜୁମର, ପ୍ରାକୃତପାଦ ।

 

ସମୂହାର୍ଥରେ ଷଷ୍ଠୀ ବିଭକ୍ତିରେ ‘ଘର’ ପ୍ରତ୍ୟୟ ପ୍ରୟୋଗ ହେବାର ଅନେକଠାରେ ଦେଖାଯାଏ । ଯଥା:- ଦାଶଘର ଝିଅ, ରଜାଘର କଥା ଇତ୍ୟାଦି । ଏହି ‘ଘର’ ପ୍ରତ୍ୟୟ ପ୍ରାକୃତ ଷଷ୍ଠୀ ପ୍ରତ୍ୟୟ ‘ହୋ’ ଓ ଓଡ଼ିଆ ଷଷ୍ଠୀ ପ୍ରତ୍ୟୟ ‘ର’ ମିଶି ହୋଇଅଛି । ‘ହୋ’ ‘ହ’ ହୋଇ ପରିଶେଷରେ ‘ଘ’ରେ ପରିଣତ ହୋଇଯାଇଅଛି । ‘ହ’ଠାରେ ‘ଘ’ ହେବାର ଅନେକ ସ୍ଥଳରେ ଦେଖାଯାଏ । ଯଥା:- ସଂହାର, ସଂଘାର; ସିଂହ, ସିଂଘ ।

 

‘ଘର’ ଗୋଟିଏ ସ୍ୱତନ୍ତ୍ର ଶବ୍ଦ ବୋଲି ବିଚାର କରି ଅନେକେ ‘ତାଙ୍କଘର ଗାଈ’, ‘ୟାଙ୍କଘର ଝିଅ’ ଏପରି ବ୍ୟବହାର କରିଥାନ୍ତି । କିନ୍ତୁ ଏଥିରେ କେତେଗୁଡ଼ିଏ ପ୍ରତ୍ୟୟ ଗୁମ୍ଫିତ ହୋଇଅଛି, କେହି ଜାଣନ୍ତି ନାହିଁ ବା ଜାଣିବା ସକାଶେ ଇଚ୍ଛା କରନ୍ତି ନାହିଁ ।

 

ତତ୍‍, ଯତ୍‍, କିମ୍‍ ଶବ୍ଦମାନଙ୍କ ଉତ୍ତର ଷଷ୍ଠୀ ଏକବଚନରେ ଯେଉଁ ‘ହା’ ପ୍ରୟୋଗ ହୁଏ, ତାହା ପ୍ରାକୃତ ପ୍ରତ୍ୟୟ ‘ହୋ’ର ରୂପାନ୍ତର ପରି ଅନୁମାନ ହୁଏ । ପୂର୍ବବର୍ତ୍ତୀ ବର୍ଣ୍ଣ ଆକାରାନ୍ତ ଥିବାରୁ ପରବର୍ତ୍ତୀ ବର୍ଣ୍ଣ (ହୋ) ମଧ୍ୟ ଆକାରାନ୍ତ ହୋଇଯାଇଥିବ ।

 

କୌଣସି କୌଣସିଠାରେ ଷଷ୍ଠୀ ଏକବଚନ ଓ ବହୁବଚନରେ କେବଳ ‘ତା’, ‘ଯା’, ‘କା’, ‘ଆମ୍ଭ’; ‘ତୁମ୍ଭ’ ଇତ୍ୟାଦି ପ୍ରୟୋଗ ହୋଇଥାଏ— ତା’ ପୁସ୍ତକ, କା ଘର । ପ୍ରାକୃତରେ ମଧ୍ୟ ଏପରି ପ୍ରୟୋଗ ସ୍ଥାନେ ସ୍ଥାନେ ଦେଖାଯାଏ । ଯଥା:-

 

ବେଆଳା ଜାସଙ୍ଗ ଦୁର୍ବା ଣାସତୋ—ପିଙ୍ଗଳ ।

 

ବାଣପାଣି କଟ୍ଟି ଏଉ ସୋଉ ତୁହ୍ମ ସୁଖେ ଦେଉ—ପିଙ୍ଗଳ ।

 

ନିମ୍ନଶ୍ରେଣୀ ଲୋକେ ଦ୍ୱିତୀୟା ବହୁବଚନରେ ‘ଆମତିକି’ (ଆମ୍ଭମାନଙ୍କୁ), ‘ତୁମତିକି’ (ତୁମ୍ଭମାନଙ୍କୁ) ଇତ୍ୟାଦି ବ୍ୟବହାର କରିଥାନ୍ତି । ଏଥିରେ ତିନିଗୋଟି ପ୍ରତ୍ୟୟ ଲକ୍ଷିତ ହୁଏ, ଯଥା:- ଅନ୍ତ, ଇ ଓ କି । ‘ଅନ୍ତ’ ସଂସ୍କୃତ ‘ଆନ୍‍’ର ରୂପାନ୍ତର । ‘ଇ’ ପ୍ରାକୃତ ଦ୍ୱିତୀୟା ବିଭକ୍ତି ପ୍ରତ୍ୟୟ ‘ଇଁ’ର ଅପଭ୍ରଂଶ । କ୍ଳୀବେ ବର୍ତ୍ତମାନା ନାମ୍ନଃ ପରୟୋ ଜଶଶସୋଃ ଇଁ ଇତ୍ୟାଦେଶୋ ଭବତି; କରି ଗଣ୍ଡାଇଁ ମହନ୍ତି ।’ (ହେମଚନ୍ଦ୍ର) ‘କି’ ଓଡ଼ିଆ ଦ୍ୱିତୀୟା ବିଭକ୍ତିର ପ୍ରତ୍ୟୟ, ପ୍ରାକୃତରେ ‘ଆମ୍ଭନ୍ତିକି’, ‘ତୁମ୍ଭନ୍ତିକି’ ହେବାର ଥିଲା । କିନ୍ତୁ ନିମ୍ନଶ୍ରେଣୀ ଲୋକଙ୍କ ତୁଣ୍ଡରେ ଅନୁସ୍ୱାର ବିବର୍ଜିତ ହୋଇ ‘ଆମତିକି’, ‘ତୁମତିକି’ ହୋଇଅଛି ।

 

କର୍ମ ଓ ସମ୍ପ୍ରଦାନ କାରକରେ ବଳରାମ ଦାସ ‘କଇ’ ପ୍ରତ୍ୟୟ ପ୍ରୟୋଗ କରିଥିବାର ଇତିପୂର୍ବେ ଲେଖା ହୋଇଅଛି । କେହି କେହି ଅନୁମାନ କରନ୍ତି, ଏହି ‘କଇ’ ପ୍ରତ୍ୟୟ ତେଲଙ୍ଗା ଚତୁର୍ଥୀ ବିଭକ୍ତି ପ୍ରତ୍ୟୟ ‘କୈ’ରୁ ଆସିଅଛ ।

 

ଓଡ଼ିଆ ପଦ୍ୟକାବ୍ୟରେ କୌଣସି କୌଣସିଠାରେ ଦ୍ୱିତୀୟା ବିଭକ୍ତି ପରିବର୍ତ୍ତରେ ସପ୍ତମୀ ବିଭକ୍ତି ପ୍ରୟୋଗ ହୋଇଥାଏ । ଯଥା:- ବୋଲନ୍ତି ମହୋଦରେ ଚାହିଁ ଜୁଳୁପାକ୍ଷରେ; ରକ୍ଷାକର ଆମ୍ଭରେ; ଯାହାରେ ଦେଖିଲୁ ମନ । ବୀମ୍‍ସ ସାହେବ କହନ୍ତି, ଏହି ‘ରେ’ ପ୍ରୟୋଗ ପ୍ରାଚୀନ ହିନ୍ଦୀ ଦ୍ୱିତୀୟା ବିଭକ୍ତି ପ୍ରତ୍ୟୟ ‘ନେ’ରୁ ଆସିଅଛି । ଏହା ତେତେ ଯୁକ୍ତିସଙ୍ଗତ ବୋଧହୁଏ ନାହିଁ । ‘ରେ’ ଛାଡ଼ି, ଅନ୍ୟ କେତେକ ସପ୍ତମୀ ବିଭକ୍ତି ପ୍ରତ୍ୟୟ ମଧ୍ୟ ଦ୍ୱିତୀୟାର୍ଥରେ ବ୍ୟବହୃତ ହେବାର ଦୃଷ୍ଟ ହୁଏ । ଯଥା:- ରାମ ମୋ ଆଡ଼େ ଚାହିଁଲା, ଅର୍ଥାତ୍‍ ମୋତେ ଚାହିଁଲା, ‘ଯେ ଲେଖି ସୁଚିତ୍ରପଟ ସମର୍ପଇ କାଣେ’ ଇତ୍ୟାଦି । ଏହି ପ୍ରୟୋଗ ସବୁ ପ୍ରାକୃତର ଅନୁକରଣ । ପ୍ରାକୃତରେ ମଧ୍ୟ ଦ୍ୱିତୀୟାର୍ଥରେ ସପ୍ତମୀ ବିଭକ୍ତି ବ୍ୟବହୃତ ହେବାର ଲକ୍ଷିତ ହୁଏ । ‘କର୍ମକରଣନିମିତ୍ତଥେିସୁ ସତ୍ତମୀ । ଯଥା:-

 

ସୁନ୍ଦରାବୁସୋ ଇମେ ଆଜୀବିକ । ଭିକ୍‍ଖୁସ୍‍ ଅଭିବାଦେନ୍ତି ।’ (ପାଲିବ୍ୟାକରଣ)

 

ସମୟ ସମୟରେ ପ୍ରଥମା ବିଭକ୍ତି ପରିବର୍ତ୍ତରେ ଷଷ୍ଠୀ ବିଭକ୍ତି ପ୍ରୟୋଗ ହୋଇଥାଏ । ଯଥା:- ଆମର ପୂଜା କଲେ, ତୁମର କଲେ ? ସର୍କାରଘର ଜିଣିଲେ; ସମସ୍ତେ କଲେ, କିନ୍ତୁ କାହାର ହେଲାନାହିଁ । ଏ ପ୍ରଦେଶରେ ‘ସେ’ ପରିବର୍ତ୍ତରେ ଗୌରବାର୍ଥରେ କେହି କେହି ‘ତାଙ୍କେ’ ଓ ‘ୟାଙ୍କେ’ ବ୍ୟବହାର କରିଥାନ୍ତି । ଷଷ୍ଠୀ ବିଭକ୍ତିରେ ‘ତାଙ୍କ’ ଓ ‘ୟାଙ୍କ’ ସହିତ ବହୁବଚନ ପ୍ରତ୍ୟୟ ‘ଏ’ ଲାଗି ‘ତାଙ୍କେ’ ଓ ‘ୟାଙ୍କେ’ ହୋଇଥିବାର ଅନୁମାନ ହୁଏ ।

 

ସଂସ୍କୃତ ବୈୟାକରଣମାନେ ଷଷ୍ଠୀ ବିଭକ୍ତିକୁ ସମ୍ବନ୍ଧଷଷ୍ଠୀ, କର୍ତ୍ତାଷଷ୍ଠୀ ଓ କର୍ମଷଷ୍ଠୀରେ ବିଭକ୍ତ କରିବାର ଦେଖିଲେ, ଷଷ୍ଠୀ ସହିତ ପ୍ରଥମାର ଘନିଷ୍ଠ ସମ୍ପର୍କ ଥିବାର ସ୍ପଷ୍ଟ ପ୍ରତୀତି ହୁଏ । ଏଣୁ ‘ତେ ଗନ୍ତବ୍ୟଂ’ ପରିବର୍ତ୍ତରେ କେହି କେହି ‘ତାହାର ଯିବାର ଆବଶ୍ୟକ’ ଓ କେହି କେହି ‘ସେ ଯିବାର ଆବଶ୍ୟକ’ ବା ‘ତାହାକୁ ଯିବାକୁ ହେବ’ ଏପରି ପ୍ରୟୋଗ କରିଥାନ୍ତି ।



 

Unknown

ଓଡ଼ିଆ ସର୍ବନାମ

 

ଓଡ଼ିଆ ପ୍ରଥମ ପୁରୁଷ ଏକବଚନରେ ‘ମୁଁ’, ‘ମୁହିଁ’ ଓ ‘ମୁଇଁ’ ବ୍ୟବହୃତ ହୋଇଥାଏ । ଅପଭ୍ରଂଶ ‘ହମୁ’ ଶବ୍ଦର ଆଦ୍ୟ ‘ହ’କାର କ୍ରମଶଃ ଲୁପ୍ତ ହୋଇ ଓଡ଼ିଆ ‘ମୁଁ’ ସୃଷ୍ଟ ହୋଇଅଛି । ପ୍ରାକୃତରେ ଅନେକ ପଦର ଶେଷରେ ଗୋଟିଏ ନିରର୍ଥକ ‘ହିଁ’ ବ୍ୟବହୃତ ହୋଇଥାଏ । ଯଥା:- ବୀଅଚଉଥ୍‍ଥ ଏଆରହହିଁ**—ପିଙ୍ଗଳ । ଓଡ଼ିଆ ‘ମୁ’ ସହିତ ଏପରି ଗୋଟିଏ ‘ହିଁ’ ମିଶି ‘ମୁହିଁ’ ପଦ ସିଦ୍ଧ ହୋଇଥିବାର ଅନୁମାନ ହୁଏ । ଏହା ପ୍ରାକୃତ ‘ଅହ୍ମେ’ରୁ ଆସିଅଛି । ‘ଅହ୍ମେଜସା ।’—ପ୍ରାକୃତପାଦ ।

 

ଦ୍ୱିତୀୟପୁରୁଷ ଏକବଚନରେ ‘ତୁ’, ‘ତୁହିଁ’, ‘ତୁଇ’ ବ୍ୟବହୃତ ହୋଇଥାଏ । ‘ତୁ’ ପ୍ରାକୃତ ‘ତୁହୁଁ’ରୁ ଜାତ ଚେଜ ସହଜ ତୁହୁଁ ଚଞ୍ଚଳା ସୁନ୍ଦରୀ ହୃଦହିଁ ବଳନ୍ତ—ପିଙ୍ଗଳ । ଏହି ‘ତୁହୁଁ’ର ‘ହୁଁ’ ଲୁପ୍ତ ହୋଇ ଓଡ଼ିଆରେ କେବଳ ‘ତୁ’ ରହିଯାଇଅଛି । ‘ତୁହି’ ଶବ୍ଦ ‘ମୁହିଁ’ର ଧରଣରେ ଗଠିତ ହୋଇଅଛି, ନତୁବା ‘ତୁହୁଁ’ ଶବ୍ଦରୁ ଆସିଅଛି । ‘ତୁହି’ ସାଧାରଣଙ୍କ ତୁଣ୍ଡରେ ପଡ଼ି କ୍ରମଶଃ ‘ତୁଇ’ ଆକାର ଧାରଣ କରିଅଛି । ପ୍ରାକୃତରେ ‘ତୁ’ ଅର୍ଥରେ ‘ତଇ’ ଓ ‘ତୁହ’ ମଧ୍ୟ ବ୍ୟବହୃତ ହେବାର ସ୍ଥାନେ ସ୍ଥାନେ ଦୃଷ୍ଟ ହୁଏ । ଯଥା:-

 

ଅରେରେ ବାହହି କାହ୍ନ ଣାବ ଛୋଟି ଡଗମଗ କୁଗତି ଣ ଦେହି ।

ତଇ ଇଥିଁ ଣଦିହିଁ ସଂତାର ଦେଇ ଜୋ ଚାହସି ସୋଲେହି—ପିଙ୍ଗଳ ।

ତୁହ ଯାଇ ସୁନ୍ଦରି ଅପ୍‍ପଣା ପରିତଜ୍ଜ ଦୁଜ୍ଜଣଥପ୍‍ପଣା—ପିଙ୍ଗଳ ।

 

ବହୁବଚନରେ ଯେଉଁ ‘ତୁମ୍ଭେ’ ‘ତୁମେ’ ବ୍ୟବହୃତ ହୋଇଥାଏ, ତାହା ପ୍ରାକୃତ ‘ତୁହ୍ମେ’ରୁ ଜାତ; “ତୁହ୍ମେ, ଅହ୍ମେ ଜସା”—ପ୍ରାକୃତପାଦ ।

 

ସଂସ୍କୃତ ‘ଇଦମ୍‍’, ‘ଏଦଦ୍‍’ ଶବ୍ଦ ପରିବର୍ତ୍ତରେ ଓଡ଼ିଆରେ ଏ, ଏହା, ଏହୁ ଓ ଏହି ବ୍ୟବହୃତ ହୋଇଥାଏ । ପ୍ରାକୃତରେ ମଧ୍ୟ ଏ ସବୁ ଅବିକଳ ଦେଖାଯାଏ । ଯଥା:-

 

ଏହୁ ଛନ୍ଦ ସୁଲକ୍‍ଖଣ ଭଣଇ ବିଅକ୍‍ଖଣ ଜମ୍ପଇ ପିଙ୍ଗଳଣାଅ—ପିଙ୍ଗଳ ।

ତହିଁବି ବିସଜ୍ଜହି ଏକ୍‍କସର ଏହି ପମାଣେ ଣାମ—ପିଙ୍ଗଳ ।

 

ଚନ୍ଦା କୁନ୍ଦା ଏ କାସା ହାରା ହୀରା ଏ ହଂସା—ପିଙ୍ଗଳ ।

ପୁଣ ତେରହ ଏଆରହଇ ଦୋହାଲକ୍‍ଖଣ ଏହ—ପିଙ୍ଗଳ ।

 

ଏହି ‘ଏହ’ରୁ ‘ଏହା’ ଆସିଥିବାର ଅନୁମିତ ହୁଏ । ‘ଅ’କାରଠାରେ ଆକାର ହେବାର ଅନେକଠାରେ ଦେଖାଯାଏ । ଯଥା:- ସର୍ପ, ସାପ । ଓଡ଼ିଆରେ କୌଣସି କୌଣସି ଲୋକେ ‘ଇହା’ ‘ଇଆ’ ‘ୟା’ ବ୍ୟବହାର କରିଥାନ୍ତି । ‘ଇହା’ ପ୍ରାକୃତ ‘ଇହ’ରୁ ଓ ‘ଇଆ’ ବା ‘ୟା’ ପ୍ରାକୃତ ‘ଇୟ’ରୁ ଜାତ । ଉଦାହରଣ ଦେଖନ୍ତୁ-

***ଇହ ତୋଟଅଛନ୍ଦବରଂ ରଚିଅଂ—ପିଙ୍ଗଳ ।

**ଇୟ ଚଣ୍ଡାଳରଚିତଗଣୋ—ପିଙ୍ଗଳ ।

 

‘ଏହୁ’ ଦୌନିକ ସମ୍ଭାଷଣରେ ‘ଉ’ର ଆକାର ଧାରଣ କରିଥାଏ, ଯଥା:- ଉଛୁଣିକା ।

 

‘ଯଦ୍‍’ ଶବ୍ଦ ପରିବର୍ତ୍ତରେ ଓଡ଼ିଆରେ ଯା, ଯାହା, ଯେ, ଯିଏ, ଯୋ, ଯେହି, ଯେହୁ, ଯେଉଁ ଇତ୍ୟାଦି ବ୍ୟବହୃତ ହୋଇଥାଏ । ଏ ସବୁ ପ୍ରାକୃତର ଅନୁକରଣ—

 

ଜା ପିଙ୍ଗଳେଣ କଇଣା ଣ ଣିବଦ୍ଧା ଅପ୍‍ପ ଗନ୍ଥମ୍ମି—ପିଙ୍ଗଳ ।

ଜୋଜୋ ଅଙ୍କା ଜହଂ ପରହିତଂ ତିଅ ପନ୍ତି ଭଣେହି—ପିଙ୍ଗଳ ।

ମତ୍ତପତାକା ପିଙ୍ଗଳ ଗାବ ଜୋ ପାବଇ ସୋ ପରହି ବୁଝାବ—ପିଙ୍ଗଳ ।

ଜେ କରି ପର ଉଅଆର ବିରୁଜ୍‍ଝଇ—ପିଙ୍ଗଳ ।

ପତମଂ ବୀ ହଂସପଅଂ ବୀଏ ସିଂହସ୍‍ସ ବିକ୍‍କମଂ ଜାଆ—ପିଙ୍ଗଳ ।

ଜେଇ କିଜ୍ଜିଅ ଧାଳା***—ପିଙ୍ଗଳ ।

 

“ଜେହ୍ୟାଦିର୍ଯାଦୃଶାଦେଃସ୍ତ୍ୱାଦୌ ଜେହୀ ଣାରୀ, ଜେହେ ଣରୁ, ଜେହୁ ଧଣୁ”—ପ୍ରାକୃତପାଦ ।

 

‘ଯେଉଁ’ ଶବ୍ଦ ‘ଜେହୁ’ର ରୂପାନ୍ତର ମାତ୍ର । ପ୍ରାକୃତ ଷଷ୍ଠୀ ବିଭକ୍ତି ଏକବଚନରେ ‘ଜୀଏ’, ‘କୀଏ’ ଇତ୍ୟାଦି ବ୍ୟବହୃତ ହୋଇଥାଏ । ଯଥା:- “ଇକାରାନ୍ତେଭ୍ୟଃ କିମାଦିଭ୍ୟ ଉତ୍ତରସ୍ୟ ଙସଃ ସ୍‍ସା, ସେ ଇତ୍ୟେତାବାଦେଶୌ ଭବତଃ : କିସ୍‍ସା, କିସେ, କୀଆ, କୀଏ, କୀଅ, କୀଇ, ଜିସ୍‍ସା, ଜିସେ, ଜୀଆ, ଜୀଏ, ଜୀଅ, ଜୀଇ” ଇତ୍ୟାଦି—ବରରୁଚି । ଏହି ‘ଜୀଏ’, ‘କିଏ’ ଓଡ଼ିଆରେ ପ୍ରଥମା ବିଭକ୍ତିରେ ପ୍ରୟୋଗ ହୋଇଥିଲାପରି ବୋଧହୁଏ । ଅନ୍ୟାନ୍ୟ ବିଭକ୍ତିର ଶବ୍ଦ ପ୍ରଥମା ବିଭକ୍ତିରେ ପ୍ରୟୋଗ ହେବାର ପ୍ରାକୃତରେ ମଧ୍ୟ ଲକ୍ଷିତ ହୁଏ । ଯଥା:- ‘ଏ ମୁଇଁ ପୁହବି ଭମନ୍ତେ ଜଇ ପିଅ ଦେଖିହିମ) ଅହଂ ପୃଥିବୀଂ ଭ୍ରମନ୍‍ ଯଦି ପ୍ରିୟଂ ପ୍ରେକ୍ଷିଷ୍ୟେ)—ବିକ୍ରମୋବଂଶୀ ।

 

ଓଡ଼ିଆ ‘ସେ’ ପ୍ରାକୃତ ‘ସୋ’ରୁ ଜାତ । ପ୍ରାକୃତରେ ଷଷ୍ଠି ଏକବଚନରେ ‘ସେ’ ପ୍ରୟୋଗ ହୋଇଥାଏ । ଯଥା:- ‘ଆହୋ ସେ ରୁଅରେହା’ (ଆହୋ ଅସ୍ୟା ରୂପରେଖ)—କର୍ପୂରମଞ୍ଜରୀ । କେହି କେହି କହନ୍ତି, ଓଡ଼ିଆ ‘ସେ’ ଏଥିରୁ ଜାତ । (ପ୍ରଥମା ସହିତ ଷଷ୍ଠୀର ଘନିଷ୍ଠ ସମ୍ବନ୍ଧ ଦେଖିଲେ ଏପରି ଅନୁମାନ କରିବା ଅସଙ୍ଗତବୋଧ ହୁଏନାହିଁ ।) ‘ସେହି’ ଶବ୍ଦ ‘ମୁହିଁ’ ‘ତୁହି’ର ଧରଣରେ ଗଠିତ; ‘ସେଇ’ ‘ସେହି’ର ରୂପାନ୍ତର ମାତ୍ର । ନତୁବା ପ୍ରାକୃତ ‘ସୋଇ’ରୁ ଅନୁକୃତ;— ‘ଜୋ ଗୁରୁହୀଣଉ ସକ୍‍କ ସୋଇ ଣାମଗ୍‍ଗହଣ କୁଣେହୁ’—ପିଙ୍ଗଳ । ‘ଓ’କାରଠାରେ ‘ଏ’କାର ହେବାର ଅନେକଠାରେ ଦେଖାଯାଏ, ଯଥା:- ହୋଇ, ହେଉ; ମୋତେ, ମେତେ । ଓଡ଼ିଆ ‘ସେହୁ’ ଏହୁ ଯେହୁର ଅନୁକରଣରେ ସୃଷ୍ଟ ହୋଇଅଛି । କେହି କେହି ‘ସିଏ’ ମଧ୍ୟ ବ୍ୟବହାର କରିଥାନ୍ତି । ଏହା ପ୍ରାକୃତ ଷଷ୍ଠୀ ଏକବଚନରେ ଯେଉଁ ‘ତୀଏ’ ବ୍ୟବହୃତ ହୁଏ ତହିଁରୁ ଜାତ, ନତୁବା କିଏ, ଜୀଏର ଛାଞ୍ଚରେ ଗଠିତ । ‘ସେହୁ’ ଦୈନିକ ସମ୍ଭାଷଣରେ ‘ସେଉ’ ଓ ‘ସୁ’ର ଆକାର ଧାରଣ କରିଥାଏ । ଯଥା:- ସିଉଟା, ସୁଟା ।

 

ନପୁଂସକ ଲିଙ୍ଗରେ ‘ତଦ୍‍’ ଶବ୍ଦ ବଦଳରେ ଓଡ଼ିଆରେ ‘ତା’, ‘ତାହା’, ‘ତାଆ’ ବ୍ୟବହୃତ ହୋଇଥାଏ । ‘ତା’ ପ୍ରାକୃତର ଅବିକଳ ଅନୁକରଣ- “ତା ଦହ ପଢ଼ମଂ ବେ ଅଠ୍‍ଟାଅଂ ତେହ ଚଉଦହ ତୀଅହିଂ କିଅଣିଳଣଓ”—ପିଙ୍ଗଳ । ଓଡ଼ିଆ ଷଷ୍ଠୀ ଏକବଚନ ପୁଂଲିଙ୍ଗରେ ଯେଉଁ ‘ତାହା’ ବ୍ୟବହୃତ ହୋଇଥାଏ, ସେହି ‘ତାହା’ ନପୁଂସକ ଲିଙ୍ଗ ପ୍ରଥମା ବିଭକ୍ତିରେ ପ୍ରୟୋଗ ହୋଇଅଛି । ‘ତାହା’ରୁ ‘ତାହା’ ଜାତ ।

 

‘କିମ୍‍’ ଶବ୍ଦ ପରିବର୍ତ୍ତରେ ଓଡ଼ିଆରେ କି, କିଏ, କେ, କେହି, କେହୁ, କେଉଁ, କୋ, କିସ, କିଅଣ, କଅଣ, କେଉଣସି, କୌଣସି, କେବଣ ଇତ୍ୟାଦି ବ୍ୟବହୃତ ହୋଇଥାଏ । ଏଥିରୁ ଅନେକ ପ୍ରାକୃତରୁ ଆସିଅଛି—

 

ଜଇ କୋପଇ କଣ୍ଣଣରେନ୍ଦବରା ରଣ କୋ ହରି କୋ ହର ଦଜ୍ଜହରା ।

—ପିଙ୍ଗଳ

କିଂ କଜ୍ଜଂ; ତା କିଂ ତି—କର୍ପୂରମଞ୍ଜରୀ । (କିଂରୁ କି ଜାତ)

 

“କିମଃ କୋଭବତି ସ୍ୟାଦୌତ୍ରତଶ୍ଚପରୟୋଃ—କୋ, କେ”—ହେମଚନ୍ଦ୍ର । “ଜେହ୍ୟାଦିର୍ଯାଦୃଶାଦେଃ ସ୍ତ୍ୟାଦୌ; କୀଦୃକ୍‍–କେହୀ; ଈଦୃକ୍‍–ଏହୀ”–ପ୍ରାକୃତପାଦ । (ଓଡ଼ିଆରେ ମଧ୍ୟ ‘କୀଦୃକ୍‍’ ଅର୍ଥରେ ପଦ୍ୟ କାବ୍ୟରେ ‘କେହି’ ବ୍ୟବହାର ହୋଇଥାଏ; “ଆହା ମୁଁ ବଞ୍ଚିବି କେହିରେ ।”) “କୀସୋ, କୀଣୋ, ପ୍ରାଶ୍ନେ”—ପ୍ରାକୃତପାଦ ।

 

‘କୀଣୋ’ରୁ ‘କିଅଣ’, ‘କଅଣ’ ଆସିଥିବାର ଅନୁମିତ ହୁଏ । ‘ଯେହୁ’, ‘ସେହୁ’ର ଅନୁକରଣରେ ‘କେହୁ’ ଓ ‘ଯେଉଁ’ର ଅନୁକରଣରେ ‘କେଉଁ’ ସୃଷ୍ଟ ।

 

ପ୍ରାକୃତରେ କୋଉଣ (କଃପୁନଃ), କାରଣ (କାପୁନଃ), ସୋଉଣ (ସଃପୁନଃ), କିଉଣ (କିଂପୁନଃ) ଇତ୍ୟାଦି ବ୍ୟବହୃତ ହୋଇଥାଏ । (ଓଡ଼ିଆରେ ମଧ୍ୟ ଏପରି ପ୍ରୟୋଗ ଅନେକଠାରେ ଦେଖାଯାଏ । ଯଥା:- ‘ତୁ ପୁଣି ଯିବୁ ପୁର’, ‘ମୁଁ ପୁଣି ଗାଁକୁ ଯିବି’ ଇତ୍ୟାଦି ।) ‘କୋଉଣ’ରୁ ‘କଅଣ’, ‘କିଉଣ’ରୁ ‘କିଅଣ’ ଆସିଥିବାର କେହି କେହି ଅନୁମାନ କରନ୍ତି । ‘କେବଣ’ ଶବ୍ଦ ‘କେଉଣ’ରୁ ଜାତ । ବୀମ୍‍ସ ସାହେବ କହନ୍ତି, ‘କୌଣସି’ ଶବ୍ଦ ‘କୋ+ଉଣ+ସେ’ (who forshooth is he)ରୁ ଆସିଅଛି । ତାହା ହେଲେ ‘କେ’ ସହିତ ‘ଉଣ+ସେ’ ମିଶି ‘କେଉଣସି’ ଶବ୍ଦ ହୋଇଥିବ ।

 

ଓଡ଼ିଆ ଏତେ, ତେତେ ବା ସେତେ, କେତେ ଓ ଯେତେ ପ୍ରାକୃତ ଏତିଅଂ, ତେତିଅଂ, କେତିଅଂ ଓ ଜେତିଅଂ ନତୁବା ସଂସ୍କୃତ ଇୟତ୍‍, ତାବତ୍‍, କିୟତ, ଯାବତ୍‍ରୁ ଆସିଅଛି । ଏତେ, ତେତେ, କେତେ, ଯେତେ ସହିତ ‘ଗୋଟି’ ଅର୍ଥରେ ‘ଏକ’ ଶବ୍ଦ ମିଶି ଏତେକ, ତେତେକ ବା ସେତେକ, କେତେକ, ଯେତେକ ହୋଇଅଛି । ଆଦର ଅର୍ଥରେ ଏହି ଶବ୍ଦ ସବୁ ‘ଇ’କାରାନ୍ତ ହୋଇଥାଏ । ପ୍ରାକୃତରେ ‘ଯେତ୍ତିକା’, ‘ତେତ୍ତିକା’ ଇତ୍ୟାଦି ପ୍ରୟୋଗ ଦେଖାଯାଏ । ପୂର୍ବ ବର୍ଣ୍ଣ (ତି) ଇକାରାନ୍ତ ଥିବାରୁ, ଶେଷବର୍ଣ୍ଣ (କା) ମଧ୍ୟ ଇକାରାନ୍ତ ହୋଇ ଓଡ଼ିଆରେ ଯେତିକି ତେତିକି ହୋଇଥିବାର ମଧ୍ୟ ପ୍ରତୀୟମାନ ହୁଏ ।

 

‘ଯାବତ୍‍’ ଶବ୍ଦରୁ ଓଡ଼ିଆ ‘ଯାବନ୍ତ’, ପ୍ରାକୃତ ‘ସବ୍‍ବ’ରୁ ଓଡ଼ିଆ ‘ସବୁ’ ଉତ୍ପନ୍ନ ।

‘ଆପଣ’ ଶବ୍ଦ ପ୍ରାକୃତର ଅନୁକରଣ–“ଆତ୍ମାଦେରପ୍‍ପଣାଦିଶ୍ଚ”—ପ୍ରାକୃତପାଦ ।

 

‘ଅପର’ ପରିବର୍ତ୍ତରେ ଓଡ଼ିଆରେ ‘ଆବର’, ‘ଆର’ ଓ ‘ଆଉ’, ‘ଆଉରି’ ବ୍ୟବହୃତ ହୋଇଥାଏ । ‘ଆବର’ ପ୍ରାକୃତ ‘ଅବରୁ’ରୁ ଉତ୍ପନ୍ନ । ଯଥା:- ସିର ଦୁଇ ଅଙ୍କେ ‘ଅବରୁ’ ଭରୁ ସୁଈ ମେରୁ ଣିସଙ୍କ—ପିଙ୍ଗଳ । ‘ଆଉରି’ ଆବର ଶବ୍ଦର ରୂପାନ୍ତର । ‘ଆର’ ଓ ‘ଆଉ’ ପ୍ରାକୃତ ‘ଅରୁ’ରୁ ଜାତ—ସମ ବାରହ ଅରୁ ଏକଦହ ରାଅସେଣୁ ଭଣ ତେଥ୍‍ଥୁ—ପିଙ୍ଗଳ । ‘କିଛୁ’ ଓ ‘ବହୁତ’ ପ୍ରାକୃତର ଅବିକଳ ଅନୁକରଣ । ଯଥା:-

 

ଉଆସୀଣ ଜଇମିତ୍ତ କଜ୍ଜ କିଛୁ ମନ୍ଦ ଦିଖାବଇ—ପିଙ୍ଗଳ ।

ପୁତ୍ତ ପବିତ୍ତ ବହୁତ୍ତ ଧଣା ଭତ୍ତି କୁଟୁମ୍ବିଣି ସୁଦ୍ଧମଣା—ପିଙ୍ଗଳ ।

 

‘କିଛୁ’ରୁ ‘କିଛି’ ଆସିଅଛି । ନତୁବା ପ୍ରାକୃତ ‘କିଞ୍ଚି’ ଶବ୍ଦରୁ ‘କିଛି’ ଉତ୍ପନ୍ନ ହୋଇଅଛି ।

 

‘ଦୁହେଁ’ ଓ ‘ତିନିହେଁ’ ପ୍ରାକୃତ ‘ଦାଣ୍‍ହିଁ’, ‘ତିଣ୍‍ହିଁ’ରୁ ଜାତ । “ଦୋଣ୍‍ହିଁ, ତିଣ୍‍ହିଁ ଜସ୍‍ ଶସଭ୍ୟାଂ—ଦୋଣ୍‍ହି ଅଛନ୍ତି, ତିଣ୍‍ହିଁ ଭଣନ୍ତି ।”—ପ୍ରାକୃତପାଦ । ଓଡ଼ିଆମାନଙ୍କ ତୁଣ୍ଡରେ ପଡ଼ି ‘ଣ୍‍’ଠାରେ ଚନ୍ଦ୍ରବିନ୍ଦୁ, ‘ହି’ଠାରେ ହେ ହୋଇ ଯାଇଅଛି । ‘ଇକାର’ଠାରେ ‘ଏକାର’ ହେବାର ଅନେକଠାରେ ଦେଖାଯାଏ । ଯଥା:- ତିଂନ୍ତ୍ରିଡ଼ୀ, ତେନ୍ତୁଳୀ ।



 

ଓଡ଼ିଆ ଅବ୍ୟୟ

 

ଯେସନ

-

ଏହା “ଯେ+ସମାନ”ରୁ ଜାତ । ‘ମା’ଠାରେ ‘ଆ’ ହୋଇ, ‘ଆ’ କ୍ରମଶଃ ଲୁପ୍ତ ହୋଇଅଛି । ଏପରି ହେବାର କୌଣସି କୌଣସି ଶବ୍ଦରେ ମଧ୍ୟ ଦେଖାଯାଏ । ଯଥା:- ସାମାନ୍ୟ, ସାନ ।

 

 

ତେସନ, ଏସନ, କେସନ, ଏସବୁ ଏହିପରି ସୃଷ୍ଟ ।

 

ଯେହ୍ନେ

-

ଓଡ଼ିଆ ପଦ୍ୟକାବ୍ୟରେ ଯେହ୍ନେ, ତେହ୍ନେ, ଏହ୍ନେ, କେହ୍ନେ ଇତ୍ୟାଦି ବ୍ୟବହୃତ ହୋଇଥାଏ । ଏସବୁ ଯେସନ, ତେସନ, ଏସନ, କେସନର ରୂପାନ୍ତର ମାତ୍ର । ‘ସ’ଠାରେ ‘ହ’ ହୋଇ, ‘ହ’ ସହିତ ପରବର୍ତ୍ତୀ ‘ନ’ ସଂଯୁକ୍ତ ହୋଇ ଉପରୋକ୍ତ ପଦସବୁ ସିଦ୍ଧ ହୋଇଅଛି । ‘ସ’ଠାରେ ‘ହ’ ହେବାର ଅନେକ ଶବ୍ଦରେ ଦେଖାଯାଏ । ଯଥା:- ଦଶ, ଦହ ।

 

 

 

ପୁଣ, ପୁଣି

-

ଏହା ପ୍ରାକୃତର ଅବିକଳ ଅନୁକରଣ । ପଢ଼ମଦହଦିଜ୍ଜିଆପୁଣ ବିତହକିଜ୍ଜିଆ—ପିଙ୍ଗଳ ।

 

 

 

 

 

ତରୁଣି ଘରଣି ମିଳଇ ଜ ପୁଣି—ପିଙ୍ଗଳ ।

 

 

 

ଏପରି

-

ପ୍ରାକୃତର ଅବିକଳ ଅନୁକରଣ ।

 

 

 

 

 

କାହଳଜୁଗ୍‍ଗଳ ଅନ୍ତପରିଜ୍ଜସୁ ଏପରି ଚୌବିସବର୍ଣ୍ଣପଆସହୁ—ପିଙ୍ଗଳ ।

 

 

 

କିପରି

-

ଏହା ପ୍ରାକୃତ ‘କେପରି’ରୁ ଜାତ । କେପରି ଅପ୍‍ପଉ ବାରିହଉ—ପିଙ୍ଗଳ । ଯେପରି, ସେପରି ମଧ୍ୟ ଏହି ଧାରାନୁସାରେ ଗଠିତ ।

 

 

 

କିମିତି

-

ଏହା ପ୍ରାକୃତ ‘କିଂତି’ କା ସଂସ୍କୃତ ‘କିମିତି’ରୁ ଜାତ ।

 

 

 

 

 

‘ମିତି’ ଗୋଟିଏ ସ୍ୱତନ୍ତ୍ର ପ୍ରତ୍ୟୟରୂପେ ପରିଗଣିତ ହୋଇ, ଓଡ଼ିଆ ଯେ, ସେ, ତେ, ଏ ବା ଇ ସହିତ ଯୁକ୍ତ ହୋଇ, ଯେମିତି, ସେମିତି, ତେମିତି, ଏମିତି ବା ଇମିତି ସୃଷ୍ଟ ହୋଇଅଛି ।

 

 

 

ଏମନ୍ତ, ଯେମନ୍ତ, ତେମନ୍ତ କେମନ୍ତ

-

ସଂସ୍କୃତ ‘ବତ୍‍’ ପ୍ରତ୍ୟୟ ‘ମନ୍ତ’ରେ ପରିଣତ ହୋଇ, ଏ, ଯେ, ତେ, କେ ସହିତ ମିଶି ଏମନ୍ତ, ଯେମନ୍ତ, ତେମନ୍ତ, କେମନ୍ତ, ହୋଇଥିବାର ଅନୁମାନ ହୁଏ । ‘ବତ୍‍’ଠାରେ ‘ମନ୍ତ’ ହେବାର ଅନେକଠାରେ ଦେଖାଯାଏ । ଯଥା:- କୁଳବତୀ, କୁଳମନ୍ତୀ—ପିଙ୍ଗଳ ।

 

 

 

ତହିଁ

-

ଏହା ପ୍ରାକୃତରୁ ଅନୁକୃତ-

 

 

 

 

 

ଣଠ୍‍ ର୍ଟେ ଅଙ୍କେ ଭାଗକରିଜ୍ଜସୁ ସମଭାଗହିଁ ତହିଁ ଲହୁମୁଣିଜ୍ଜସୁ—ପିଙ୍ଗଳ ।

 

 

 

ତଥି

-

ଓଡ଼ିଆ ପଦ୍ୟକାବ୍ୟରେ ତହିଁ ପରିବର୍ତ୍ତରେ ‘ତଥି’ ବ୍ୟବହୃତ ହୋଇଥାଏ । ଯଥା:- ପିଢ଼ା ଉପରେ ପିଢ଼ାମାନ ଦେଇ । ତଥି ଉପରେ ଉଠିଲେ ମାଧୋଇ । ଏହା ପ୍ରାକୃତର ଅନୁକରଣ ଯଥା:-

 

 

 

 

 

ଜହ ଭମଳକୁଳାଣଂ ତଥି ଜତ୍ତାପ୍‍ପଭତ୍ତା—କର୍ପୂରମଞ୍ଜରୀ ।

 

 

 

ଏଥି

-

ଓଡ଼ିଆରେ ‘ଏଥି’ ଶବ୍ଦ ମଧ୍ୟ ବ୍ୟବହୃତ ହୋଇଥାଏ । ଏହା ମଧ୍ୟ ପ୍ରାକୃତର ଅନୁକରଣ-

 

 

ଏଥି କିଂ କାରଣଂ—କର୍ପୂରମଞ୍ଜରୀ ।

 

 

 

ଯହିଁ

-

ଏହା ପ୍ରାକୃତରେ ମଧ୍ୟ ଅନେକଠାରେ ଦେଖାଯାଏ । ଯଥା:- ଜହିଁଆଇ-ହଥିଣରେନ୍ଦବିଟ୍‍ଠବି ପାଆ ପଞ୍ଚମ ଜୋହଳୋ—ପିଙ୍ଗଳ ।

 

 

 

 

 

ଅନ୍ତଠିଆ ଜହିଁ ହାରମୁଣିଜ୍ଜଇ ହେ ରମଣୀ—ପିଙ୍ଗଳ ।

 

 

 

କାହିଁ, କାଇଁ

-

ଏହା ଓଡ଼ିଆରେ କୌଣସି କୌଣସିଠାରେ ‘କି’ ବା ‘କୀସ’, ଅର୍ଥରେ ବ୍ୟବହୃତ ହୋଇଥାଏ । ଯଥା:- ‘ବିହି ନାରୀ କରି ମୋତେ କାହିଁପାଇଁ ଗଢ଼ିଲା’ (ଅର୍ଥାତ୍‍ କିପାଇଁ) । ପ୍ରାକୃତରେ ମଧ୍ୟ ‘କାଇଁ’ ଏହି ଅର୍ଥରେ ପ୍ରୟୋଗ ହେବାର ଦେଖାଯାଏ । ଯଥା:- ମାଣିଣି ମାଣହିଁ କାଇଁ ଫଳଂ ଏଓ ଜେ ଚରଣ ପଡ଼ୂକନ୍ତ—ପିଙ୍ଗଳ । ‘କାହିଁ’ ବା ‘କାଇଁ’ ଓଡ଼ିଆରେ ପ୍ରାୟ ସର୍ବତ୍ର ‘କେଉଁଠାରେ’ ଅର୍ଥରେ ପ୍ରୟୋଗ ହୋଇଥାଏ । ଏହା ପ୍ରାକୃତ ‘କହିଁ’ରୁ ଆସିଥିଲା ପରି ଅନୁମାନ ହୁଏ । ଯଥା- କହିଁ ସମ୍ପଦଂ ଭୈରବାଣଂଦୋ—କର୍ପୂରମଞ୍ଜରୀ ।

 

 

 

କେବେ, ଯେବେ, ଏବେ, ତେବେ

-

ଏସବୁ ‘କେତେବେଳେ’, ‘ଯେତେବେଳେ’, ‘ଏତେବେଳେ’, ‘ତେତେବେଳେ’ରୁ ଜାତ । ‘ତେ’, ‘ଳେ’ ଉଚ୍ଚାରଣ ସମୟରେ ଅତି ସହଜରେ ଲୁପ୍ତ ହେବାର ଅନେକଠାରେ ଦେଖାଯାଏ ।

 

 

 

କେବେହେଁ, କେଭେ

-

‘କେବେ’ ସହିତ ‘ହେଁ’ ସଂଯୋଜିତ ହୋଇ ‘କେବେହେଁ’ ହୋଇଅଛି । ‘ବେ’ ଓ ‘ହେଁ’ ମିଶି ‘ଭେ’ ହୋଇ ‘କେଭେ’ ଶବ୍ଦର ଉତ୍ପତ୍ତି ହୋଇଅଛି ।

 

 

 

କି

-

ଏହା ପ୍ରାକୃତରୁ ଆସିଅଛି । “କୁହୁରବତାର ଦୂରନ୍ତ ବସନ୍ତ କି ଣିଦ୍ଦଅ କାମ କି ଣିବ୍ଦଅ କନ୍ତ”—ପିଙ୍ଗଳ । ସନ୍ଦେହାର୍ଥରେ ଯେଉଁ ‘କି’ ଓଡ଼ିଆରେ ବ୍ୟବହୃତ ହୋଇଥାଏ, ତାହା ମଧ୍ୟ ପ୍ରାକୃତର ଅବିକଳ ଅନୁକରଣ । ଯଥା:- ତୀଏ ଜଗଣ କି ବିପ୍‍ପଗଣ କବ୍ୱହ ଲକ୍‍ଖଣ ବୁଜ୍‍ଝ—ପିଙ୍ଗଳ ।

 

 

 

କେଣେ

-

ଓଡ଼ିଆରେ ଏହି ଶବ୍ଦ ଭିନ୍ନ ଭିନ୍ନ ସ୍ଥଳରେ ଭିନ୍ନ ଭିନ୍ନ ଅର୍ଥରେ ବ୍ୟବହୃତ ହୋଇଥାଏ– ‘କେଣେ ଗଲୁ ଆହା’, ‘ତୁ କେଣେ ଗଲୁ ?’ ପ୍ରଥମ ‘କେଣେ’ର ଅର୍ଥ ‘କେଉଁଆଡ଼େ’, ଦ୍ୱିତୀୟ ‘କେଣେ’ର ଅର୍ଥ ‘କାହିଁକି’ । ଦ୍ୱିତୀୟ ‘କେଣେ’ ପ୍ରାକୃତ ‘କିଣୋ’ରୁ ଜାତ- “କିଣୋ ପ୍ରଶ୍ନେ, କିଣୋଧୁ ବସି”- ହେମଚନ୍ଦ୍ର । ପ୍ରଥମ ‘କେଣେ’ ‘କେଉଁ+ଆଡ଼େ’ରୁ ଉତ୍ପନ୍ନ ହୋଇଥିବାର ଅନୁମାନ ହୁଏ । ‘ଡ’ଠାରେ ‘ଣ’ ହେବାର ଅନେକଠାରେ ଦେଖାଯାଏ- ଗରୁଡ଼ୋ, ଗରୁଣୋ; ଦାଡ଼ିମଂ, ଦାଣିମଂ । ଏହିପରି ‘ଏ+ଆଡ଼େ’ରୁ ଏଣେ, ‘ସେ+ଆଡ଼େ’ରୁ ତେଣେ, ‘ଯେ+ଆଡ଼େ’ରୁ ଯେଣେ ହୋଇଅଛି ।

 

 

 

ନିକି

-

‘ନାହିଁ+କି ?’ର ଅପଭ୍ରଂଶ ।

 

 

 

ହେଟି,ହେଇଟି

-

ହେଟି= ହେ+ଏଠି; ହେଇଟି= ହେ+ଇଠି । ଆଦ୍ୟବର୍ଣ୍ଣ ‘ହ’କାର ଥିବାରୁ ଶେଷ ‘ଠି’ଠାରେ ଉଚ୍ଚାରଣବଶତଃ ‘ଟି’ ହୋଇଅଛି ।

 

 

 

ଭଳି

-

ଏହା ‘ହଳ’ (ଯୁଗ୍ମ) ଶବ୍ଦରୁ ଜାତ । ‘ହ’ଠାରେ ‘ଭ’ ଓ ‘ଳ’ଠାରେ ‘ଳି’ ହୋଇ ‘ଭଳି’ ହୋଇଅଛି । ‘ହ’ଠାରେ ‘ଭ’ ହେବାର ସ୍ଥାନେ ସ୍ଥାନେ ଦେଖାଯାଏ । ଯଥା:- ଲିହ, ଲିବିଭ–ପ୍ରାକୃତପାଦ ।

 

 

 

ଯାକ, ଯାକେ, ଯାଏ

-

ଏସବୁ ‘ଯାବତ୍‍’ ଶବ୍ଦରୁ ଜାତ । ‘ବ’ଠାରେ ‘ଥ’ ଓ ‘ଥ’ର ଲୋପ ହୋଇ, ‘ତ’ଠାରେ ‘କ’ ହୋଇ ‘ଯାକ’ ଗଠିତ ହୋଇଅଛି । ‘ତ’ଠାରେ ‘କ’ ହେବାର ଅନେକଠାରେ ଦେଖାଯାଏ । ଯଥା:- ବାତୁଳ, ବାକୁଳ (ପିଙ୍ଗଳ), ଇମିତି, ଏମକା (ଏ ପ୍ରଦେଶରେ ନୀଚ ଲୋକଙ୍କ ଭାଷା) । ଏମନ୍ତ, କେମନ୍ତ, ଯେପରି ଏମନ୍ତେ, କେମନ୍ତେ ହୋଇଅଛି, ଯାକ ମଧ୍ୟ ସେପରି ‘ଯାକେ’ ହୋଇଅଛି । ‘ଯାକେ’ରୁ ‘ଯାଏ’ ଜାତ ।

 

 

 

ନହୁ

-

ପ୍ରାକୃତ ‘ଣହୁ’ରୁ ଆସିଅଛି । ‘ଣହୁ ତାହୁ ଆଗମିସ୍‍ସଂ’—କର୍ପୂର ମଞ୍ଜରୀ ।

 

 

 

ନାହିଁ

-

ଏହା ପ୍ରାକୃତ ‘ଣାହିଁ’ରୁ ଜାତ । ‘ଅଣ ଣାହିଁ’—ହେମଚନ୍ଦ୍ର ।

 

 

 

ସରିସ

-

ଏହା ପ୍ରାକୃତର ଅବିକଳ ଅନୁକରଣ । “ସମସୀମସରିସୌ ତୁଲ୍ୟତାୟାଂ” ପ୍ରାକୃତପାଦ ।

 

 

 

ସରି

-

ଏହା ‘ସରିସ’ ଶବ୍ଦର ଅପଭ୍ରଂଶ ମାତ୍ର । ପ୍ରାକୃତରେ ମଧ୍ୟ ଏହି ବ୍ୟବହାର ହେବାର ଦେଖାଯାଏ । ଯଥା:- ଦୁଇ ଦୁଇ କୋଟ୍‍ଠା ସରି ଲିହହୁ ପଢ଼ମଅଙ୍କ ତସୁ ଆନ୍ତ–ପିଙ୍ଗଳ ।

 

 

 

ସରିକି

-

‘ସରି’ ଶବ୍ଦ ସହିତ ‘କି’ ମିଶି ଏହି ଶବ୍ଦ ସିଦ୍ଧ ହୋଇଅଛି ।

 

 

 

ସୁଦ୍ଧା

-

ଏହା ‘ସାର୍ଦ୍ଧଂ’ର ଅପଭ୍ରଂଶ ପରି ବୋଧହୁଏ ।

 

 

 

ସିନା

-

ସଂସ୍କୃତ ‘ସତି’ ଶବ୍ଦ ଓଡ଼ିଆରେ ‘ସନ୍ତ’ରୂପେ ବ୍ୟବହୃତ ହୋଇଥାଏ । ‘ବନଂ ରାମେ ଗତେ ସତି’ ଏହି ବାକ୍ୟର ଓଡ଼ିଆ ଅର୍ଥ ‘ରାମ ବନକୁ ଯାନ୍ତେ ସନ୍ତ ।’ ଏହି ‘ସନ୍ତ’ରୁ ‘ସିନା’ ଆସିଥିବାର ଅନୁମାନ ହୁଏ । ‘ନ୍ତ’ଠାରେ କେବଳ ‘ନ’ ହେବାର ବଙ୍ଗଳାରେ ଦେଖାଯାଏ । ଯଥା:- କେମନ୍ତ, କେମନ ।

 

 

 

କିନା

-

ଏହା ‘କିନ୍ତୁ’ରୁ ଆସିଥିଲା ପରି ଅନୁମାନ ହୁଏ । ଉପରୋକ୍ତ ସିଦ୍ଧାନ୍ତ ଅନୁସାରେ ‘ନ୍ତ’ଠାରେ ‘ନ’ ହୋଇ ଓଡ଼ିଆରେ ‘ନ’ ପରିବର୍ତ୍ତନରେ ନା ହୋଇଅଛି । ‘ଅ’କାରଠାରେ ‘ଆ’କାର ହେବାର ଅନେକ ସ୍ଥଳରେ ଲକ୍ଷିତ ହୁଏ । ଯଥା:- ସର୍ପ, ସାପ ।

 

 

 

ତକ

-

ଏ ସ୍ୱତନ୍ତ୍ର ଶବ୍ଦ ନୁହେଁ । ଏତକ, କେତକ, ଯେତକ ଇତ୍ୟାଦି ଶବ୍ଦମାନଙ୍କୁ ଦେଖି ‘ତକ’ ଗୋଟିଏ ସ୍ୱତନ୍ତ୍ର ଅବ୍ୟୟ ବୋଲି କେହି କେହି ଅନୁମାନ କରିଅଛନ୍ତି । କିନ୍ତୁ ପ୍ରକୃତରେ ଏହା ନୁହେଁ । ‘ତକ’ ‘ଏତକ’ର ଅପଭ୍ରଂଶ ମାତ୍ର ।

 

 

 

-

ଏହା ପ୍ରାକୃତ ‘ଉ’ର ଅପଭ୍ରଂଶ । ଯଥା:- ସୋ ଉ ଜୁହିଟ୍‍ଠିର ସଂକଟ ପାଆ ଦେବକ ଲେଖିଅ କେଣ ମିଠାଆ—ପିଙ୍ଗଳ ।

 

 

 

ବି

-

ଏହା ପ୍ରାକୃତରୁ ଆସିଅଛି- ଡଗଣସ୍ର ପଞ୍ଚ ଭେଆ ତିଅ ଢ଼ଗଣେ ବେ ବି ଣଗଣସ୍‍ସ—ପିଙ୍ଗଳ ।

 

 

 

ଆବର

-

ଏହା ପ୍ରାକୃତ ‘ଅବରୁ’ରୁ ଜାତ । ପଅପାଅ ଚରଣଜୁଅଳଂ ଅବରୁ ପଆସେଇ ଗଣ୍ଡବଳହଦ୍ଦଂ—ପିଙ୍ଗଳ ।

 

 

 

ଆଉରି

-

ଏହା ‘ଆବର’ ଶବ୍ଦର ଅପଭ୍ରଂଶ ।

 

 

 

ଆଉ

-

ଏହା ‘ଅରୁ’ରୁ ଜାତ ବୋଲି ବୋଧହୁଏ— ସମ ବାର ହ ଅରୁ ଏକ୍‍କଦହ ରାଅସେଣୁ ଭଣ ତେଥୁ—ପିଙ୍ଗଳ । ଓଡ଼ିଆ ପଦ୍ୟକାବ୍ୟରେ କୌଣସି କୌଣସିଠାରେ ‘ଆଉ’ ଅର୍ଥରେ ‘ଆର’ ବ୍ୟବହୃତ ହେବାର ଦେଖାଯାଏ । ଯଥା:-

 

 

 

 

“ଦେଖ ତୁ ଭଲେ ୟାର ଗରବ ଆର ମୁଁ ସହିବି କେତେ ?”

 

 

 

ଉପର

-

ଏହା ପ୍ରାକୃତର ଅନୁକରଣ- ପଅ ପଅ ଉପ୍‍ପର ସଠବହୁ**—ପିଙ୍ଗଳ ।

 

 

 

ଭିତର

-

ଏହା ମଧ୍ୟ ପ୍ରାକୃତରୁ ଅନୁକୃତ- ମତ୍ତଭୀତର ଗୁରୁହି ମିଠାବହୁ***—ପିଙ୍ଗଳ ।

 

 

 

 

 

ଉପରୋକ୍ତ ଦୁଇଗୋଟି ଶବ୍ଦ ଅବ୍ୟୟ ହେଲାବେଳେ ସାଧାରଣତଃ ‘ଏ’କାର ଯୁକ୍ତ ହୋଇଥାନ୍ତି ।

 

 

 

ପହିଲେ, ପହିଲି

-

ଏହା ପ୍ରାକୃତରୁ ଆସିଅଛି । ଯଥା:- ବିବି ସଲ୍ଲ ପହିଲ୍ଲି ଅତୁରହ ବହିଲ୍ଲିଅ***—ପିଙ୍ଗଳ ।

 

 

ପହିଲି ପନ୍ତି ବର୍ଣ୍ଣ ଧରିଲିଜ୍ଜସୁଦୋସରିପନ୍ତି***—ପିଙ୍ଗଳ ।

 

 

ପହିଲେ ପାତୀ ଲହୁଦୁଇ ଆଣହୁ***—ପିଙ୍ଗଳ ।

 

ଅବା

-

ସଂସ୍କୃତ ‘ଅଥବା’ରୁ ଜାତ ।

 

କିବା

-

‘କିମ୍ବା’ରୁ ଜାତ ।

 

ପରି

-

ପ୍ରାକୃତର ଅବିକଳ ଅନୁକରଣ । ଛକ୍‍କଲୁ ଛକ୍‍କଲୁ ତିଣ୍‍ଣିକଲୁ ଏମପରି ବିସମ ପଅନ୍ତି—ପିଙ୍ଗଳ ।

ଏକୁଳି, ଏକଲି

-

ପ୍ରାକୃତ ‘ଇକଳି’ରୁ ଜାତ । ଦିସଇ ଚଳଇ ହିଅଅ ହୁଳଇ ହମ ଇକଳି ବହୁ—ପିଙ୍ଗଳ ।

 

 

ଓଡ଼ିଆ ‘ଏକଲା’ ମଧ୍ୟ ଏଥିରୁ ଆସିଥିବାର ଅନୁମାନ ହୁଏ ।

 

ଏକା

-

ଓଡ଼ିଆରେ ‘କେବଳ’ ଅର୍ଥରେ ଯେଉଁ ‘ଏକା’ ବ୍ୟବହୃତ ହୋଇଥାଏ, ତାହା ପ୍ରାକୃତ ‘ଏକ୍‍କା’ ବା ‘ଏକ’ରୁ ଆସିଥିଲା ପରି ବୋଧହୁଏ-

 

 

 

କାହେଲାଗୀ ବବ୍ୱର ବୋଲାବସି ମୁଜ୍‍ଝେ ।

 

 

ଏକ୍‍କା କତ୍ତୀ କିଲ୍ଲହି ଜୁତ୍ତୀ ଜଇ ସୁଜ୍‍ଝେ—ପିଙ୍ଗଳ ।

 

କିପାଁ

-

ପ୍ରାକୃତ ‘କିମ୍ପା’ରୁ ଜାତ । “କିମଃ କିମ୍ପାଦିଃ କମ୍ପ ଭଣଇ”—ପ୍ରାକୃତପାଦ ।

 

କିପାଁଇଁ

-

‘କିପାଁ’ ଶବ୍ଦ ସହିତ ‘କି’ ସଂଯୁକ୍ତ ହୋଇ, ‘କି’ଠାରେ ‘ଇ’ ହୋଇ ଏହି ଶବ୍ଦ ସୃଷ୍ଟ ହୋଇଅଛି । ଓଡ଼ିଆରେ ମଧ୍ୟ କେହି କେହି ‘କିପାଁକି’ ବ୍ୟବହାର କରିଥାନ୍ତି ।

 

କାହିଁକି

-

‘କାହିଁ’ ସହିତ ‘କି’ ସଂଯୁକ୍ତ ହୋଇ ‘କାହିଁକି’ ହୋଇଅଛି ।

 

ପଛେ

-

ପ୍ରାକୃତ ‘ପଚ୍ଛ’ରୁ ଜାତ । କୋସିହିଁ କାଦ ପୁଚ୍ଛ । ପଚ୍ଛ ଜୋ ମଏ କମ୍ମଭେଦୋ ଦିଟ୍ଟତଂଭଣିସ୍‍ସ୍ମ—ମାଳବିକାଗ୍ନିମିତ୍ର ।

 

ପଛକେ

-

‘ପଛ+କରି’ ସଙ୍କୁଚିତ ହୋଇ ‘ପଛକେ’ ହୋଇଅଛି ।

 

ତୁରନ୍ତ

-

ଏହା ପ୍ରାକୃତର ଅବିକଳ ଅନୁକରଣ ।

 

ସଅଳ, ସହଳ

-

‘ସଖାଳ’ ଶବ୍ଦର ଅପଭ୍ରଂଶ ।

 

 

ଆଜ, ଆଜି-ପ୍ରାକୃତ ‘ଅଜ୍ଜ’ରୁ ଜାତ ।

 

ପରୁ

-

‘ଗତବର୍ଷ’ ଏହି ଅର୍ଥରେ ସାଧାରଣ ଲୋକେ ଯେଉଁ ‘ପରୁ’ ଶବ୍ଦ ବ୍ୟବହାର କରିଥାନ୍ତି, ତାହା ସଂସ୍କୃତ ‘ପରୁତ’ ଶବ୍ଦରୁ ଜାତ ।

 

ଥୁ

-

ପ୍ରାକୃତର ଅବିକଳ ଅନୁକରଣ । “ଥୁ କୁତ୍ସାୟାଂ ଥୁଣିଲଜ୍ଜଲୋଅ’—ହେମଚନ୍ଦ୍ର

 

ଛେ

-

ପ୍ରାକୃତରୁ ଅନୁକୃତ- “ଭିଅ ଛେ ଅବଧାରଣେ”—ପ୍ରାକୃତପାଦ ।

 

ହୁଁ

-

ପ୍ରାକୃତରୁ ଆସିଅଛି । ‘ହୁଁ ନାଦ ପୁଚ୍ଛ ନିବାରଣେ (ନିର୍ଦ୍ଧାରଣେ)ଷୁ’—ହେମଚନ୍ଦ୍ର

 

ଆବ୍ୱା

-

ଏହା ପ୍ରାକୃତ ‘ଅବ୍ୱୋ’ରୁ ଜାତ । ‘ଅବ୍ୱୋ ଇତି ସୂଚନାଦିଷୁ ପ୍ରୟୋକ୍ତବ୍ୟଂ, ଦୁଃଖେ, ସମ୍ଭାଷଣେ, ‘ଅବ୍ୱୋ କିମଣଂ କିମଣଂ’—ହେମଚନ୍ଦ୍ର

 

ହେଳେ

-

ଓଡ଼ିଆ ପଦ୍ୟକାବ୍ୟରେ ‘ଶୀଘ୍ର’ ଅର୍ଥରେ ଅନେକଠାରେ ‘ହେଳେ’ ବ୍ୟବହୃତ ହୋଇଥାଏ । ଏହା ପ୍ରାକୃତରୁ ଆସିଥିଲା ପରି ବୋଧହୁଏ । ଯଥା:- ପସବପରାଇ ହୁଲୁବ୍ୱୀ ହୂମୋ ଲୋହାର ଏ ଜବେ ହେଳା ।—ଦେଶୀନାମମାଳା

 

ରେ, ଆରେ

-

ପ୍ରାକୃତରୁ ଆସିଅଛି । ‘ରେ, ଆରେ ସମ୍ଭାଷଣେ ରତିକଳହେ’—ହେମଚନ୍ଦ୍ର

ହଇରେ

-

ଏହା ମଧ୍ୟ ପ୍ରାକୃତ ‘ହରେ’ରୁ ଜାତ । “ହରେ କ୍ଷେପେଚ ହରେ ଣିଲଜ୍ଜ”—ହେମଚନ୍ଦ୍ର

ହଇ

-

ସଂସ୍କୃତ ‘ଅୟି’ର ଅପଭ୍ରଂଶ ।

 

ହଇଲୋ, ଆଲୋ

-

ପ୍ରାକୃତ ‘ହଳା’ରୁ ଆସିଥିବାର ଅନୁମାନ ହୁଏ ।

 

‘ହଳା କୌମୁଦିଏ’—ମାଳବିକାଗ୍ନିମିତ୍ର ।

 

ହୋ, ଆହୋ

-

ଏହା ପ୍ରାକୃତ ‘ହୋ’, ‘ଅହୋ’ରୁ ଜାତ ।

 

‘ହୋ, ଅହୋ, ଏକତ, ଦ୍‍ଦେ ସମ୍ବୋଧନେ’—ପ୍ରାକୃତପାଦ ।

 

ଆଂ

-

ପ୍ରାକୃତର ଅବିକଳ ଅନୁକରଣ-

 

 

ଆଂ, ସୋଜଣୋ ଦେବିଏ ପାସଗଦୋ ଚିତ୍ତେ ଦିଟୋ—ମାଳବିକାଗ୍ନିମିତ୍ର ।

 

ଇ, ଯେ

-

ପ୍ରାକୃତରୁ ଜାତ ।

 

‘ଇ, ଯେ, ଇରାଃ ପାଦପୂରଣେ’—ହେମଚନ୍ଦ୍ର ।

 

ହେଁ

-

‘ସୁଦ୍ଧା’ ଅର୍ଥରେ ଯେଉଁ ‘ହେଁ’ ବ୍ୟବହୃତ ହୋଇଥାଏ, ତାହା ପ୍ରାକୃତ ‘ହିଁ’ରୁ ଜାତ ।

 

ଓଡ଼ିଆ

-

ସେ ପାଠ ପଢ଼ିଲେ ହେଁ ବିଦ୍ୱାନ୍‍ ହେବନାହିଁ ।

 

ପ୍ରାକୃତ

-

ଉପ୍‍ପର ଅଙ୍କଗୁଣିତ କରିଲେହିଁ—ପିଙ୍ଗଳ ।

 

ଆହା

-

ସଂସ୍କୃତ ‘ଆଃ’ ଆସିଅଛି ।

 

ଣି

-

ଓଡ଼ିଆରେ ନିଶ୍ଚୟାର୍ଥରେ ଗୋଟିଏ ‘ଣି’ ବ୍ୟବହୃତ ହୋଇଥାଏ । ଯଥା:- ସେ ଗଲାଣି । ଏହି ‘ଣି’ ‘ଜାଣି’ର ଅପଭ୍ରଂଶ । ସେ ଗଲାଣି = ସେ ଗଲା + ଜାଣି; ଅର୍ଥାତ୍‍ ଜାଣିବ, ସେ ନିଶ୍ଚୟ ଗଲା ।

 

ଟି

-

କ୍ରିୟାର ଶେଷରେ ଯେଉଁ ‘ଟି’ ବ୍ୟବହୃତ ହୋଇଥାଏ, ତାହା ‘ହେଟି’ ବା ‘ହେଇଟି’ର ଅପଭ୍ରଂଶ । ସେ ଗଲାଟି = ସେ ଗଲା+ହେଟି ବା ହେଇଟି, ଏପରି ତର୍କାଇ କହୁ କହୁ କେବଳ ‘ଟି’ ରହିଯାଇଅଛି ।

 

-

ଏହା ‘ସତ’ର ଅପଭ୍ରଂଶ । ‘ସେ ଗଲା ସତ’ ଏପରି କହୁ କହୁ ‘ସେ ଗଲା ତ’ ହୋଇଯାଇଅଛି ।

 

-

ଓଡ଼ିଆରେ ‘ଯାମ’, ‘ଥାମ’ ଇତ୍ୟାଦି ବ୍ୟବହୃତ ହୋଇଥାଏ । ଏହି ‘ମ’ ପ୍ରାକୃତ ‘ଅହ୍ମୋ’ ବା ‘ଅମ୍ମୋ’ରୁ ଆସିଥିବାର ଅନୁମାନ ହୁଏ । ପ୍ରାକୃତରେ ଏହି ଶବ୍ଦ ନାନା ଅର୍ଥରେ ବ୍ୟବହୃତ ହେବାର ଲକ୍ଷିତ ହୁଏ- “ଅହ୍ମୋ ଇତ୍ୟବ୍ୟୟଂ ସହସା ବିଲୋକନେ, ଯୁଗପତ୍‍, ବିସ୍ମୟାନନ୍ଦୟୋଃ ପରିଦ୍ୟୋତକଂ ।” ନତୁବା ପ୍ରାକୃତ ‘ଆମ’ରୁ ଜାତ- ‘ଆମେତ୍ୟାନୁକୂଲ୍ୟେ, ସ୍ମରଣେବା ।’ ଯଥା:- ଆମା ଭୋ, ଅହଂପି ଜଦା ସିହରିଣୀଂ ରସାଳ ଅଣ ଳହେ ତଦାତଂ ଏବ୍ୱ ଚିନ୍ତୟନ୍ତୋ ଆସାଦେମି ସୁହଂ—ବିକ୍ରମୋବଂଶୀ ।

 

ନି

-

“ସେ ଯାଉନି ମୁଁ ଯିବିନାହିଁ” ଏପରି ଓଡ଼ିଆରେ ବ୍ୟବହୃତ ହୋଇଥାଏ । ଏହି ‘ନି’ ତେଲଙ୍ଗାରୁ ଆସିଥିଲା ପରି ବୋଧହୁଏ । ଯଥା:- “ଆତାନୂ ବେଲ୍ଳନୀ ନେନୂ ବେଲ୍ଲନୁ ।”

 

ହିଁ, ଇଁ

-

ଓଡ଼ିଆରେ ନିଶ୍ଚୟାର୍ଥରେ ଯେଉଁ ‘ହିଁ’ ବା ‘ହି’ ବ୍ୟବହୃତ ହୋଇଥାଏ, ତାହା ସଂସ୍କୃତ ‘ହି’ର ଅନୁକରଣ । ଯଥା:-

 

ଓଡ଼ିଆ

-

ଗୋବିନ୍ଦହି ସେପରି କରିବ ନାହିଁ ।

 

ସଂସ୍କୃତ

-

ତ୍ୱଂ ହି ତସ୍ୟ ପ୍ରିୟବୟସ୍ୟଃ । ‘ଇ’ ‘ହି’ର ଅପଭ୍ରଂଶ ମାତ୍ର ।

 

ଯେ

-

ଓଡ଼ିଆ ବାକ୍ୟ ମଧ୍ୟରେ ଯେଉଁ ‘ଯେ’ ବ୍ୟବହୃତ ହୋଇଥାଏ, ତାହା ସଂସ୍କୃତ ‘ଯତ୍‍’ରୁ ଜାତ । ଯଥା:-

 

ଓଡ଼ିଆ

-

ରାମ କହିଲେ ଯେ ଆଜି ଗୋବିନ୍ଦ ବିଦ୍ୟାଳୟକୁ ଯିବ ନାହିଁ ।

 

ସଂସ୍କୃତ

-

ବାଚ୍ୟସ୍ତ୍ୱୟା ନିଜ ପିତା ଯତ୍‍ ତ୍ୱୟା ପ୍ରଭାତେ ନଗରାନ୍ମିଷ୍କ୍ରମ୍ୟ ଯୋଦ୍ଧବ୍ୟଂ ।



 

ଧ୍ରୁବ ନାଟକ

(ସମାଲୋଚନା)

 

ଶ୍ରୀ ଶ୍ରୀ ଶ୍ରୀ ଗୌରଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ କର୍ତ୍ତୃକ ପ୍ରଣୀତ । ପାରଳାର ରାଜଭ୍ରାତା ଶ୍ରୀଯୁକ୍ତ ପଦ୍ମନାଭ ନାରାୟଣ ଦେବ ମହୋଦୟ ନାନା ଭାବରେ ସାହିତ୍ୟ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଅଛନ୍ତି । ତାଙ୍କର ଅଗ୍ରଜ ପାରଳାର ବର୍ତ୍ତମାନ ରାଜା ମହୋଦୟ ସେ କ୍ଷେତ୍ରରେ ପ୍ରବେଶ କରିଥିବାର ଦେଖି ଆମ୍ଭେମାନେ ଅତ୍ୟନ୍ତ ଆନନ୍ଦ ଲାଭ କରିଅଛୁଁ । ଅନୁଜଙ୍କର ସାଦର ଓ ସାନୁନୟ ଆହ୍ୱାନ ବିଫଳ ହୋଇନାହିଁ । ରାଜା ମହୋଦୟ ପ୍ରସିଦ୍ଧ ଭକ୍ତଶିଶୁ ଧ୍ରୁବଙ୍କ ଉପାଖ୍ୟାନ ଅବଲମ୍ବନ କରି ଏ ନାଟକ ଖଣ୍ଡି ପ୍ରଣୟନ କରିଅଛନ୍ତି । ପୌରାଣିକ ଉପାଖ୍ୟାନ ଘେନି କାବ୍ୟ ବା ନାଟକ ପ୍ରଣୟନ କରିବାକୁ ହେଲେ ଯେ ଠିକ୍‍ ପୁରାଣ ଅନୁସରଣ କରିବାକୁ ହେବ, ଏପରି କିଛି କଥା ନାହିଁ । ଚରିତ୍ରର ଉତ୍କର୍ଷ ସାଧନ ନିମନ୍ତେ ଲେଖକ ନିଜ ଅଭିପ୍ରାୟାନୁଯାୟୀ ଯୋଗ ବିୟୋଗ କରିପାରନ୍ତି । ସକଳ ଦେଶର ଓ ସକଳ ଯୁଗର କବି ଓ ନାଟକକାରମାନେ ଏହା କରିଅଛନ୍ତି । ସମାଲୋଚ୍ୟ ନାଟକରେ ଚରିତ୍ରଗୁଡ଼ିକର ବିଶେଷତ୍ୱ ଅଧିକ ନ ଥିଲେ ହେଁ ସବୁଗୁଡ଼ିକ ସଙ୍ଗତ ଭାବରେ ଚିତ୍ରିତ ହୋଇଅଛି । ଭାଷାରେ ପ୍ରାଦେଶିକତା ଅତ୍ୟନ୍ତ ଅଧିକ । ‘କୋଆଡ଼େ’, ‘କୋଦିନ’, ‘ଜାଣି ଦେଇଅଛନ୍ତି’, ‘ତୁ ଚାଲେ’, ‘ବାବୁ ମୋ କଥା ଶୁଣେ’, ‘ନ ଜାଣି ଯାହା ପାରୁ ତାହା ବୋଲି ଦେନ୍ତି’ , ‘ବିଜେ ହେନ୍ତୁ’, ‘କେ ଦେଖିବେ ନାହିଁଟି’, ‘କାନ୍ଦୁଛି ପରା ତ’, ସୁରୁଚି କହିଲା ପରି ତୁ ବା ମୁଁ ପୂର୍ବ ଜନ୍ମରେ ତପସ୍ୟା କରିନାହିଁ’, ‘ଧାଈମାତ୍ର ଘୁମୁଡ଼ି ମାରି ଶୋଇଛି’, ‘ଆଉ ନିଷ୍ଠୁର କରନା’—ଏହିପରି ପ୍ରୟୋଗ ବହୁଳ ଦୃଷ୍ଟ ହେଲା । ଆଶା କରୁଁ, ଗ୍ରନ୍ଥକାର ମହୋଦୟ ଭବିଷ୍ୟତରେ ଏ ସବୁ ତ୍ରୁଟି ପରିହାର କରିବାକୁ ଯତ୍ନ କରିବେ ।

 

**ଏହି ସମାଲୋଚନାଟି “ଉତ୍କଳ ସାହିତ୍ୟ” ନବମ ଭାଗ, ଦ୍ୱାଦଶ ସଂଖ୍ୟାରେ ସମ୍ପାଦକଙ୍କ ଦ୍ୱାରା ପ୍ରକାଶିତ ହୋଇଥିଲା । ସ୍ୱର୍ଗୀୟ ରାଜଗୁରୁ ମହାଶୟ ଏହାର ପ୍ରତିବାଦ କରିଥିବାରୁ ମୂଳ ସମାଲୋଚନା, ପ୍ରତିବାଦ ପତ୍ର ଓ ସମ୍ପାଦକଙ୍କ ଉତ୍ତର ପ୍ରଭୃତି ଯଥାକ୍ରମରେ ପୁସ୍ତକରେ ସନ୍ନିବେଶିତ ହେଲା ।

 

ପ୍ରତିବାଦ ପତ୍ର

ଉତ୍କଳ ସାହିତ୍ୟ- ସମ୍ପାଦକ ମହୋଦୟ ସମୀପେଷୁ

 

ମହାଶୟ,

ଶ୍ରୀ ଗୌରଚନ୍ଦ୍ର ଗଜପତି ନାରାୟଣ ଦେବ କର୍ତ୍ତୃକ ପ୍ରଣୀତ ଧ୍ରୁବ ନାଟକ ସମାଲୋଚନା କରି ୧୧ଶ, ୧୨ଶ ସଂଖ୍ୟା ସାହିତ୍ୟରେ ଆପଣ ଲେଖିଅଛନ୍ତି- “ଭାଷାରେ ପ୍ରାଦେଶିକତା ଅତ୍ୟନ୍ତ ଅଧିକ । ***ଆଶା କରୁଁ, ଗ୍ରନ୍ଥକାର ମହୋଦୟ ଭବିଷ୍ୟତରେ ଏ ସବୁ ତ୍ରୁଟି ପରିହାର କରିବାକୁ ଯତ୍ନ କରିବେ ।” ପୁସ୍ତକରେ ପ୍ରାଦେଶିକତା ବ୍ୟବହାର କରିବା ଦୋଷ, ଏହା ଆପଣ କେଉଁ ନିୟମାନୁସାରେ ସ୍ଥିର କରିଅଛନ୍ତି, ଆମେ ଜାଣିପାରୁ ନାହୁଁ । ମାକ୍‍ସ୍‍ ମୁଲର କହିଅଛନ୍ତି— ‘and unless the literary and courtly languages invigorate themselves by a constantly renewed intercourse with their former companions, the popular dialects will sooner or later assert their ascendency.’ (Vide Max Muller’s Science of Language, Vol.1, Page-61) ଏଥିର ଅଭିପ୍ରାୟ ଏହି ଯେ, ପ୍ରାଦେଶିକ ଭାଷା ସହିତ ପୁସ୍ତକଗତ ଭାଷାର ସମ୍ପର୍କ ନ ରହିଲେ, କାଳକେ ପ୍ରାଦେଶିକ ଭାଷା ନିଜ ଆଧିପତ୍ୟ ସ୍ଥାପନ କରିଯିବ । ସେ ଅନ୍ୟତ୍ର କହିଅଛନ୍ତି- “What we are accustomed to call languages, the literary idioms of Greece and Rome and India, of Italy, France and Spain, must be considered as artificial rather than as natural forms of speech. The real and natural life of language is in its dialects, a name which in its widest sense comprises provincialism, brogue, patois, jargon or any other variety that affects the general progress of language down to the idiom of families and individuals.” (Vide Max Muller’s Science of Language, Vol.1, Page-55) ଏଥିର ସାରାଂଶ ଏହି ଯେ, ଗ୍ରୀସ୍‍, ରୋମ୍‍ ଭାରତବର୍ଷ, ଇଟାଲୀ, ଫ୍ରାନ୍ସ, ସ୍ପେନ୍‍ ଇତ୍ୟାଦି ଦେଶମାନଙ୍କରେ ଆମ୍ଭେମାନେ ଯାହାକୁ ଭାଷା କହୁଁ ତାହା କୃତ୍ରିମ ଭାଷା; ଭାଷାର ପ୍ରକୃତ ପ୍ରାଣ କେବଳ ପ୍ରାଦେଶିକତା । ଏହା ପ୍ରମାଣ ସିଦ୍ଧ ନ ହେଲେ କି କାନ୍ଥି ଅଞ୍ଚଳର ନବ୍ୟଶିକ୍ଷିତ ଉତ୍କଳ ସନ୍ତାନମାନେ ମାତୃଭାଷା ପ୍ରାୟ ଭୁଲି ଯାଇଥାନ୍ତେ ? ପୁଣି ନୀଚଶ୍ରେଣୀ ଲୋକେ ଜଗନ୍ନାଥ ଦାସକୃତ ଭାଗବତ ବଙ୍ଗଳା ଅକ୍ଷରରେ ଲେଖି ଆହୁରି ପଢ଼ୁଥାନ୍ତେ ? ଦେବଭାଷା ସଂସ୍କୃତ ମୃତ ହୋଇ ପଡ଼ିରହିଥାନ୍ତେ ? ଲୋକେ ଆଜିକାଲି ବଙ୍ଗଳା, ଓଡ଼ିଆ, ଗୁଜରାଟୀ ଇତ୍ୟାଦି ପ୍ରାଚୀନ ପ୍ରାଦେଶିକ ଭାଷାମାନଙ୍କରେ କଥାବାର୍ତ୍ତା କରୁଥାନ୍ତେ ? ଭିଟ୍ନୀ ସାହେବ କହିଅଛନ୍ତି- “They (language and dialect) are only two names for the same thing as looked at from different points of view ** On the other hand, there is no tongue in the world to which we should not with perfect freedom and perfect propriety apply the name of dialect, when considering it as one of a body of related forms of speech; ** it (the science of languages) has taught us that one man’s speech is just most cultivated tongue that exists is only the dialect of a certain class in a certain locality–both class and locality limited, though the limits may be wide ones.” (Vide Whitney’s Life and Growth of Language, Page-177 to 178) ଅର୍ଥାତ୍‍ ଭାଷା ଓ ପ୍ରାଦେଶିକତା ମଧ୍ୟରେ କୌଣସି ପ୍ରଭେଦ ନାହିଁ । ***ପୃଥିବୀରେ ଏପରି କୌଣସି ଭାଷା ନାହିଁ, ଯାହାକୁ ଆମ୍ଭେମାନେ ପ୍ରାଦେଶିକତା କହିନପାରିବା । ଆମ୍ଭମାନଙ୍କ କଥାବାର୍ତ୍ତା ଯେପରି ଭାଷା, ଅନ୍ୟ ଲୋକମାନଙ୍କ କଥାବାର୍ତ୍ତା ସେପରି ଭାଷା ଅଟେ । ଯେଡ଼େ ଉତ୍କୃଷ୍ଟ ଭାଷା ହେଉ, ତାହା କୌଣସି ପ୍ରଦେଶର କୌଣସି ଶ୍ରେଣୀ ଲୋକମାନଙ୍କର ପ୍ରାଦେଶିକତା ମାତ୍ର । ଏଥିରୁ ଆପଣ ସ୍ପଷ୍ଟ ବୁଝିବେ ଯେ, ପ୍ରାଦେଶିକତା ଦୋଷରେ ଗଣ୍ୟ ନୁହେଁ, ବରଂ ପୁସ୍ତକରେ ଯେତେ ଅଧିକ ପରିମାଣରେ ବ୍ୟବହୃତ ହେବ, ତେତେ ବାଞ୍ଛନୀୟ ।

 

ଉତ୍ତର

 

ଶ୍ରୀ ଗୌରଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ପ୍ରଣୀତ ଧ୍ରୁବ ନାଟକର ସମାଲୋଚନା ପ୍ରସଙ୍ଗରେ ଆମ୍ଭେମାନେ ଲେଖିଥିଲୁ, “ଭାଷାରେ ପ୍ରାଦେଶିକତା ଅତ୍ୟନ୍ତ ଅଧିକ ।” ସଙ୍ଗେ ସଙ୍ଗେ ପୁସ୍ତକରୁ କେତେଗୁଡ଼ିଏ ଦୃଷ୍ଟାନ୍ତ ମଧ୍ୟ ଉଦ୍ଧାର କରି ଦେଇଥିଲୁ । ଏଥକୁ ପାରଳା ନିବାସୀ ଆମ୍ଭମାନଙ୍କର ଶ୍ରଦ୍ଧେୟ ବନ୍ଧୁ ଶ୍ରୀଯୁକ୍ତ ଶ୍ୟାମସୁନ୍ଦର ରାଜଗୁରୁ ବି.ଏ. ମହାଶୟ ଉକ୍ତ କଥାର ପ୍ରତିବାଦ କରି ଖଣ୍ଡିଏ ପତ୍ର ଲେଖିଅଛନ୍ତି । ପତ୍ର ଖଣ୍ଡିକ ପାଠକମାନଙ୍କ ଗୋଚରାର୍ଥେ ପ୍ରକାଶ କଲୁ । ତାଙ୍କ ପ୍ରତିବାଦର ଅର୍ଥ ଏହି ଯେ, ପୁସ୍ତକରେ ପ୍ରାଦେଶିକତା (Provincialism) ଦୋଷ ନୁହେଁ, ବରଂ ଗୁଣ । ଏହି ଉକ୍ତିର ସପକ୍ଷରେ ସେ ପଣ୍ଡିତବର Max Muller ଏବଂ Whitney ସାହେବଦ୍ୱୟଙ୍କୁ ସାକ୍ଷୀ ସ୍ୱରୂପ ଉପସ୍ଥିତ କରିଛନ୍ତି । ସେ ସମ୍ବନ୍ଧରେ ଆମ୍ଭମାନଙ୍କ ବକ୍ତବ୍ୟ ସଂକ୍ଷେପରେ ନିମ୍ନରେ ବ୍ୟକ୍ତ କରୁଅଛୁଁ ।

 

ପ୍ରଥମତଃ ପ୍ରାଦେଶିକତା କ’ଣ ଏବଂ ଆମ୍ଭେମାନେ ତାହା କି ଭାବରେ ବ୍ୟବହାର କରିଅଛୁଁ, ଏହା ସୁସ୍ପଷ୍ଟ ହେବା ଉଚିତ । ଏକ ଭାଷା ବିଭିନ୍ନ ପ୍ରଦେଶରେ ଅବସ୍ଥା ଭେଦରେ ଲୋକମୁଖରେ ଏବଂ ବହିଃପ୍ରଭାବର ସଂସ୍ପର୍ଶରେ ପରିବର୍ତ୍ତିତ ହୋଇ ଯେଉଁ ଆକାର ଧାରଣ କରିଥାଏ, ତାହା ଆମ୍ଭମାନଙ୍କ ମତରେ ଭାଷାର ପ୍ରାଦେଶିକତା । ପ୍ରତ୍ୟେକ ଭାଷାରେ ଏପରି ପରିବର୍ତ୍ତନର ଦୃଷ୍ଟାନ୍ତ ମିଳିବ । ମାତ୍ର ଲିଖିତ ଭାଷା ବା ସାହିତ୍ୟରେ ବିଶେଷ ପ୍ରୟୋଜନ ସ୍ଥଳ ଭିନ୍ନ ଏଗୁଡ଼ିକ ବ୍ୟବହୃତ ହୁଏନାହିଁ ଏବଂ ହେବା ଦୁଷଣୀୟ ବୋଲି ବିବେଚିତ ହୋଇଥାଏ । ଗୋଟିଏ ମାତ୍ର ବାହାରର ଦୃଷ୍ଟାନ୍ତ ଦିଆଯାଉ । ପୂର୍ବବଙ୍ଗର କଥିତ ଭାଷା ବଙ୍ଗଳା ହେଲେ ମଧ୍ୟ ତାହା ଏପରି ବିକୃତ ହୋଇଯାଇଅଛି ଯେ, ଅପରାଞ୍ଚଳବାସୀ ବଙ୍ଗସନ୍ତାନମାନଙ୍କର ଗୋଟିଏ ଆମୋଦର ବିଷୟ ହୋଇଅଛି । ମାତ୍ର ପୂର୍ବବଙ୍ଗର ଗ୍ରନ୍ଥକାରମାନେ ନିଜ ପ୍ରଦେଶରେ ବିଶେଷତ୍ୱ ରକ୍ଷା କରିବା ପାଇଁ ସାହିତ୍ୟରେ ତାହା ପ୍ରବର୍ତ୍ତିତ କରନ୍ତି କି ? କଲେ ଉପହାସାସ୍ପଦ ହେବେ ନାହିଁ କି ? ସେ କଥା ଦୂରେ ଥାଉ, ଶିକ୍ଷିତ ପୂର୍ବାଞ୍ଚଳବାସୀମାନଙ୍କ କଥାରେ ସୁଦ୍ଧା ପ୍ରାଦେଶିକ ଭାବ ଅତ୍ୟଳ୍ପ ଲକ୍ଷିତ ହୋଇଥାଏ । ଅନ୍ତତଃ ତାହା ପରିହାର କରିବାର ଚେଷ୍ଟା ପ୍ରାୟ ସର୍ବତ୍ର ଲକ୍ଷିତ ହେବ । ବିସ୍ତୃତ ଉତ୍କଳଭାଷୀ ପ୍ରଦେଶ ଘଟନାଚକ୍ରରେ ଖଣ୍ଡ ବିଖଣ୍ଡ ହୋଇ ବିଭିନ୍ନ ପ୍ରଦେଶର ଅନ୍ତର୍ଭୁକ୍ତ ହୋଇ ପଡ଼ିଅଛି ଏବଂ ବିଭିନ୍ନ ଭାଷାମାନଙ୍କର ପ୍ରଭାବରେ ନାନା ଭାବରେ ପରିବର୍ତ୍ତିତ ହୋଇ ନାନା ଆକାର ଧାରଣ କରିଅଛି । ସମ୍ବଲପୁର ପ୍ରଭୃତି ସ୍ଥାନରେ ହିନ୍ଦୀର ପ୍ରଭାବ, ଗଞ୍ଜାମ ଅଞ୍ଚଳରେ ତୈଲଙ୍ଗର ପ୍ରଭାବ ଏବଂ କାନ୍ଥି ବିଭାଗରେ ଓ ବାଲେଶ୍ୱର ଅଞ୍ଚଳରେ ବଙ୍ଗଳାର ପ୍ରଭାବ ଉକ୍ତ ଅଞ୍ଚଳମାନଙ୍କ ଭାଷାକୁ ଭିନ୍ନ ଭିନ୍ନ ଛାଞ୍ଚରେ ଢାଳି କିମ୍ଭୂତକିମାକାର କରିପକାଇଅଛି । ପ୍ରତ୍ୟେକ ଅଂଶର କଥିତ ଭାଷା ସ୍ୱତନ୍ତ୍ର । ଆଉ କଥା ଦୂରେ ଥାଉ, ଏହି କଟକ ଜିଲ୍ଲାରେ ମଧ୍ୟ ସହର ଏବଂ ମଫସଲର ଭାଷାରେ କେତେ ପାର୍ଥକ୍ୟ ରହିଅଛି । ଏଥିମଧ୍ୟରୁ କେଉଁଟିକି ଆଦର୍ଶ ବୋଲି ଧରିବାକୁ ହେବ ? ପ୍ରତ୍ୟେକ ସ୍ଥାନର ଅଧିବାସୀମାନେ ଯଦି ଆତ୍ମଗୌରବ ରକ୍ଷା ପାଇଁ ସ୍ୱସ୍ଥାନ ପ୍ରଚଳିତ ଭାଷାକୁ ସାହିତ୍ୟରେ ପ୍ରବର୍ତ୍ତିତ କରିବାକୁ ଚେଷ୍ଟା କରନ୍ତି, ତେବେ ଓଡ଼ିଆ ଭାଷା ଗୋଟିଏ ଅଦ୍ଭୁତ ଖେଚୁଡ଼ି ହେବନାହିଁ କି ? ବାଲେଶ୍ୱରର ଓଡ଼ିଆ କହିବେ- ଯାଇଥିନି, ଖାଇଥିନି, ଯିମି, ଖାଇମି, ତୋ ଘର କେଇଟି, ସେ ଘରକତିର ଅଛି, ଗୁଡ଼ (ଗୋଡ଼), କୁଠା ଇତ୍ୟାଦି । କଟକର ସାଧାରଣ ଲୋକେ କହନ୍ତି- ହାମେ, ହାମ ଘର, ଲଇ (ନଈ), ଲଡ଼ିଆ ଇତ୍ୟାଦି । ସମ୍ବଲପୁର ଅଞ୍ଚଳରେ ସେହିପରି ନାହିଁ ଯାଏଁ, ନାହିଁ ଖାଏଁ, ମୁଁ କେନ୍‍ତା କର୍‍ବି, ମୋର ନେ ନାଇଁନ ଇତ୍ୟାଦି କେତେ ପ୍ରକାର ବିଶେଷତ୍ୱ ଦୃଷ୍ଟ ହେବ । କାନ୍ଥି ଅଞ୍ଚଳରେ ମଧ୍ୟ ଏକପ୍ରକାର ଓଡ଼ିଆ ଏପର୍ଯ୍ୟନ୍ତ ଅଛି । ତାହାର ଦିଓଟି ଗୋଟିଏ ଦୃଷ୍ଟାନ୍ତ ଦେଖନ୍ତୁ- ଆମ୍ଭେମାନେ ଜଣେ ନିମ୍ନଶ୍ରେଣୀର ଲୋକକୁ ପଚାରିଲୁ, “ତୋ ଘର କେତେ ବାଟ ? ଉତ୍ତର- ‘ବାଟ ନଇ ତ କି ?’ ଓଡ଼ିଆ ପାଠକ ! କିଛି ବୁଝିପାରିଲେ କି ? ଆହୁରି ଦେଖନ୍ତୁ- ବେଚିଦିବ, ବଗାନ ଛାଡ଼ି ଦିଇଛି, କତକ ଆଲାପ ଥାଇଲ, ମାୟାମାନଙ୍କର, ଅନ୍ୟରକମ କୟ, ତୁମି ଦେଖି ଆଣିବ, ସେ ବିଚା ହେଇଛେ, ବଡ଼ଗୁଲା ଫୁଟି ଯାଇଛେ, ଘୁମେଇ ଗଲା ନା କି ହେ ? ଇତ୍ୟାଦି । କାନ୍ଥି ଅଞ୍ଚଳରେ କୌଣସି ବ୍ୟକ୍ତି ପୁସ୍ତକ ଲେଖିବାକୁ ବସି ଏପରି କଥା ବ୍ୟବହାର କଲେ ପାଠକମାନେ ଅନୁମୋଦନ କରିବେ ତ ? ଏହିପରି ଭାଷାର ପ୍ରାଦେଶିକ ବିକୃତ ଆକାରକୁ ଆମ୍ଭେମାନେ ସର୍ବତ୍ର ଦୁଷଣୀୟ ବୋଲି ମନେକରୁ ଏବଂ ସମାଲୋଚିତ ପୁସ୍ତକରେ ଏହିପରି ଅଂଶଗୁଡ଼ିକୁ ଦୋଷ ଦେଇଥିଲୁ । ପାଠକମାନଙ୍କର ବିଚାରର ସୁବିଧା ନିମିତ୍ତ ପୁଣି ଉକ୍ତ ପୁସ୍ତକରୁ କେତେଗୋଟି ଦୃଷ୍ଟାନ୍ତ ଦେଉଅଛୁ । -‘ନ ଜାଣି ଯାହା ପାରୁ ତାହା ବୋଲି ଦେନ୍ତି ।’ ‘ଆସେ (ଆସ ବା ଆ) ଉଛୁର ହେଲାନି ଭୋଜନ କରିବୁ ।’ ‘କୋଠାରେ’ ଥିଲୁ, ‘କୋଠାରେ ଅଛନ୍ତି’, ‘କୋଆଡ଼େ’, ‘ହେଟି’, ‘ତୁ ଦେଖିଲେ ବାଳୁତ’, ‘ତୁ ଗଲେ ସେମାନେ ପଚାରିବେ ନାହିଁ ଯେ ତୋ ଆଡ଼େ ଦେଖିବେ ନାହିଁ’, ‘ବିଜେ ହେନ୍ତୁ’, ‘କେ ଜାଣିପାରିବ’, ‘କେ କହିଲା’, ‘ଜାଣି ଦେଇଅଛନ୍ତି’, ‘କେ ନ ଦେଖୁଣୁ’, ‘କ’ଣ ହେଲା ! ଆହୁରି ଆସିଲେ ନାହିଁ ।’ (ଏଠାରେ ଆହୁରି କଥାର ଅର୍ଥ କ’ଣ ?) ‘କି ଗୋଳମାଳ ଚଳିଲା ନା ?’ ‘ସୁରୁଚି କହିଲା ପରି ତୁ ବା ମୁଁ ପୂର୍ବଜନ୍ମରେ ତପସ୍ୟା କରିନାହିଁ’, ‘ଧ୍ରୁବର ମନ ଭୁଲାଇ ଫେରି ମୋଠାକୁ ଆସିଲା ପରି କର’, ‘ବର୍ତ୍ତମାନ ଆମ୍ଭେମାନେ କରିବା ଉପାୟ କ’ଣ ?’ ଅଧିକ ଦୃଷ୍ଟାନ୍ତ ଦେବାର ପ୍ରୟୋଜନ ନାହିଁ । ଆମ୍ଭେମାନେ ଜାଣୁଁ ଗଞ୍ଜାମ ଜିଲ୍ଲାର ଅଧିକାଂଶ ସ୍ଥଳର ଭାଷା ଏହାଠାରୁ ବହୁଗୁଣରେ ବିକୃତ । ଗ୍ରନ୍ଥକାର ବିଶେଷ ସତର୍କତା ଅବଲମ୍ବନ କରି ଅନେକ ପରିମାଣରେ ଭାଷାର ବିଶୁଦ୍ଧତା ରକ୍ଷା କରିଅଛନ୍ତି । ତଥାପି ସେ ସମ୍ପୂର୍ଣ୍ଣରୂପେ ପ୍ରାଦେଶିକତାର ହସ୍ତରୁ ରକ୍ଷା ପାଇପାରି ନାହାନ୍ତି । ଏହାହିଁ ଆମ୍ଭେମାନେ କହିଥିଲୁ ଏବଂ କହୁଅଛୁଁ । ‘ଗଞ୍ଜାମ ଓଡ଼ିଆ ହିତବାଦିନୀ’ ଥରେ ଯାହାଙ୍କ ଦୃଷ୍ଟିପଥରେ ପଡ଼ିଥିବ, ସେ ଗଞ୍ଜାମୀ ଓଡ଼ିଆର ଉଜ୍ଜ୍ୱଳ ଦୃଷ୍ଟାନ୍ତ ପାଇଥିବେ । ଖଣ୍ଡିଏ ସାମାନ୍ୟ ପତ୍ରରୁ କିଞ୍ଚିତ୍‍ ନମୁନା ଦେଉଅଛୁ- ‘ଗତ ପତ୍ରିକାମାନଙ୍କ ତାହାଙ୍କ ଦ୍ୱାରା ଏହି ସ୍କୁଲକୁ ସପ୍ଲାଇ ହେଉଥିଲା । ତେଣୁକରି ମହାଶୟ ତାହାଙ୍କଠାକୁ ଲେଖିବାକୁ ଲୋଡ଼ା କରୁଅଛି ।’ ଏହିପରି ଭାଷାର ବ୍ୟବହାରକୁ ଗୁଣ ବୋଲାଯିବ କି ?

 

ଆମ୍ଭେମାନେ ଘରୁଆ ଭାଷା ବ୍ୟବହାରର ବିରୋଧୀ ନୋହୁଁ । ବରଂ ନାଟକ ଉପନ୍ୟାସାଦିରେ ବ୍ୟକ୍ତି ବିଶେଷଙ୍କ ମୁଖରେ ସେପରି ଭାଷାର ବ୍ୟବହାର ଏକାନ୍ତ ବାଞ୍ଛନୀୟ ବୋଲି ମନେକରୁଁ । ତଦ୍‍ଭାବରେ ଲିଖିତ ଭାଷା ଅପୂର୍ଣ୍ଣ ରହିବ ଏବଂ ଅନେକ ସ୍ଥଳରେ ବିଷୟ ସହିତ ଭାଷାର ସଙ୍ଗତି ରକ୍ଷା ହେବନାହିଁ । ପୁଣି ଭାଷାର idiom ରକ୍ଷା ନ କଲେ ବିଶେଷତ୍ୱ ରହିଲା ନାହିଁ –idiom ଭାଷାର ବଳ ବୃଦ୍ଧି କରେ । ମାତ୍ର ପ୍ରାଦେଶିକତା ସର୍ବଥା ପରିହାର୍ଯ୍ୟ । ଭିନ୍ନ ଭିନ୍ନ ପ୍ରଦେଶର ଓଡ଼ିଆ କାଳକ୍ରମେ, ଏପରି ଭିନ୍ନଭାବାପନ୍ନ ହୋଇପଡ଼ିଅଛି ଯେ, ଅନେକ ସମୟରେ ଗୋଟିଏ ପ୍ରଦେଶର ଭାଷା ଅନ୍ୟ ପ୍ରଦେଶବାସୀଙ୍କ ପକ୍ଷରେ ବୁଝିବା ସୁକଠିନ ହୋଇପଡ଼େ । ଏପରି ସ୍ଥଳରେ କର୍ତ୍ତବ୍ୟ କ’ଣ ? ଲିଖିତ ଭାଷାର ଗୋଟିଏ ଆଦର୍ଶ (Standard) ହେବା ଉଚିତ ନୁହେଁ କି ? ତେବେ କାହାକୁ ଆଦର୍ଶ କରିବା ? ଆମ୍ଭମାନଙ୍କ ମତରେ ସର୍ବାଞ୍ଚଳ ପ୍ରଚଳିତ ଓ ସର୍ବଜନବୋଧ୍ୟ ବିଶୁଦ୍ଧ ଓଡ଼ିଆ ଗ୍ରାମ୍ୟ କଥା ଓ idiom ରକ୍ଷା କରି ଅଧିକ ପରିମାଣରେ ସଂସ୍କୃତମୂଳକ ସହଜ ଶବ୍ଦମାନ ବ୍ୟବହାର କଲେ କାହାରି କୌଣସି ଆପତ୍ତି ରହିବ ନାହିଁ । କେବଳ ଗ୍ରାମ୍ୟ ଭାଷା ଦ୍ୱାରା ଯେ ବର୍ତ୍ତମାନ ସମୟୋପଯୋଗୀ ସକଳ ପ୍ରକାର ଲେଖା ଚଳିପାରିବ, ଏପରି ଆଶା କରାଯାଇ ନପାରେ । ବିଷୟ ଭେଦରେ ଭାଷାର ମଧ୍ୟ ପ୍ରଭେଦ ଘଟିବା ଅନିବାର୍ଯ୍ୟ । କେବଳ ଘରୁଆ ବା ଗ୍ରାମ୍ୟ ଭାଷା ବ୍ୟବହାର କଲାବେଳେ କଥାଗୁଡ଼ିକର ବଳାବଳ ଓ ପ୍ରସାର ପ୍ରତି ଦୃଷ୍ଟି ରଖିବାକୁ ହେବ । ଯାହା ସମ୍ପୂର୍ଣ୍ଣରୂପେ ସ୍ଥାନୀୟ ଏବଂ ବିକାରପ୍ରାପ୍ତ, ତାହା ସର୍ବଥା ବର୍ଜନୀୟ । ସୁଖର ବିଷୟ, ପ୍ରାୟ ସର୍ବାଞ୍ଚଳର ଶିକ୍ଷିତ ଓଡ଼ିଆପୁଏ ଅଳ୍ପାଧିକ ପରିମାଣରେ ଏହି ପନ୍ଥା ଅନୁସରଣ କରୁଅଛନ୍ତି । ଶ୍ୟାମସୁନ୍ଦରବାବୁ ମୁହଁରେ ଯାହା କହନ୍ତୁ, କାର୍ଯ୍ୟରେ ଏହି ପନ୍ଥାବଲମ୍ବୀ । ତାହାର ପ୍ରମାଣ, ତାହାର ଭାଷା ପ୍ରାୟ ପ୍ରାଦେଶିକତାବର୍ଜିତ । ଏହି ସମ୍ମିଳନ ଓ ସମ୍ପ୍ରସାରଣର ଯୁଗରେ କି ଭାଷା, କି ଭାବ, କି ଆଚାର ବ୍ୟବହାର, ଯେ କୌଣସି ବିଷୟରେ କ୍ଷୁଦ୍ର ପ୍ରାଦେଶିକତାକୁ ସର୍ବସ୍ୱ ମନେକରି ତାହାରି ସୀମା ମଧ୍ୟରେ ଆବଦ୍ଧ ରହିବାକୁ ଚେଷ୍ଟା କରିବା ନିତାନ୍ତ ବିଡ଼ମ୍ବନା ।

 

ପ୍ରସଙ୍ଗକ୍ରମେ ଅନେକ କଥା କହି ପକାଇଲୁଁ । ଆଉ ଅଧିକ କିଛି କହିବାର ନାହିଁ । ରାଜଗୁରୁ ମହାଶୟ ଜଣେ ସୁଶିକ୍ଷିତ, ବୁଦ୍ଧିମାନ୍‍ ଓ ବିଚକ୍ଷଣ ବ୍ୟକ୍ତି । ପୁସ୍ତକରୁ ଦୃଷ୍ଟାନ୍ତ ଦେଖାଇ ଆମ୍ଭମାନଙ୍କ ଉକ୍ତି ସମର୍ଥନ କରିଥିବା ସତ୍ତ୍ୱେ ସେ ଯେ ଭ୍ରମରେ ପତିତ ହେଲେ ଏବଂ ପ୍ରମାଣ ପ୍ରୟୋଗ କରିବାକୁ ବୃଥା ଲଣ୍ଡଭଣ୍ଡ ହେଲେ, ଏହାହିଁ ବିଚିତ୍ର । ଗଞ୍ଜାମ ଅଞ୍ଚଳର ଓଡ଼ିଆ ଭାଷା ବିକୃତ ଅବସ୍ଥା ପ୍ରାପ୍ତ ହୋଇଅଛି, ଏକଥା କ’ଣ ସେ ଅସ୍ୱୀକାର କରନ୍ତି ? ଭାଷା କାହିଁକି, ଓଡ଼ିଆ ଅକ୍ଷରର ମଧ୍ୟ କିଞ୍ଚିତ୍‍ ଅପବ୍ୟବହାର ଘଟିଅଛି । ସେ ଯାହାହେଉ, ଗଞ୍ଜାମ ଅଞ୍ଚଳର ଓଡ଼ିଆରେ ଯେ ଅନେକ ବିଶୁଦ୍ଧ ଓଡ଼ିଆ ଶବ୍ଦ ଓ idiom ଅବିକୃତ ଭାବରେ ରକ୍ଷିତ ହୋଇ ଚଳିଆସୁଅଛି, ଏକଥା ଆମ୍ଭେମାନେ ମୁକ୍ତକଣ୍ଠରେ ସ୍ୱୀକାର କରୁଅଛୁ । ସେଗୁଡ଼ିକର ସର୍ବତ୍ର ପ୍ରଚଳନ ଏକାନ୍ତ ବାଞ୍ଛନୀୟ । ଅନ୍ତତଃ ଭାଷା ସୂତ୍ରରେ ଯେପରି ବିଚ୍ଛିନ୍ନ ଉତ୍କଳଭାଷୀ ପ୍ରଦେଶମାନଙ୍କର ସମ୍ମିଳନର ସୂତ୍ରପାତ ହୋଇଅଛି ଏବଂ ପରସ୍ପରଙ୍କ ମଧ୍ୟରେ ଯେପରି ଆକର୍ଷଣର ଲକ୍ଷଣ ପ୍ରକାଶ ପାଉଅଛି, ସମସ୍ତ ଅଞ୍ଚଳର ଭାଷା ପରିଶୁଦ୍ଧ ହୋଇ ଏକଭାବାପନ୍ନ ହେବାର ସମୟ ଅଧିକ ଦୂରବର୍ତ୍ତୀ ନୁହେଁ । ସେହି ସୁଦିନ ପ୍ରତି ଲକ୍ଷ୍ୟ ରଖି କାର୍ଯ୍ୟ କରିବା ପ୍ରତ୍ୟେକ ସ୍ୱଦେଶବତ୍ସଳ ଉତ୍କଳ ସନ୍ତାନଙ୍କର ପବିତ୍ର କର୍ତ୍ତବ୍ୟ ।



 

ପ୍ରତିବାଦ ପତ୍ର (୨)*

 

ଶ୍ରୀଯୁକ୍ତ ଉତ୍କଳ-ସାହିତ୍ୟ-ସମ୍ପାଦକ ମହୋଦୟ ସମିପେଷୁ ।

 

ମହାଶୟ !

ଆପଣ ଜଣେ ସମ୍ପାଦକ । ସମ୍ପାଦକଙ୍କ ସହିତ ପ୍ରତିବାଦ କରିବା ବାଞ୍ଛନୀୟ ନୁହେଁ । ନହେଲେ ମଧ୍ୟ ଆପଣଙ୍କର ବିଚିତ୍ର ଯୁକ୍ତି ଓ ଏକପକ୍ଷୀୟ ଭାଷା ବିଚାରଟା ସାହିତ୍ୟ ପାଠକମାନଙ୍କୁ ଜଣାଇଦେବା ଆବଶ୍ୟକ ବୋଧ କରି ଏହି ପ୍ରତ୍ୟୁତ୍ତର ଖଣ୍ଡିକ ଆପଣଙ୍କଠାରୁ ପଠାଇଅଛୁଁ । ପ୍ରାର୍ଥନା ଏହି ଯେ, ଆପଣ ବିରକ୍ତ ନ ହୋଇ ଦୟାପୂର୍ବକ ଏହା ଆପଣଙ୍କ ପତ୍ରିକାରେ ପ୍ରକାଶ କରି ଚିରବାଧିତ କରିବେ ।

 

*ଆମ୍ଭମାନଙ୍କ ‘ଉତ୍ତର’ ପାଠ କରି ରାଜଗୁରୁ ମହାଶୟ ଉପର୍ଯ୍ୟୁପରି ଦୁଇଖଣ୍ଡି ପତ୍ର ପ୍ରେରଣ କରିଅଛନ୍ତି । ପତ୍ର ଦୁଇଖଣ୍ଡି ପ୍ରକାଶିତ ହେଲା । ଆମ୍ଭମାନଙ୍କର ବକ୍ତବ୍ୟ ସ୍ଥୂଳରେ ‘ଉତ୍ତର’ ମଧ୍ୟରେ ବ୍ୟକ୍ତ କରିଅଛୁଁ । ଏଠାରେ ତାହାର ପୁନରୁକ୍ତି ନିଷ୍ପ୍ରୟୋଜନ । ବର୍ତ୍ତମାନ ଓଡ଼ିଆ ଭାଷାର ପରିବର୍ତ୍ତନ ଓ ଗଠନର ଦିନ । ସୁତରାଂ ଏ ଅବସ୍ଥାରେ ତାହାର ଆଦର୍ଶ ସମ୍ବନ୍ଧରେ କୌଣସି କୌଣସି କଥାରେ ଅଭ୍ରାନ୍ତରୂପେ କୌଣସି କଥା ବୋଲାଯାଇ ନପାରେ, ଏକଥା ସତ୍ୟ । ମାତ୍ର ତାହା ବୋଲି ଯେ ଭାଷାଟା ଏକାବେଳକେ ଆଦର୍ଶହୀନ, ଏହା ଆମ୍ଭେମାନେ ସ୍ୱୀକାର କରିନପାରୁଁ । ଆମ୍ଭେମାନେ କେବଳ ବ୍ୟକ୍ତିଗତ ମତ ବ୍ୟକ୍ତ କରିଅଛୁଁ- ସମ୍ପାଦକୀୟ ସର୍ବଜ୍ଞତା ଦାବୀ କରିନାହୁଁ କିମ୍ବା କୌଣସି ‘ଦୂରଭିମାନ’ ପୋଷଣ କରିନାହୁଁ । ଏ ଅଞ୍ଚଳର ଲେଖକମାନଙ୍କ ଲେଖା ଭ୍ରମପ୍ରମାଦଶୂନ୍ୟ ବା ତହିଁରେ ଅନ୍ୟ କୌଣସି ପ୍ରଭାବ ନାହିଁ, ଏ କଥା ଆମ୍ଭେମାନେ କହିନାହୁଁ । ଏତିକି କହିପାରୁ ଯେ, ଏହା କ୍ରମଶଃ ବିଶୁଦ୍ଧତର, ଉନ୍ନତତର, ଆଦର୍ଶ ଅଭିମୁଖରେ ଗତି କରୁଅଛି । ପୁଣି ଆମ୍ଭମାନଙ୍କ ଲେଖାରୁ ‘ସଂସ୍କୃତମୂଳକ ଶବ୍ଦ’ କଥାଟିକୁ ‘ସଂସ୍କୃତ ଶବ୍ଦ’ ବୋଲି ଗ୍ରହଣ କରି ଶ୍ୟାମସୁନ୍ଦର ବାବୁ ବିଷମ ଭ୍ରାନ୍ତିରେ ପଡ଼ିଅଛନ୍ତି ଏବଂ ତାହାରି ବଶବର୍ତ୍ତୀ ହୋଇ ଅନେକ ଅବାନ୍ତର କଥା କହିଅଛନ୍ତି । ସେ ସବୁ କଥାର ଉତ୍ତର ଦେବା ନିଷ୍ପ୍ରୟୋଜନ । ଆଉ ଗୋଟିଏ କଥା: ଇଦ୍ଭଶକ୍ଷକ୍ଟ-ଗ୍ଦବଙ୍ଘକ୍ଟଦ୍ଭ ସହିତ ଖବଗ୍ଧସଦ୍ଭ, ଏକ୍ସରରଳର ଯେଉଁ ସମ୍ବନ୍ଧ, ଓଡ଼ିଆ ସହିତ ସଂସ୍କୃତର କି ସେହି ସମ୍ବନ୍ଧ ? ସାଦୃଶ୍ୟଟା କିପରି ଠିକ୍‍ ହେଲା, ବୁଝିପାରିଲୁଁ ନାହିଁ । ଯାହା ହେଉ, ଅଧିକ କିଛି କହିବୁଁ ନାହିଁ । ବିଚାର ଭାର ନିରପେକ୍ଷ ପାଠକମାନଙ୍କ ଉପରେ । ଉ.ସା.ସଂ.–

 

ଆପଣ କହିଅଛନ୍ତି- “ଏକ ଭାଷା ବିଭିନ୍ନ ପ୍ରଦେଶରେ ଅବସ୍ଥା ଭେଦରେ ଲୋକମୁଖରେ ଏବଂ ବହିଃପ୍ରଭାବର ସଂସ୍ପର୍ଶରେ ପରିବର୍ତ୍ତିତ ହୋଇ ଯେଉଁ ଆକାର ଧାରଣ କରିଥାଏ, ତାହା ଆମ୍ଭମାନଙ୍କ ମତରେ ଭାଷାର ପ୍ରାଦେଶିକତା ।” ଏଥିର ମର୍ମ ଆମ୍ଭେ କିଛି ବୁଝିପାରିଲୁଁ ନାହିଁ । ମନେକରନ୍ତୁ, (କ) ବୋଲିବା ଭାଷା ଅବସ୍ଥା ଭେଦରେ ପରିବର୍ତ୍ତିତ ହୋଇ (ଖ)ର ଆକାର ଧାରଣ କରିଅଛି । ତେବେ (ଖ) କେଉଁ ଭାଷାର ପ୍ରାଦେଶିକତା ବୋଲାଯିବ ? ଧ୍ରୁବ ନାଟକରୁ ଯେଉଁ ପ୍ରାଦେଶିକତାଗୁଡ଼ିକ ଆପଣ ବାଛିଅଛନ୍ତି, ତାହା ଆପଣଙ୍କ ଏହି ସିଦ୍ଧାନ୍ତ ସହିତ ମିଳାଇ ପାରିବେ ? ଆପଣ ମନେରଖିବା ଉଚିତ ଯେ, ଅବସ୍ଥା ଭେଦରେ ବା ଲୋକ ମୁଖରେ ପରିବର୍ତ୍ତିତ ହୋଇ ଯେ କୌଣସି ଆକାର ଧାରଣ କରୁ, ସମୁଦାୟ ଭାଷାଟାକୁ କିଏ ପ୍ରାଦେଶିକତା କହନ୍ତି ନାହିଁ । “Provincialism is a peculiar word in a province” ଯେଉଁ କଥା (a word, not a language) କୌଣସି ଏକ ପ୍ରଦେଶରେ ମାତ୍ର ପ୍ରାୟ ସକଳ ଶ୍ରେଣୀ ଲୋକମାନଙ୍କ ଦ୍ୱାରା ବ୍ୟବହୃତ ହୋଇଥାଏ ଏବଂ ଅନ୍ୟାନ୍ୟ ପ୍ରଦେଶରେ ବ୍ୟବହୃତ ହେଲେ ସହଜେ ବୁଝାଯାଏ ନାହିଁ, ତାହା ପ୍ରାଦେଶିକତା । ଉଦାହରଣ- ଆପଣଙ୍କ ପ୍ରଦେଶର ‘ଗହଣା’, ‘ଭାଉ’, ‘ଭଣ୍ଡୁର’, ‘ଖଞ୍ଜ’, ‘କାଇ’; ଏ ଅଞ୍ଚଳର ‘ଅଡ଼ଙ୍ଗା’, ‘ଲହି’, ‘ଭଣ୍ଡ’, ‘ଯାଡ଼ା’ (ଯୋତା) ‘ସାରିବା’ (ଖାଇବା), ‘ତଲାରି’ (ଛତ୍ରବିଶେଷ) ଇତ୍ୟାଦି । ଏ ସବୁ ପୁସ୍ତକରେ ବ୍ୟବହୃତ ହେଲେ କି ଦୋଷ ? ବାଲେଶ୍ୱରର ‘ଯାଇଥିନି’, ‘ଯିମି’, ‘ଗୁଡ଼’ (ଗୋଡ଼); କଟକର ‘ଲଇ’, ‘ଲଡ଼ିଆ’, ‘ମି’; ସମ୍ବଲପୁରର ‘ମୁଁ କେନ୍‍ତା କରିବି’, ‘ମୋର କେ ନାହିଁନ’; କାନ୍ଥି ଅଞ୍ଚଳର ‘ବାଟ ନଇତ କି’, ‘ବଗାନ ଛାଡ଼ିଦିଇଛି’ ଏସବୁ କେବଳ ନିମ୍ନଶ୍ରେଣୀ ଲୋକମାନଙ୍କ କଥା (vulgarisms) (୧) ବା ଅପଭ୍ରଂଶ (corruptions), ପ୍ରାଦେଶିକତା (provincialism) ନୁହେଁ । ଏପରି କଥା ପୁସ୍ତକରେ ବ୍ୟବହାର କରିବା ଅବଶ୍ୟ ଦୁଷଣୀୟ ଏହା ଆମ୍ଭେ ସ୍ୱୀକାର କରୁ । ମାତ୍ର ଧ୍ରୁବ ନାଟକରୁ ଆପଣ ଯେଉଁ ଅଂଶଗୁଡ଼ିକ ଉଦ୍ଧାର କରିଅଛନ୍ତି, ସେ ସବୁ vulgarisms ବା Provincialisms ବୋଲାଯାଇ ନପାରେ । ଥରେ ପରୀକ୍ଷା କରି ଦେଖନ୍ତୁ । ‘କେ ଜାଣିପାରିବ’, ‘କେ କହିଲା’, ‘କେ ନ ଦେଖୁଣୁ’ –ଆପଣଙ୍କ ଅଞ୍ଚଳରେ ମଧ୍ୟ ଏପରି କହନ୍ତି । ବନବାଳା ୨୦ ଓ ୩୧ ପୃଷ୍ଠାରେ ଲେଖାଅଛି– ‘କେ ଜାଣେ କାହୁଁ ଏ ଆବିର୍ଭୁତ ହେଲା’, ‘କେ ଜାଣି କିଏ ମୁଁ କେମତେ କହିବି ।’ ସର୍ବସାର ବ୍ୟାକରଣରେ ‘କେ’ ଶବ୍ଦ ସର୍ବନାମ ତଳେ ଦିଆହୋଇଅଛି । ଉତ୍କଳ ଅଭିଧାନ ମଧ୍ୟ ଦେଖନ୍ତୁ । ‘ଯେ ଆଜ୍ଞା’ -ବନବାଳା ୨୩ ଓ ୨୮ ପୃଷ୍ଠାରେ ଦେଖିଲେ, ‘ଯେ ଆଜ୍ଞା’ ଆପଣଙ୍କ ଅଞ୍ଚଳରେ ମଧ୍ୟ ବ୍ୟବହୃତ ହେବାର ଜଣାଯିବ । ତେବେ ଆପଣଙ୍କ ସିଦ୍ଧାନ୍ତାନୁସାରେ ଏସବୁ କିପରି ପ୍ରାଦେଶିକ ? ‘ଆହୁରି’ କଥାର ଅର୍ଥ ‘ଏତେବେଳଯାଏ’ । କବି ଗୋପାଳକୃଷ୍ଣ କହିଅଛନ୍ତି– “ତେତିକିବେଳୁ ମୋ ତନୁ ଥରିଲାଣି ଦେଖିନାହିଁ ଆହୁରି ଆଖିରେ ।” ଯେ କୌଣସି ଅର୍ଥରେ ବ୍ୟବହୃତ ହେଉ, କଥାଟା ଅନ୍ୟ ଆକାର ଧାରଣ କରିନାହିଁ ତ ? ତେବେ କିପରି ପ୍ରାଦେଶିକତା ହେଲା ? ‘କୋଆଡ଼େ’–ବାଲେଶ୍ୱରରେ ‘ଗୋଡ଼’କୁ ‘ଗୁଡ଼’ ଯେପରି କହନ୍ତି, ଆପଣଙ୍କ ଅଞ୍ଚଳର ‘କୁଆଡ଼େ’ ବଦଳରେ ଏ ପ୍ରଦେଶ ଲୋକେ ‘କୋଆଡ଼େ’ କହନ୍ତି । ବନମାଳା ୨୧ ଓ ୨୨ ପୃଷ୍ଠା ଦେଖନ୍ତୁ; “ଏଇଠି କୁଆଡ଼େ ଅନ୍ତର୍ଦ୍ଧାନ ହୋଇଗଲା”, “କୁଆଡ଼େ ଖୋଜିବାକୁ ଯିବି ।” ଗଞ୍ଜାମର ‘କୋ’, ବଙ୍ଗାଳି ‘କୋନ୍‍’, ହିନ୍ଦୀ ‘କୋ’, ସଂସ୍କୃତ ‘କଃ’ (କେ) ଏସବୁ ସମାନ । ଏପରିସ୍ଥଳେ ‘କୋଆଡ଼େ’ କାହିଁକି ପ୍ରାଦେଶିକତା ବୋଲାଯିବ ? ଅଗ୍ରସ୍ଥିତ ଲୋକ ବା ପଦାର୍ଥକୁ ଦେଖାଇ କହିବାକୁ ହେଲେ ଆପଣମାନେ ‘ହେଇଟି’ କହନ୍ତି; ଆମ୍ଭେମାନେ ‘ହେଟି’ କହୁ । ଉଚ୍ଚାରଣରେ ମଧ୍ୟବର୍ତ୍ତୀ ସ୍ୱରର ମାତ୍ର ଲୋପ ହୋଇଅଛି । ଏପରି ଅନେକଠାରେ ହେବାର ଦେଖାଯାଏ । ଉଦାହରଣ- ‘କଅଣ–କଣ’; ‘ପାଆନ୍ତା–ପାନ୍ତା’; ‘ହେଉନ୍ତୁ (ରାମବିଳାସ ୨୫ ପୃଷ୍ଠା ଦେଖନ୍ତୁ)–ହେନ୍ତୁ’ । ସ୍ୱରବର୍ଣ୍ଣମାନେ ଲୁପ୍ତ ହେବା କିମ୍ବା ଅନ୍ୟ ଆକାର ଧାରଣ କରିବା କଥିତ ଭାଷାର ଗୋଟିଏ ସ୍ୱାଭାବିକ ଲକ୍ଷଣ । ଏଥିରେ ପ୍ରାଦେଶିକ ବିଭିନ୍ନତା କ’ଣ ? ‘କୋଠାରେ’–ଆପଣମାନେ ‘କଉଁଠି’, ‘କଉଁଠୁ’, ‘କୌଠୁଁ’ ବ୍ୟବହାର କରନ୍ତି; ଆମ୍ଭେମାନେ ‘କୋଠି’, ‘କୋଠାରେ’, ‘କୋଠୁ’ କହୁ; ବଙ୍ଗାଳିମାନେ ‘କୋଥା’, ‘କୋଥାୟ’; ମରହଟ୍ଟାମାନେ ‘କୋଠେ’ କହନ୍ତି । ଓଡ଼ିଶାରେ ମଧ୍ୟ ‘କୋଠା’, ‘କୋଠାକୁ’ ଏପରି ବ୍ୟବହାର ହୁଏ । ତେବେ ‘କୋଠାରେ’ କିପରି ପ୍ରାଦେଶିକତା ହେଲା ? ‘ଆସେ’–ଦ୍ୱିତୀୟ ପୁରୁଷ ଏକବଚନରେ ଆଦେଶାର୍ଥରେ କେତେକ କ୍ରିୟା ଏକାରାନ୍ତ ହେବାର ଦେଖାଯାଏ । ଯଥା- ‘ତୁ ଦେ’, ‘ତୁ ନେ’, ‘ତୁ କରେ’ । ଆପଣଙ୍କ ଅଞ୍ଚଳରେ ମଧ୍ୟ ଏପରି କହନ୍ତି । ଯୁଗଧର୍ମ ନାଟକ ୪ ଓ ୧୧ ପୃଷ୍ଠାରେ ଲେଖାଅଛି– “ଏଇଥିରେ ଦେ”; “ନେ କିଛି ଅଣ୍ଟାଖୋସା ନେ”; ସତୀ ନାଟକ ୧୮ ପୃଷ୍ଠାରେ ଲେଖାଅଛି– “ଉଠାଇ ଆଣେ”; ଜଗନ୍ନାଥର ବ୍ରାହ୍ମଣମାନେ ମଧ୍ୟ ଏପରି ପ୍ରୟୋଗ କରିବାର ଆମ୍ଭେ ଶୁଣିଅଛୁଁ । ତେବେ ‘ଆସେ’ କାହିଁକି ପ୍ରାଦେଶିକ ହେବ ? ‘ଯାହା ପାରୁ ତା’– ଏହା ଏ ପ୍ରଦେଶର ଘରୋଇ ଭାଷା । ଆପଣଙ୍କ ପ୍ରଦେଶରେ ମଧ୍ୟ ସ୍ତ୍ରୀମାନେ ଏପରି କହନ୍ତି । ସତୀ ନାଟକ ୭୫ ପୃଷ୍ଠା ଦେଖନ୍ତୁ; ଲାବଣ୍ୟ କହୁଅଛି– “ମୋର ଯାପାରି ତା’ ହେଲା, ତାଙ୍କୁ ଏ ଦଶା ଘଟିନଥାନ୍ତା ।” ଆପଣ ଘରୁଆ ଭାଷାର ବିରୋଧୀ ନୁହନ୍ତି ପରା ? ‘ଦେନ୍ତି’, ‘ହେନ୍ତୁ’– ‘ସେ ବଡ଼ ଚିନ୍ତାରେ ଥିଲେ ଏବେ ନିଶ୍ଚିନ୍ତ ହେନ୍ତୁ’; ‘ହୋନ୍ତି କେଡ଼େ ଭୋଳ’ (ସତୀ ନାଟକ ୧୫ ଓ ୧୬ ପୃଷ୍ଠା ଦେଖନ୍ତୁ) । “ଯେପରି କି ସେ ଆଉ ଆମର ଅନ୍ୟ ଆଦେଶ ନ ହେବା ପର୍ଯ୍ୟନ୍ତ ବନବାଳାକୁ ନ ପାନ୍ତି”, “ସେ କେତେବେଳେ ଥାନ୍ତି” (ବନମାଳା ୧୯ ଓ ୨୬ ପୃଷ୍ଠା ଦେଖନ୍ତୁ) । ‘ହେନ୍ତୁ’, ‘ହୋନ୍ତି’, ‘ପାନ୍ତି’, ‘ଥାନ୍ତି’ ଏସବୁ କ’ଣ ? ବୋଧ କରୁଁ, ଆପଣଙ୍କ ପ୍ରଦେଶର କଥା ସବୁ ଆପଣ ଜାଣି ନାହାନ୍ତି । ଆପଣ ଯାହା ଜାଣିନାହାନ୍ତି, ସେ ସବୁ ପ୍ରାଦେଶିକ ପରା ? ‘ହେଲାନି’– ଏ ମୁଦ୍ରାଙ୍କନ ଦୋଷ, ‘ହେଲାଣି’ ବଦଳରେ ପଡ଼ିଯାଇଅଛି । ଯାହାହେଉ କଥାଟା ଆପଣଙ୍କ ମତାନୁସାରେ ବିକାରପ୍ରାପ୍ତ ହୋଇନାହିଁ ତ ? ‘ଣି’ ସ୍ଥାନେ ‘ନି’ ପ୍ରୟୋଗ ହେବାର ଆପଣଙ୍କ ଅଞ୍ଚଳରେ ମଧ୍ୟ ଦେଖାଯାଏ । ସତୀ ନାଟକ ୧୩ ପୃଷ୍ଠା ଦେଖନ୍ତୁ । ପଦୀ କହୁଅଛି– ସେ ଗୁଡ଼ିଆଣୀ ପରି ପଳାନ୍ତାନି । ‘ତୁ ଦେଖିଲେ ବାଳୁତ’ ଅର୍ଥାତ୍‍ ଦେଖିଲେ ତୁ ବାଳୁତ ଅଟୁ; ‘କି (କୌଣସି) ଗୋଳମାଳ ଚଳିଲା ନା ?’ ‘ବର୍ତ୍ତମାନ ଆମ୍ଭେମାନେ କରିବା ଉପାୟ କ’ଣ ?’ ‘ତୁ ଗଲେ ସେମାନେ ପଚାରିବେ ନାହିଁ ଯେ ତୋ ଆଡ଼େ ଦେଖିବେ ନାହିଁ’, –ଏ ବାକ୍ୟଗୁଡ଼ାକରେ ପ୍ରାଦେଶିକତା କ’ଣ ? କେଉଁ କଥାଟା ପରିବର୍ତ୍ତିତ ହୋଇ ଅନ୍ୟ ଆକାର ଧାରଣ କରିଅଛି ? ଆପଣ କହିଅଛନ୍ତି- “ଆମ୍ଭେମାନେ ଘରୁଆ ଭାଷା ବ୍ୟବହାରର ବିରୋଧୀ ନୋହୁଁ । ଘରୁଆ ଭାଷା ସମସ୍ତ ପ୍ରଦେଶରେ ସମାନ ନୁହେଁ । ଅତଏବ ଘରୁଆ ଭାଷା ବ୍ୟବହାର କରିବାକୁ ଗଲେ, ଅବଶ୍ୟ ପ୍ରାଦେଶିକତା ବ୍ୟବହାର କରିବାକୁ ହେବ । ତେବେ ଆପଣଙ୍କ ମତରେ ପ୍ରାଦେଶିକତା କିପରି ବର୍ଜନୀୟ ? ଆମ୍ଭେ ଆଉ କ’ଣ କହିଥିଲୁଁ ? “ଆମ୍ଭେମାନେ ଘରୁଆ ଭାଷା ବ୍ୟବହାରର ବିରୋଧୀ ନୋହୁଁ” ବୋଲି କହି, କିଛି ଦୂର ଯାଇ ଆପଣ ଲେଖିଅଛନ୍ତି– “ସର୍ବାଞ୍ଚଳ ପ୍ରଚଳିତ ଓ ସର୍ବଜନବୋଧ୍ୟ ବିଶୁଦ୍ଧ ଓଡ଼ିଆ ଗ୍ରାମ୍ୟ କଥା ଓ idiom ରକ୍ଷା କରି ଅଧିକ ପରିମାଣରେ ସଂସ୍କୃତମୂଳକ ସହଜ (କାହା ପକ୍ଷରେ ?) ଶବ୍ଦମାନ ବ୍ୟବହାର କଲେ କାହାରି କୌଣସି ଆପତ୍ତି ରହିବ ନାହିଁ ।” ଆପଣଙ୍କ ଏ ଦୁଇ କଥାରୁ କେଉଁ କଥାଟା ଠିକ୍‍ ? ଯେଉଁ ଭାଷାର ଅଭିଧାନ ଆଜି ପର୍ଯ୍ୟନ୍ତ ସଙ୍କଳିତ ହୋଇନାହିଁ, ଯେଉଁ ଭାଷାର ଆଦର୍ଶ ଗଠିତ ହୋଇନାହିଁ, ସେହି ଭାଷାରେ ସର୍ବାଞ୍ଚଳ ପ୍ରଚଳିତ ଓ ସର୍ବଜନବୋଧ୍ୟ ବିଶୁଦ୍ଧ କଥା ବା idiom କିପରି ଜଣାଯିବ ? ସଂସ୍କୃତମୂଳକ ସହଜ ଶବ୍ଦମାନ ବ୍ୟବହାର କଲେ ସାଧାରଣ ଲୋକେ ବୁଝିପାରିବେ କି ?

 

ଆପଣ ଟାହୁଲି କରି ଲେଖିଅଛନ୍ତି– “ଗଞ୍ଜାମ ଓଡ଼ିଆ ହିତବାଦିନୀ ଥରେ ଯାହାଙ୍କ ଦୃଷ୍ଟିପଥରେ ପଡ଼ିଥିବ ସେ ଗଞ୍ଜାମୀ ଓଡ଼ିଆର ଉଜ୍ଜ୍ୱଳ ଦୃଷ୍ଟାନ୍ତ ପାଇଥିବେ ।” ଆପଣ ଜାଣନ୍ତି, ‘ହିତବାଦିନୀ’ ଜଣେ ତେଲଙ୍ଗା ବ୍ୟକ୍ତିଙ୍କ ଦ୍ୱାରା ସମ୍ପାଦିତ । ତେଲଙ୍ଗା ଲୋକେ ବିଶୁଦ୍ଧ ଓଡ଼ିଆ ଲେଖିବେ, ଏପରି ଆଶା କରାଯାଇ ନପାରେ । ଯାହାହେଉ ସଟ୍ଟନ ସାହେବଙ୍କ ଓଡ଼ିଶା ଇତିହାସର ଓଡ଼ିଆଠାରୁ ‘ହିତବାଦିନୀ’ର ଓଡ଼ିଆ ତ କିଛି ଊଣା ନୁହେଁ । ସଟ୍ଟନ ସାହେବ କାହିଁକି ? ଆପଣଙ୍କ ଦେଶର ଜଣେ ଓଡ଼ିଆ ପଣ୍ଡିତ କପିଳେଶ୍ୱର ବିଦ୍ୟାଭୂଷଣ ‘ରାମବିଳାସ’ରେ କିପରି ଓଡ଼ିଆ ଲେଖିଅଛନ୍ତି, ଥରେ ଦେଖନ୍ତୁ– “ତିନି ଜଣେ ସେହି ସରୁଅନ୍ନ ଗ୍ରାସ କଲେ”; “ଏହି ବର୍ତ୍ତମାନରେ ତୋହ ବାକ୍ୟରେ ପ୍ରତିଫଳ ପାନ୍ତୁ”; “ଦୁହେଁ ମୃଗୟାକୁ ଯାଇ ବନ ମଧ୍ୟରେ ପଥଭ୍ରମ ହୁଅନ୍ତେ ଗୃହଶବରର ସାକ୍ଷାତ୍‍ ହେଉଁ ରାମଚନ୍ଦ୍ର ତାହା ସଙ୍ଗରେ ମିତ୍ରତା ସମ୍ପାଦନ କଲେ”; “ମନୋମଧ୍ୟରୁ ଦୁଃଖମାନଙ୍କୁ ବିସ୍ମରଣ କରି ସ୍ୱପ୍ନରେ ହେଲେ ଦର୍ଶନ ନ କଲେ”; “ମୋତେ ଶୁଣାଯିବାରୁ”; “ଆମ୍ଭଙ୍କୁ ସେଠାକୁ ଘେନ”; ଏସବୁ କ’ଣ ? କଟକର ଆଦର୍ଶ ଓଡ଼ିଆ ?

 

ପରିଶେଷରେ ବକ୍ତବ୍ୟ ଏହି ଯେ, ଆପଣ ଗୋଟିଏ ସାହିତ୍ୟ ପତ୍ରିକାର ପରିଚାଳକ; ଭାଷା ବିଷୟରେ ଆପଣ ଯାହା ଲେଖନ୍ତି, ତାହା ଯୁକ୍ତିସଙ୍ଗତ, ପ୍ରାସଙ୍ଗିକ ଓ ଉପାଦେୟ ହେବା ନିତାନ୍ତ ଆବଶ୍ୟକ । ସ୍ୱମତ ବ୍ୟବସ୍ଥାପନ କରିବା ଲାଗି ମନରେ ଦୁରଭିମାନ ରଖି ଲେଖିଲେ ଆପଣଙ୍କ କଥାରେ କେହି ଗୁରୁତ୍ୱ ରଖିବେ ନାହିଁ ।



 

(୧) କଟକ ଛଡ଼ା ଅନ୍ୟ ସମସ୍ତ ଅଞ୍ଚଳର ଦୃଷ୍ଟାନ୍ତଗୁଡ଼ିକ ନିମ୍ନଶ୍ରେଣୀର ନୁହେଁ । ଆମ୍ଭେମାନେ ଭଦ୍ରଲୋକମାନଙ୍କ ମୁଖରୁ ସେ ସମସ୍ତ ଶୁଣିଅଛୁ । ସଂ.

 

ଓଡ଼ିଆ ଭାଷାର ଆଦର୍ଶ

 

ମହାଶୟ !

 

୫ମ ଓ ୬ଷ୍ଠ ସଂଖ୍ୟା ସାହିତ୍ୟରେ “ତେବେ କାହାକୁ ଆଦର୍ଶ କରିବା” ଏହି ପ୍ରଶ୍ନ ଉତ୍‍ଥାପନ କରି ଆପଣ ଲେଖିଅଛନ୍ତି– “ଆମ୍ଭମାନଙ୍କ ମତରେ ସର୍ବାଞ୍ଚଳ ପ୍ରଚଳିତ ଓ ସର୍ବଜନବୋଧ୍ୟ ବିଶୁଦ୍ଧ ଓଡ଼ିଆ ଗ୍ରାମ୍ୟ କଥା ଓ idiom ରକ୍ଷା କରି ଅଧିକ ପରିମାଣରେ ସଂସ୍କୃତମୂଳକ ସହଜ ଶବ୍ଦମାନ ବ୍ୟବହାର କଲେ କାହାର କୌଣସି ଆପତ୍ତି ରହିବ ନାହିଁ ।” ଅଧିକ ପରିମାଣରେ ସଂସ୍କୃତ ଶବ୍ଦ ବ୍ୟବହାର କରିବା ବିଷୟରେ ବୀମ୍‍ସ ସାହେବ ଯାହା ଲେଖିଅଛନ୍ତି, ତାହା ଆପଣ ଗ୍ରହଣ ନ କଲେ ମଧ୍ୟ ଥରେ ଦେଖନ୍ତୁ–

 

“Native scholars have unfortunartely set themselves to improve their mother-tongue by the resuscitation of sanskrit words, instead of striving to fix the orthography of the words really in use among their contemporaries and from this misdirected energy of theirs, it has too often resulted that the language presents a disjointed heterogeneous aspect, certain parts of its, as the nouns and tthe nominal part of compound words, being highly refined classical sanskrit, while other parts as the inflectional and connecting particles, are rude in form and unsettled in orthography.” (Vide Beams’ Comparative Grammar, Vol.II, Page-339).

 

ଶ୍ରୀ ଦୀନେଶ ଚନ୍ଦ୍ର ସେନ୍‍, ବି.ଏ. “ବଙ୍ଗଭାଷା ଓ ସାହିତ୍ୟ”ରେ ଯାହା କହିଅଛନ୍ତି, ତାହା ମଧ୍ୟ ଥରେ ଦେଖନ୍ତୁ– “ଲିଖିତ ଭାଷା ଓ କଥିତ ଭାଷାର ମଧ୍ୟେ ଏକଟା ବ୍ୟବଧାନ ବର୍ତ୍ତମାନ । କିନ୍ତୁ ସେ ବ୍ୟବଧାନେର ଏକଟା ସୀମା ଆଛେ; ତାହା ଅତିକ୍ରମ କରିଲେ ଲିଖିତ ଭାଷା ମୃତ ହଇୟାପଡ଼େ ଓ ତତ୍‍ସ୍ଥଳେ କଥିତ ଭାଷା ଏକଟୁ ବିଶୁଦ୍ଧ ହଇୟା ଲିଖିତ ଭାଷାୟ ପରିଣତ ହୟ । ଲିଖିତ ଭାଷା ଉତ୍ତରୋତ୍ତର ଉନ୍ନତ ହଇଆ ଶିକ୍ଷିତ ସମ୍ପ୍ରଦାୟେର କ୍ଷୁଦ୍ର ଗଣ୍ଡୀର ମଧ୍ୟେ ସୀମାବଦ୍ଧ ହୟ । କ୍ରମଶଃ ବାକ୍ୟ ପଲ୍ଲବେ ସ୍ପୃହା ଓ ଶବ୍ଦେର ଶ୍ରୀବୃଦ୍ଧି ଚେଷ୍ଠାର ଫଲେ ଲିଖିତ ଭାଷା ଜନସାଧାରଣେର ଅନଧିଗମ୍ୟ ହଇୟା ପଡ଼େ । ତଖନ ଭାଷାବିପ୍ଳବେର ଆବଶ୍ୟକ ହୟ । ଯଖନ ସଂସ୍କୃତେର ସଙ୍ଗେ କଥିତ ଭାଷାୟ ସେହିରୂପ ପ୍ରଭେଦ ଜନ୍ମିଲ, ତଖନ କଥିତ ପାଲି ଭାଷା କିଞ୍ଚିତ୍‍ ବିଶୁଦ୍ଧ ହଇୟା ଲିଖିତ ଭାଷା ହଇୟା ଦାଣ୍ଡାଇଲ; ଯଖନ ପୁନଶ୍ଚ ପ୍ରାକୃତେର ସଙ୍ଗେ କଥିତ ଭାଷାର ପ୍ରଭେଦ ଅଧିକ ହଇଲ, ତଖନ ବର୍ତ୍ତମାନ ଗୌଡ଼ୀୟ ଭାଷାଗୁଲି କିଞ୍ଚିତ୍‍ ପରିଶୁଦ୍ଧ ହଇୟା ଲିଖିତ ଭାଷାୟ ପରିଣତ ହଇଲ ।” Max Muller ଓ Whitney ସାହେବଦ୍ୱୟଙ୍କୁ ସାକ୍ଷୀରୂପେ ଉପସ୍ଥିତ କରାଇ ଆମ୍ଭେ ଏହି କଥା ପରା କହିଥିଲୁଁ ? ୪ର୍ଥ ସଂଖ୍ୟା ସାହିତ୍ୟରେ ଜଣେ ଲେଖକ କହିଅଛନ୍ତି– “ସଭ୍ୟତା ଓ ଗମନାଗମନର ସୁବିଧା ବଢ଼ିବା ସଙ୍ଗେ ରୀତିନୀତିର ସ୍ୱାତନ୍ତ୍ର‌୍ୟ ଯେପରି କମୁଅଛି, ଭାଷାର ସ୍ୱାତନ୍ତ୍ର‌୍ୟ ମଧ୍ୟ ସେହିପରି କମୁଅଛି, ଅର୍ଥାତ୍‍ ଭାଷାରୁ ଦେଶଜ ଓ ବିଶେଷ ଅର୍ଥରେ ପ୍ରଯୁକ୍ତ ଶବ୍ଦସଂଖ୍ୟାର ହ୍ରାସ ହେଉଅଛି; ମୂଳଭାଷା ସଂସ୍କୃତମୂଳକ ଶବ୍ଦର ସଂଖ୍ୟା ବଢ଼ୁଅଛି । କ୍ଷମା କରିବେ, କେହି ବିରକ୍ତ ହେବେ ନାହିଁ; “ଶିକ୍ଷିତ ସମ୍ପ୍ରଦାୟଙ୍କ ଭାଷା ଗୁରୁପାକ ଖେଚଡ଼ି ପାଲଟୁଅଛି ।” ଆପଣଙ୍କ ଅଞ୍ଚଳର ଶ୍ରୀ ଗୋପାଳଚନ୍ଦ୍ର ପ୍ରହରାଜ ବି.ଏ. “ଦୁଇ ଖଣ୍ଡି ଓଡ଼ିଆ ପୁସ୍ତକର ସମାଲୋଚନା” ପ୍ରସଙ୍ଗରେ ଲେଖିଅଛନ୍ତି– “ଯେଉଁ ପୁସ୍ତକରେ Anglo–sax on (ଆଦିମ ଇଂରାଜୀ) ଶବ୍ଦ ଯେତିକି ଅଧିକ ଓ Latin ଏବଂ Greek (ଆମଦାନୀ) ଶବ୍ଦ ଯେତିକି ଅଳ୍ପ ସେ ପୁସ୍ତକ ସେତିକି ବେଶି ଆଦୃତ ।” Anglo–saxon ବଦଳରେ “ଓଡ଼ିଆ” ଓ Latin, Greek ବଦଳରେ ‘ସଂସ୍କୃତ’ ଲଗାଇ ପଢ଼ନ୍ତୁ; ଆପଣଙ୍କ ଆଦର୍ଶଟା ଆପଣଙ୍କ ଅଞ୍ଚଳର କୃତବିଦ୍ୟ ଲୋକେ କେତେଦୂର ଅନୁମୋଦନ କରନ୍ତି, ବୁଝିବେ ।